spot_img
Home Blog Page 5670

ଆଇପିଏଲରୁ ଫେରି ରାଇନା କରୁଛନ୍ତି ରୋଷେଇ

ଇଣ୍ଡିୟନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ହୋଇଗଲା ସ୍ଥଗିତ । କିଛି ଟିମ୍‌ର ସଦସ୍ୟଙ୍କ କରୋନା ପଜିଟିଭ୍ ଆସିବା ପରେ ବିସିସିଆଇ ଚଳିତ ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଲିଗ୍ ସ୍ଥଗିତ ହେବା ପର୍ଯ୍ୟନ୍ତ ୨୯ଟି ମ୍ୟାଚ ଖେଳାଯାଇଥିଲା ଏବଂ ୩୧ଟି ଖେଳା ଯିବା ପାଇଁ ବାକି ରହିଥିଲା । ଆଇପିଏଲ ବନ୍ଦ ହେବା ପରେ ସମସ୍ତ ଖେଳାଳୀ ନିଜ ନିଜ ଘରକୁ ଫେରିଯାଇଥିଲେ । ତେବେ ଦର୍ଶକମାନେ ଆଇପିଏଲ ନ ଦେଖିପାରିବାରୁ ନିରାଶ ତ ଅଛନ୍ତି । ହେଲେ ଅନ୍ୟପଟେ ନିଜ ପ୍ରିୟ ଖେଳାଳୀ ଆଇପିଏଲରୁ ଫେରିବା ପରେ ଘରେ କଣ କରୁଛନ୍ତି । ତା ଉପରେ ବି ନଜର ରଖିଛନ୍ତି । ଖେଳାଳୀ ମାନେ ନିଜ ଘରେ ପରିବାରଙ୍କ ସହ ସମୟ ଅତିବାହିତ କରୁଥିବାର ଭିଡିଓ ଏବଂ ଫୋଟ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି ।

ସେହି ଭିଡିଓ ଭିତରୁ ଜଣେ ଖେଳାଳୀଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ସୁରେଶ ରାଇନା ଜଣେ କୁକ୍ ଭାବେ ନଜର ଆସୁଛନ୍ତି । ଦର୍ଶକେ ସୁରେଶ ରାଇନାଙ୍କୁ ମଇଦାନରେ ଚଉକା ଛକା ମାରିବାର ଅନେକଥର ଦେଖିଛନ୍ତି । ହେଲେ ମଇଦାନରେ ଭଲ ପ୍ରଦର୍ଶନ କରୁଥିବା ସୁରେଶ ରାଇନା ରୋଷେଇ ଘରେ ବି ଭଲଭାବେ ନିଜ ପ୍ରଦର୍ଶନ ଦେଖାଇପାରନ୍ତି ବୋଲି ଖୁବ୍ କମ୍ ଲୋକେ ଜାଣିଥିବେ । ଆଇପିଏଲରୁ ଫେରିବା ପରେ ସୁରେଶ ରାଇନା କଡୀ ବନାଉଥିବାର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଭିଡିଓକୁ ସେୟାର କରି ସୁରେଶ ରାଇନା ଲେଖିଛନ୍ତି – ଏହି କଡି ତରକାରୀର ରେସିପି ତାଙ୍କ ଭଉଣୀଙ୍କର ସିକ୍ରେଟ ରେସିପୀ । ରାଇନାଙ୍କର ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସଙ୍କର ବିପୁଳ ଭଲପାଇବା ମିଳିଛି ।

ତେବେ ଏହି ଭିଡିଓ ପୂର୍ବରୁ ଆଉ ଏକ ଭିଡିଓ ମଧ୍ୟ ରାଇନାଙ୍କର ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ସୁରେଶ ରାଇନା ହୋଟେଲର କୁକୁଙ୍କ ସହିତ ଖାଦ୍ୟ ବନାଉଥିବାର ନଜର ଆସିଥିଲେ । ତାଙ୍କ ସହ ଅବନ୍ତୀ ରାୟୁଡୁ ମଧ୍ୟ ରହିଥିଲେ । ଏମିତି ଅନେକ ଭିଡିଓ ସୋସିଆମ ମିଡିଆରେ ରାଇନା ପୋଷ୍ଟ କରନ୍ତି ଓ ତାହା ପରେ ତାଙ୍କ ଫ୍ୟାନ୍ସଙ୍କ ଦ୍ୱାରା ଖୁବ୍ ଭାଇରାଲ ମଧ୍ୟ ହୋଇଥାଏ । ସେହିଭଳି ଆଇପିଏଲ ସ୍ଥଗିତ ହେବା ପରେ ବିସିସିଆଇର ନିର୍ଣ୍ଣୟକୁ ସପୋର୍ଟ କରି ରାଇନା ନିଜ ଟୁଇଟରେ କହିଥିଲେ ଯେ- କରୋନାକୁ ଏବେ ଥଟ୍ଟା ଭାବେ ନେବା ବିଲକୁଲ ବି ଉଚିତ୍ ନୁହଁ । ଅନେକ ଜୀବନର ବାଜି ଲାଗିସାରିଲାଣି । ତେଣୁ ମୋର ମୋ ଦର୍ଶକଙ୍କୁ ଅନୁରୋଧ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

ଓଡ଼ିଶା ଫୁଟବଲ୍ କ୍ଲବ ସହ ଯୋଡ଼ି ହେଲେ କିଂବଦନ୍ତୀ ଫୁଟ୍‌ବଲର୍‌ ଡେଭିଡ୍‌ ଭିଲା

ଭୁବନେଶ୍ୱର: ଓଡ଼ିଶା ଫୁଟବଲ୍ କ୍ଲବ ସହ ଯୋଡ଼ି ହେଲେ କିଂବଦନ୍ତୀ ଫୁଟ୍‌ବଲର୍‌ ଡେଭିଡ୍‌ ଭିଲା। ସ୍ପେନ୍‌ ପାଇଁ ୯୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଏହି ତାରକା ଷ୍ଟ୍ରାଇକର୍‌ ଏକଦା ଫିଫା ବିଶ୍ୱକପରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ତେବେ ବର୍ତ୍ତମାନ ସେ ଓଏଫ୍‌ସିରେ ଯୋଗଦେବା ପରେ ଏହାର ଗ୍ଲୋବାଲ୍‌ ଫୁଟ୍‌ବଲ୍‌ ଅପରେସନ୍ସ ମୁଖ୍ୟ ଭାବେ କାମ କରିବେ।

ଓଏଫ୍‌ସିରେ ଯୋଗଦେବା ପରେ ଭିଲା କହିଛନ୍ତି ‘‘ମୁଁ ମୋ ଅଭିଜ୍ଞତାକୁ ଏଠାରେ ଉଚିତ ଉପ‌‌ଯୋଗ କରିବି। ମୁଁ ମୋ ଅଭିଜ୍ଞତାକୁ ଫୁଟ୍‌ବଲ୍‌ରେ ବିନିଯୋଗ କରିବି। ଓଡ଼ିଶା ଏଫ୍‌ସି ଏବେ ଶ୍ରେଷ୍ଠ ଖେଳାଳି, ପ୍ରଶିକ୍ଷକ ଓ ସହକାରୀଙ୍କୁ ପାଇ ଆଗକୁ ବଢ଼ିବ ବୋଲି ଆଶା କରିବା’’। ଡେଭିଡ ଭିଲାଙ୍କ ଆଗମନ ଓଡ଼ିଶା ଏଫ୍‌ସିର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ବୋଲି କ୍ଲବ୍‌ ସଭାପତି ରାଜ ଅଥ୍ୱାଲ କହିଛନ୍ତି।

ସ୍ପେନ୍‌ ପାଇଁ ୟୁରୋ କପ୍, ବିଶ୍ୱକପ୍‌, ବାର୍ସିଲୋନା ପାଇଁ ଲା ଲିଗା, ଚାମ୍ପିଅନ୍ସ ଲିଗ୍‌ ଜିତିଥିବା ଡେଭିଡ୍‌ଙ୍କ ଭଳି ଜଣେ ଖେଳାଳି ଓଡ଼ିଶା ଏଫ୍‌ସି ସହ ଯୋଡ଼ିହେବା ନିଶ୍ଚିତ ଭାବେ ଦଳକୁ ଆଗାମୀ ବର୍ଷ ଶୀର୍ଷରେ ପହଞ୍ଚାଇବାର ସୂତ୍ର ଦେଖାଇବ ବୋଲି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ ଆଶା ରଖିଛନ୍ତି।

ନଭିମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପୁଣି ନିଜ ଉଦାରତାର ପରିଚୟ ଦେଲେ ରାଜ୍ୟ ସରକାର। ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ବ୍ୟବହାର ହେଉଥିବା ନଭିମୁମ୍ବାଇ ମହାନଗର ନିଗମକୁ ୨ କୋଟିରୁ ଅଧିକ ଟଙ୍କାର ଓଡ଼ିଶା ଭବନ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର।

କୋଭିଡ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରିଆସୁଥିଲେ। ତେବେ ଏହାର ଭଡ଼ା ବାବଦକୁ ୨କୋଟି ୧୬ହଜାର ଟଙ୍କା ବାକି ଥିଲା। ତେବେ ଏ ସମସ୍ତ ଟଙ୍କାକୁ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମହାମାରୀର ଏହି ବିପଦ ସମୟରେ ଓଡ଼ିଶା ଭବନ ଭଡ଼ାକୁ ଛାଡ଼ି ମୁଖ୍ୟମନ୍ତ୍ରୀ ନିଜର ମାନଵିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛାପୂର୍ଣ୍ଣ ମନୋଭାବ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁସାରେ ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନିମନ୍ତେ ମହାରାଷ୍ଟ୍ରକୁ ଓଡ଼ିଶା ଜରୁରୀ ଭିତ୍ତିରେ ଗତ ୧୫ ଦିନ ହେଲା ଅକ୍ସିଜେନ ମଧ୍ୟ ଯୋଗାଇଆସୁଛି।

ଗ୍ରୀଷ୍ମ ଅବକାଶରେ ମଧ୍ୟ ଜାରି ରହିବ ଜରୁରୀ ଓ ଅତିଜରୁରୀ ମାମଲାର ବିଚାର

ନୂଆଦିଲ୍ଲୀ:  ମେ ୧୦ରୁ ସୁପ୍ରିମକୋର୍ଟଙ୍କ ପ୍ରଥମ ପର୍ଯ୍ୟାୟ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ହେଲେ ଛୁଟି ସମୟରେ ମଧ୍ୟ ଜରୁରୀ ମାମଲାର ଶୁଣାଣି ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସପ୍ତାହକୁ ଦୁଇ ଦିନ ଭର୍ଚୁଆଲରେ ୨ଟି ଖଣ୍ଡପୀଠ ମାମଲାଗୁଡିକର ଶୁଣାଣି କରିବେ।

ମେ ୧୦ରୁ ୧୫ ମଧ୍ୟରେ ସପ୍ତାହକୁ ୨ଦିନ ମଙ୍ଗଳବାର ଓ ଶୁକ୍ରବାର ଶୁଣାଣି କରିବେ ଖଣ୍ଡପୀଠ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ଅବକାଶ ମେ ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିବ। ଏହି ସମୟରେ ବି ସପ୍ତାହକୁ ଦୁଇ ଦିନ ପୂର୍ବଭଳି ମଙ୍ଗଳବାର ଓ ଶୁକ୍ରବାର ଶୁଣାଣି କରାଯିବ। ତେବେ ମଙ୍ଗଳବାର ଶୁଣାଣି ପାଇଁ ଗୁରୁବାର ସୁଦ୍ଧା କେସ ପଞ୍ଜୀକରଣ କରାଯିବାକୁ କୁହାଯାଇଥିବାବେଳେ ଶୁକ୍ରବାର ଶୁଣାଣି ପାଇଁ ସୋମବାର ସୁଦ୍ଧା ପଞ୍ଜୀକରଣ ପାଇଁ ଡେଡଲାଇନ ରଖାଯାଇଛି। ଏଥର ଚାରି ପର୍ଯ୍ୟାୟରେ ଗ୍ରୀଷ୍ମ ଅବକାଶର ବିଚାର ପ୍ରକ୍ରିୟା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ତୃତୀୟ ପର୍ଯ୍ୟାୟ ମେ ୨୬ରୁ ଜୁନ ୧୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ଜୁନ ୧୧ରୁ ଜୁନ ୨୭ ଯାଏଁ ଅବଧି ରହିଛି। ଏହି ସମୟରେ କେଉଁ ଖଣ୍ଡପୀଠ ଶୁଣାଣି କରିବେ ସେ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ [email protected] ଇ-ମେଲ ଠିକଣାରେ ମାମଲା ରୁଜୁ ହୋଇପାରିବ।

ମୁଖ୍ୟମନ୍ତ୍ରୀଙ୍କ ଜିଏସଟି ଛାଡ଼ ଦାବିକୁ ବିଭିନ୍ନ ମହଲରେ ପ୍ରଶଂସା

ଭୁବନେଶ୍ୱର: କରୋନା ଟିକା ଉପରୁ ଜିଏସଟି ଛାଡ଼ା କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ଏ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସାଂସଦ କହିଛନ୍ତି, ଚିଠି ଲେଖି ମୁଖ୍ୟମନ୍ତ୍ରୀ ବଳିଷ୍ଠ ନେତୃତ୍ୱ ଦେଖାଇଛନ୍ତି। ଏହାଦ୍ୱାରା ସବୁ ରାଜ୍ୟର ଆର୍ଥିକ ବୋଝ କମିବ। ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ସେ ନିବେଦନ କରିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ସ୍ୱାଗତ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଜିଏସଟି କମାଇବା ନିହାତି ଦରକାର ବୋଲି ସୁର ଦାବି କରିଛନ୍ତି। ଓଡ଼ିଶାକୁ ଆବଶ୍ୟକୀୟ ଟିକା ଦିଅନ୍ତୁ ବୋଲି ମଧ୍ୟ ସୁର ଦାବି କରିଛନ୍ତି। ଗତକାଲି କୋଭିଡ ଟିକା କ୍ରୟ ଉପରେ GST ଛାଡ଼ ପାଇଁ ଚିଠି ଲେଖିଛନ୍ତି ନବୀନ। ୧୮ରୁ ୪୫ ବର୍ଷ ବୟସ୍କ ପାଇଁ ଟିକା କ୍ରୟରେ GST ଛାଡ ପାଇଁ ସେ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, GST ଯୋଗୁଁ କରୋନା ଟିକାର ମୂଲ୍ୟ ଅଧିକ ହୋଇଛି । କେନ୍ଦ୍ର ସରକାର ଆଦାୟ କରୁଥିବା ସେସ୍ ଓ ଅନ୍ୟାନ୍ୟ ଅତିରିକ୍ତ କର ରାଜ୍ୟ ସହ ବାଣ୍ଟିବା ଉଚିତ। ଏହା କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟକୁ ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି ।

ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା

ବ୍ରହ୍ମପୁର: କରୋନାବେଳେ ସାଧାରଣ ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ରାଜସ୍ୱ ସେବା। ଲୋକମାନଙ୍କୁ ଆଉ ଆରଆଇ କି ତହସିଲ ଅଫିସ ଯିବାକୁ ପଡ଼ିବନି। ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ‘ରାଜସ୍ୱ ରଥ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ପ୍ରଥମ ଥର ପାଇଁ ଗଂଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ଏବେ ଲାଗୁ କରିଛନ୍ତି ଲକଡାଉନ ଏବଂ ସପ୍ତାହାନ୍ତ ଶଟଡାଉନ। ଏଥିସହିତ ତହସିଲ ଅଫିସକୁ ମଧ୍ୟ ସାଧାରଣ ଲୋକଙ୍କ ଯିବା ଉପରେ କଟକଣା ଲଗାଯାଇଛି। ଏହିଦୃଷ୍ଟିରୁ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଏପରିକି ମ୍ୟୁଟେସନ ଭଳି କାର୍ଯ୍ୟ ପାଇଁ ବୁଲୁଛି ରାଜସ୍ୱ ରଥ । ଘରେ ଘରେ ସାର୍ଟିଫିକେଟ ପହଞ୍ଚାଇବେ ରାଜସ୍ୱ କର୍ମଚାରୀ । ଲୋକଙ୍କ ଦୁଆର ମୁହଁରୁ ଏ ସଂପର୍କୀତ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ଲକଡାଉନ ସରିବା ପର୍ଯ୍ୟନ୍ତ ଏହି ରଥ ଘର ଘର ବୁଲିବ।

ପିଲାମାନଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ କଲା କ୍ୟାନାଡ଼ା

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ୧୨ରୁ ୧୫ ବର୍ଷ ବୟସର ପିଲାଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ କରିଛି କ୍ୟାନାଡ଼ା। ଏଥିପାଇଁ ଜର୍ମାନ୍ ସହାୟତାରେ ପ୍ରସ୍ତୁତ ଫାଇଜର ଟିକାକୁ କ୍ୟାନାଡ଼ା ସରକାର ଅନୁମୋଦନ କରିଛନ୍ତି। ପ୍ରଥମଥର ପାଇଁ ବିଶ୍ୱରେ କୌଣସି ଦେଶ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରିଥିବାରୁ ସାରା ବିଶ୍ୱ ଏହାର ପ୍ରତିଫଳନକୁ ଅପେକ୍ଷା କରିଛନ୍ତି।

ଏହି ମର୍ମରେ କାନାଡ଼ା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା ସୁପ୍ରିୟା ଶର୍ମା କହିଛନ୍ତି ଯେ ଏହି ଟିକା କିଶୋର ବୟସ୍କଙ୍କ ପାଇ ନିରାପଦ ଓ ଉପାଦେୟ। ଏହିଭଳି ଏକ ଦୃଢ଼ ପଦକ୍ଷେପ ନେଇ କାନାଡ଼ା କୋଭିଡ୍ ବିରୁଦ୍ଧରେ ଲଢ଼ୁଥିବା ଅନ୍ଧକାର ରାସ୍ତାରେ ଦୀପଟିଏ ଲଗାଇବାକୁ ଚେଷ୍ଟା କରିଛି ବୋଲି ସେ କହିଛନ୍ତି।

ଫାଇଜର ଟିକା ଜର୍ମାନ୍ ଜ୍ଞାନକୌଶଳ ସହାୟତାରେ ପ୍ରସ୍ତୁତ ହୋଇଛି। ଏହି ଟିକା କିଶୋର ବୟସ୍କଙ୍କ ପାଇଁ ନିରାପଦ ଜାଣିବା ପରେ ତାଙ୍କ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ କାନାଡ଼ାରେ ଆଷ୍ଟ୍ରୋଜେନେକା ଟିକା ପ୍ରଦାନ କରାଯାଇଥିଲା। ଏହି ଟିକା କିଛି ମାତ୍ରାରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏପରିକି ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ବି ଘଟିଛି। କିନ୍ତୁ ଏହି ପାର୍ଶ୍ୱ ପ୍ରତିକ୍ରିୟା ଜନିତ ମୃତ୍ୟୁ ବିରଳ ଘଟଣା। ବିଶାଳ ଜନତାଙ୍କୁ ମହାମାରୀରୁ ରକ୍ଷା କରିବାକୁ ହେଲେ ଟିକାକରଣ ଅଧିକ ଜରୁରୀ ବୋଲି ଚିନ୍ତା କରି ପ୍ରାଦେଶିକ ସରକାରମାନେ ଟିକାକରଣକୁ ପ୍ରୋତ୍ସାହନ ଦେଉଛନ୍ତି।

କାନାଡ଼ାର ଏହି ପଦକ୍ଷେପକୁ ଦେଖି ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ କିଶୋର ବୟସ୍କଙ୍କୁ ଟିକାଦାନ କରିବା ଲାଗି ଚାହିଁଛନ୍ତି। ୟୁଏସ୍ ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍ କାନାଡ଼ା ସରକାରଙ୍କ ଭଳି ଆମେରିକାରେ ମଧ୍ୟ କିଶୋରଙ୍କୁ ଟିକାଦାନ କରିବା ଲାଗି ‘ଖୁବ୍ ଶୀଘ୍ର’ ପଦକ୍ଷେପ ନେବ ବୋଲି କହିଛନ୍ତି।

ଲକଡାଉନ ବେଳେ ପୋଲିସର କଡ଼ା ପହରା ସତ୍ତ୍ୱେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଝାରସୁଗୁଡ଼ା: ଲକଡାଉନ ବେଳେ ଝାରସୁଗୁଡ଼ାରେ ଲଜ୍ଜା। ପୋଲିସର କଡ଼ା ପହରା ସତ୍ତ୍ୱେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ ଘରେ ଘଟିଛି ଏ ଘଟଣା।

ସୂଚନା ମୁତାବକ ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟେ ରେଳବାଇ ପୋଲିସ ଅଧୀନରେ ଥିବା ଏକ ପରିତ୍ୟକ୍ତ ଘରେ ୨ଜଣ ଯୁବକ, ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଲକଡାଉନ ଯୋଗୁଁ ବସଷ୍ଟାଣ୍ଡ ପାଖରେ ପୋଲିସର କଡ଼ା ପହରା ଦିଆଯାଇଛି। ତଥାପି ମାତ୍ର କିଛି ମିଟର ଦୂରରେ ପୋଲିସ ଥିବା ସତ୍ତ୍ୱେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେପଟେ ଏନେଇ ପ୍ରତ୍ରିକ୍ରିୟା ରଖିଛନ୍ତି ରାଉରକେଲା ରେଲୱେ ଏସପି ଅରୁଣ କୁମାର ଜେନା। ସେ କହିଛନ୍ତି ଯେ ରେଲୱେ ଆଇ ଆଇ ସିଙ୍କୁ  ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଅରୁଣ କୁମାର ଜେନା କହିଛନ୍ତି।

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶେଷ ନାରାୟଣ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: କୋରନା ପୁଣିଥରେ ଜଣେ ବରିଷ୍ଠ ସାମ୍ବାଦିଙ୍କୁ ଛଡ଼ାଇ ନେଇଛି । କୋରନା ଯୋଗୁ ଜାତୀୟ ଗଣମାଧ୍ୟମର ଜଣାଶୁଣା ସାମ୍ବାଦିକ ତଥା ସ୍ତମ୍ଭକାର ଶେଷ ନାରାୟଣ ସିଂଙ୍କ ପରଲୋକ ହୋଇଛି।

ଶେଷ ନାରାୟଣ କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଦିଲ୍ଲୀର GIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସୂଚନା ଅନୁଯାୟୀ ତାଙ୍କୁ ପ୍ଲାଜମା ଥେରାପି ଦିଆଯାଉଥିଲେ ବି ତାଙ୍କ ଶରୀରରେ ଏହାର ପ୍ରଭାବ ଦେଖିବାକୁ ମିଳି ନଥିଲା।  ଫଳରେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି।

ଶେଷ ନାରାୟଣଙ୍କ ଦେହାନ୍ତରେ ସାରା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ୟାଦବ ମଧ୍ୟ ଶେଷ ନାରାୟଣଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

କରୋନାରେ ସାମ୍ବାଦିକଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ନର: କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ସାମ୍ବାଦିକ ପ୍ରଦୀପ କିଶୋର ସାହୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ସମ୍ବାଦିକଙ୍କ ଅମର ଆତ୍ମାର ସଦଗତି କାମନା କରିବାସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ‘ସାମ୍ବାଦିକ ପ୍ରଦୀପ କିଶୋର ସାହୁଙ୍କ ଦେହାନ୍ତଖବର ପାଇ ମୁଁ ଗଭୀରଭାବେ ମର୍ମାହତ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଓମ୍ ଶାନ୍ତି।’

ସୂଚନାଯୋଗ୍ୟ ପ୍ରଦୀପ କିଶୋର ସାହୁ ଜଣାଶୁଣା ଖବର ସରାବରାହ ସଂସ୍ଥା ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ତେବେ ଗତ ୧୫ ଦିନ ହେବ ସେ କରୋନା ଆକ୍ରାନ୍ତ ହୋଇ ସେ ବ୍ରହ୍ମପୁରର ଅଶ୍ୱିନୀ କୋଭିଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା ।