spot_img
Home Blog Page 56

ଫେରାର ବିଜେପି ଯୁବନେତା ପ୍ରକାଶ ପାଶଓ୍ଵାନ ଗିରଫ

ନନ୍ଦିଘୋଷ ବ୍ୟୁରୋ : ବିଜେପି ଯୁବନେତା ପ୍ରକାଶ ପାଶଓ୍ଵାନଙ୍କୁ ବିହାରର ସମସ୍ତିପୁରରୁ ଗିରଫ କରିଛି ପୋଲିସ। ଅଗଷ୍ଟ ୧୪ ତାରିଖରୁ ସେ ଫେରାର ଥିବା ବେଳେ ତାଙ୍କ ବିରୋଧରେ ଜାରି ହୋଇଥିଲା ଏନବିଡବ୍ଲ୍ୟୁ। ପୋଲିସକୁ ଚକମା ଦେଇ ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ସମସ୍ତିପୁରରୁ ତାଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।

ସୁଟକେଶ ଭିତରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା

ନନ୍ଦିଘୋଷ ବ୍ୟୁରୋ : ତାମିଲନାଡୁ ଏକ୍ସପ୍ରେସର ସାଧାରଣ ବଗିରୁ ଲାଲ ରଙ୍ଗର ସୁଟକେଶ ଭିତରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା। ମୃତ ମହିଳା ହାଇଦୁଲ୍ ନିଶାଙ୍କ ଘର ଜଗତସିଂହପୁର ପୌର ପରିଷଦ ଦେଉଳି ଗ୍ରାମେଶ୍ୱର ଓହଳର ବୋଲି ସୂଚନା ମିଳିଛି। ମହିଳାଙ୍କୁ ଇପିଏଫ ବାବାଦରେ ୪ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କା ଲାଗି ମହିଳାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

ଭଡ଼ା ଘରେ ରହୁଥିବା ସ୍ଵାମୀ-ସ୍ତ୍ରୀ ତାଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ଶାଶୂ। ସମସ୍ତେ ଗୋଟିଏ କମ୍ପାନୀରେ କାମ କରୁଥିଲେ l  ମହିଳାଙ୍କ ନିକଟରେ ବି କିଛି ସୁନାଗହଣା ଥିଲା। ଗତ ଅଗଷ୍ଟ ୬ରେ ତାମିଲନାଡୁ ଏକ୍ସପ୍ରେସ ଚେନ୍ନାଇ ସେଣ୍ଟ୍ରାଲ ନୂଆଦିଲ୍ଲୀ ବାହାରିଥିଲା l ଅଗଷ୍ଟ ୬ ତାରିଖରେ ଆଗ୍ରାର ସେଣ୍ଟ୍ରାଲ ରେଲୱେ ଷ୍ଟେସନରେ ପହଂଚିଥିଲା l ସେଠାରୁ ଏହି ସୁଟକେଶ ଜବତ ହୋଇଥିଲା।

ଟ୍ରେନ୍ ବାହାରିଥିବା ସ୍ଥାନରୁ ପାଖାପାଖି ୩୫୦ଟି ସିସିଟିଭି କ୍ୟାମେରା ଯାଞ୍ଚ ପରେ ଜଣେ ପୁରୁଷ ଜଣେ ମହିଳା ଏକ ସୁଟକେଶ ଧରି ଟ୍ରେନରେ ଚଢ଼ୁଥିବା ଚିତ୍ର ସାମ୍ନାକୁ ଆସିଥିଲା l ପୋଲିସ ଜାଣିବାକୁ ପାଇଥିଲା ଡେଡ୍ ବଡ଼ିଟି ତାମିଲନାଡୁର ପରମାକୁଡି ଅଞ୍ଚଳର l ମୃତକଙ୍କ ନାଁ ୩୮ ବର୍ଷ ବୟସ୍କ ହାଇଦୁଲ୍ ନିଶା l ସେ ଗୁଡ଼ୁଭେଞ୍ଚରି ମସଜିଦ୍ ଷ୍ଟ୍ରିଟରେ ଏକ ଭଡ଼ାଘରେ ରହୁଥିଲେ l ଆଉ ସେ ଘରେ ରହୁଥିଲେ ଓଡ଼ିଶାର ମାଣିକ ଉଦ୍ଦିନ ଲସ୍କର ଏବଂ ଭଗବତୀ ମାଝୀ l ସେମାନେ ନିଜକୁ ସ୍ଵାମୀ ସ୍ତ୍ରୀର ପରିଚୟ ଦେଇ ରହୁଥିଲେ l

ସନ୍ଦିଗ୍ଧମାନଙ୍କ ମୋବାଇଲ ନମ୍ବର ଟ୍ରାକ୍ କରିବାରୁ ଲାଷ୍ଟ କଲ ଥିଲା ଭୁବନେଶ୍ବର l ଏମାନଙ୍କୁ ଗିରଫ କରିବା ପାଇଁ ତାମିଲନାଡୁ ପୋଲିସର ୩ଟି ଟିମ୍ ଓଡିଶାରେ ଡେରା ପକାଇଛନ୍ତି l ହାଇଦୁଲ୍ ନିଶା ଓ ତାର ୧୯ ବର୍ଷର ପୁଅ ମିଶି ରହୁଥିଲେ  l ଆଜକୁ ତିନି ଚାରି ମାସ ହେବ ତାର ପୁଅ ତା ପାଖରେ ରହୁନଥିଲା। ୪ ଲକ୍ଷ ଟଙ୍କା ଓ ସମସ୍ତ ସୁନାଗହଣା ବି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

 

ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ବଡ଼ ବୟାନ

ନନ୍ଦିଘୋଷ ବ୍ୟୁରୋ : E20 ପ୍ରସଙ୍ଗରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ବଡ଼ ବୟାନ। ଯଦି ୨୦୨୭ ଗୋଆ ନିର୍ବାଚନରେ ଆପ୍ କ୍ଷମତାକୁ ଆସେ ତେବେ ୫ ଦିନ ଭିତରେ ଗୋଆରେ E20କୁ ନିଷିଦ୍ଧ କରାଯିବ ବୋଲି କହିଛନ୍ତି କେଜରିୱାଲ। ପୂର୍ବରୁ E20 ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିବା ସହ ଆନ୍ଦୋଳନ କରିଆସିଛି ଆପ୍। E20ରେ ୨୦ ପ୍ରତିଶତ ଇଥାନଲ ରହୁଥିବାବେଳେ ୮୦ ପ୍ରତିଶତ ରହିଛି ପେଟ୍ରୋଲ। ବିଜେପିଶାସିତ ଗୋଆକୁ ୨ ଦିନିଆ ଗସ୍ତରେ ଯାଇ ଏହା କହିଛନ୍ତି କେଜରିୱାଲ।

ସେ କହିଛନ୍ତି- ଯଦି ଗୋଆରେ ଆସନ୍ତା ବର୍ଷ ମାର୍ଚ୍ଚ ୧୦ରେ ଆପ୍ ସରକାର ଗଠନ କରେ ତେବେ ୧୫ ତାରିଖରେ ରାଜ୍ୟରେ ଇ-୨୦କୁ ନିଷେଧ କରାଯିବ। ନଚେତ ସେ ରାଜନୀତିରୁ ସନ୍ନ୍ୟାସ ନେବେ। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ଆପର ୨ ସଦସ୍ୟ ରହିଛନ୍ତି। ସେ କହିଛନ୍ତି ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ଇ୨୦ ସମସ୍ୟାର ଶିକାର ହେଉଛନ୍ତି। ଅନେକ ଯାନ ଖରାପ ହୋଇଯାଉଛି। ଯାନଗୁଡିକର ମାଇଲେଜ ବି କମୁଛି। ସେହିପରି ଚିନି ଦର ବୃଦ୍ଧି ପ୍ରସଙ୍ଗରେ ବି କେନ୍ଦ୍ରକୁ ସମାଲୋଚନା କରିଛନ୍ତି କେଜରିୱାଲ।

କେଜରିୱାଲ କହିଛନ୍ତି ଇ-୨୦ ପ୍ରସଙ୍ଗରେ ୨୯ଟି ଅଟୋ କମ୍ପାନିଙ୍କ ନିକଟକୁ ସେ ପତ୍ର ଲେଖିଥିଲେ।  ସେହି କମ୍ପାନିଗୁଡିକର କର୍ତ୍ତୃପକ୍ଷ ଇ୨୦ ଫୁଏଲ ନୀତିକୁ ସମାଲୋଚନା କରିବା ସହ ଏହା ଗାଡି ଲାଗି ଖରାପ ବୋଲି ଦର୍ଶାଇଥିଲେ। ମାତ୍ର ସେମାନେ ଯଦି ମୁହଁ ଖୋଲନ୍ତି ତେବେ ଇଡି, ସିବିଆଇ, ଆଇଟି ରେଡ ହେବା ଆଶଙ୍କା ଥିବାରୁ ଚୁପ୍ ରହିଛନ୍ତି ବୋଲି ଦର୍ଶାଇଥିଲେ।

ମହଙ୍ଗା ପଡ଼ିଲା ଇରାନ ସହ ତୈଳ କାରବାର

ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ପଡ଼ିଲା ଇରାନ ସହ ତୈଳ କାରବାର। ଭାରତର ୪ଟି କମ୍ପାନି ବିରୋଧରେ ଆମେରିକା ଟ୍ରମ୍ପ ପ୍ରଶାସନ ଜାରି କଲା କଟକଣା। ଇରାନ ସହ ୧୧୯ ନିୟୁତ ଡଲାରର ତୈଳ ଓ ପେଟ୍ରୋକେମିକାଲ ଟ୍ରେଡ କରିଥିବାରୁ କ୍ଷୁବ୍ଧ ଟ୍ରମ୍ପ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଇରାନ ବିରୋଧରେ କଟକଣା ଜାରି କରିବା ଲାଗି ଗତକାଲି ଟ୍ରମ୍ପ ପ୍ରଶାସନର ଘୋଷଣା ପରେ ପରେ ଏହି ନିଷ୍ପତ୍ତି ନିଆଯାଇଛି।

କଟକଣାର ଶିକାର ହୋଇଥିବା କମ୍ପାନିଗୁଡିକ ହେଲା ପିପି ସଫ୍ଟଟେକ ପ୍ରାଇଭେଟ ଲିମିଟେଡ, ପ୍ରକୃତିସ ଇନଫ୍ରା ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ, ପୋର୍ଟିସ ପାର୍ଟନର୍ସ ଏଲଏଲପି ପ୍ରମୁଖ। ସେହିପରି ୩ ବ୍ୟକ୍ତି ବିଶେଷ ପ୍ରଶାନ୍ତ ଗର୍ଗ, ଅସରଫମିୟା ଶେଖ ଓ ହରିଶ ରାମଚନ୍ଦ୍ର ରାଙ୍ଗିଙ୍କ ବିରୋଧରେ ବି କଟକଣା ଜାରି କରିଛି ଆମେରିକା।

ସେପଟେ ହର୍ମୁଜ ଏବେ ମାଇନ ମୁକ୍ତ। ଏଥିରେ ଇରାନ ପକ୍ଷରୁ ଯେଉଁ ମାଇନ ବିଛା ଯାଇଥିଲା,ତାକୁ ପୁରାପୁରି ସଫା କରିଦେଇଛି ଆମେରିକାର ନୌସେନା। କେତେକ ନିଷ୍କ୍ରିୟ କରାଯାଇଥିବା ବେଳେ କେତେକ ମାଇନକୁ ବିସ୍ଫୋରଣ କରାଯାଇଥିଲା। ଏବେ ଗୋଟିଏ ବି ମାଇନ ସେଠାରେ ନାହିଁ। ତେଣୁ ସମସ୍ତ ଜାହାଜ ବିନା କୌଣସି ଅସୁବିଧାରେ ଯାଇ ଆସି ପାରିବ। ଇରାନ ଯଦି ଆହୁରି ମାଇନ ବିଛାଇବାକୁ ଚେଷ୍ଟା କରେ, ତେବେ ଭୟଙ୍କର ପରିସ୍ଥିତି ଭୋଗିବ ବୋଲି ସେ କହିଛନ୍ତି।

ଇସ୍କନର ମନମାନି

ନନ୍ଦିଘୋଷ ବ୍ୟୁରୋ : ପୁଣି ଇସ୍କନର ମନମାନି। ଗତ ୨୩ରେ ଆମେରିକାର ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆରେ ଧୁମଧାମରେ ପାଳନ ହୋଇଛି ରଥଯାତ୍ରା। ଇସ୍କନ୍ ର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦ ସ୍ୱାମୀ ୬୦ ବର୍ଷ ତଳେ ସାନଫ୍ରାନସିସ୍କୋରେ ଠିକ୍ ତିଥି ରେ ହିଁ ଆୟୋଜନ କରିଥିଲେ ରଥଯାତ୍ରା । ମାତ୍ର ବର୍ତ୍ତମାନ ତାଙ୍କର ଅନୁଗାମୀ ନିୟମ ପାଳନ କରୁନାହାନ୍ତି। ସେହିପରି କାନାଡାର ବୁର୍ଲିଙ୍ଗଟନ, ୟୁରୋପର ୨ଟି ସହର, ଜର୍ମାନୀର ଲିପଜିଗ, ନରୱେ ଓସଲୋରେ ବି ପାଳନ ହୋଇଛି ଅଦିନିଆ ରଥଯାତ୍ରା। ଏଥିପାଇଁ ସାରା ବିଶ୍ୱରେ ସମସ୍ତ ଜଗନ୍ନାଥପ୍ରେମୀଙ୍କ ମନରେ ଘୋର ଅସନ୍ତୋଷ ଓ ଆଘାତ ସୃଷ୍ଟି ହୋଇଛି। ସାରା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ବାରମ୍ବାର ପ୍ରତିବାଦ ଓ ବିରୋଧସତ୍ତ୍ୱେ ଅମାନିଆ ଇସ୍କନ୍ କିଛି ଶୁଣିବାକୁ ପ୍ରସ୍ତୁତ ନୁହେଁ।

ଅଦିନିଆ ରଥଯାତ୍ରା ବିରୋଧରେ ଆମେରିକାରେ ବସବାସ କରୁଥିବା ଶହେରୁ ଅଧିକ ଓଡ଼ିଆଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର IAIL ଜରିଆରେ ଜଗନ୍ନାଥ କଲଚରାଲ୍ ଓ ଏକୁକେଶନାଲ ସେଣ୍ଟର, ସେଣ୍ଟ ଜୋସ, କାଲିଫର୍ଣ୍ଣିଆର ସଭାପତି ଡକ୍ଟର ସୂର୍ଯ୍ୟ ପଟ୍ଟନାୟକଙ୍କ ଜରିଆରେ ଗତ ଜୁଲାଇ ୨୦ରେ ଇସ୍କନ୍ ର ଜଗନ୍ନାଥ ସ୍ଵାମୀ ଦାସ, ସଭାପତି, ଇସ୍କନ୍ ବର୍କେଲେ ମନ୍ଦିରକୁ ପଠା ଯାଇଥିଲା। ତା ସତ୍ତ୍ୱେ ଅମାନିଆ ଇସ୍କନ୍ କିଛି ନ ମାନି ପୁଣି ଅଦିନିଆ ରଥଯାତ୍ରା କରି ଚାଲିଛି। ଇସ୍କନ୍ ର ଏହି ଅମାନିଆ ପଣକୁ ପ୍ରତିହତ କରିବାକୁ ଓ ଏହାର ସ୍ଥାୟୀ ସମାଧାନ କରିବାକୁ ବିଗତ ଦିନରେ ଭାରତର ରାଷ୍ଟ୍ରପତିଙ୍କୁ ଦିଲ୍ଲୀରେ ଥିବା ଓଡ଼ିଆ ଫୋରମ୍ ପକ୍ଷରୁ ଏକହଜାରରୁ ଅଧିକ ଓଡ଼ିଆଙ୍କ ସ୍ୱାକ୍ଷର ସମ୍ବଳିତ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା। ତଥାପି ଇସ୍କନ ମନମାନି ଜାରି ରଖିଛି।

ସାରା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମତ ଯେତେ ଶୀଘ୍ର ମହାମହିମ ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଙ୍କ ତରଫରୁ ଇସ୍କନ୍ ର ଦ୍ୱିତୀୟ ସଂସ୍ଥା ପଶ୍ଚିମବଙ୍ଗ ର ମାୟାପୁର ଉପରେ ଚାପ ପ୍ରୟୋଗ ନ କରାଯିବ, ଏହାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ ଏବଂ ଇସ୍କନ୍ ଏହିପରି ଅମାନିଆଁ ହୋଇ ବର୍ଷ ସାରା ଅଦିନରେ, ଅତିଥିରେ ସ୍ନାନ ଯାତ୍ରା ଓ ରଥଯାତ୍ରା କରି ଚାଲିଥିବ।

ଜଗନ୍ନାଥ ପ୍ରେମୀଙ୍କ ପ୍ରଶ୍ନ ଯେ ଇସ୍କନ୍ ସଂସ୍ଥା ବର୍ଷ ସାରା ଜନ୍ମାଷ୍ଟମୀ ପାଳନ କରିବେ କି?

ଯଦି ସାରା ବିଶ୍ୱରେ ସମସ୍ତ ମୁସଲମାନ୍ ମାନେ ତାଙ୍କର ଇଦ୍ ବିନା ତିଥିରେ ପାଳନ କରିବେ ନାହିଁ, ସାରା ବିଶ୍ୱର ଖ୍ରୀଷ୍ଟିଆନ୍ ମାନେ ତାଙ୍କର ଖ୍ରୀଷ୍ଟମାସ୍ କେବଳ ୨୬ ଡିସେମ୍ବର ରେ ହିଁ ପାଳନ କରିବେ, ତେବେ ଇସ୍କନ୍ କାହିଁକି ଏପରି ଜିଦ୍ ଧରି ବସିଛି ଓ ସନାତନ ଧର୍ମର ଶାସ୍ତ୍ର ପୁରାଣ କୁ ଆଖି ଠାର ମାରି ଚାଲିଥିବ ?

ସାରା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ସବିନୟ ଅନୁରୋଧ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି, ଯେମିତି ଦୀଘା ଜଗନ୍ନାଥ ମନ୍ଦିର ରୁ “ଧାମ” ଶବ୍ଦ ଉଠେଇ ଦେଲେ, ସେମିତି ତୁରନ୍ତ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡି, ସବୁଦିନ ପାଇଁ ଇସ୍କନ୍ ର ଏହି ଅମାନିଆଁ ଅଦିନିଆଁ ସ୍ନାନ ଯାତ୍ରା ଓ ରଥଯାତ୍ରା କୁ ଶୀଘ୍ର ସବୁଦିନ ପାଇଁ ବନ୍ଦ କରନ୍ତୁ। ସାରା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନରେ ହେଉଥିବା କ୍ଷୋଭ ଓ ଅସନ୍ତୋଷ କୁ ଦୂର କରନ୍ତୁ।

ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ଙ୍କ ବଡ ଘୋଷଣା ।

ନନ୍ଦିଘୋଷ ବ୍ୟୁରୋ :  ଇରାନ ବିରୋଧରେ ଆମେରିକାର ବଡ଼ ଧରଣର ଅର୍ଥନୈତିକ କଟକଣା। ଏନେଇ ଘୋଷଣା କରିଛନ୍ତି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ। ଫଳରେ ଇରାନ ସହ ଅର୍ଥନୈତିକ କାରବାର କରୁଥିବା ଦେଶଗୁଡିକୁ ବି ଆମେରିକୀୟ ଡଲାର ସହ ବ୍ୟବସାୟରୁ ବାଦ୍ ଦିଆଯିବାକୁ ଧମକ ଦିଆଯାଇଛି।

ଯଦି କୌଣସି ରାଷ୍ଟ୍ର ଏଣିକି ଇରାନ ସହ ସମ୍ପର୍କ ରଖନ୍ତି ତେବେ ସେମାନଙ୍କ ସହ ଆମେରିକାର କଟକଣାର ଶିକାର ହେବାକୁ ପଡିବ। ସେପଟେ ଆମେରିକାକୁ ଜବାବ ଦେଇଛି ଇରାନ। କହିଛି- ୨ ବର୍ଷ ଲାଗି ପ୍ରସ୍ତୁତ ରହିଛି ଇରାନ।  ହର୍ମୁଜ ପ୍ରସଙ୍ଗକୁ ନେଇ ଇରାନ ବିରୋଧରେ କଟକଣା ଜାରି କରାଯିବ ବୋଲି ପୂର୍ବରୁ ଧମକ ଦେଇଥିଲା ଆମେରିକା। ଅର୍ଥନୈତିକ ଭାବେ ଇରାନକୁ ଶ୍ବାସରୁଦ୍ଧ କରିବା ଲାଗି ଏଣିକି ଆମେରିକା କଠୋର ହେବ ବୋଲି ସେ କହିଛନ୍ତି।

କିଛି ଦିନ ଭିତରେ ଇରାନକୁ ସହଯୋଗ କରୁଥିବା କିଛି ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନଗୁଡିକ ବି କଟକଣାର ଶିକାର ହେବେ ବୋଲି ସେ କହିଛନ୍ତି। କିଛି ଦିନ ତଳେ  ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜର ଟ୍ରୁଥ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ହର୍ମୁଜର ନୂଆ ମ୍ୟାପ। ଏହି ନୂଆ ମାନଚିତ୍ରରେ ହର୍ମୁଜ ପ୍ରଣାଳୀ ସ୍ଥାନ ପାଇଥିବା ଦେଖାଯାଇଥିଲା।…

ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚସ୍ତରୀୟ ବୈଠକ ।

ନନ୍ଦିଘୋଷ ବ୍ୟୁରୋ : ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିର ପ୍ରତି ସାରା ବିଶ୍ୱବାସୀଙ୍କ ଭକ୍ତି ଓ ଆଗ୍ରହ ରହିଛି I ତେଣୁ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା  ବୃଦ୍ଧି ପାଇବାରେ ଲାଗିଛି I ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛି I

ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି I ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଥିଲା I

ଏହାକୁ ଅନୁଧ୍ୟାନ କରି ସର୍ବଶ୍ରେଷ୍ଠ ମଡେଲକୁ କିଭଳି ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା I ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ ନିୟନ୍ତ୍ରିତ କରାଯାଇ ସବୁ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଇବା ସମ୍ଭବ ହୋଇ ପାରିବ I ଏଥି ସହିତ ଭକ୍ତ ମାନେ ୫ ଟି ଅଲଗା ଅଲଗା ରାମ୍ପ ଯୋଗେ ଶୃଙ୍ଖଳିତ ଦର୍ଶନ କରିପାରିବେ I ଫଳରେ ପ୍ରତି ଏକ ଘଣ୍ଟାରେ ପ୍ରାୟ ୮ ରୁ ୧୦ ହଜାର ଭକ୍ତ ଶୃଙ୍ଖଳିତ ଦର୍ଶନ କରି ପାରିବେ I ଏହାର ସଠିକ କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଏକ ପାଇଲଟ ମଡେଲ ପ୍ରସ୍ତୁତ କରାଯିବା ସହିତ  ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କାରାଯିବ I ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଯୋଜନାକୁ ବାସ୍ତବ ରୂପ ଦିଆଯିବା ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଥିଲେ I

ଏହି ବୈଠକରେ  ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଆରକ୍ଷୀ ଅଧୀକ୍ଷକ  ପ୍ରତୀକ ସିଂ, ଆଇନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ. କେ. ଦାସ, ଓବିସିସି ମୁଖ୍ୟ ପରିଚାଳକ ଶ୍ରୀଧର ରାଉତଙ୍କ ସମେତ ଆଇଆଇଟି ଭୁବନେଶ୍ୱରର ବୈଷୟିକ ପରାମର୍ଶଦାତା  ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I

ଖୋଲୁଛି ମହାରାଷ୍ଟ୍ର ରହସ୍ୟ ।

ନନ୍ଦିଘୋଷ ବ୍ୟୁରୋ :  ଆଇଫୋନକୁ କେନ୍ଦ୍ର କରି ନୁହଁ ବରଂ ଅନ୍ୟ କାରଣ ଲାଗି ମହାରାଷ୍ଟ୍ରରେ ଚାଲିଯାଇଥିଲା ଗୋଟିଏ ପରିବାରର ୩ ସଦସ୍ୟଙ୍କ ଜୀବନ। ବାପା, ମା ଅଲଗା ରହୁଥିବା ହେତୁ ମାନସିକ ଦୁଃଶ୍ଚିନ୍ତାରେ ଥିଲା ୧୯ ବର୍ଷ ପୁଅ କୁନାଲ ଚାନ୍ଦଗୁଡେ। ସେ ଚାହୁଁଥିଲା ବାପା ମା ଏକାଠି ରୁହନ୍ତୁ। ମାତ୍ର ତାହା ସମ୍ଭବ ନହେବାରୁ ସେ ଆତ୍ମହତ୍ୟା କରିବାକୁ ଚାହିଁଥିଲା।

ତାକୁ ବଞ୍ଚାଇବାକୁ ଯାଇ ବାପା ମୁରଲୀଧର ଖସିପଡ଼ିଥିବାବେଳେ ଦୁଃଖରେ ମ୍ରିୟମାଣ ମା ସଂଗୀତା ବି ତଳକୁ ଡେଇଁପଡିଥିଲେ। ଘଟଣା ଘଟିଥିଲା ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜୀ ନଗରର ଖୁୟାଦିଆ ପର୍ବତରେ।

ମୁରଲୀ ଓ ସଂଗୀତାଙ୍କ ମଧ୍ୟରେ ୨୨ ବର୍ଷ ତଳେ ହୋଇଥିଲା ପ୍ରେମ ବିବାହ। ଏହି ବିବାହକୁ ବିରୋଧ କରିଥିଲେ ମୁରଲୀଙ୍କ ପରିବାର। ବିବାହ ପରେ ସ୍ବାମୀ-ସ୍ତ୍ରୀ ଅଲଗା ରହୁଥିବାରୁ ଚିନ୍ତିତ ଥିଲା କୁନାଲ। ଘଟଣା ଦିନ କୁନାଲ ପଢୁଥିବା ପ୍ରତିଷ୍ଠାନକୁ ନ ଯିବାରୁ ପ୍ରତିଷ୍ଠାନ ପକ୍ଷରୁ ମାଙ୍କୁ ସକାଳ ୯ଟାରେ ଖବର ଦିଆଯାଇଥିଲା। ତେବେ ସକାଳ ୧୦ଟାରୁ ୧୦.୩୦ ମଧ୍ୟରେ କୁନାଲର ଲୋକେସନ ପାହାଡ ଉପରେ ଥିବା ଟ୍ରାକ କରାଯାଇଥିଲା। ଦିନ ଗୋଟାଏ ବେଳେ ଏହି ମର୍ମନ୍ତୁଦ ଘଟଣା ଘଟିଥିଲା। ସେପଟେ ପରିବାରରେ ଥିବା ପୋଷା କୁକୁର ଶେରୁକୁ ଉଦ୍ଧାର କରାଯାଇଛି। ତାକୁ ଏକ ପ୍ରାଣୀ କଲ୍ୟାଣ କେନ୍ଦ୍ରରେ ରଖାଯାଇଛି।

୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ।

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା l ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା ଅତିକ୍ରମ କରିବାର ସମ୍ଭାବନା ରହିଛି l ପ୍ରଭାବରେ ଆସନ୍ତା ୨୮ ଯାଏ ବର୍ଷାରୁ ନାହିଁ ନିସ୍ତାର l ଲଘୁଚାପ ପ୍ରଭାବରେ  ଉତ୍ତର,ଉପକୂଳ ଏବଂ ପଶ୍ଚିମ ଓଡିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ୧୭ ଜିଲ୍ଲାରେ ହାଲକା ରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି l ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ।

ବର୍ଷା ସହ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବର୍ତମାନ ସୁଦ୍ଧା ଜୁନ ୧ ରୁ ଅଗଷ୍ଟ ୨୪ ସୁଦ୍ଧା ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୩୨ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି l ଗତ ୨୪ ଘଣ୍ଟାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ସର୍ବାଧିକ ୧୬୯.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଗଙ୍ଗେଟିୟ ପଶ୍ଚିମବଙ୍ଗ, ବାଂଲାଦେଶ ଓ ଉତ୍ତର ଓଡିଶା ସଂଲଗ୍ନ ଅଂଚଳରେ ସକ୍ରିୟ ଘୁର୍ଣ୍ଣିବଳୟ ରହିଛି l ଏହା ସମୁଦ୍ର ପତନ ଠାରୁ 7.6 କିମି ଉଚ୍ଚତା ରେ ପରିବ୍ୟାପ୍ତ ହୋଇଛି l ଲଘୁଚାପ ପ୍ରଭାବ ରେ ବର୍ତମାନ ଉତ୍ତର,ଉପକୂଳ ଏବଂ ପଶ୍ଚିମ ଓଡିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ରିଜର୍ଭ ଗ୍ରାଉଣ୍ଡରେ ୩୮୦ ଗାଡ଼ି, ଆଗକୁ କ’ଣ?

ନନ୍ଦିଘୋଷ ବ୍ୟୁରୋ : ଅଟୋ-ଟ୍ୟାକ୍ସି ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ବଢ଼ୁଛି ବିବାଦ। ଆନ୍ଦୋଳନ ସମୟରେ ରାସ୍ତାରେ ଗାଡ଼ି ରଖିବା, ଭଙ୍ଗାରୁଜା ଓ ପୋଲିସ ସହ ଧସ୍ତାଧସ୍ତି ପରେ ୩୮୦ରୁ ଅଧିକ ଗାଡ଼ି ଜବତ କରିଥିଲା କମିଶନରେଟ ପୋଲିସ। ଗାଡ଼ି ମାଲିକଙ୍କୁ ପରିବହନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା। ନୋଟିସର ଉତ୍ତର ଦେବାର ସମୟସୀମା ପୂରିଥିଲେ ମଧ୍ୟ ଏଯାଏଁ ସମସ୍ତଙ୍କଠାରୁ ଉତ୍ତର ମିଳିନାହିଁ। ଯେଉଁମାନେ ଉତ୍ତର ଦେଇନାହାନ୍ତି, ସେମାନଙ୍କ ବିରୋଧରେ ଏକ୍ସ ପାର୍ଟି ଭାବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ କହିଛି। ଏପରିକି ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ପର୍ମିଟ ବାତିଲ ହେବାର ଆଶଙ୍କା ମଧ୍ୟ ରହିଛି।

ସେପଟେ ଜବତ ଗାଡ଼ିଗୁଡ଼ିକୁ ଶୀଘ୍ର ଛାଡ଼ିବା ଦାବିରେ ଡ୍ରାଇଭରମାନେ ଜେଲରେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି। ଭଡ଼ା ବୃଦ୍ଧି, ବାତିଲ ଫ୍ରି ଓ ସମସ୍ତ କମ୍ପାନୀରେ ସମାନ ଭଡ଼ା ଦାବିରେ ହୋଇଥିବା ଆନ୍ଦୋଳନ ଗତ ୧୯ ତାରିଖରେ ଉଗ୍ର ରୂପ ନେଇଥିଲା। ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ରାସ୍ତାରେ ଶହ ଶହ ଅଟୋ ଓ ଟ୍ୟାକ୍ସି ରଖାଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଢେଲା ପଥର ମାଡ଼ରେ ୧୪ଟି ବସ୍‌ ଭଙ୍ଗାରୁଜା ହୋଇଥିବା ବେଳେ ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏନେଇ ୭ଟି ଏତଲା ଆଧାରରେ ଏପର୍ଯ୍ୟନ୍ତ ୧୧୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।