spot_img
Home Blog Page 5392

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ‘ପରିସ୍ଥିତି ନିୟନ୍ତ୍ରାଧିନ, ତଥାପି ଆତ୍ମସନ୍ତୋଷ ନୁହେଁ’

ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଟିରେ ରଖି କୋଭିଡ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞମାନଙ୍କର ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ୱାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁଦାୟିତ୍ୱ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି CHC ଲେଭଲ ପର୍ଯ୍ୟନ୍ତ ଯେଭଳି ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା IICଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ୱର ଅଂଶଭାବରେ ଜ୍ଞାନ କରି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ଦ୍ୱିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା’ ମାନଙ୍କ ଠାରୁ ଆରମ୍ଭ କରି ଉଠା ଦୋକାନି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କର ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି । ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାପଡ଼ିଛି ।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଅବଗତ କରିଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରୀତା ସଂପର୍କରେ ଉପସ୍ଥାପନା ରଖିଥିଲେ । ବୈଠକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧ହଜାର ୯୧୭ଜଣ କରୋନା ସଂକ୍ରମିତ ଚିହ୍ନଟ: ୬୯ ଜଣଙ୍କ ମୃତ୍ୟୁ

ଅଗଷ୍ଟ ୧ରୁ JNUରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ୟୁନିଭରସିଟି (JNU)ରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନାମଲେଖା ପ୍ରକ୍ରିୟା। JNU ପ୍ରବେଶିକା ପରୀକ୍ଷା ପାଇଁ ପିଲାମାନେ ୧ ତାରିଖରୁ ଆବେଦନ କରିପାରିବେ । କରୋନା କଟକଣା ଯୋଗୁ ପ୍ରବେଶିକା ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ଅନଲାଇନ ଯୋଗେ ହେବ।

ସୂଚନା ଅନୁଯାୟୀ, ଚଳିତବର୍ଷ ୟୁନିଭରସିଟି ପକ୍ଷରୁ ୬ଟି ନୂଆ PHD ପ୍ରୋଗ୍ରାମ ଆରମ୍ଭ କରାଯାଇଛି। ନ୍ୟାସନାଲ ସିକ୍ୟୁରିଟି, ଇଞ୍ଜିନିୟରିଂ, ମାଇକ୍ରୋ ସିଷ୍ଟମ ଓ ସିଷ୍ଟମ ମେଡିସିନରେ ନୂଆ PHD ପ୍ରୋଗ୍ରାମ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ମାମିଦାଲା ଜଗଦେଶ କୁମାର ସୂଚନା ଦେଇଛନ୍ତି ।

ତେବେ ୨୦୨୧୨୨ ଶିକ୍ଷାବର୍ଷ ପାଇଁ ଅନଲାଇନରେ ଏଣ୍ଟ୍ରାନ୍ସ ହେବାକୁ ଥିବା ବେଳେ ସେପ୍ଟେମ୍ବର ଶେଷ ସପ୍ତାହରେ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଇପାରେ ବୋଲି ସୂଚନା ମିଳିଛି।

ରାହୁଲ ଗାନ୍ଧୀଙ୍କ ଦାବି: ‘ଟ୍ୟାପ୍ ହୋଇଛି ମୋ ଫୋନ୍, ଇସ୍ତଫା ଦିଅନ୍ତୁ ଶାହ’

ନୂଆଦିଲ୍ଲୀ: ହ୍ୟାକ୍ ହୋଇଛି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଫୋନ୍ । କିଛି ଏଭଳି ଦାବି କରିଛନ୍ତି ଖୋଦ୍ ରାହୁଲ ଗାନ୍ଧୀ । ସେ କହିଛନ୍ତି ଏହା କେବଳ ମୋ ବ୍ୟକ୍ତିଗତ କଥା ନୁହେଁ, ବରଂ ଏହା ଜନତାଙ୍କ ସ୍ୱର ଉପରେ ଆକ୍ରମଣ । ଏଥିଲାଗି ସେ ଅମିତ ଶାହଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । ଏବଂ ନ୍ୟାୟିକ ତଦନ୍ତ ନେଇ ମଧ୍ୟ ସେ ଦାବି କରିଛନ୍ତି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ପେଗାସସ୍ ଏକ ଅସ୍ତ୍ର  । ଇସ୍ରାଏଲ ସରକାର ଏହାକୁ ଏକ ଅସ୍ତ୍ର ଭାବେ ବିବେଚିତ କରିଛନ୍ତି । ଏହାକୁ ଆତଙ୍କବାଦୀ ଏବଂ ଅପରାଧୀଙ୍କ ବିରୋଧରେ ବ୍ୟବହାର ହୋଇଥାଏ । ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏହାକୁ ଦେଶର ବିଭିନ୍ନ ଏଜେନ୍ସି ଏବଂ ଲୋକତନ୍ତ୍ର ବିରୋଧରେ ଏହାକୁ ପ୍ରୟୋଗ କରିଥିବା ରାହୁଲ କହିଛନ୍ତି ।

ଅପରପକ୍ଷରେ କଂଗ୍ରେସ ସାଂସଦ ପେଗାସସ୍ ସ୍ପାଇଓ୍ୱେରର ବ୍ୟବହାର କରି ରାହୁଲଙ୍କ ଗାନ୍ଧୀଙ୍କ ଉପରେ ଗୁଇନ୍ଦାଗିରି ଚଳାଇଥିବା ମାମଲାର ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ନ୍ୟାୟିକ ତଦନ୍ତ ନେଇ ଦାବି କରିଛନ୍ତି । ଲୋକସଭା ଏବଂ ରାଜ୍ୟସଭାର କିଛି ସଦସ୍ୟ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ସଂଗଠନ ମହାସଚିବ ବେଣୁଗୋପାଳ ରାଜ୍ୟସଭାରେ ବିପକ୍ଷ ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏବଂ କଂଗ୍ରେସର ବହୁ ଅନ୍ୟ ସାଂସଦ ବିକ୍ଷୋଭ ପ୍ରଦର୍ଶନରେ ଉପସ୍ଥିତ ଥିଲେ ।

ଦେଶର ପ୍ରଥମ ରାଜ୍ୟ ଭାବେ ଛତିଶଗଡ଼ ପେଗାସସ୍ ସ୍ପାଇଓ୍ୱେରର ତଦନ୍ତ ନିର୍ଦ୍ଦେଶ ଦେଇଛି

ଭାରତର ପ୍ରଥମ ରାଜ୍ୟ ଭାବେ ଛତିଶଗଡ଼ ପେଗାସସ୍ ସ୍ପାଇୱେର ଏବଂ ଏହାର ଗୁଇନ୍ଦାଗିରି ପଛରେ ଥିବା ରହସ୍ୟ ଖୋଜିବା ଆରମ୍ଭ କରିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଗୃହ ସଚିବ, ଲୋକସମ୍ପର୍କ ସଚିବ ଏବଂ ପୁଲିସ ଆଇଜିଙ୍କୁ ଏହି କମିଟିର ପ୍ରମୁଖ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ବିଜେପି ଶାସନ ସମୟରେ ଏହି ପେଗାସସ୍ ସ୍ପାଇୱେର ତିଆରି କରିଥିବା ଇସ୍ରାଏଲ୍ର ଏନ୍ଏସ୍ଓ କମ୍ପାନୀର କିଛି ପ୍ରତିନିଧି ରାଜ୍ୟକୁ ଆସିଥିଲେ ବୋଲି ସେ ସୂଚନା ଦେଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏ ବାବଦରେ ଜନସାଧାରଣଙକ୍ ଆଗରେ ସୂଚନା ରଖିବା ଦରକାର ବୋଲି କହିଛନ୍ତି ବାଘେଲ୍। ସେ କାହାକୁ ସେ ସମୟରେ ଭେଟିଥିଲେ ଏବଂ କେଉଁମାନଙ୍କ ଟେଲିଫୋନ୍ ଟ୍ୟାପ୍ କରିବା ପାଇଁ ସରକାର ଆଦେଶ ଦେଇତିଲେ ତାହା ରମଣ ଜଣାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

୨୦୧୯ ମସିହାରେ ହ୍ୱାଟସ୍‌ଆପ୍ ତରଫରୁ କିଛି ଲୋକ ପ୍ରତିନିଧି ଓ ଅଧିକାରୀଙ୍କ ମୋବାଇଲକୁ ଏକ ସୂଚନା ଆସିଥିଲା। ଏହି ସୂଚନା ଅନୁସାରେ ସେମାନଙ୍କ ମୋବାଇଲ୍ ପେଗାସସ୍ ସ୍ପାଇୱେର ଦ୍ୱାରା କବଳିତ ହୋଇଥିବା ଦର୍ଶାଯାଇଥିଲା। ଏଥିରେ କିଛି ଦଳିତ ଅଧିକାର କର୍ମୀ  ଓ ଆଇନଜୀବୀ ସାମିଲ୍ ଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଭାରତର ୩୦୦ରୁ ଅଧିକ ରାଜନେତା, ସରକାରୀ କର୍ମଚାରୀ, ସାମ୍ୱାଦିକ, ଓକିଲ ଓ ଅଧିକାର କମର୍ମୀଙ୍କ ଫୋନ୍ ହ୍ୟାକ୍  କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସରକାର ଯଦିଓ ଏହି ହ୍ୟାକ୍ ମାମଲାରେ ସମ୍ପୃକ୍ତ ନଥିବା ସୂଚନା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କିନ୍ତୁ ସରକାର ପେଗାସସ୍ ବ୍ୟବହାର କରୁ ନଥିବା ନେଇ କିଛି ସ୍ପଷ୍ଟ କରିନାହାନ୍ତି।

ଏଥିସହିତ ପଢ଼ନ୍ତୁ: ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସୀ,ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଡିଜିଟାଲ୍ କରେନ୍ସୀ ( ସିବିଡିସି) ପ୍ରଚଳନ ପାଇଁ ଆରବିଆଇ ତତ୍ପର

ମହାରାଷ୍ଟ୍ରରେ ବର୍ଷା, ଭୂ-ସ୍ଖଳନ: ୧୫ ଉଦ୍ଧାର, ୩୦ ଫସିଛନ୍ତି

ମୁମ୍ୱାଇ: ମହାରାଷ୍ଟ୍ରରେ ଗତକାଲି ରାତିରୁ ଲାଗିଛି ବର୍ଷା ତାଣ୍ଡବ । ଏହାର ପ୍ରଭାବରେ ରାଇଗଡ଼ ଜିଲ୍ଲାରେ ପ୍ରବଳ ବନ୍ୟା ଓ ଅତଡ଼ା ଖସିଛି ।  ଅତଡ଼ା ଖସିବା ହେତୁ ତଲାଇ ଗାଁର ୩୦ ଜଣ ଲୋକ ମାଟିତଳେ ଚାପି ହୋଇ ରହିଛନ୍ତି । ଅନ୍ୟ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ରାୟଗଡ଼ ଜିଲ୍ଲାପାଳ ନିଧି ଚୌଧୁରୀ ସୂଚନା ଦେଇଛନ୍ତି । ଗଲା ୨୪ ଘଣ୍ଟା ଭିତରେ ୪ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଏହି ହେତୁ ବିଭିନ୍ନ ରାସ୍ତା ଛିଣ୍ଡି ପଡ଼ିଛି। ଏଣୁ ଏନ୍‌ଡିଆରଏଫ୍ ଟିମ୍ ପହଞ୍ଚିବାରେ ବିଳମ୍ବ ହେବା ସହ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଥିବା ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ୟମରେ ସେନା ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ଦାବି କରିଛନ୍ତି। ରାଇଗଡ଼ ଜିଲ୍ଲା ସହ ରତ୍ନଗିରି ଜିଲ୍ଲାରେ ମଧ୍ୟ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିବାରୁ ଜନଜୀବନ ପ୍ରଭାବିତ ହେବା ଆଶଙ୍କା ସଅଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ପରିସ୍ଥିତିର ସମୀକ୍ଷା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିଦେଶ ଦେଇଛନ୍ତି। ଏହିକ୍ରମରେ ପୁନେଠାରୁ ଦୁଇଟି ସ୍ୱତନ୍ତ୍ର ଟିମ୍ ରାଇଗଡ଼ର ମାହଡ଼ ଏବଂ ରତ୍ନଗିରିର ଖେଡ଼ ଅଞ୍ଚଳକୁ ପଠାଯାଇଛି ।

 

ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସୀ,ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଡିଜିଟାଲ୍ କରେନ୍ସୀ ( ସିବିଡିସି) ପ୍ରଚଳନ ପାଇଁ ଆରବିଆଇ ତତ୍ପର

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହେବ ଡିଜିଟାଲ୍ କରେନ୍ସୀ ପ୍ରଚଳନ। ଅର୍ଥାତ୍ ଆପଣଙ୍କୁ କୌଣସି ସାମଗ୍ରୀ କିଣିବାକୁ ହେଲେ ଆଉ ଟଙ୍କା ବା ନୋଟ୍ ନଦେଇ ଡିଜିଟାଲ୍ କାରବାର କରିବାକୁ ପଡ଼ିବ। ଘରୋଇ କ୍ଷେତ୍ରରେ ଯେଉଁପରି ଭାବେ କ୍ରିପ୍ଟୋ କରେନ୍ସୀ ବା ବିଟ୍ କଏନ୍ର ପ୍ରଚଳନ ଚାଲିଛି ତାହାକୁ ମାତ୍ ଦେବା ଲାଗି ସରକାର ଏ ବିଷୟରେ ଚିନ୍ତା କରୁଥିବା ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭଣ୍ଣର ଟି ରବିଶଙ୍କର ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟ ସହ ତାଳ ଦେଇ ଲୋକଙ୍କ ପୁଞ୍ଜିକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସରକାର ଏଥିଲାଗି କିଛି ନୂଆ ଆଇନ ବ୍ୟବସ୍ଥା ଘୋଷଣା କରିପାରନ୍ତି । ଯେଉଁ ଆଇନ୍ ଅନୁସାରେ ଏହି ଡିଜିଟାଳ୍ କରେନ୍ସୀ କାରବାରକୁ ରିଜର୍ଭ ବ୍ୟାଙ୍କ ଗ୍ୟାରେଣ୍ଟି ଦେବ। ଆଉ ଯେମିତି ଆତଙ୍କବାଦୀ ଓ ଠକଙ୍କ ଦ୍ୱାରା ଏହି କାରବାର ନିୟନ୍ତ୍ରଣ ବା ପ୍ରୋତ୍ସାହିତ ନହେବ ସେଥିଲାଗି ବ୍ୟାଙ୍କ ବ୍ୟବସ୍ଥା କରିବ।
ଏବେ ଘରୋଇ ଭାବେ ଏହି ଡିଜିଟାଲ୍ କରେନ୍ସୀ ପ୍ରଚଳନ କରାଯାଉଛି। ଭାରତରେ ମଧ୍ୟ ବିଟ୍ କଏନ୍ ଓ କ୍ରିପ୍ଟୋ କରେନ୍ସୀ ଭଳି ଡିଜିଟାଲ୍ କରେନ୍ସୀ ପ୍ରଚଳନ କରାଯାଉଛି। ଯଦିଓ ତିନି ବର୍ଷ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ପ୍ରକାର ଡିଜିଟାଲ୍ କରେନ୍ସୀ କାରବାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ପ୍ରତି ବ୍ୟାଙ୍କକୁ ଏହି ନିୟମ ପାଳନ କରିବାକୁ କହିଥିଲେ କିନ୍ତୁ ଗତ ବର୍ଷ ସୁପ୍ରିମକୋର୍ଟ ଏହି କଟକଣା ଉଠାଇ ଦେଇଛନ୍ତି। ଏହିକ୍ରମରେ ଭାରତରେ ଏହିପରି ଅନେକ କାରବାର ବିନା କୌଣସି ଆଇନରେ ଚାଲିଛି। ଏହି ହେତୁ ଆତଙ୍କୀ କାରବାର ଓ ଟଙ୍କା ଠକେଇ ପରିମାଣ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ ବ୍ୟାଙ୍କଗୁଡ଼ିକରେ ରହିଥିବା ସରକାରୀ ଡିପୋଜିଟ୍ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଣୁ ରିଜର୍ଭ ବ୍ୟାଙ୍କ୍ ଏହି ନୂଆ ନୀତି କଥା ଚିନ୍ତା କରୁଥିବା ଜଣାପଡ଼ିଛି।
ତେବେ ନିକଟରେ ୟୁରୋପୀୟ ରାଷ୍ଟ୍ର ସଂଘ ମଧ୍ୟ ଡିଜିଟାଲ୍ ୟୁରୋ ପ୍ରଚଳନ ପାଇଁ ଯୋଜନା କରିଛନ୍ତି । ସେଠାରେ ପର୍ଯ୍ୟାୟକ୍ରମେ ଆସନ୍ତା ୨୪ ମାସ ଯାଏ ଏହି ଡିଜିଟାଲ୍ ୟୁରୋ ପ୍ରଚଳନ ହେବ। ଏହି ସମୟରେ ସାମ୍ନାକୁ ଆସୁଥିବା ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବା ଲାଗି ବ୍ୟବସ୍ଥା ହେବ ବୋଲି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଘୋଷଣା କରିଛନ୍ତି। । ଚୀନ୍ ମଧ୍ୟ ଡିଜିଟାଲ୍ କରେନ୍ସୀ ପ୍ରଚଳନ ଟ୍ରାଏଲ୍ ଶେଷ ହୋଇଛି। ଆମେରିକାର ଫେଡେରାଲ୍ ରିଜର୍ଭ ଏବଂ ଇଂଲଣ୍ଡ ବ୍ୟାଙ୍କ ଏହି ଡିଜିଟାଲ୍ କରେନ୍ସୀ କାରବାରକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି। ଗ୍ରେନେଡା, ସେଣ୍ଟ କିଟିସ୍ ଏବଂ ନେଭିସ୍ ସମେତ ପୂର୍ବ କାରବୀୟ ସଗରରେ ରହିଥିବା ଦ୍ୱୀପ ରାଷ୍ଟ୍ରଗୁଡ଼ିକ ଏବେ ଡିଜିଟାଲ୍ କରେନ୍ସୀ ପ୍ରଚଳନ କରୁଛନ୍ତି ।
ଭାରତରେ ଏହି ଡିଜିଟାଲ୍ କରେନ୍ସୀ ପ୍ରଚଳନ ହେଲେ ବୈଦେଶିକ କାରବାର ପାଇଁ ରହିଥିବା ନିୟମକୁ ମଧ୍ୟ ବଦଳାଇବାକୁ ହେବ। ଏହାଛଡ଼ା ସରକାରୀ ବଣ୍ଡଗୁଡ଼ିକର ସ୍ଥାୟୀତ୍ୱ ରକ୍ଷା ଏବଂ ଲୋକଙ୍କ ଟଙ୍କାର ସୁରକ୍ଷା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ଚିନ୍ତା କରିବାକୁ ହେବ। କିନ୍ତୁ ସମୟର ଆହ୍ୱାନ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ଆବଶ୍ୟକତାକୁ ଅନୁଭବ କରି ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରୟ ଏବେ ଡିଜିଟାଲ୍ କରେନ୍ସୀ ମୁହାଁ ହୋଇଥିବାରୁ ଆମ ଦେଶ ମଧ୍ୟ ସେଥିରେ ତାଳ ଦେବାର ସମୟ ଆସିଛି। ଏଣୁ ଆପଣଙ୍କୁ ୱାଲେଟ୍ରେ ଆଉ ନଗଦ ଟଙ୍କା ନରଖି ଡିଜିଟାଲ୍ ବାଲାନ୍ସ ରଖିବାକୁ ହେବ ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା: ୧୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ସ୍ପାଇଓ୍ୱେୟାର ପେଗାସସ୍ ସ୍କାନ୍‌ରରେ ଥିଲେ ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା

ନୂଆଦିଲ୍ଲୀ: ଇସ୍ରାଏଲ ସ୍ପାଇଓ୍ୱେୟାର ପେଗାସସକୁ ନେଇ କିଛି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଏହା ସହାୟତାରେ ବିଶ୍ୱର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଫୋନ୍ ଟ୍ୟାପିଂ କରାଯାଉଥିବା ବେଳେ ଭାରତର ମଧ୍ୟ ପ୍ରାୟ ୩ଶହ ବ୍ୟକ୍ତିଙ୍କ ଫୋନ୍ ନମ୍ୱର ହ୍ୟାକ୍ କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା । ଏଥିସହିତ ଦେଶର ଏହି ବିଶ୍ୱସନୀୟ ସଂସ୍ଥାର ସ୍ୱତନ୍ତ୍ର ଡାଇରେକ୍ଟର ରାକେଶ ଆସ୍ଥାନା ଓ ଅତିରିକ୍ତ ନିର୍ଦ୍ଦେଶକ ଏ.କେ ଶର୍ମାଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ । ଏଥି ସହିତ ଆଲୋକ ବର୍ମାଙ୍କ ପରିବାର ସଦସ୍ୟଙ୍କ ଫୋନ୍ ମଧ୍ୟ ହ୍ୟାକ କରାଯାଇଥିବା କୁହାଯାଉଛି । ସେମାନଙ୍କ ପରିବାରର ମୋଟ ୧୦ ଟି ନମ୍ୱର ଥିବା ବେଳେ ସେଥିମଧ୍ୟରୁ ୮ଟି ନମ୍ୱରକୁ ହ୍ୟାକ କରାଯାଇଥିବା ବେଳେ ଆଲୋକ ବର୍ମା ବ୍ୟବହାର କରୁଥିବା ୩ଟି ଫୋନ୍ ନମ୍ୱରକୁ ବିଶେଷ ଭାବେ ଟାର୍ଗେଟ କରାଯାଇଥିଲା ।

ଏଥିସହିତ ଶିଳ୍ପପତି ଅନୀଲ ଅମ୍ୱାନୀଙ୍କ ଉପରେ ମଧ୍ୟ ଏହି ସ୍ପାଇଓ୍ୱେୟାର ମଧ୍ୟରେ ସର୍ଭିଲାନ୍ସ ରଖାଯାଇଥିବା ରିପୋର୍ଟରେ ପ୍ରକାଶ । ତାଙ୍କ କର୍ମଚାରୀଙ୍କ ଉପରେ ମଧ୍ୟ ଏହା ଦ୍ୱାରା ସର୍ଭିଲାନ୍ସ କରାଯାଉଛି । ସୁପ୍ରିମକୋର୍ଟରେ ଭାରତ ସରକାର ଏବଂ ଡାସଲ୍ଟ ରାଫେଲ୍ କିଣା ନେଇ ମାମଲା ଦାୟର ହୋଇଥିଲା । ଏହା ପରଠାରୁ ଦାସଲ୍ଟ ଆଭିଏସନ୍ ରିପ୍ରିଜେନଟିଭ୍ ଭେଙ୍କଟ ରାଓ, ପୂର୍ବତନ ସମ୍ ଇଣ୍ଡିଆ ମୁଖ୍ୟ ଇନ୍ଦ୍ରଜିତ ସିଆଲ ଏବଂ ବୋଇଂ ଇଣ୍ଡିଆ ବସ୍ ପ୍ରତ୍ୟୁଷ କୁମାରଙ୍କ ଉପରେ ସର୍ଭିଲାନ୍ସ ରଖାଯାଇଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଆଜିଠାରୁ ଆରମ୍ଭ ହେବ ଅଲିମ୍ପିକ୍ସ ୨୦୨୦: ଭାରତରୁ ୧୨୭ ଖେଳାଳି ଭାଗନେଇଛନ୍ତି

ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ବିଭିନ୍ନ ନିଯୁକ୍ତି

ଭୁବନେଶ୍ୱର: ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ବିଭିନ୍ନ ଅଧିକାରୀଙ୍କ ବଦଳି ଏବଂ ନୂଆ ନିଯୁକ୍ତି ଦିଆଯାଇଛି । ରାଜ୍ୟ ଭିଜିଲାନ୍ସ ବିଭାଗ ଲିଗାଲ ଆଡଭାଇଜର ଭାବେ ଶ୍ୟାମ ସୁନ୍ଦର ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ରାମ ଶଙ୍କର ହୋତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ସେସନ୍ ଜଜ୍ , ମଳୟ ରଞ୍ଜନ ଦାସଙ୍କୁ ରାଉରକେଲା ଶିଳ୍ପ ଟ୍ରିବ୍ୟୁନାଲର ପ୍ରିଜାଇଡିଂ ଅଫିସର, ବିକ୍ରମ କେଶରୀ ପଟ୍ଟନାୟକଙ୍କୁ ରାୟଗଡ଼ା ଜିଲ୍ଲା ଓ ସେସନ୍ କୋର୍ଟ, ଡ. ପବିତ୍ର ମୋହନ ସାମଲଙ୍କୁ ଜୟପୁର ଫ୍ୟାମିଲି କୋର୍ଟ ଜଜ୍, ଲଳିତ କୁମାର ଦାସଙ୍କୁ ଭବାନୀପାଟଣା ଫ୍ୟାମିଲି କୋର୍ଟ ଜଜ୍, ରଶ୍ମୀ ମୋହନ ଆଚାର୍ଯ୍ୟଙ୍କୁ ଏଡିଜେ କମ୍ ସ୍ପେଶାଲ ଜଜ୍ ଢେଙ୍କାନାଳ ଓ ହିଂମାଶୁ ଶେଖର ମଲ୍ଲିକଙ୍କୁ ଅତିରିକ୍ତ ଜିଲ୍ଲା ଜଜ୍ କଣ୍ଟାବାଞ୍ଜି ଭାବେ ନିଯୁକ୍ତି ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭି ହାତରେ ଏସିଏଫ୍‌ ସୌମ୍ୟଙ୍କ ହାତ ଲେଖା ଡାଏରୀ: ଲେଖିଛନ୍ତି ‘ତୁମେ ଯାହା ଚାହିଁବ, ତାହା କରିବାକୁ ପ୍ରସ୍ତୁତ’

ନନ୍ଦିଘୋଷ ଟିଭି ହାତରେ ଏସିଏଫ୍‌ ସୌମ୍ୟଙ୍କ ହାତ ଲେଖା ଡାଏରୀ: ଲେଖିଛନ୍ତି ‘ତୁମେ ଯାହା ଚାହିଁବ, ତାହା କରିବାକୁ ପ୍ରସ୍ତୁତ’

କଟକ: ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନନ୍ଦିଘୋଷ ଟିଭି ହାତରେ ଲାଗିଛି ସୌମ୍ୟଙ୍କ ହାତ ଲେଖା ଡାଏରୀ । ଗତ ଫେବ୍ରୁଆରୀରେ ଏହି ଡାଏରୀ ଲେଖିଛନ୍ତି ସୌମ୍ୟ । ସୌମ୍ୟଙ୍କ ହାତ ଲେଖା ଏହି ଡାଏରିରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ଭରି ରହିଛି ପ୍ରେମ । ବିଦ୍ୟାଭାରତୀଙ୍କ ପାଇଁ ସବୁକିଛି ଛାଡିବାକୁ ପ୍ରସ୍ତୁତ ଥିଲେ ସ୍ୱାମୀ ସୌମ୍ୟ ତୁମେ ଯାହାବି ଚାହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ, ମୁଁ ତୁମକୁ ଜଣେ ଭଲ ପତ୍ନୀ ଓ ବନ୍ଧୁ ଭାବେ ଦେଖିବାକୁ ଚାହେଁ । ମୁଁ ମୋର ଚାକିରି ଛାଡି, ତୁମ ପାଇଁ ଦାସ ହେଇ ସାରାଦିନ ରହିବି । ବାସ୍ ମୋ ପାଇଁ ତୁମ ହୃଦୟରେ ଗୋଟିଏ ଛୋଟିଆ ଜାଗାଟିଏ ଦରକାର ।

ଫେବ୍ରୁଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ଏଭଳି ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ପରବର୍ତ୍ତୀ ସମୟରେ କିଛି ଘଟେ ଏଥିପାଇଁ ମୁଁ ପ୍ରସ୍ତୁତ ରହିଛି । ତେବେ ଯଦି କୌଣସି ସମସ୍ୟା ହୁଏ ସେ ମୋ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଦେବେ । ସୌମ୍ୟରଂଜନଙ୍କ ହାତଲେଖା ଏହି ଡାଏରି ମିଳିବାପରେ ତାଙ୍କର ବିଦ୍ୟାଭାରତୀଙ୍କ ପ୍ରତି କେତେ ଭଲ ପାଇବା ରହିଛି ତାହା ସ୍ପଷ୍ଟ ହେଉଛି । ଏହା ପୂର୍ବରୁ ବିଦ୍ୟାଭାରତୀଙ୍କ ଯେଉଁ ଚିଠି ସାମ୍ନାକୁ ଆସିଥିଲା, ସେଥିରେ ସୌମ୍ୟଙ୍କ ପାଇଁ କେବଳ ଭରି ରହିଥିଲା ଘୃଣା ଆଉ ଘୃଣା । ହେଲେ ଆଜି ଏହି ଡାଏରି ହିଁ ବୟାନ କରୁଛି ବିଦ୍ୟାଭାରତୀଙ୍କୁ କେତେ ଭଲ ପାଉଥିଲେ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ର ।

ଏଥିସହିତ ପଢ଼ନ୍ତୁ: କିଏ ଏହି ଟୁକ ? କଟକ କେସର ଇନଫୋସିଟି କନେକ୍ସନ କିଛି ଅଛି କି ?

 

 

ରାଜ୍ୟରେ ଆଉ ୧ହଜାର ୯୧୭ଜଣ କରୋନା ସଂକ୍ରମିତ ଚିହ୍ନଟ: ୬୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ହଜାର ୯୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୧୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୮୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୧୮, ଅନୁଗୁଳ ୯୧, ବାଲେଶ୍ୱର ୮୪, ବରଗଡ଼ ୧୯, ଭଦ୍ରକ୫୫,ବଲାଙ୍ଗୀର୧୦,ବୌଦ୍ଧ ୭, କଟକ ୨୫୬,  ଦେବଗଡ଼ ୧, ଢେଙ୍କାନାଳ ୩୭,  ଗଜପତି ୧୬, ଗଞ୍ଜାମ ୭, ଜଗତସିଂହପୁର ୯୨, ଯାଜପୁର ୮୭, ଝାରସୁଗୁଡ଼ା ୯, କଳାହାଣ୍ଡି ୬, କନ୍ଧମାଳ ୨୫, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୩୩,  କୋରାପୁଟ ୧୦, ମାଲକାନଗିରି ୧୨, ମୟୂରଭଞ୍ଜ ୬୯, ନବରଙ୍ଗପୁର ୧୦, ନୟାଗଡ଼ ୭୬, ନୂଆପଡ଼ା ୫, ପୁରୀ ୧୧୮, ରାୟଗଡ଼ା ୧୧, ସମ୍ୱଲପୁର ୧୫, ସୋନପୁର ୬, ସୁନ୍ଦରଗଡ଼ ୫୦ ଓ ଷ୍ଟେଟ୍ ପୁଲରୁ ୧୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଏବେ ବି ୧୯ ହଜାର ୨୬୧ କରୋନା ମାମଲା ସକ୍ରିୟ ରହିଛି । ଏଥସହିତ ଗତ ୨୪ ଘଣ୍ଟା ମଧ୍ୟରେ ୬୯ଜଣଙ୍କ ଜୀବନ ନେଇଛି କିଲର କରୋନା ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା: ୧୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ