spot_img
Home Blog Page 5671

ଟିକା ପାଇଁ ଭାରତୀୟଙ୍କର ଲମ୍ବା ଲାଇନ..

ଦେଶରେ ଘାତକ କରୋନା ମହାମାରୀ । ଲଗାତାର ବଢୁଛି ସଂକ୍ରମଣ ମାମଲା । ଭିଡକୁ ଦୂରେଇବା କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍‌ଡାଉନ । ହେଲେ ଦୁଃଖର ବିଷୟ ଏହା ଯେ କେଉଁଠି କରୋନା ରୋଗୀ ବେଡ୍ ନପାଇ ହନ୍ତସନ୍ତ ତ ଆଉ କେଉଁଠି ନିଶ୍ୱାସ ପାଇଁ କରୁଛନ୍ତି ସଂଘର୍ଷ । ସବୁଠି ନିଜ ପାଳି ପଡିବା ପାଇଁ ଅପେକ୍ଷା । ଆଉ ଯଦି ଏହିସବୁ ସ୍ଥିତି ଯୋଗୁଁ କାହାର ଜୀବନ ଚାଲିଯାଉଛି ତାହାଲେ ବି ମଶାଣୀ ଘାଟରେ ଶବ ସତ୍କାର ପାଇଁ ଦେବାକୁ ପଡୁଛି ଲମ୍ବା ଲାଇନ୍ । ଏହି ଲମ୍ବା ଲାଇନରେ ଏବେ ଛିଡା ହୋଇଛନ୍ତି ଭାରତର ହଜାର ହଜାର ଜନତା ।

କିନ୍ତୁ ଏହାରି ଭିତରେ ଚିନ୍ତା ବଢାଉଛି କରୋନା ଟିକା କେନ୍ଦ୍ର । ଆଜ୍ଞା ହଁ ଯେଉଁ ଟିକା କରଣର ଅଭିଯାନ ମେ ୧ ତାରିଖରୁ ଆରମ୍ଭ ହୋଇଥିଲା । ସେହିଠାରେ ହିଁ ଜନ୍ମନେଉଛି କରୋନା ସଂକ୍ରମଣ । ଏହିସବୁ ଟିକାକରଣ କେନ୍ଦ୍ରର ଦୃଶ୍ୟକୁ ଦେଖିଲେ ଆପଣମାନେ ଠିକ୍ ବୁଝିପାରିବେ । କେଉଁଭଳି ଭାବେ ସୁରକ୍ଷିତ ଟିକାକରଣ ଅସୁରକ୍ଷିତର ରୂପ ନେଉଛି । ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବା ପାଇଁ ରହିଛି ସମସ୍ତ ନିୟମ । ହେଲେ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଆରମ୍ଭ ହୋଇଯାଇଛି ଭିଡ । ନା ରହିଛି କରୋନା ଗାଇଡଲାଇନ୍ ନା ରହିଛି ସାମାଜିକ ଦୂରତା । ସବୁ ନିୟମ ଯେମିତି ଏହି ଟିକାକରଣକେନ୍ଦ୍ର ଗୁଡିକରେ ଠପ୍ ହୋଇଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ସରକାର ସଚେତନ କରୁଥିବା ବେଳେ ।

ଟିକା ଦିଆଯାଉଥିବା କେନ୍ଦ୍ରଗୁଡିକରେ ଏହିଭଳି କରୋନା ଗାଇଡଲାଇନର ଅବହେଳା ସଂମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟଜନକ କଥା । ଭିଡ ଭିତରେ ଅନେକ ଲୋକଙ୍କୁ କରୋନା ହେଇଯିବ ଭାବି ଲୋକେ କୋଭିଡ୍ ଟିକା ନେବା ପାଇଁ କେନ୍ଦ୍ରକୁ ବି ଆସୁନାହିଁ । ଆଉ ଯେଉଁମାନେ ଆସୁଛନ୍ତି ଲମ୍ବା ଲାଇନ ଓ ଅତ୍ୟଧିକ ସମୟ ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ । ତାସହ ଦିଲ୍ଲୀ,ମୁମ୍ବାଇ ଭଳି ମେଟ୍ରୋ ସିଟି ମାନଙ୍କର ସ୍ଥିତି ବି ସଙ୍ଗିନ ପାଲଟିଛି । ଲୋକଙ୍କର ଟିକାକରଣ କେନ୍ଦ୍ରରେ ଜମୁଥିବା ଭିଡ ସତେ ଯେମିତି କରୋନା ସଂକ୍ରମଣକୁ ନିମନ୍ତ୍ରଣ କରୁଛି । ଅନ୍ୟପଟେ ଦେଶରେ କରୋନା ମୃତ୍ୟୁସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିସାରିଲାଣି । ଏବେ ସୁଦ୍ଦା ଆମେରିକା ,ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । କିନ୍ତୁ ଗତ ୧୦ ଦିନ ଭିତରେ ଭାରତରେ କରୋନା ଜନିତ ମୃତ୍ୟୁ ସବୁଠାରୁ ଅଧିକ ହୋଇଛି । ଦେଶରେ ବର୍ତମାନ ସୁଦ୍ଦା ୪ଲକ୍ଷ ୧୪ହଜାରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୨୭ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ଦେଶରେ ଘଣ୍ଟାକୁ ୧୫୦ଜଣଙ୍କର ମୃତ୍ୟୁ ହେଉଛି । ତେବେ ଏହିଭଳି ସ୍ଥିତିରେ ଜନତାଙ୍କର ଟିକାକରଣ କେନ୍ଦ୍ରରେ ଅବହେଳା ଓ ଅଭିଯୋଗ ସତରେ ଚିନ୍ତାର ବିଷୟ ପାଲଟିଛି । ଏସବୁକୁ ଲକ୍ଷ୍ୟକରି ସରକାର ନିୟମାବଳୀ ଗୁଡିକୁ ନେଇ ଲୋକଙ୍କୁ ଅଧିକ ସଜାଗ ଓ ସର୍ତକ କରାଇବା ହିଁ ପ୍ରମୁଖ କାର୍ଯ୍ୟ ହେବା ଆବଶ୍ୟକ ।

 

 

 

କୋଭିଡ ସଂକ୍ରମଣର ପ୍ରତିବନ୍ଧକ ପାଇଁ ଶନିବାର ଓ ରବିବାର ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ଓଡିଶାରେ ତାଲା ବନ୍ଦ ଲାଗୁ ହେବା ଏବଂ କୋଭିଡ ୧୯ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ୮ ରୁ ୧୬ ମଇ ମଧ୍ୟରେ ଶନିବାର ଏବଂ ରବିବାର ୧୧ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି।

ଏହି ୧୧ଟି ଟି ଟ୍ରେନ୍ ହେଉଛି, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ, ପୁରୀ-ଅନୁଗୁଳ-ପୁରୀ, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ,କଟକ-ଭଦ୍ରକ-କଟକ, ବିଶାଖାପାଟଣା-ରାଇପୁର-ବିଶାଖାପାଟଣା, ଭୁବନେଶ୍ୱର-ପଲାସା-ଭୁବନେଶ୍ୱର, ରାୟଗଡା-ସମ୍ବଲପୁର-ରାୟଗଡ଼ା ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ମଇ ମାସ ୮, ୯, ୧୫ ଏବଂ ୧୬ ତାରିଖ ଦିନ ବାତିଲ ରହିବ।

ସେହିଭଳି ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ ମଇ ମାସ ୮, ୮, ୧୫ଏବଂ ୧୬ ତାରିଖ ଦିନ ଏବଂ ବାଙ୍ଗିରିପୋସିରୁ ୯, ୧୦, ୧୧ ଏବଂ ୧୭ ମଇ, ୨୦୨୧ରେ ବାତିଲ ରହିବ। ପୂର୍ବରୁ ୭ଟି ଟ୍ରେନ ବାତିଲ କରାଯାଇଥିଲା। ଏବେ ଷ୍ଟେସନରେ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି। ମାସ୍କ, ସାନିଟାଇଜେସନ ଉପରେ ବିଷେଷ ଗୁରୁତ୍ୱ ଦିଆଯାଉଛି।

 

ଆନ୍ଧ୍ର ଫେରନ୍ତାଙ୍କ ପାଇଁ ନୂଆ ନିୟମ ଲାଗୁ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ହେଉଥିବା ବେଳେ ସଂକ୍ରମଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଏଥିଲାଗି ଦିଲ୍ଲୀ ସରକାର ଦେୟଯୁକ୍ତ କ୍ୱାରେଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରାଇଛନ୍ତି।

ତେବେ କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତି ପ୍ରମାଣପତ୍ର ଦେଖାଇଲେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବନାହିଁ। ଏହାଛଡ଼ା ୭୨ ଘଣ୍ଟା ପୂର୍ବରୁ RTPCR ନେଗେଟିଭ୍ ରିପୋର୍ଟ ଦେଖାଇଲେ ୭ଦିନ ଯାଏ ହୋମ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି।

ହୋମ କ୍ୱାରେଣ୍ଟାଇନ ସୁବିଧା ନ ଥିଲେ ସରକାରୀ ବା ଦେୟଯୁକ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ରହିପାରିବେ। ଆନ୍ଧ୍ରରେ କରୋନାର ନୂଆ ଏପି ଷ୍ଟ୍ରେନ୍ ବା N440K ଭ୍ୟାରିଆଣ୍ଟ ମିଳିବା ପରେ ଯାତ୍ରୀଙ୍କ ଯାତାୟାତ ଉପରେ କଟକଣା ଲଗାଇଛନ୍ତି ଦିଲ୍ଳୀ ସରକାର।

କୋଭିଡ୍ ପରିଚାଳନା ନେଇ କଂଗ୍ରେସର ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଦେଶରେ କୋଭିଡ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକଦିନ ଲକ୍ଷାଧିକ ସଂକ୍ରମଣ ହେଉଥିବାବେଳେ ଅକ୍ସିଜେନ ଅଭାବରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। କୋରନା ମାମଲାରେ ଏଭଳି ବିସ୍ଫୋରକ ଅଭିବୃଦ୍ଧି ହେତୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକ ଡାକିଛନ୍ତି।

କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧିଙ୍କ ଅଧକ୍ଷତାକରେ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ବୌଠକ ବସିଛି। ବୈଠକରେ ଦେଶର କୋଭିଡ୍ ସ୍ଥିତିକୁ ନେଇ ସେ ନିଜ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ମତାମତ ଶୁଣିଛନ୍ତି। ତେବେ ତାଙ୍କ ଦଳ ଶାସିତ ରାଜ୍ୟଗୁଡ଼ିକରେ କିପରି କୋଭିଡ ମୁକାବିଲା ହେବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଛି। କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଏହି ଭର୍ଚୁଆଲ୍ ବୈଠକରେ ଅଂଶଗ୍ରହଣ କରିଛନ୍ତି।

ତେବେ ମାର୍ଚ୍ଚରେ ସଂସଦର ବଜେଟ୍ ଅଧିବେଶନ ପରେ ଏହା କଂଗ୍ରେସ ସଂସଦୀୟ ପାର୍ଟି (ସିପିପି)ର ପ୍ରଥମ ବୈଠକ।

ପୁଣି ଜଣେ ସାମ୍ବାଦିକଙ୍କୁ ଛଡ଼ାଇନେଲା କରୋନା

ବ୍ରହ୍ମପୁର: ପୁଣି ଜଣେ ସାମ୍ବାଦିକଙ୍କୁ ଛଡାଇ ନେଲା କୋଭିଡ। ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ମୃତ୍ୟୁ ମାମଲା ମଧ୍ୟ ବଢିବାରେ ଲାଗିଛି । କରୋନା ସଂକ୍ରମଣରୁ ବାଦ୍ ପଡୁନାହାଁନ୍ତି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ। ଏହି ପରିପ୍ରେକ୍ଷୀରେ ମହାମାରୀରେ ଯାଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ।

କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଆଉ ଜଣେ ସାମ୍ବାଦିକ ହେଉଛନ୍ତି ଜଣାଶୁଣା ଖବର ସରାବରାହ ସଂସ୍ଥା ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁ। ଯିଏକି ବ୍ରହ୍ମପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।

ପ୍ରଦୀପ କରୋନାରେ ଦୀର୍ଘ ଦିନ ଧରି ଆକ୍ରାନ୍ତ ଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁରର ଅଶ୍ୱିନୀ କୋଭିଡ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ୪୩ ବର୍ଷ ବୟସରେ ମୃତ୍ୟୁ ଘଟିଛି।

ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୁଦ୍ଦରେ ପୁଣି ଏଫ୍‌ଆଇଆର !

ବିବାଦୀୟ ମନ୍ତବ୍ୟ ଯେଉଁଠି କଙ୍ଗନା ରଣାୱାତ ସେଇଠି । ଏହିକଥାରୁ ଆପଣାମାନେ ବୁଝିପାରୁଥିବେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ । ସବୁବିଷୟରେ ନିଜର ମନ୍ତବ୍ୟ ରଖି ବିବାଦ ଘେରକୁ ଆସିବା ଯେମିତି କଙ୍ଗନାଙ୍କର ଏକ ଅଭ୍ୟାସ । ଆଉ ଏହି ଅଭ୍ୟାସ ତାଙ୍କର ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବିଶେଷ ଭାବେ ବଢିଛି । ହେଲେ ବଲିଉଡରେ ଅଭିନୟ କରୁଥିବା କଳାକାରଙ୍କ ବିଷୟରେ ମନ୍ତବ୍ୟ ରଖିବା କଥାରେ କଙ୍ଗନାଙ୍କର ଶତ୍ରୁ ବେଶ୍ ବଢିଯାଇଥିଲେ । ହେଲେ ଏବେ ରାଜନୀତି କ୍ଷେତ୍ରରେ କଙ୍ଗନାଙ୍କର ମୁଣ୍ଡବିନ୍ଧା ପାଇଁ ପଶ୍ଚିମବଙ୍ଗର ଓଲଟାଡାଙ୍ଗାରେ ତାଙ୍କ ବିରୁଦ୍ଦରେ ଏଫ୍‌ଆଇଆର ଦର୍ଜ କରାଯାଇଛି । ଆଉ ଏହି ଏଫଆଇଆର ଟିଏମି ନେତା ରୁଜୁ ଦତ୍ତାଙ୍କ ଦ୍ୱାରା ଦର୍ଜ କରାଯାଇଛି । ସେ କଙ୍ଗନାଙ୍କ ବିରୁଦ୍ଦରେ ରାଜ୍ୟରେ ଦଙ୍ଗା ଉତ୍ପନ୍ନ କରିବା ପାଇଁ ପ୍ରବର୍ତ୍ତାଇବା ଯୋଗୁଁ କେସ୍ ଫାଇଲ କରିଛନ୍ତି ।

ଦତ୍ତାଙ୍କ କହିବା ଅନୁସାରେ କଙ୍ଗନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି । କଙ୍ଗନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ଆପତ୍ତିଜନକ ପୋଷ୍ଟ କରିଛନ୍ତି । ଆଉ ପୋଲିସଙ୍କୁ ଏଫ୍‌ଆଇଆର ଦେବା ସମୟରେ ଏହିସବୁର ସ୍କ୍ରିନସର୍ଟ ମଧ୍ୟ ଦତ୍ତା ପୋଲିସଙ୍କୁ ଦେଖାଇଛନ୍ତି । ପୂର୍ବରୁ କଙ୍ଗନାଙ୍କର ଏହିଭଳି ହିଂସାତ୍ମକ ଓ ଆପତ୍ତିଜନକ ପୋଷ୍ଟ ପାଇଁ ତାଙ୍କ ଟୁଇଟର ଆକାଉଣ୍ଟଙ୍କୁ ସଂମ୍ପୂର୍ଣ୍ଣ ରୂପେ ସସପେଣ୍ଡ କରିଦିଆଯାଇଥିଲା ।

କାହିଁକି ନା ସେ ନିଜ ଟୁଇଟର ଆକାଉଣ୍ଟରେ ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାକୁ ନେଇ ଟିପ୍ପଣୀ ରଖିଥିଲେ । କେବଳ ସେତିକି ନୁହେଁ କଙ୍ଗନା ତାଙ୍କର ଗୋଟିଏ ପୋଷ୍ଟରେ ମମତା ବାନାର୍ଜୀଙ୍କୁ ଖୁନୀ ଓ ପିପାସୁ ରାକ୍ଷସୀ ତାଡକା ବୋଲି ମଧ୍ୟ କହିଥିଲେ । ତେବେ ଏହିଭଳି ଏଫ୍‌ଆଇଆର କଙ୍ଗନାଙ୍କ ବିରୁଦ୍ଦରେ ପ୍ରଥମଥର ହୋଇନାହିଁ । ଏହା ପୂର୍ବରୁ ବି ଅନେକ ବିବାଦୀୟ ବୟାନ ଦେଇ କଙ୍ଗନା ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଓ ନିଜ ଟୁଇଟକୁ ନେଇ ଲୋକଙ୍କର ଆକ୍ରୋଶର ଶିକାର ମଧ୍ୟ ହୋଇଛନ୍ତି ।

୭ବର୍ଷ ବୟସରୁ ଆରମ୍ଭ କରିଥିଲେ ଅଭିନୟ ଏବେ ୬୭ବର୍ଷରେ କରିବେ ହଲିଉଡରେ କାମ.

ଚଳଚିତ୍ର ଦୁନିଆରେ ସୁନାମ ଅର୍ଜନ କରିବା ଆଶାରେ ପ୍ରତ୍ୟେକଦିନ ଆସନ୍ତି ଅନେକ ଇଚ୍ଚୁକ । ହେଲେ ଏହି ଅଭିନୟ କରିବାର ଦୁନିଆ ବି ଖୁବ୍ ସଂଘର୍ଷମୟ । ଏଠି କିଏ ସାରା ଜୀବନ ପାଇଁ ଦର୍ଶକଙ୍କ ମନ ଜିଣି ସୁପରଷ୍ଟାର ହେଇଯାଏ ତ ପୁଣି କିଏ ଡିରେକ୍ଟର ମାନଙ୍କ ଦୁଆର ଦୁଆର ବୁଲି ନିଜ ଅଭିନୟର ବୟସକୁ କମାଇ ଦିଏ । ହେଲେ ଆଜି ଆମେ ଏମିତି ଜଣେ କଳାକାରଙ୍କ କଥା କହିବାକୁ ଯାଉଛୁ ଯିଏ ୬୭ ବର୍ଷ ବୟସରେ ବଲିଉଡରୁ ହଲିଉଡ ଦୁନିଆରେ ପାଦଥାପିବାକୁ ଯାଉଛନ୍ତି । ଫିଲ୍ମ ଗୁଣ୍ଡାରୁ ନିଜର ପରିଚୟ ବନାଇଥିବା ଅଭିନେତା ହରିଶ ପଟେଲ ଏବେ ମାର୍ବଲ ଷ୍ଟୁଡିଓ ସହ କାମ କରିବାର ଖବର ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ହରିଶ ମାର୍ବଲ ଷ୍ଟୁଡିଓ ନିବେଦିତ ଫିଲ୍ମ ଇଟରନାଲ୍ସରେ କାମ କରିବେ । ଏହି ଖବର ସେତେବେଳେ ସମସ୍ତଙ୍କ ସାମ୍ନାକୁ ଆସିଲା ଯେତେବେଳେ ଏହି ଫିଲ୍ମର ଟିଜରରେ ହରିଶଙ୍କ ଝଲକ ଦେଖିବାକୁ ମିଳିଲା । ହରିଶ ପଟେଲଙ୍କର ଜନ୍ମ ୧୯୮୩ ଜୁଲାଇ ୫ରେ ମୁମ୍ବାଇରେ ହୋଇଥିଲା ।

ଛୋଟ ବେଳୁ ଅଭିନୟ ପ୍ରତି ତାଙ୍କର ରୁଚି ଥିବା କଥା ଜଣାପଡିଯାଇଥିଲା । ସେ ୭ ବର୍ଷ ବୟସରେ ଅଭିନୟ କରିବା ଆରମ୍ଭ କରିଦେଇଥିଲେ । ସେ ନିଜର ପ୍ରଥମ ଚଳଚିତ୍ର ୧୯୮୩ରେ ପାଇଥିଲେ । ହରିଶ ପଟେଲ ମିଷ୍ଟର ଇଣ୍ଡିଆ,ବିଲ୍ଲୁ ବାଦଶାହ,ମେନେ ପ୍ୟାର କିୟା,ଶୋଲା ଓର ସବନମ୍ ,ଆଖେଁ ଓର ମୋହରା ଭଳି ଅନେକ ହିଟ୍ ଚଳଚିତ୍ରରେ କାମ କରିଛନ୍ତି । ଚଳଚିତ୍ରରେ କାମ କରିବା ସହ ସେ ୧୯୯୫ରେ ଇଣ୍ଡିଆନ ନେସନାଲ୍ ଥିଏଟରରେ ପାଦ ଥାପିଲେ । ଥିଏଟରରେ ହରିଶ ପଟେଲ କ୍ଲାସିକାଲ ସହିତ ମଡର୍ଣ୍ଣ ପ୍ଲେ ରେ ଅଭିନୟ କଲେ । ଅନେକ ୱେଷ୍ଟର୍ଣ୍ଣ ଲେଖକଙ୍କର ପ୍ଲେ ରେ ବି ସେ କାମ କରିଛନ୍ତି ।

ବଲିଉଡରେ ଅନେକ ଚଳଚିତ୍ରରେ ସେ ପାଶ୍ୱର୍ ଭୂମିକାରେ ନଜର ଆସିଛନ୍ତି । ଆଉ ନିଜ ଡାଇଲଗ୍ ମାଧ୍ୟମରେ ଦର୍ଶକଙ୍କର ମନ ଜିତିଛନ୍ତି । ତେବେ ହଲିଉଡରେ ବର୍ତମାନ ତାଙ୍କର ଅଭିନୟ ଦେଖିବ ସାରା ଦୁନିଆ । ମାର୍ବଲ ଷ୍ଟୁଡିଓ ନିବେଦିତ ଇଟରନାଲ୍ ଫିଲ୍ମରେ ହରିଶଙ୍କ ସହ ଏଂଜୋଲିନା ଜୋଲି,ରିଚର୍ଡ ମେଡେନ୍‌,କୁମେଲ ନାନଜିଆନୀ,ସଲାମା ହାଏକେଙ୍କ ସମେତ ଆହୁରୀ ବଡ ବଡ ହଲିଉଡ ଷ୍ଟାରମାନେ ନଜର ଆସିବେ । ଏହି ଫିଲ୍ମଟି ୫ ନଭେମ୍ବର ୨୦୨୧ରେ ରିଲିଜ ହେବାକୁ ଯାଉଛି । ତେବେ ସୂଚନା ଅନୁସାରେ ଏହି ଚଳଚିତ୍ରଟି ହରିଶଙ୍କର ପ୍ରଥମ ହଲିଉଡ ଫିଲ୍ମ ନୁହେଁ । ଏହା ପୂର୍ବରୁ ସେ ରନ୍ ଫ୍ୟାଟ ବୟ ରନ୍ ,ଗ୍ୟାଙ୍ଗଷ୍ଟା ଗ୍ରେନୀ ସମେତ ଅନେକ ହଲିଉଡ ଫିଲ୍ମରେ କାମ କରିଛନ୍ତି ।

ମେ ୧୫ ପରେ ଟ୍ୱିନ୍ ସିଟିରେ ପିକକୁ ଆସିବ କରୋନା, ୩୦ ହଜାର ଛୁଇଁପାରେ ଦୈନିକ ମାମଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ୧୨ ହଜାର ଡେଇଁଛି । ଆଗକୁ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଏପରିକି ୩୦ ହଜାର ଛୁଇଁପାରେ । କରୋନାକୁ ନେଇ ଏଭଳି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ଏଭଳି ଆକଳନ କରିଛନ୍ତି । ଛୋଟ ଛୋଟ ସହର ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଛି ।

Health Expert Niroj Mishra Warns Corona May Go To Peak By 15th May

ମେ’ ୧୫ ପରେ ଭୁବନେଶ୍ୱର, କଟକରେ କରୋନା ପିକକୁ ପହଞ୍ଚିବ । ଦୈନିକ ସଂକ୍ରମଣ ୧୫ ହଜାର ଉପରେ ମାମଲା ଆସିବ । ଏମିତିକି 30ହଜାର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ଗ୍ରାମାଞ୍ଚଳରେ ପିକ୍ ବିଳମ୍ବ ହେବ । ଏହି କିଛି ଦିନ ହେବ ଗ୍ରାମାଞ୍ଚଳରେ ସଂକ୍ରମଣ ବଢିଛି । ତେଣୁ ଏବେ ଅଧିକ ସଚେତନ ହେବାକୁ ପଡ଼ିବ । ନିୟମ ମାନିବାକୁ ପଡ଼ିବ । ଲକଡାଉନକୁ ଆହୁରି କଡ଼ାକଡ଼ି ପାଳନ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ଦୈନିକ ସଂକ୍ରମଣ ମାମଲା ୧୫ ହଜାଇ ଛୁଇଁଲେ ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପଡ଼ିବ । ଏବେ ଲକଡାଉନ୍ ପାଇଁ ସଂକ୍ରମଣ ମାମଲା କମିଛି । ଲକଡାଉନ୍ ଉଠିଗଲେ ସଂକ୍ରମଣ ମାମଲା ବଢ଼ିବାର ସମ୍ଭାବନା ଥିବା କହିଛନ୍ତି ନିରୋଜ ମିଶ୍ର । ନିୟମ ନମାନିଲେ ସଂକ୍ରମଣକୁ ସମ୍ଭାଳି ହେବନି, ଲୋକେ ସଚେତନ ହୋଇ କଟକଣା ମାନିବାକୁ ସେ କହିଛନ୍ତି ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ. ଷ୍ଟାଲିନ୍

ଚେନ୍ନାଇ: ଡିଏମକେ ସଭାପତି ଏମକେ. ଷ୍ଟାଲିନ୍ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଚେନ୍ନାଇ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଷ୍ଟାଲିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । କୋଭିଡ୍ କଟକଣାକୁ ମାନି ଅଳ୍ପସଂଖ୍ୟକଙ୍କ ଉପସ୍ଥିତିରେ ଶୁକ୍ରବାର ଷ୍ଟାଲିନ୍ ଶପଥ ଗ୍ରହଣ କରିଛନ୍ତି ।

୨୩୪ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଡିଏମକେ ୧୨୫ ଆସନ ଜିତିଥିବା ବେଳେ ଏମଡିଏମକେ ୪ଟି, ଏମଏମକେ ୨ଟି ଏହିଭଲି ସହଯୋଗୀ ଦଳକୁ ମିଶାଇ ଡିଏମକେ ପାଖରେ ୧୩୩ଟି ଆସନ ରହିଛି । ଷ୍ଟାଲିନଙ୍କ ସହ ୩୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ବରିଷ୍ଠ ନେତା ଏସ୍. ଦୁରାଇମୁରୁଗନ (ଜଳ ସମ୍ପଦ ମନ୍ତ୍ରୀ), କେ.ଏନ୍. ନେହରୁ (ସହରାଞ୍ଚଳ ମନ୍ତ୍ରୀ), ଆଇ. ପେରିସାମୀଙ୍କୁ ସମବାୟ, କେ. ପୋନମୁଡିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍. ରେଘୁପାଠିଙ୍କୁ ଆଇନ୍ ମନ୍ତ୍ରୀ କରାଯାଇଛି । ଶପଥ ଗ୍ରହଣ ସମାରୋହରେ ଡିଏମକେର ସହଯୋଗୀ ଦଳର ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ଉପସ୍ଥିତ ଥିଲେ ।

ଆଜି ବି ୪ ଲକ୍ଷ ପାର୍, ଦେଶରୁ ଆଉ ୪ ଲକ୍ଷ ୧୪ ହଜାର ୧୮୮ ପଜିଟିଭ୍

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ପ୍ରତିଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧୪ ହଜାର ୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୯୧୫ ଜଣ । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୧ ହଜାର ୫୦୭ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହା ପୂର୍ବରୁ ବୁଧବାର ଦେଶରେ ୪ ଲକ୍ଷ  ୧୨ ହଜାର  ୨୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଶ୍ୱରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାର ୫୦ ପ୍ରତିଶତ କେସ୍ ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି ।

ଦେଶରେ କରୋନା ମାମଲା

ମୋଟ ସଂକ୍ରମିତଙ୍କ ସଂଖ୍ୟା– ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮

ମୋଟ ସୁସ୍ଥ– ୧ କୋଟି ୭୬ ଲକ୍ଷ ୧୨ ହଜାର ୩୫୧

ମୋଟ ସକ୍ରିୟ ମାମଲା– ୩୬ ଲକ୍ଷ ୪୫ ହଜାର ୧୬୪

ମୋଟ ମୃତ୍ୟୁ– ୨ ଲକ୍ଷ ୩୪ ହଜାର ୧୬୪

ମୋଟ ଟିକାକରଣ– ୧୬ କୋଟି ୪୯ ଲକ୍ଷ ୭୩ ହଜାର ୫୮ ଡୋଜ୍