ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲା ୪୮ଘଣ୍ଟିଆ କର୍ଫ୍ୟୁ

1 min read

ପୁରୀ: ଆସନ୍ତାକାଲି ବାହୁଡ଼ା ଯାତ୍ରା । ଭାଇ-ଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ମଙ୍ଗଳବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ । ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସନ୍ଧ୍ୟା ଦର୍ଶନ ନୀତି ହୋଇଛି । କରୋନା କଟକଣା ଯୋଗୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କାଲି ବାହୁଡ଼ା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରବେଶ ହୋଇଛି । ଆସନ୍ତାକାଲି ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିର ପକ୍ଷରୁ ପୋଡ଼ପିଠା ଲାଗି ହେବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ପୋଡ଼ପିଠା ପ୍ରସ୍ତୁତ କରାଯାଇଛି ।
ସେପଟେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । କ’ଣ ବ୍ୟବସ୍ଥା କରାଯାଇଛି, ଆଉ କ’ଣ କରାଯିବ ସେନେଇ ସମୀକ୍ଷା ହୋଇଛି । ଆଜି ରାତି ୮ଟାରୁ ପୁରୀରେ ଲାଗୁ ହୋଇଛି କର୍ଫ୍ୟୁ । ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି ରହିବ । ତଦାରଖ ପାଇଁ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଭିଡିଓଗ୍ରାଫର ରହିବେ ।

Bahuda Yatra 48 Hours Curfew Imposed In Puri

ତିନି ରଥ ପାଇଁ ମଧ୍ୟ ତିନୋଟି ଟିମ୍‌ ହୋଇଛି । ବିନା ପାସ୍‌ରେ ପ୍ରବେଶ କରୁଥିବା ଲୋକଙ୍କ ଉପରେ ନଜର ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ପରି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାହୁଡ଼ା ଓ ସୁନାବେଶ ପାଇଁ ଲାଇଭ୍ ଟେଲିକାଷ୍ଟ କରାଯିବ । ବାହୁଡ଼ା ଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳ ସିଞ୍ଚନ ହେବ, ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ, ଏସପିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

ଅନ୍ୟପଟେ ଜେଇଇ ମେନ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ଲାଗି କର୍ଫ୍ୟୁ କୋହଳ କରାଯାଇଛି । ପରୀକ୍ଷାର୍ଥୀ ଚେକିଂ ପଏଣ୍ଟରେ ନିଜର ଆଡମିଟ୍ କାର୍ଡ ଦେଖାଇ ଯାଇପାରିବେ ।

Leave a Reply