spot_img
Home Blog Page 5706

ଏପ୍ରିଲରେ ଏମିତି ହେବ କିଏ ବା ଜାଣିଥିଲା ? କରୋନାର କେତେ କାହାଣୀ…

ଭୁବନେଶ୍ୱର: ଆକାଶରେ ଉଡ଼ି ବୁଲୁଥିବା ଜୀବନ ଆଜି ଅନ୍ଧାରି ପଞ୍ଜୁରୀରେ ବନ୍ଦୀ ହେଲାଭଳି ମନେ ହେଉଛି। ମନେହେଉଛି ନୁହେଁ ଆମେ ଆଜି ସମସ୍ତେ କରୋନା କାରାଗାରରେ ବନ୍ଦୀ। ଜୀବନ ଆଜି ମଶାଣିର ଜୁଇରେ ହୁତହୁତ ହୋଇ ଜଳୁଛି। ମଣିଷ ତିଆରି କାରଖାନା ଅସହାୟ ହୋଇ ନିଜକୁ ଧିକାରୁଛି। ସ୍ମଶାନ ଆଜି ଶହଶହ ଜୁଇରେ ରୁନ୍ଧି ହୋଇଯାଉଛି। ଯେଉଁଠି ସମୟ ହସଖୁସିରେ କଟୁଥିଲା ସେ ସମୟ କେମିତି ଭଲରେ ବିତିବ ସେହି ଚିନ୍ତାରେ ଦିନ କଟୁଛି। ସମ୍ପର୍କ ଆଜି କରୋନା ପାଇଁ ପର ହୋଇଯାଇଛି।  କରୋନାର କରାଳ ରୂପ ଆଙ୍କି ଚାଲିଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ। ଯାହାକୁ ଦେଖିଲେ ଛାତି ଫାଟି ପଡ଼ିବ ଆଖିରେ ଲୁହ ଅଟକିବନି।

କେଉଁଠି କରୋନାରେ ଅମ୍ଳଜାନ ଅଭାବରୁ ଜୀବନ ଯାଉଛି ତ ପୁଣି କେଉଁଠି ଜୀବନ ଗଲାପରେ ସ୍ମଶାନ ମିଳୁନି। କାଉଁଠି ମାଆ ଥାଉ ଥାଉ ପୁଅର ଚିତା ଜଳୁଛି ତ ପୁଣି କେଉଁଠି ବାପାର ଅନ୍ତି ସତ୍କାର ପୁଅ କରିପାରୁନି। ଏପ୍ରିଲରେ ଏମିତି ହେବ କିଏ ବା ଜାଣିଥିଲା ? ଲେଉଟାଣି କରୋନାରେ ଏତେ ମୃତ୍ୟୁ ହେବ କାହାକୁ ବା ଜଣାଥିଲା ? ଦେଶରେ ହୁ ହୁ ହୋଇ କରୋନା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ମୃତ୍ୟୁର ଛାତିଥରା ଦୃଶ୍ୟ ଯାହା ଆପଣ ମାନେ ଆଗରୁ କେବେ ଦେଖିବି ନଥିବେ। ଯେଉଁଠି କରୋନା ପୂର୍ବରୁ ଗୋଟିଏ ଦୁଇଟି ଜୁଇ ଜଳୁଥିଲା ସେଠି ଆଜି ଶହ ଶହ ସଂଖ୍ୟା ଜଳୁଛି ଜୁଇ। ଦିଲ୍ଲୀରେ ମୃତ୍ୟୁ ପରେ ସ୍ମଶାନରେ ଲାଗୁଛି ଲମ୍ବା ଲାଇନ୍‌। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ବଢ଼ିବା ସହ ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି।

ସେପଟେ କରୋନା ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। କରୋନାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଫେଲ ମାରୁଛି। କେଉଁଠି ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ ମିଳୁନିତ ପୁଣି କେଉଁଠି ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି। କରୋନାର ଦ୍ୱିତୀୟ ଲହରରେ ଅଧିକାଂଶ ରୋଗୀ ଅକ୍ସିଜେନ୍‌ ଅଭାବରୁ ମରିଚାଲିଛନ୍ତି। ଆଜିର ଦିନରେ ଅକ୍ସିଜେନ ଅଭାବର ବିକଳ ଚିତ୍ର ସମସ୍ତଙ୍କୁ ଆତଙ୍କିତ କରିଛି। ଏବେ ଟଙ୍କା ଦେଇ ନିଶ୍ୱାସ କିଣିବାକୁ ପଡ଼ୁଛି। ଖାଲି ସେତିକି ନୁହେଁ ଡହଡହ ଖରାରେ ଘଣ୍ଟାଘଣ୍ଟା ଛିଡ଼ା ହେଲା ପରେ ମିଳୁଛି ଅକ୍ସିଜେନ।

ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଚିରାୟୁ ମେଡିକାଲରେ ରୋଗୀଙ୍କୁ ମିଳିଲାନି ଅକ୍ସିଜେନ୍। ଦୁଇ ଝିଅ ଅଧିକ ଖର୍ଚ୍ଚ ଅଭିଯୋଗ କରିବା ପରେ ରୋଗୀଙ୍କୁ ଲଗାଯାଇଥିବା ଅକ୍ସିଜେନ ସିଲିଣ୍ଡର ହଟାଇ ନେଇଥିଲେ ହସ୍ପିଟାଲ କର୍ମଚାରୀ। ମେକଓ୍ୱେଲ କୋଭିଡ୍ ହସ୍ପିଟାଲରେ ୪୩ ଜଣ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଅକ୍ସିଜେନ ଅଭାବରୁ ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇଛି। ଲକ୍ଷ୍ନୌରେ ବି ସମାନ ସ୍ଥିତି। ଆମ୍ବୁଲାନ୍ସରେ ରୋଗୀଙ୍କୁ ମିଳୁନି ଅକ୍ସିଜେନ ସପୋର୍ଟ। ସେ ଅଟୋ ହେଉ କି ବାଇକ। କରୋନା ରୋଗୀ ଏବେ ସାଙ୍ଗରେ ଅକ୍ସିଜେନ ବାନ୍ଧି ନେଉଥିବାର ଦୃଶ୍ୟ ସମସ୍ତଙ୍କୁ ଚମକାଇ ଦେଇଛି।

ସେପଟେ କରୋନା କାଳରେ ସାମ୍ନାକୁ ଆସୁଛି ଦାରୁଣ ଦୃଶ୍ୟ। ମାହାମାରୀ ସହ ଦେଶ ଯୁଝୁଥିବା ବେଳେ ଆତଙ୍କରେ ମଣିଷପଣିଆ ଭୁଲି ଯାଉଛନ୍ତି ଲୋକ। ତେଲେଙ୍ଗାନାରୁ ଆସିଛି ଛାତିଥରାଇ ଦେବା ଭଳି ଚିତ୍ର। ତେଲେଙ୍ଗାନାର କାମାରେଡୀରେ ଜଣେ ମହିଳାଙ୍କର କରୋନାରେ ମୃତ୍ୟୁ ହେବା ପରେ କାନ୍ଧ ଦେଲେନି ପଡ଼ୋଶୀ। ଆମ୍ବୁଲାନ୍ସ ବି ମିଳିଲାନି। ସ୍ତ୍ରୀର ଶବକୁ କାନ୍ଧରେ ବୋହି ୩ କିଲୋମିଟର ଚାଲି ଚାଲି କବରସ୍ଥାନରେ ପହଞ୍ଚିଲେ ସ୍ୱାମୀ। ୭ ଜନ୍ମର ସାଥି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଉ ଚାଲିଗଲା ପରେ କ’ଣ କେହି କାନ୍ଧ ଦେଲେନି ବୋଲି ଏକା ଛାଡ଼ିଦେଇଥାନ୍ତେ।

ଆମ୍ବୁଲାନ୍ସ ଅଭାବ ଏବେ ଆଉ ଗୋଟିଏ ସମସ୍ୟା ହୋଇ ଉଭା ହୋଇଛି। ଏବେ ସହଜରେ ଆମ୍ବୁଲାନ୍ସ ମିଳୁନଥିବା ବେଳେ ଜଦି କେଉଁଠି ଆମ୍ବୁଲାନ୍ସ ମିଳୁଛି ତେବେ ଭଡ଼ା ହଜାର ହଜାର ଟଙ୍କାରେ ଲୁଟି ଚାଲିଛନ୍ତି। ମହାରାଷ୍ଟ୍ରରେ ମୃତଦେହ ନେବାକୁ ମିଳୁନି ଆମ୍ବୁଲାନ୍ସ। ଗୋଟିଏ ଆମ୍ବୁଲାନ୍ସରେ ୨୪ ଶବ ଭର୍ତ୍ତି କରାଯାଇ କବରସ୍ଥାନ ଓ ମଶାଣିକୁ ନିଆଯାଉଥିବାର ହୃହୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ଗାଜିଆବାଦର ହିଡନ ମୋକ୍ଷ ଶ୍ମଶାନରେ ଅନ୍ତ୍ୟେଷ୍ଟି ଅପେକ୍ଷାରେ ପଡ଼ିଥିଲା ଶବ। ହେଲେ ବିଳମ୍ବ ହେବାରୁ ଶବର ନାକ ଝୁଣିନେଲେ କୁକୁର। ଆଉ କେଉଁ ଏବେ ଶବ ପୋଡ଼ା ହେବା ପାଇଁ ଦେଶରେ ସ୍ମଶାନର ଅଭାବ ହେଲାଣି। କେହିଳ କେବେ ଭାବି ନଥିବା ଘଟଣା ଏବେ ସାମାନ୍ୟ ହୋଇଛି। ଦିଲ୍ଲୀ ସରକାର ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ପାର୍କରେ ଅନ୍ତିମ ସଂସ୍କାର ପାଇଁ କିଛି ପାର୍କକୁ ମଶାଣୀ ଭାବେ ବ୍ୟବହାର ପାଇଁ ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀର ସରେଇ କଲେଖାନ ଅଂଚଳରେ ଗୋଟିଏ ପାର୍କରେ ୭୦ଟି ଇଲେକ୍ଟ୍ରି ଚୁଲା ନିର୍ମାଣ କରାଯାଉଛି । କେବେ ଦୂର ହେବ ଭୂତାଣୁ ଭୟ ? କେବେ କମିବ କରୋନା ପ୍ରକୋପ ? ସାରା ଦେଶବାସୀ ଏହି ଅପେକ୍ଷାରେ।

ଦିନ ୨ଟାରୁ ସକାଳ ୫ଟା ଯାଏ ସହରାଞ୍ଚଳରେ ବନ୍ଦ ରହିବ ବଜାର

ବ୍ରହ୍ମପୁର: ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଗଞ୍ଜାମ ବ୍ୟବସାୟୀ ସଂଘ ନେଇଥିବା ନିଷ୍ପତ୍ତିକୁ ଜିଲ୍ଲାପାଳ ସ୍ୱାଗତ କରିଛନ୍ତି । ଜିଲ୍ଲାର ବ୍ୟବସାୟୀ ସଂଘ ଓ ବୁଲା ବିକାଳି ସଂଘ ସହରାଞ୍ଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସଂଘର ଏଭଳି ନିଷ୍ପତ୍ତିକୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଆଜିଠାରୁ ମେ ୯ ତାରିଖ ଯାଏ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ସଂଘର ଏଭଳି ପଦକ୍ଷେପକୁ ଜିଲ୍ଲାବାସୀ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ୍ ଦେଇଛନ୍ତି । ସମସ୍ତେ ଏକାଠି ମିଳିମିଶି କରୋନା ବିରୋଧରେ ଲଢ଼ିଲେ ଆମେ ଜିତି ପାରିବା ।

ଗଞ୍ଜାମ ଜିଲ୍ଲାରେ ଏବେ ଯାଏ କରୋନାରେ ୨୪ ହଜାର ୪୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୫୮ ଜଣଙ୍କ ମୃତ୍ୟୁ ହୋଇଛି । କରୋନାକୁ ୨୨ ହଜାର ୫୫୧ ଜଣ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ ୧୨୩୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଦେଶରେ ୨ ଲକ୍ଷ ଟପିଲା କରୋନା ମୃତ୍ୟୁ, ୨୪ ଘଣ୍ଟାରେ ୩ ଲକ୍ଷ ୬୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଥମିବାର ନାଁ ନେଉନି । ଲଗାତାର ସପ୍ତମ ଦିନରେ ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ପ୍ରତିଦିନ କରୋନା ନୂଆ ନୂଆ ରେକର୍ଡ କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୦ ହଜାର ୯୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କରୋନାରେ ୩ ହଜାର ୨୯୩ ଜଣ ଆଖି ବୁଜିଛନ୍ତି । ୨୪ ଘଣ୍ଟାରେ କରୋନାକୁ ୨ ଲକ୍ଷ ୬୧ ହଜାର ୧୬୨ ଜଣ ମାତ୍ ଦେଇଛନ୍ତି । ସୋମବାର ଦେଶରେ ୩ ଲକ୍ଷ ୨୩ ହଜାର ୨୩ଟି ମାମଲା ଚିହ୍ନଟ ହୋଇଥିଲା ।

ଦେଶରେ କରୋନା ସ୍ଥିତି

ମୋଟ କରୋନା ଆକ୍ରାନ୍ତ- ୧ କୋଟି ୭୯ ଲକ୍ଷ ୯୭ ହଜାର ୨୬୭

ମୋଟ ସୁସ୍ଥ- ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧

ସକ୍ରିୟ ସଂକ୍ରମଣ ମାମଲା- ୨୯ ଲକ୍ଷ ୭୮ ହଜାର ୭୦୯

ମୋଟ ମୃତ୍ୟୁସଂଖ୍ୟା- ୨ ଲକ୍ଷ ୧ ହଜାର ୧୮୭

ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ, ମୃତ୍ୟୁସଂଖ୍ୟା ୨୦୧୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବିଗତ ୨୪ ଘଣ୍ଟାରେ ୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି ।

ଗୋଟିଏ ମୃତ୍ୟୁ ମିଶାଇ ବୌଦ୍ଧ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ୨୫୮ରେ ପହଞ୍ଚିଛି । ଜିଲ୍ଲାରେ ଏବେ କରୋନାର ୧୨୩୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଖୋର୍ଦ୍ଧାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି ।

ପୁରୀରେ ୩ କୋଭିଡ୍ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୨୩କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୨୨୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ରାୟଗଡ଼ାରେ ୩ଟି ମୃତ୍ୟୁ ମାମଲାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି । ସେହଭଳି ସୁନ୍ଦରଗଡ଼ ଜିଲ୍ଲାରେ ଗୋଟଏ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁ ୧୮୬କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୬ ହଜାର ୩୩୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଶିଳ୍ପ ସମୃଦ୍ଧ ରାଜ୍ୟ ଗଠନ ସହ ଓଡ଼ିଆ ଭାଷା, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ପାଇଁ ଚିରସ୍ମରଣୀୟ ରହିବେ ମଧୁବାବୁ

ଭୁବନେଶ୍ୱର: ଓଡ଼ିଆ ଜାତିର ପ୍ରଣମ୍ୟ ପୁରୁଷ, ଚିରସ୍ମରଣୀୟ ବ୍ୟକ୍ତିତ୍ୱ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଆ ଜନମାନସରେ ସେ ମଧୁବାବୁ ଏବଂ ମଧୁବାରିଷ୍ଟର ଭାବେ ପରିଚିତ । କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ।

Anniversary Of Utkal Gourab Madhusudan Das

ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ମଧୁବାବୁ । ଗାଁ ପାଠଶାଳାରୁ ଶିକ୍ଷାଲାଭ କରି ସେ କଟକ ହାଇସ୍କୁଲରେ ଶିକ୍ଷାଲାଭ କରିଥିଲେ । ୧୮୭୦ ମସିହାରେ କଲିକତା ଯାଇ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‌ ଭାବେ ବିଏ ପାସ୍‌ କରିଥିଲେ । ୧୮୭୩ ମସିହାରେ ଏମ.ଏ ଓ ପରେ ବି.ଏଲ ପାସ୍ କରି କଲିକତାରେ ପ୍ରଥମ ଓଡ଼ିଆ ଭାବେ ଓକିଲାତି କରିଥିଲେ ମଧୁବାବୁ । ତାଙ୍କ ମନ ଭିତରେ ଓଡ଼ିଆ ତଥା ଓଡ଼ିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲା । ୧୯୦୩ ମସିହାରେ ମଧୁବାବୁଙ୍କ ପ୍ରଚେଷ୍ଟାରେ ଆତ୍ମପ୍ରକାଶ କରିଥିଲା ଉତ୍କଳ ସମ୍ମିଳନୀ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ମଧୁବାବୁ ଲଣ୍ଡନ ଯାତ୍ରା କରି ଇଂରେଜ ସରକାରଙ୍କ ନିକଟରେ ନିଜର ବଳିଷ୍ଠ ଯୁକ୍ତି ରଖିଥିଲେ । କୁଟୀର ଶିଳ୍ପର ବିକାଶ, କୃଷି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ପାଇଁ ମଧୁବାବୁ ଥିଲେ ଉଦ୍ୟମରତ । ସେ ଦୁଇଥର ଉତ୍କଳ ସମ୍ମିଳନୀର ସଭାପତି ଓ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।

୧୯୨୧ରେ ବିହାର ଓଡ଼ିଶା ସରକାରରେ ସ୍ୱାୟତ୍ତ ଶାସନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସେ । ଶିଳ୍ପର ଉନ୍ନତି ପାଇଁ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ଟ୍ୟାନେରୀ ଓ ଓଡ଼ିଶା ଆର୍ଟ ଓୟାର । ଲଣ୍ଡନରେ ଓଡ଼ିଶାର କାରିଗରୀ ଶିଳ୍ପ ଓ ଚମଡ଼ା ଶିଳ୍ପର ବିକାଶ ପାଇଁ ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ ସେ । ଓଡ଼ିଆଙ୍କ ପ୍ରାଣରେ ଜାତୀୟତା ଭାବର ଉଦ୍ରେକ କରିବା ପାଇଁ ସେ ବହୁ କବିତା ଓ ସାହିତ୍ୟ ସୃଷ୍ଟି କରିଥିଲେ । ଓକିଲାତି ସମୟରେ ନିଜ ବିଚକ୍ଷଣ ବୁଦ୍ଧିମତ୍ତାର ପରିଚୟ ଦେଇଥିଲେ ମଧୁବାବୁ ।

Anniversary Of Utkal Gourab Madhusudan Das

ପୁରୀ ଜଗନ୍ନାଥ ମନ୍ଦିର ମକଦ୍ଦମା, ରାମଚନ୍ଦ୍ର ଦେବଙ୍କ ପୋଷ୍ୟପୁତ୍ର ମକଦ୍ଦମା, କେନ୍ଦୁଝର ରାଜାଙ୍କ ମକଦ୍ଦମା ଲଢ଼ି ଜିତିବା ସହ ଓକିଲ ହୋଇ ମଧୁବାବୁ ଭାବେ ମଧ୍ୟ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ପ୍ରକୃତରେ ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଓଡ଼ିଆ ଜାତିର ଗୌରବ ।

୬.୪ ତୀବ୍ରତାର ଭୂମିକମ୍ପରେ ଥରିଲା ଆସାମ

ଗୁଆହାଟି: ଆସାମର ଗୁଆହାଟି ସମେତ ପୂର୍ବ ଭାରତରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ୭ଟା ୫୫ ମିନିଟରେ ଅନୁଭୂତ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରହିଥିବା ଜଣାପଡ଼ିଛି । ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଆସାମର ସୋନିତପୁର ବୋଲି ଜଣାପଡ଼ିଛି । ଭୂମିକମ୍ପ ଝଟକା କିଛି ସମୟ ଧରି ଅନୁଭୂତ ହୋଇଥିବା ବେଳେ ଲୋକ ଘର ଭିତରୁ ବାହାରକୁ ଚାଲି ଆସିଥିଲେ ।

ଭୂମିକମ୍ପର ପ୍ରଭାବ ଆସାମ ସମେତ ଉତ୍ତର ପଶ୍ଚିମବଙ୍ଗରେ ମଧ୍ୟ ଅନୁଭୂତ ହୋଇଛି । ଗୁଆହାଟିର କେତେକ ସ୍ଥାନରେ ଭୂମିକମ୍ପ ପରେ ବିଦ୍ୟୁତ୍ କଟି ଯାଇଛି । ସୂଚନା ଅନୁସାରେ ଭୂମିକମ୍ପ ଝଟକା ୨ଥର ଅନୁଭୂତ ହୋଇଛି । ପ୍ରଥମ ଝଟକା ୭ଟା ୫୫ରେ ହୋଇଥିବା ବେଳେ ଏହାର କିଛି ସମୟ ପରେ ଦ୍ୱିତୟ ଥର ଭୂମିକମ୍ପ ହୋଇଥିଲା ।

ଭୂମିକମ୍ପ ଝଟକାରେ ଆସାମରେ କ୍ଷୟକ୍ଷତି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତା ବିସ୍ୱା ସରମା ୨ଟି ଫଟୋ ସେୟାର୍ କରିଛନ୍ତି । ପ୍ରଥମେ ୬.୪ ତୀବ୍ରତାର ଭୂମିକମ୍ପ ପରେ ଆଉ ୨ଟି ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଓ ୪.୪ ରହିଛି । ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦାର୍ଜିଲିଂରେ ଭୂମିକମ୍ପ ପରେ ଲୋକ ଘର ବାହାରକୁ ଚାଲି ଆସିଛନ୍ତି ।

ହସ୍ପିଟାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ, ପୁଣି ନିଆଁ ଲାଗି ୪ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ସଂକଟ ମଧ୍ୟରେ ମହାରାଷ୍ଟ୍ରର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ବଢ଼ ବଢ଼ି ଚାଲିଛି । ଥାନେର ପ୍ରାଇମ୍ କ୍ରିଟିକେୟାର୍ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ହସ୍ପିଟାଲରୁ ରୋଗୀଙ୍କୁ ଅନ୍ୟ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡ ପରେ ଧୂଆଁରେ ଅଣନିଶ୍ୱାସୀ ହୋଇ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଥାନେ ମହାନଗର ନିଗମର ଅଧିକାରୀଙ୍କ ଅନୁସାରେ, ଭୋର୍ ପ୍ରାୟ ୩ଟା ୪୦ ସମୟରେ ଥାନେର ମୁମ୍ବ୍ରାସ୍ଥିତ ପ୍ରାଇମ୍ କ୍ରିଟିକେୟାର୍ ହସ୍ପିଟାଲରେ ନିଆଁ ଲାଗିଥିଲା । ୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ । ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Maharashtra Thane Mumbra Prime Criticare Hospital Fire 4 Patients Died

ଏହା ପୂର୍ବରୁ ମୁମ୍ବାଇ ନିକଟସ୍ଥ ବିରାର ଅଞ୍ଚଳର ବିଜୟ ବଲ୍ଲଭ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ହସ୍ପିଟାଲର ଆଇସିୟୁରେ ୧୭ କରୋନା ଆକ୍ରାନ୍ତ ଥିଲେ । ଯେଉଁଥିରୁ ୧୪ ଜଣ ପ୍ରାଣ ହରାଇଥିଲେ । ଅଗ୍ନିକାଣ୍ଡ ବେଳେ ହସ୍ପିଟାଲରେ ୯୦ ଜଣ ରୋଗୀ ଥିବାବେଳେ ତିନୋଟି ଆଇସିୟୁର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

ରାଜ୍ୟରେ ୮ ହଜାର ଡେଇଁଲା ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମାମଲା । ଗତ ୬ ଦିନ ଧରି ରାଜ୍ୟରେ ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮ ହଜାର ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪ ହଜାର ୭୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୬୦୫ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୩୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୨ ଜଣ, ବରଗଡ଼ର ୨୫୭ ଜଣ, ଭଦ୍ରକରୁ ୬୭ ଜଣ, ବଲାଙ୍ଗିରରୁ ୩୫୮ ଜଣ, ବୌଦ୍ଧରୁ ୮୩ ଜଣ, କଟକରୁ ୪୯୬ ଜଣ, ଦେବଗଡ଼ରୁ ୬୧ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୯୬ ଜଣ, ଗଞ୍ଜାମରୁ ୨୦୯ ଜଣ, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୨୭୦ ଜଣ, ଝାରସୁଗୁଡ଼ାରୁ ୪୩୩ ଜଣ, କଳାହାଣ୍ଡିରୁ ୧୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୫୩ ଜଣ, କେନ୍ଦ୍ରାପଡ଼ାରୁ ୪୯ ଜଣ, କେନ୍ଦୁଝରରୁ ୧୭୫ ଜଣ, କୋରାପୁଟରୁ ୬୯ ଜଣ, ମାଲକାନଗିରିରୁ ୨୪ ଜଣ, ମୟୂରଭଞ୍ଜରୁ ୨୮୯ ଜଣ, ନବରଙ୍ଗପୁରରୁ ୩୮୮ ଜଣ, ନୟାଗଡ଼ରୁ ୧୨୨ ଜଣ, ନୂଆପଡ଼ାରୁ ୨୩୩ ଜଣ, ପୁରୀରୁ ୨୫୯ ଜଣ, ରାୟଗଡ଼ାରୁ ୭୫ ଜଣ, ସମ୍ବଲପୁରରୁ ୩୦୭ ଜଣ, ସୋନପୁରରୁ ୬୭ ଜଣ, ସୁନ୍ଦରଗଡ଼ରୁ ୯୩୩ ଜଣ ଏବଂ ଷ୍ଟେଟ ପୁଲରୁ ୩୪୮ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୨୮ ହଜାର ୫୧୫ରେ ପହଞ୍ଚିଛି । ଏବେ ରାଜ୍ୟରେ ୫୫ ହଜାର ୨୪୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୩ ଲକ୍ଷ ୭୧ ହଜାର ୨୦୦ ଜଣ କରୋନାକୁ ମାତ୍ ଦେଇଛନ୍ତି ।

ଟିକା ନେବା ପାଇଁ ଆଜିଠୁ ପଞ୍ଜିକରଣ କରିପାରିବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ

ଭୁବନେଶ୍ୱର: ମେ’ ୧ ତାରିଖରୁ ଟିକା ନେବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ । ଏ ନେଇ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । କିନ୍ତୁ ସ୍ଲଟ୍‌ କାହାକୁ ଦିଆଯିବ ନାହିଁ । କାରଣ ରାଜ୍ୟର ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ନାହିଁ । ପର୍ଯ୍ୟାପ୍ତ କୋଭାକ୍ସିନ ଥିବାରୁ କେବଳ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ହିଁ ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ହୋଇପାରିବ । ଅଧିକ ଟିକା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସରକାର । ତେବେ ଟିକା ଅଭାବ କାରଣରୁ ଧିରେ ଧିରେ ବନ୍ଦ ହେଉଛି ଟିକାକରଣ କେନ୍ଦ୍ର ।

COVID-19: Vaccination registration for all adults starts today

ମୁଖ୍ୟତଃ କୋଭିସିଲ୍ଡ ଟିକା ଅଭାବରୁ ଲୋକ ଟିକା କେନ୍ଦ୍ରରୁ ଫେରୁଛନ୍ତି । ଗୋଟିଏ କି ୨ଟି ସ୍ଥାନ ନୁହେଁ, ବିଭିନ୍ନ ସ୍ଥାନରେ କୋଭିସିଲ୍ଡ ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି । ଯେଉଁ ୧ ଲକ୍ଷ ୨୩ ହଜାର ଟିକା ଅଛି, ତାହା ଆଜି ହିଁ ସରିଯିବାର ସମ୍ଭାବନା ରହିଛି । ତୁରନ୍ତ ଟିକା ନ ଆସିଲେ, ସାରା ରାଜ୍ୟରେ ଟିକାକରଣ ବନ୍ଦ ହୋଇପାରେ । ସେପଟେ ଟିକା ଅଭାବ ଯୋଗୁ ମେ’ ପହିଲାରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ନେଇ ସନ୍ଦେହ ଦେଖାଦେଇଛି ।

ସାମାନ୍ୟ କାଶ ଓ ଛିଙ୍କ ହେଲେ ଭୁବନେଶ୍ବର ନଆସିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲର ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ତଥାପି ସଂକ୍ରମଣର ସ୍ପିଡ ଦେଖି ଆଶଙ୍କାରେ ଲୋକେ। ଅଧିକ ସଂଖ୍ୟକ ଶଯ୍ୟା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଦାବି ହେଉଛି। ଡରଉଛି ଦିଲ୍ଲୀ ଓ ମହାରାଷ୍ଟ୍ରର ସ୍ଥିତି। ସାମାନ୍ୟ କାଶ ଓ ଛିଙ୍କ ହେଲେ ହସ୍ପିଟାଲରେ ଭର୍ତ୍ତି ହୋଇ ଅଯଥାରେ କୃତ୍ରିମ ସମସ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାସ୍ତରରେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ଥିବା ସତ୍ତ୍ବେ ଭୁବନେଶ୍ବରକୁ ଆସିବାକୁ ପ୍ରାଥମିକତା ଦେଉଛନ୍ତି ରୋଗୀ। ଏପରିକି ରାଜ୍ୟ ବାହାରୁ ମଧ୍ୟ ରୋଗୀ ଆସୁଥିବାରୁ ଚିନ୍ତା ବଢୁଛି।

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କେବଳ ଅକ୍ସିଜେନ୍ ମହଜୁଦ ଅଛି ଏହା ନୁହଁ ବରଂ ଭିତ୍ତିଭୂମି ମଧ୍ୟ ରହିଛି। ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ମୋଟ ୮,୮୯୪ ଶଯ୍ୟାର ଶତକଡା ୩୩ ଭାଗ ଅର୍ଥାତ୍ ୨,୯୪୨ଟି ବେଡ୍ ବ୍ୟବହାର ହୋଇଛି। ୨,୧୭୦ଟି ଆଇସିୟୁ ମଧ୍ୟରୁ ୧,୦୬୦ ବ୍ୟବହାର ହୋଇଥିବା ବେଳେ ୮୫୮ଟି ଭେଣ୍ଟିଲେଟର ମଧ୍ୟରୁ ମାତ୍ର ୨୨୩ଟି ବ୍ୟବହୃତ ହୋଇଛି। ଅର୍ଥାତ୍ ବର୍ତ୍ତମାନ ସ୍ଥିତିରେ ଯଥେଷ୍ଟ ପରିମାଣର ଭିତ୍ତିଭୂମି ରହିଛି।

ସେହିଭଳି ଭୁବନେଶ୍ବରରେ ୬ଟି ହସ୍ପିଟାଲ ଓ ୪ଟି କୋଭିଡ କେୟାର ସେଣ୍ଟରରେ ମୋଟ ୨,୦୨୮ ଜେନେରାଲ ବେଡ ମଧ୍ୟରୁ କେବଳ ୭୯୬ଟି ବେଡରେ ରୋଗୀ ଥିବା ବେଳେ ୩୯୪ ଆଇସିୟୁ ମଧ୍ୟରୁ ୨୮୬ଟି ବ୍ୟବହୃତ ହୋଇଛି। ୪୨୩ ଏଚଡିୟୁରୁ ୨୩୮ଟି ଓ ୨୮୨ଟି ଭେଣ୍ଟିଲେଟର ମଧ୍ୟରୁ ମାତ୍ର ୮୬ଟି ବ୍ୟବହୃତ ହୋଇଛି। ଅର୍ଥାତ୍ ବର୍ତ୍ତମାନ ମଧ୍ୟ ଯଥେଷ୍ଟ ସଂଖ୍ୟକ ଭିତ୍ତିଭୂମି ରହିଥିବା ସ୍ପଷ୍ଟ ହୋଇଛି। ସେପଟେ ଗୁରୁତର ନଥିଲେ କୌଣସି ରୋଗୀ ଅଯଥାରେ ଭୁବନେଶ୍ବର ନଆସିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଆଜିର ଦିନରେ କେବଳ ରାଜ୍ୟରେ କାହିଁକି ଦେଶରେ ସଂକ୍ରମଣ ହାର ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ଏଣୁ ଆତଙ୍କିତ ହେବା ପରିବର୍ତ୍ତେ ସଜାଗ ଓ ସଚେତନ ହେବା ଜରୁରୀ।