ଅବିଶ୍ୱାସୀ ପ୍ରେମିକ; ପ୍ରେମିକା ସହ କଥାହେବାରୁ ସାଙ୍ଗକୁ ହତ୍ୟାକରି ପୋତି ଦେଲା…

ବଲାଙ୍ଗୀର: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ବନ୍ଧୁତ୍ୱ । ପ୍ରେମିକାକୁ ପାଇବା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ । ରାୟଗଡା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଅତ୍ୟଧିକ ମଦ ପିଆଇବା ପରେ ତଣ୍ଟିଚିପି ବନ୍ଧୁକୁ ହତ୍ୟା କରି ଏକ ନାଳରେ ପୋତି ଦେଇଛି ବନ୍ଧୁ । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଦେବଲପଡା ଗାଁର ଉମାକାନ୍ତ କାଣ୍ଡ । ତେବେ ଟିଟିଲାଗଡ଼ର ସିରଭଟ୍ଟାପଡାର ରୁମାନ ବର୍ଗତ୍ତି ତାଙ୍କୁ ହତ୍ୟାକରି ନାଳରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ ଉମାକାନ୍ତ ଏବଂ ରୁମାନ ଦୁହେଁ ବହୁ ପୁରୁଣା ବନ୍ଧୁ ।

ତେବେ ରୁମାନ ଏକ ଝିଅକୁ ବହୁଦିନରୁ ଭଲପାଇ ଆସୁଥିଲେ । ହେଲେ ଦିନେ ସେହି ଝିଅ ଉମାକାନ୍ତ ସହ କଥା ହେବାର ଦେଖି ରୁମାନ୍ ପ୍ରତିଶୋଧ ପରାୟଣ ହୋଇଥିଲା । ସମ୍ପୃକ୍ତ ଝିଅକୁ ମାରପିଟ କରିବା ସହ ଉମାକାନ୍ତକୁ ବାଟରୁ ହଟାଇବା ପାଇଁ ପ୍ଲାନ ପ୍ରସ୍ତୁତ କରିଥିଲା । ଗତ ମେ’ ମାସ ୨ତାରିଖରେ ରାୟଗଡା ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସି ମର୍ଡର ପ୍ଲଟ ପ୍ରସ୍ତୁତ କରିଥିଲା ରୁମାନ । ଏନେଇ ବଡମାର ପୁଅ ପ୍ରଶାନ୍ତ ବର୍ଗତ୍ତି ଓ ଅନ୍ୟ ସାଙ୍ଗ ବିକାଶ ଭଟ୍ଟକୁ ସାହାଯ୍ୟ କରିବାକୁ କହିଥିଲା । ତେବେ ବୁଲାବୁଲି କରିବା ପାଇଁ ଉମାକାନ୍ତକୁ ଗତ ୩ ତାରିଖରେ ରାୟଗଡା ଡାକିଥିଲା ଉମାକାନ୍ତ ।

ଏଥିରେ ବିଶ୍ୱାସ କରି ଗତ ୪ ତାରିଖରେ ରାୟଗଡାରେ ପହଞ୍ଚିଥିଲା ଉମାକାନ୍ତ । ସେଠାରେ ଏକ ଭୋଜିର ଆୟୋଜନ କରିଥିଲେ ସମସ୍ତ ସାଙ୍ଗ । ଭୋଜିରେ ଉମାକାନ୍ତକୁ ଅତ୍ୟଧିକ ମଦ ପିଆଇବା ପରେ ତଣ୍ଟିଚିପି ରୁମାନ ଓ ଦୁଇ ସହଯୋଗୀ ହତ୍ୟା କରିଥିଲେ । ପରେ କଲ୍ୟାଣସିଂହପୁର ବ୍ଲକ ପୋଙ୍ଗଲି ଗାଁ ନିକଟ ଘୋଡା ନାଳରେ ପୋତି ଦେଇଥିବା ସୂଚନା ରହିଛି । ହତ୍ୟା କାଣ୍ଡ ପରେ ରୁମାନ୍ ଘଟଣାସ୍ଥଳ ଛାଡି ନିଜ ଗାଁକୁ ଚାଲି ଆସିଥିଲା । ତେବ ଉମାକାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ୧୧ ତାରିଖରେ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲେ । ପୋଲିସ ଉମାକାନ୍ତଙ୍କ ମୋବାଇଲ୍ ଟ୍ରାକ୍ କରିବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା । ଘଟଣାରେ ପୋଲିସ ରୁମାନ ଏବଂ ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Leave a Reply