ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ୧୦ଙ୍କୁ ପ୍ରମୋଶନ, ୩୩ ନୂଆ ମୁହଁ

ନୂଆଦିଲ୍ଲୀ: ସନ୍ଧ୍ୟା ୬ଟାରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ ହେବାକୁ ଯାଉଛି । ଏହାକୁ ନେଇ ଆଜି ଦିନ ତମାମ ଅନୁମାନର ବଜାର ଗରମ ଥିଲା ଯେ, କିଏ ରହିବେ କିଏ ଯିବେ । ପୁଣି ନୂଆ ମୁହଁ ସବୁ କିଏ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଓଡ଼ିଶାରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ଭିତରେ ଅନ୍ତିମ ତାଲିକା ମଧ୍ୟ ଆସି ସାରିଛି । ତାଲିକା ଅନୁସାରେ ୧୦ ଜଣ ମନ୍ତ୍ରୀ ପ୍ରମୋଶନ ପାଇଥିବା ବେଳେ ୩୩ ଜଣ ନୂଆ ମୁହଁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ।
ତାଲିକାର ପ୍ରଥମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରୟାଣ ରାଣେଙ୍କ ନାମ ରହିଛି । ତାଙ୍କ ପରେ ଅଛି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ନାମ । ଡକ୍ଟର ବିରେନ୍ଦ୍ର କୁମାରଙ୍କ ନାମ ତୃତୀୟରେ ଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ୪ ନମ୍ବରରେ ରହିଛି । ଆପନା ଦଳର ଅନୁପ୍ରିୟା ପଟେଲଙ୍କ ନାମ ତାଲିକାରେ ୧୭ ନମ୍ବରରେ ରହିଛି । ଟେକ୍ନୋକ୍ରାଟ୍ ରାଜିବ ଚନ୍ଦ୍ରଶେଖରଙ୍କ ନାମ ତାଲିକାରେ ୧୯ ନମ୍ବରରେ ଅଛି ।
ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ନାମ ତାଲିକାରେ ୬ ନମ୍ବରରେ ଥିବା ବେଳେ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ତାଲିକାର ୩୮ତମ ସ୍ଥାନରେ ରହିଛି । ସେହିଭଳି ଲୋକ ଜନଶକ୍ତି ପାର୍ଟି ନେତା ପଶୁପତି କୁମାର ପାରସଙ୍କ ନାମ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ମନ୍ତ୍ରୀ ମଣ୍ଡଳରେ ମିନାକ୍ଷୀ ଲେଖି ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ୧୧ ଜଣ ମହିଳା, ୧୨ ଜଣ ଅନୁସୂଚିତ, ୮ ଜଣ ଅନୁସୂଚିତ ଜନଜାତି ଏବଂ ୨୭ ଜଣ ଅନ୍ୟ ପଛୁଆ ବର୍ଗରୁ ଆସିଛନ୍ତି ।

Leave a Reply