spot_img
Home Blog Page 5556

ବାତ୍ୟା ‘ୟାସ୍’ କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରାପଡ଼ାରେ ୪ ଜଣିଆ କେନ୍ଦ୍ରୀୟ ଟିମ୍

କେନ୍ଦ୍ରାପଡ଼ା: ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ । ଏହି ଟିମ ପ୍ରଥମେ ରାଜକନିକାର ଭରିଗଦା ପଞ୍ଚାୟତ ଗସ୍ତ କରି ପନି ପରିବା ଚାଷ ନଷ୍ଟ ହୋଇଥିବା ଅଞ୍ଚଳ ବୁଲି ଦେଖିଛନ୍ତି । ଏହାସହ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ଏହି ଟିମ ରାଜନଗର ବ୍ଲକ ଗସ୍ତ କରି ଖୋଳା ନଳିତା ପାଟିଆ ରାସ୍ତା, ବରାଡ଼ିଆରେ କ୍ଷତି ଗ୍ରସ୍ତ ହୋଇଥିବା ବିଦ୍ୟୁତ ବିଭାଗର ଷ୍ଟ୍ରକଚର, ତାଳଚୁଆ ଲୁଣା ଘେରିବନ୍ଧ ଆଦି ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ସେହିପରି ଭିତର କନିକାରେ ଥିବା ଅରଣ୍ୟ ନିବାସରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ । ସେହିପରି ଅନ୍ୟ ଏକ ଟିମ୍ ମୟୂରଭଞ୍ଜ ଜିଲ୍ଲାରେ ଗସ୍ତ କରିଛି । ଏହି ଟିମ୍ ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକର କୁଆମରା, ଖୁଣ୍ଟା ବ୍ଲକର ବିଶିପୁର ଓ ଉଦଳା ବ୍ଲକର ଦୂତିକାଦେଇପୁର ଯାଇ କ୍ଷୟକ୍ଷତି ଆକଳନ କରିବେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

 

ଦେଶରେ ୧ ଲକ୍ଷରୁ କମ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ  । ଦୀର୍ଘ ଦୁଇ ମାସ ପରେ ଦେଶରେ ଲକ୍ଷେରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୮୬ ହଜାର ୪୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୧୨୩ ଜଣଙ୍କ  ଜୀବନ ନେଇଛି ଘାତକ ଭୂତାଣୁ । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯ ପାର୍ କରିଛି ।

ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦିନକରେ ମୋଟ ୧ ଲକ୍ଷ ୮୨ ହଜାର ୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଦେଶରେ ୧୩ ଲକ୍ଷ ୩ ହଜାର ୭୦୨ ଆକ୍ଟିଭ୍ କେସ ରହିଛି । ଏବଂ ମୋଟ ସୁସ୍ଥ ସଂଖ୍ୟା ୨ କୋଟି ୭୩ ଲକ୍ଷ ୪୧ ହଜାର ୪୬୨ ପାର୍ କରିଛି । ଅନ୍ୟପଟେ ଏବେ ସୁଦ୍ଧା ଦେଶରେ ୨୩ କୋଟି ୬୧ ଲକ୍ଷ ୯୮ ହଜାର ୭୨୬ ଜଣଙ୍କୁ କରୋନା ଟିକା ଦିଆସରିଛି । ଜୁନ୍ ୭ ତାରିଖରେ ୧୮ଲକ୍ଷ ୭୩ ହଜାର ୪୮୫ ନମୁନା ପରୀକ୍ଷା କରାଯାଇଥିଲା ।

କରୋନାର ପ୍ରକୋପ କମିବା ପରେ ରାଜଧାନୀ ଦିଲ୍ଲୀ ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ଏବଂ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି । ସୋମବାର ଦିନ ଦିଲ୍ଲୀରେ ୨୩୧  କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବଂ ୮୭୬ ଜଣ କରେନାରୁ ମୁକ୍ତ ହୋଇଛନ୍ତି । ଏହାସହ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ ଚିହ୍ନଟ ହେଲା ମାରାତ୍ମକ ବ୍ରାଜିଲ ଭ୍ୟାରିଆଣ୍ଟ: ବ୍ରାଜିଲ ଓ ବ୍ରିଟେନ୍ ଫେରନ୍ତାଙ୍କ ଠାରୁ ଚିହ୍ନଟ

ଦେଶରେ କରୋନା ସ୍ଥିତିରେ କିଛିଟା ସୁଧାର ଆସିଥିବା ବେଳେ ଚିନ୍ତାଜନକ ରିପୋର୍ଟ ଦେଇଛି ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବା NIV । ବ୍ରିଟେନ ଓ ବ୍ରାଜିଲ ଫେରନ୍ତାଙ୍କଠାରୁ ଠାବ କରାଯାଇଛି କରୋନାର ନୂଆ ତଥା ମାରାତ୍ମକ ଭ୍ୟାରିଆଣ୍ଟ B.1.11.28.2 । ଜିନୋମ ସିକ୍ବେନ୍ସିଂ ଯୋଗେ ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ କରିଛନ୍ତି NIV ବିଶେଷଜ୍ଞ । ବ୍ରିଟେନ ଓ ବ୍ରାଜିଲ ଫେରନ୍ତାଙ୍କ ସାମ୍ପୁଲରୁ ଏହି ମାରାତ୍ମକ ଭ୍ୟାରିଆଣ୍ଟ ଚିହ୍ନଟ କରାଯାଇଛି । ଏହା ଭାରତରେ କରୋନା ସ୍ଥିତି ସଙ୍ଗୀନ କରିପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ଏହି ନୂତନ ଭ୍ୟାରିଆଣ୍ଟ ଶରୀରରେ ଭୟଙ୍କର ଲକ୍ଷଣ ସୃଷ୍ଟି କରିବାର ଆଶଙ୍କା ରହିଛି | ତେବେ ଏହି ନୂଆ ଭ୍ୟାରିଆଣ୍ଟ ଯୋଗୁ ଭୟଙ୍କର ସ୍ଥିତି ଉପୁଜିବା ପୂର୍ବରୁ ଟେଷ୍ଟିଂ ଓ ଟିକାକରଣକୁ ତ୍ବାରାନ୍ବିତ କରିବା ଆବଶ୍ୟକ ବୋଲି ସୂଚାଇ ଦେଇଛନ୍ତି ବିଶେଷଜ୍ଞ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ ପକ୍ଷରୁ କରାଯାଇଥିବା ଏହି ଷ୍ଟଡି ସମ୍ପର୍କିତ ତଥ୍ୟ ବାୟୋରେକ୍ସିଭର ଅନ୍ଲାଇନରେ ପ୍ରକାଶିତ ହୋଇଛି । ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ଶରୀରର ଓଜନ ହ୍ରାସ ପାଇବା ସହ ନିଶ୍ବାସ ପ୍ରଶ୍ବାସ ନେବାରେ ପ୍ରବଳ କଷ୍ଟ ଅନୁଭବ ହୋଇଥାଏ । ଫୁସ୍ଫୁସ୍ ଉପରେ ମଧ୍ୟ ଏହା ଅତିମାତ୍ରାରେ ପ୍ରଭାବ ପକାଇଥାଏ ବୋଲି ଷ୍ଟଡିରୁ ଜଣାପଡ଼ିଛି । ହେଲେ ଏହି ନୂଆ ଭାରିଆଣ୍ଟକୁ ମାତ୍ ଦେବାକୁ କୋଭାକ୍ସିନର ଦୁଇଟି ଡୋଜ୍ ଅତିମାତ୍ରାରେ ପ୍ରଭାବଶାଳୀ । କୋଭାକ୍ସିନର ରେଜିମେନ ଆଣ୍ଟିବଡ଼ି ଏହି ମାରାତ୍ମକ ଭ୍ୟାରିଆଣ୍ଟ ବିରୋଧରେ ଲଢ଼ିପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୫ହଜାର ୮୯୬ କରୋନା ସଂକ୍ରମିତ ଚିହ୍ନଟ

ଘରୁ ଡାକିନେଇ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ। ଘରୁ ଡାକିନେଇ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା କଲେ ଦୁର୍ବୃତ୍ତ। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର କଦଳୀ ଗୋଦାମ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର କଦଳୀ ଗୋଦାମ ବସ୍ତିର କାର୍ତ୍ତିକ ସାହୁ। କାର୍ତ୍ତିକଙ୍କୁ ୫ ଜଣ ଦୁର୍ବୃତ୍ତ ଘରୁ ଡାକିନେଇ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି। ପୂର୍ବଶ୍ରତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଧେହ କରିଛି। ଏନେଇ ମୃତକଙ୍କ ପରିବାର ଲୋକେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ଆଉ ୫ହଜାର ୮୯୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ କମିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୩୩୩୨ ଓ ୨୫୬୪ ଲୋକାଲ ମାମଲା ରହିଛି । ତେବେ ଖୋର୍ଦ୍ଧାରେ ହଜାରେ ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ୮୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩୮୫ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୭୩, ବରଗଡ଼ ୯୯, ଭଦ୍ରକ ୩୭୦, ବଲାଙ୍ଗୀର ୭୭, ବୌଦ୍ଧ ୭୩, କଟକ ୩୪୯, ଦେବଗଡ଼ ୨୨, ଢେଙ୍କାନାଳ ୩୦୬, ଗଜପତି ୪୪, ଗଞ୍ଜାମ ୩୫, ଜଗତସିଂହପୁର ୨୩୨, ଯାଜପୁର ୪୩୧, ଝାରସୁଗୁଡ଼ା ୫୪, କଳାହାଣ୍ଡି ୫୩, କନ୍ଧମାଳ ୬୫, କେନ୍ଦ୍ରାପଡ଼ା ୨୩୫, କେନ୍ଦୁଝର ୧୩୦, କୋରାପୁଟ ୧୨୯, ମାଲକାନଗିରି ୧୧୬, ମୟୂରଭଞ୍ଜ ୨୬୧, ନବରଗଙ୍ଗପୁର ୧୭୪, ନୂଆପଡ଼ା ୩୭, ପୁରୀ ୨୪୧, ସମ୍ୱଳପୁର ୯୨, ସୋନପୁର ୭୭, ସୁନ୍ଦରଗଡ଼ ୧୧୩ ଓ ଷ୍ଟେଟ୍ ପୁଲରୁ ୧୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୨୯ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ୭୪ ହଜାର ୧୭୨ଟି କରେନା ମାମଲା ସକ୍ରିୟ ରହିଛି ।

 

କେନ୍ଦ୍ରକୁ ପ୍ରତିଶ୍ରୁତି, ନୂଆ ନିୟମ ପାଳିବ ଟ୍ୱିଟର

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ନେଇ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଏବେ କମିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଟ୍ୱିଟରକୁ ଫାଇନାଲ ନୋଟିସ୍‌ ଜାରି କରାଯାଇଥିଲା । ଏହି ନୋଟିସରେ ଟ୍ୱିଟରକୁ  କଡ଼ା ଚେତାବନୀ ଦେଇ କୁହାଯାଇଥିଲା ଯେ, ନିୟମ ନ ମାନିଲେ  ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ ।

ତେବେ କେନ୍ଦ୍ର ସରକାର ଏବଂ ଟ୍ୱିଟର ବିବାଦରେ ପୂର୍ଣ୍ଣଛେଦ ପଡ଼ିଥିବା ଜଣାପଡ଼ିଛି । ଟ୍ୱିଟର ପୂର୍ବରୁ ଭାରତ ସରକାରଙ୍କ ପ୍ରତି ପ୍ରତିଶୃତିବଦ୍ଧ ଥିଲା ଏବଂ ଏବେ ମଧ୍ୟ ରହିଛି ବୋଲି କହିଛନ୍ତି ଟ୍ୱିଟରର ମୁଖପାତ୍ର । କେବଳ ସେତିକି ନୁହେଁ ବରଂ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟର ଭାରତ ସରକାରଙ୍କ ନିୟମ ପାଳନ କରିବା ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଛି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଟ୍ୱିଟର ମାନିବା ପାଇଁ ପ୍ରସ୍ତୁତ । ଟ୍ୱିଟର  ଏବେ ଟିକ୍‌ନିକ୍‌ ଖବର  ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ ମଧ୍ୟ କରିବ ।

ଅନ୍ୟପଟେ  ପୂର୍ବରୁ ଜାରି ହୋଇଥିବା ନୋଟିସରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା । ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ଭାରତ ସରକାରଙ୍କ ପ୍ରତି ପ୍ରତିଶୃତିବଦ୍ଧତାର ଅଭାବ ଥିବା କଥା ନୋଟିସରେ ଉଲ୍ଲେଖ ଥିଲା ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆ କମ୍ପାନୀଗୁଡିକ ପାଇଁ ସରକାର ନୂଆ ଆଇଟି ନିୟମ ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଅନୁଯାୟୀ ଟ୍ୱିଟର, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ଭଳି ବଡ଼ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଅତିରିକ୍ତ ପଦକ୍ଷେପ ନେବାକୁ ପଡିବ। ଏଥିରେ ଭାରତର ମୁଖ୍ୟ ଅନୁପାଳନ ଅଧିକାରୀ, ନୋଡାଲ ଅଧିକାରୀ ଏବଂ ଅଭିଯୋଗ ଅଧିକାରୀଙ୍କ ନିଯୁକ୍ତି ସାମିଲ ରହିଛି ।

ରିପୋର୍ଟ କହୁଛି,   ସୋସିଅଲ ମିଡିଆ ପ୍ଲାଟଫର୍ମର ନୂଆ ନିୟମ ପାଳନ କରିବାକୁ ସମୟସୀମା ଥିଲା ତିନି ମାସ ।  ତେବେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଥିବା ସୋସିଅଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ପାଇଁ ନିୟମ ପ୍ରଯୁଜ୍ୟ । ଟ୍ୱିଟରକୁ ପଠାଯାଇଥିବା ନୋଟିସ୍ ଅନୁସାରେ ଯଦିଓ ଏହି ନିୟମ ୨୦୨୧ ମସିହା, ମେ ମାସ ୨୬ ତାରିଖରୁ କାର୍ଯ୍ୟକାରୀ ହେବ, କିନ୍ତୁ ଟ୍ୱିଟରକୁ ତୁରନ୍ତ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ହୋଇଥିବା ଆପୋଷ ବୁଝାମଣାରେ ବିଶେଷକରି ୟୁଜର୍ସ ଖୁବ୍‌ ଲାଭବାନ୍‌ ହେବେ । ସେମାନଙ୍କର ସମସ୍ୟା ଜଣାଇବା ଏବଂ ସମାଧାନ କରିବା ଅଧିକ ସହଜ ହୋଇଯିବ ।

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ଆଜିଠୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଘଡଘଡି ବିଜୁଳି ସମେତ ବର୍ଷା ହେବ । ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ବେଳକୁ ବର୍ଷାର ପରିମାଣ ଧିରେ ଧିରେ ବଢିବ । ୧୦ ତାରିଖରେ ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲଘୁଚାପ ସହ ୧୪ ତାରିଖ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ଷା ବଢିବା ସହ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ରହିବ । ବର୍ଷାକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ପିଜିଆଇ ସର୍ଭେରେ ଓଡ଼ିଶାକୁ ସାର୍ଟିଫିକେଟ: ୨୦୧୯-୨୦ରେ ସ୍କୁଲ ଶିକ୍ଷାରେ ଆଖିଦୃଶିଆ ଉନ୍ନତି

କରୋନାକୁ ମାତ୍ ଦେଲା ୨୫ ଦିନର ଶିଶୁ, ଡାକ୍ତର ଓ ସହକର୍ମୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: କରୋନା ସଂକଟରେ ନୂଆପଡ଼ାରେ ନୂଆ ସମ୍ଭାବନା । ସଂକ୍ରମଣକୁ ମାତ୍ ଦେଇ ବିଜୟୀ ହେଲା ୨୫ ଦିନର ଶିଶୁ । ନୂଆପଡା ସଦର ବ୍ଲକର ଏହି ଶିଶୁ କରୋନାରେ ସଂକ୍ରମିତ ହୋଇଥିଲା । କୋଭିଡ୍ ଟେଷ୍ଟ ପଜିଟିଭ ଆସିବା ପରେ ଗତ ୧୨ ତାରିଖ ଦିନ ଶିଶୁଟିକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା । ଉପଯୁକ୍ତ ଚିକିତ୍ସା ପାଇବା ପରେ ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଛି । ଶିଶୁର ମାଆ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଭୂତାଣୁ ଯୁଦ୍ଧରେ ବିଜୟୀ କୁନି ଯୋଦ୍ଧା । ହାରିଲା ସଂକ୍ରମଣ, ଜିତିଲା ୨୫ ଦିନର ଶିଶୁ । ଏଥିପାଇଁ ଡାକ୍ତର ଓ ସହକର୍ମୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ସପ୍ତାହେ ମଧ୍ୟରେ ସଂକ୍ରମଣକୁ ମାତ୍‌ ଦେଇ ଶିଶୁଟି ସୁସ୍ଥ ହୋଇଛି । କରୋନା ବିରୋଧୀ ଲଢ଼େଇରେ ଏହା ଉତ୍ସାହ ବଢ଼ାଇବ ବୋଲି ଟ୍ବିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପଶ୍ଚିମବଙ୍ଗରେ ଟ୍ୱିଟର୍ ୱାର, ସାମ୍ନାସାମ୍ନି ଟିଏମସି ସାଂସଦ ଓ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗରେ ଟ୍ୱିଟର୍ ୱାର । ଟିଏମସି ସାଂସଦ ମହୁଆ ମିତ୍ରା ଓ ରାଜ୍ୟପାଳ ଜଗଦିପ୍ ଧନକଡଙ୍କ ମଧ୍ୟରେ ଆରମ୍ଭ ହୋଇଛି ଏହି ଟ୍ୱିଟର୍ ୱାର । ରାଜ୍ୟପାଳ ରାଜଭବନକୁ ନିଜର ପାରିବାରିକ ଥଇଥାନ୍ କେନ୍ଦ୍ର କରିଥିବା ଅଭିଯୋଗ କରିଛନ୍ତି ମହୁଆ । ସେ କହିଛନ୍ତି ରାଜଭବନରେ ରାଜ୍ୟପାଳ ନିଜର ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ବିଭିନ୍ନ ପଦ ପଦବିରେ ବସାଇଛନ୍ତି । ଏହା ଆଦୌ ବି ଠିକ୍ ନୁହେ । କେଉଁ ପରିସ୍ଥିତିରେ ଏମାନେ ରାଜଭବନରେ ପ୍ରବେଶ କଲେ ସେ ନେଇ ପ୍ରଶ୍ନ କରିଛନ୍ତି ମହୁଆ ।

ରାଜଭବନର ୱେବସାଇଟରେ ଥିବା ଏହି ଲୋକମାନେ କିଏ ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ମହୁଆ ମିତ୍ରା କହିଛନ୍ତି । ଏ ନେଇ ସେ ତାଙ୍କ ଟ୍ୱିଟରରେ ତଥ୍ୟ ରଖିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ରାଜ୍ୟପାଳ ଜଗଦିପ ଧନକଡ । ଟିଏମସି ସାଂସଦ ଆଣିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଅଟେ । ଓଏସଡିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସହ ମୋର କୌଣସ ସମ୍ପର୍କ ନାହିଁ । ସେମାନେ ଅଲଗା ଅଲଗା ରାଜ୍ୟର ଓ ଜାତିର । ତେଣୁ ମହୁଆ ଏଭଳି କହିବା ଠିକ୍ ନୁହେଁ ବୋଲି କହିଛନ୍ତି ରାଜ୍ୟପାଳ । ପଶ୍ଚିମବଙ୍ଗରେ ଅରାଜକତା ଲାଗି ରହିଥିବାବେଳେ ଏହା ଉପରୁ ଦୃଷ୍ଟି ହଟାଇବା ପାଇଁ ଟିଏମସି ଏଭଳି କରୁଥିବା କହିଛନ୍ତି ରାଜ୍ୟପାଳ ।

ପୁଣେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପୁଣେ: ମହାରାଷ୍ଟ୍ର ପୁଣେରେ ବଡଧରଣର ଅଗ୍ନିକାଣ୍ଡ । କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୧୮ ମୃତ । ନିଆଁ ଲିଭାଇବା ପାଇଁ ୫ଟି ଦମକଳଗାଡି ନିୟୋଜିତ ହୋଇଥିଲେ । ଯାହାଫଳରେ ନିଆଁକୁ ଆୟତ୍ତ କରାଯାଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଥିବା ସୂଚନା ମିଳିଛି । ପିରଗଣ୍ଟ ଅଞ୍ଚଳରେ ଲାଗି ଥିବା ଏହି ଫ୍ୟାକ୍ଟ୍ରିରେ ୩୭ ଜଣ କାମ କରୁଥିଲେ ।

ପ୍ରଥମେ ୨୦ ଜଣକୁ ଉଦ୍ଧାର କରାଯାଇଥିଲେ । ଏହା ପରେ ୧୨ ଜଣକ ଜୀବନ ଯାଇଥିବାବେଳେ ୫ ଜଣ ନିଖୋଜ ଥିଲେ । ପରବର୍ତ୍ତି ସମୟରେ ସେମାନଙ୍କର ବି ଜୀବନ ଯାଇଥିଲା । କିଭଳି ନିଆଁ ଲାଗିଲା ସେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ଅଧିକାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।