spot_img
Home Blog Page 5308

ଓଡ଼ିଶାରେ ୨୪ ଘଣ୍ଟାରେ ୯୯୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଆଉ ୯୯୩ ପଜିଟିଭ ଚିହ୍ନଟ । ଶୂନରୁ ୧୮ ବର୍ଷ ବୟସର ୧୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ଜଣଙ୍କ ଜୀବନ ନେଇଛି  କରୋନା ଭୂତାଣୁ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ହଜାରେ ୬୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ  ୫୭୮, ଲୋକାଲ ମାମଲା ରହିଛି ୪୧୫ ।

 


ଖୋର୍ଦ୍ଧାରୁ ୪୧୯, କଟକରୁ ୯୫, ଷ୍ଟେଟପୁଲରୁ ୯୩, ଯାଜପୁରରୁ ୬୦, ଜଗତସିଂହପୁରରୁ ୫୧, ମୟୂରଭଞ୍ଜରୁ ୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୩୨, ବାଲେଶ୍ବରରୁ ୩୦, ପୁରୀରୁ ୨୫, ଅନୁଗୁଳରୁ ୧୮, ନୟାଗଡ଼ରୁ ୧୬, କେନ୍ଦ୍ରାପଡାରୁ ୧୫, ବଲାଙ୍ଗୀରରୁ ୧୩, ଭଦ୍ରକରୁ ୧୨, ସମ୍ବଲପୁରରୁ ୧୧, ବରଗଡ଼ ଓ କେନ୍ଦୁଝରରୁ ୧୦ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୮, କନ୍ଧମାଳରୁ ୭, ଗଞ୍ଜାମ ଓ ସୋନପୁରରୁ ୫ଜଣ ଲେଖାଏଁ, ଦେବଗଡ଼ରୁ ୪, ରାୟଗଡ଼ାରୁ ୩, ଝାରସୁଗୁଡାରୁ ୨, ବୌଦ୍ଧ, ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୭ହଜାର ୧୪୬ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୮୦ହଜାର ୪୭୧ । ସକ୍ରିୟ ମାମଲା ୯ ହଜାର ୫ ଶହ ୩୬ ।

 ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଵିଧାୟକ

0

ଭୁବନେଶ୍ୱର:   ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଵିଧାୟକ । ସଂଜୀବ ମଲ୍ଲିକଙ୍କ ଗାଡିକୁ ପିଟିଲା ଟ୍ରକ୍‌ । କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ, ବିଧାୟକ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଭୁବନେଶ୍ୱରରୁ ଭଦ୍ରକ ଆସୁଥିବା ସମୟରେ ଛତିଆ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଲିଛି । ବିଧାୟକଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜାରକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ପହଞ୍ଚି ଟ୍ରକ୍‌ ଓ ଡ୍ରାଇଭରକୁ ଅଟକ ରଖିଛି । ତାଙ୍କ ପାଖରେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତ ରାୟ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିଛନ୍ତି।

ପୁରୁଣା ଆଫଗାନିସ୍ତାନ ସରକାରର ଉପରାଷ୍ଟ୍ରପତି ନିଜକୁ ପ୍ରକୃତ ରାଷ୍ଟ୍ରପତି ବୋଲି ଘୋଷଣା କଲେ

ପଞ୍ଜଶିର(ଆଫଗାନିସ୍ତାନ) : ଆଫଗାନିସ୍ତାନର କ୍ଷମତାଚ୍ୟୁତ ଗଣତାନ୍ତ୍ରିକ ସରକାରର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁହ୍ଲା ସଲେହ ନିଜକୁ ଦେଶର ପ୍ରକୃତ ରାଷ୍ଟ୍ରପତି ବୋଲି ଦାବି କରିଛନ୍ତି । ସମ୍ବିଧାନର ଦ୍ୱାହି ଦେଇ ସେ ନିଜକୁ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ଏକ ଟ୍ୱିଟ୍ କରି ସଲେହ ସାମ୍ବିଧାନିକ ପ୍ରାବଧାନ ଅନୁସାରେ ବର୍ତ୍ତମାନ ସେ ଦେଶର କାମଚଳା ରାଷ୍ଟ୍ରପତି ବୋଲି କହିଛନ୍ତି । ସମ୍ବିଧାନରେ ଥିବା ନିୟମର ଉଦାହରଣ ଦେଇ ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ କିମ୍ବା ରାଷ୍ଟ୍ରପତି ଦେଶରୁ ପଳାୟନ କଲେ,ଇସ୍ତଫା ଦେଲେ ଅଥବା ତାଙ୍କର ମୃତ୍ୟୁ ହେବା ପରିସ୍ଥିତିରେ ଦେଶର ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ।

 


ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡି ଯିବା ପରେ ଦେଶବାସୀଙ୍କ ଧନଜୀବନର ସୁରକ୍ଷା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କଥା କହିଥିଲେ । ସେତେବେଳ ସାଲେହ ଦେଶ ଛାଡି ଯିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ । ଏବେ ସାଲେହ ପଞ୍ଜଶିର ଘାଟିରେ ଥିବା ଜଣା ପଡିଛି । ପଞ୍ଜଶିର ଘାଟି ଏପର୍ଯ୍ୟନ୍ତ ତାଲିବାନ କବଜାକୁ ଆସିନାହିଁ । ତାଲିବାନ ଏହାକୁ ନିଜ ଦଖଲକୁ ନେବାକୁ ଉଦ୍ୟମ ଜାରି ରଖିଛି । ପଞ୍ଜଶିର ପୂର୍ବତନ ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ଶାହ ମାସୁଦଙ୍କ ଗଡ ଥିଲା । ଏହି ଘାଟିକୁ ୧୯୮୦ରେ ସୋଭିଏତ ଋଷ ଦଖଲ କରି ପାରିନଥିଲା କି ୧୯୯୬ରେ ତାଲିବାନା । କାବୁଲଠାରୁ ୧୫୦ କିଲୋମିଟର ଦୁରରେ ଥିବା ପଞ୍ଜଶିର ଘାଟି ପ୍ରାକୃତିକ ଭାବେ ଅପହଂଚ ।

୨୦୦୧ ୱାର୍ଲଡ ଟ୍ରେଡ୍ ସେଣ୍ଟର ଉପରେ ଅଲକାଏଦା ଆକ୍ରମଣର ଦୁଇ ଦିନ ପୂର୍ବରୁ ତାଲିବାନ ଅହମ୍ମଦ ଶାହା ମାସୁଦଙ୍କ ହତ୍ୟା କରିଥିଲା । ଏବେ ପଞ୍ଜଶିରକୁ ଅହମ୍ମଦ ଶାହା ମାସୁଦଙ୍କ ପୁଅ ନିୟନ୍ତ୍ରଣ କରୁଛନ୍ତି । ସାଲେହ ମାସୁଦଙ୍କ ପୁରୁଣା ସହଯୋଗୀ ଥିଲେ । ମାସୁଦଙ୍କ ପୁଅ ସହିତ ମିଶି ସେ ତାଲିବାନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ।
ଅନ୍ୟପକ୍ଷରେ ସାଲେହ କହିଛନ୍ତି ଯେ, ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନେଇ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଯୁକ୍ତି କରିବାର କୌଣସି ଯଥାର୍ଥତା ନାହିଁ । ଆମକୁ ନିଜକୁ ସଂଗଠିତ କରି ଲଢେଇ କରିବାକୁ ପଡିବ ।

ପିଏମ ମୋଦି: ଆଫଗାନିସ୍ତାନ ହିନ୍ଦୁ-ଶିଖ୍‌ ନାଗରିକଙ୍କୁ ଶରଣ ଦେବ ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ ପିଏମ ଆବାସ ୭ LKMରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇ ସାରିଛି । ଯେଉଁ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ବିନା କୌଣସି କ୍ଷତିରେ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିଯେ, ଭାରତ ଆସିବାକୁ ଥିବା ପ୍ରତ୍ୟେକ ଅଳ୍ପସଂଖ୍ୟକଙ୍କୁ ସାହାଯ୍ୟ କରାଯିବ । ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଏନଏସଏ ଅଜିତ ଡୋଭାଲ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।


ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ସମସ୍ତ ଅଧିକାରୀଙ୍କୂ ଆଗାମି ଦିନରେ ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ମଧ୍ୟ କହିଛନ୍ତିଯେ, ଭାରତକୁ ନା କେବଳ ନିଜ ନାଗରିକଙ୍କୁ ରକ୍ଷା କରିବାର ଅଛି ବରଂ ଆମକୁ ସେହି ହିନ୍ଦୁ ଏବଂ ଶିଖଙ୍କୁ ମଧ୍ୟ ଶରଣ ଦେବା ଉଚିତ୍‌ଯେଉଁମାନେ ଭାରତ ଆସିବାକୁ ଚାହୁଁଛନ୍ତି । କୁହାଯାଉଛିଯେ, ଏହି ବୈଠକରେ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଏବଂ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନ ମଧ୍ୟ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳରୁ ବାଘଛାଲ ଜବତ, ବ୍ୟବସାୟୀ ଫେରାର

ଭୁବନେଶ୍ୱର:   ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳରୁ ବାଘଛାଲ ଜବତ । ବନ ବିଭାଗ ଦ୍ୱାରା ଗୋଟିଏ ବାଘ ଛାଲ ଜବତ କରାଯାଇଛି । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଏନେଇ ଖବର ପାଇଥିଲା ବନ ବିଭାଗ । ନବରଙ୍ଗପୁର ବନ ଖଣ୍ଡ ଅଧିକାରୀ ମଗର ଧନଜି ରାଓସାଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଓ ରାଇଘର ବନ ବିଭାଗ ଦ୍ଵାରା ଏକ ସ୍କୁଆଡ ଗଠନ କରାଯାଇଥିଲା । ଏହି ସ୍କ୍ୱାର୍ଡ଼ ବାଘ ଛାଲ ରଖିଥିବା ଲୋକଙ୍କ ଗତି ବିଧି ଉପରେ ନଜର ରଖି ଆସୁଥିଲା ।

ଗତକାଲି କିଛି ବ୍ୟବସାୟୀ ବାଘ ଛାଲ ବିକ୍ରି କରିବାକୁ ବିରପୁର ଜଙ୍ଗଲ ନିକଟକୁ ଯାଉଥିବା ବେଳେ ବନ ବିଭାଗ ଚଢ଼ାଉ କରିବା ସହ ଗୋଟିଏ ବାଘ ଛାଲ ଜବତ କରିଛି । ଘଟଣାସ୍ଥଳରୁ ସମସ୍ତ ବ୍ୟବସାୟୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।

ରାଉରକେଲା ଯିବେ 5T ସଚିବ, ସରକାରୀ କାର୍ଯ୍ୟର ସ୍ଥିତି ପରଖିବେ

0

ଭୁବନେଶ୍ୱର:  ଆଜି ରାଉରକେଲା ଗସ୍ତରେ ଯିବେ 5-ଟି ସଚିବ ଭି କେ ପାଣ୍ଡିଆନ । 5-ଟି ସଚିବଙ୍କ ସହ ରହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର ଭିନେଲ କ୍ରିଷ୍ଣା ଓ ଏନ ଏଚ ଏମ ନିର୍ଦେଶିକା ସାଲିନୀ ପଣ୍ଡିତ । ସକାଳ ୧୧ରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବା ପରେ ରାଉରକେଲା ସହରର ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟସ୍ତରର ଦେଶର ସର୍ଵଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଉରକେଲା ସହରର ଛେଣ୍ଡ କଲୋନୀରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ନିର୍ମିତ ହେଉଥିବା ୫ ଶହ ଗୃହ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବେ । ଏହାପରେ ଛେଣ୍ଡ କଲୋନୀରେ ନିର୍ମିତ ହେଉଥିବା ସାଇନସ ପାର୍କ ଓ ପ୍ଲାନୋଟୋରିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ।

ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡାର ବିକାଶ କାର୍ଯ୍ୟ କିପରି ଚାଲିଛି ଏହାର ସମୀକ୍ଷା କରିବେ 5-ଟି ସଚିବ । ଵିଶ୍ରା ଛକଠାରେ ୧୦ ହଜାର ଦର୍ଶକ ବସିବାର ସୁବିଧା ଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଗସ୍ତ କରି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ । ସେହିଭଳି ରାଉରକେଲା ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଵାର କାର୍ଯ୍ୟକ୍ରମ ରହିଛି । ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ବ୍ରୀଜ, ଅଙ୍ଗନୱାଡ଼ି ଓ ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଗତ ଫେବୃଆରୀରେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ୟ ପାଇଁ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉନ୍ନତିମୂଳକ କାର୍ଯ୍ୟ କିପରି ଚାଲିଛି ଏହାର ସମୀକ୍ଷା କରିବେ 5-ଟି ସଚିବ ।

ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସମାଧାନ କରିବା ସହ ଵୃହତ ଜଳ ସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ କିପରି ତ୍ୱରାନ୍ୱିତ ହେଵ ତାହାକୁ ନେଇ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତୀକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି ଓ ମୋ ସରକାର ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ ତଥା ରୁପାନ୍ତରଣ କାର୍ଯ୍ୟକ୍ରମ କରାଯାଉଛି । ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଉଛି । ଏହି କାର୍ଯ୍ୟର ସମୀକ୍ଷା କରିବା ସହ ରାଉରକେଲା ସହରରେ କୋଭିଡ ସ୍ଥିତି ସମୀକ୍ଷା କରିଵାର କାର୍ଯ୍ୟକ୍ରମ ରହିଛି ।

ତାଲିବାନ ବିରୋଧରେ ମହିଳା ଯୋଦ୍ଧା,ସଲିମା ଉଠାଇଲେ ବନ୍ଧୁକ

କାବୁଲର ପତନ ହୋଇ ସାରିଛି । ରାଷ୍ଟ୍ରପତି ନିଜ ଦେଶ ଓ ଦେଶବାସୀଙ୍କୁ ମଝି ଦରିଆରେ ଛାଡ଼ି ପଳାୟନ କରିଛନ୍ତି । ଅବଦୁଲ ଦୋସ୍ତୁମ ଭଳି ତାଲିବାନ ବିରୋଧୀ କମାଣ୍ଡର ମଜାର-ଏ-ସରିଫକୁ ତାଲିବାନ ହାତରେ ଅର୍ପଣ କରି ଆତ୍ମଗୋପନ କରିଛନ୍ତି । ଆଫଗାନିସ୍ତାନ ତାଲିବାନ ଆତଙ୍କର ଥରହର ହେଉଛି । ବିଶେଷକରି ଆଫଗାନୀ ମହିଳା ଏବେ ଏକ ଅନ୍ଧକାରମୟ ଭବିଷ୍ୟତ ଆଡକୁ ଗତି କରୁଛନ୍ତି । ଗତ ୨୦ ବର୍ଷର ସେମାନଙ୍କ ଶିକ୍ଷାଦିକ୍ଷା ବୁର୍ଖା ଭିତରେ କଏଦ ହେବାକୁ ଯାଉଛି । ଦେଶର ବଡ଼ବଡ଼ ନେତା ଓ ସାମରିକ ଅଧିକାରୀ ଠିକଣା ସମୟରେ ଦେଶର ହାତ ଛାଡି ଦେଇଥିବା ବେଳେ ଜଣେ ମହିଳା ତାଲିବାନକୁ ଦେଉଛନ୍ତି କଡା ଟକ୍କର । ଏହି ମହିଳାଙ୍କ ନାମ ହେଉଛି ସଲିମା ମଜାରି ।
ସଲିମା ମଜାରି ଚାରକିଣ୍ଟ୍ ଜିଲ୍ଲାର ଗଭର୍ଣ୍ଣର ଭାବେ କାର୍ଯ୍ୟ କରନ୍ତି । ସେ ତାଲିବାନ ବିରୋଧରେ କୃଷକ, ଶ୍ରମିକ ଓ ସାଧାରଣ ଲୋକଙ୍କୁ ନେଇ ଯୁଦ୍ଧ ଲଢୁଛନ୍ତି । ଦେଶର ବାକି ସ୍ଥାନରେ ସରକାରୀ ସେନା ଆତ୍ମସମର୍ପଣ କରିଥିବା ବେଳେ ଚାରକିଣ୍ଟରେ ସେନା ତାଲିବାନକୁ ଜବରଦସ୍ତ ଟକ୍କର ଦେଉଛି । ଆଉ ଏହା ସମ୍ଭବ ହୋଇଛି ସଲିମାଙ୍କ ପାଇଁ । ଜଣେ ମହିଳା ହୋଇ ମଧ୍ୟ ସଲିମା ଯେମିତି ଯୁଦ୍ଧଭୂମୀରେ ଲଢୁଛନ୍ତି ତାହା ଅନେକଙ୍କୁ ପ୍ରେରଣା ଦେଉଛି ।
ତାଲିବାନ ନିକଟରେ ୧୨ ବର୍ଷରୁ ୪୫ ବର୍ଷ ମଧ୍ୟରେ ଅବିବାହିତ ଓ ଏକକୀ ରହୁଥିବା ଝିଅ ତଥା ମହିଳାଙ୍କ ତାଲିକା ମାଗିଥିଲା । ଏହି ଝିଅଙ୍କୁ ଯୌନଦାସୀ କରିବା ତାଲିବାନର ଲକ୍ଷ୍ୟ । ସଲିମା ତାଲିବାନର ଏହି ଘୋଷଣା ପରଠାରୁ ଅଧିକ ସକ୍ରିୟ ହୋଇଥିଲେ । ତାଙ୍କ ପାଇଁ ଚାରକିଣ୍ଟରେ ତାଲିବାନ ପାଦ ରଖି ପାରିନାହିଁ । ସଲିମା ଭଲ ଭାବେ ଜାଣନ୍ତି ଯେ, ଯଦି ସେ ତାଲିବାନ ହାତରେ ପଡ଼ନ୍ତି ତେବେ ତାଙ୍କ ଅନ୍ତ କେତେ ଭୟଙ୍କର ହେବ । ତଥାପି ସେହି ଡର ତାଙ୍କୁ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିବାରୁ ରୋକି ନାହିଁ ।
ତେବେ ଆଫଗାନିସ୍ତାନ ଭଳି ରକ୍ଷଣଶୀଳ ମୁସଲିମ୍ ଦେଶରେ ସଲିମା କେମେତି ଗଭର୍ଣ୍ଣର ହୋଇ ପାରିଲେ ? କ’ଣ ଥିଲା ତାଙ୍କ ଅତିତ ?
ସଲିମାଙ୍କ ଜନ୍ମ ଦେଶ ବାହାରେ ଇରାନରେ ହୋଇଥିଲା । କାରଣ ତାଙ୍କ ଜନ୍ମବେଳକୁ ସୋଭିଏତ ଋଷ ଆଫଗାନିସ୍ତାନ ଉପରେ କବଜା ଜମାଇ ସାରିଥିଲା । ସଲିମାଙ୍କ ପିତା ପରିବାର ସହିତ ଇରାନକୁ ପଳାୟନ କରିଥିଲେ । ଇରାନର ଏକ ଶରଣାର୍ଥୀ ଶିବିରରେ ୧୯୮୦ ମସିହାରେ ଜନ୍ମିତ ସଲିମା ସେଠାରେ ଗ୍ରାଜୁଏସନ୍ କରିଥିଲେ । ୨୦୧୮ରେ ଆଫଗାନିସ୍ତାନ ସରକାର ଚାରକିଣ୍ଟ ଜିଲ୍ଲା ପାଇଁ ଗଭର୍ଣ୍ଣର ପଦବୀ ଲାଗି ବିଜ୍ଞାପନ ଦେଇଥିଲେ । ଏହି ପଦବୀ ପାଇଁ ସଲିମା ମଧ୍ୟ ଆବେଦନ କରିଥିଲେ । ସଲିମା ନିଜ ଯୋଗ୍ୟତା ବଳରେ ଗଭର୍ଣ୍ଣର ପଦବୀ ହାସଲ କରିଥିଲେ ।
ଏବେ କିନ୍ତୁ ଚିତ୍ର ଓ ଚରିତ୍ର ସବୁକିଛି ବଦଳିଯାଇଛି । ଗଣତାନ୍ତ୍ରିକ ସରକାର ସ୍ଥାନରେ ତାଲିବାନ ବନ୍ଧୁକ ବଳରେ କ୍ଷମତା ଦଖଲ କରିଛି । ଏମିତିରେ ସଲିମା ଆଉ କେତେଦିନ ତାଲିବାନକୁ ଟକ୍କର ଦେବେ ତାହା ଦେଖିବାକୁ ରହିଲା ।

ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ମୁଲ୍ଲା ବାରାଦାର କିଏ ? ତାଲିବାନରେ କେତେ ଶକ୍ତିଶାଳୀ ?

କାବୁଲ: ସୋମବାର ୨୦ ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧର ସମାପ୍ତି ଘୋଷଣା କରିଛି ତାଲିବାନ । କାବୁଲରେ ରାଷ୍ଟ୍ରପତି ଭବନ ଉପରେ ତାଲିବାନ ସୈନ୍ୟମାନେ କବ୍‌ଜା କରିସାରିଛନ୍ତି । ଏଥିସହିତ ନିଜ ବିଜୟ ଘୋଷଣା କରିସାରିଛି ତାଲିବାନ । ବର୍ତ୍ତମାନ ଆଫଗାନିସ୍ତାନର ପ୍ରାୟ ବଡ଼ ସହରରୁ ଆମେରିକୀୟ ସେନା ଫେରିସାରିଛି । ତେବେ ମିଳିଥିବା ତଥ୍ୟ ମୁତାବକ ସଂଗଠନ ମୁଖ୍ୟ ମୁଲ୍ଲା ଅବଦୁଲ୍ ଘନି ବାରାଦାର ଦେଶର ନୂଆ ରାଷ୍ଟ୍ରପତି ହୋଇପାରିନ୍ତି ।

ବାରାଦାରଙ୍କ ଜନ୍ମ ଊରୁଜଗାନ୍ ପ୍ରାନ୍ତରେ ୧୯୬୮ ମସିହାରେ ହୋଇଥିଲା । ବାରାଦାର ହେଉଛନ୍ତି ତାଲିବାନର କୋ ଫାଉଣ୍ଡର । ହେବତୁହ୍ଲା ଅଖୁନ୍ଦଜାଦାଙ୍କ ପରେ ତାଲିବାନରେ ବାରାଦାର ଦ୍ୱିତୀୟ ନମ୍ୱର ନେତା । ୨୦୧୦ରେ ବାରାଦାରକୁ ଆଇଏସ୍‌ଆଇ କରାଚିରୁ ଗିରଫ କରିଥିଲା । ଆମେରିକାର ଅନୁରୋଧ ପରେ ତାକୁ ୨୦୧୮ରେ ଛାଡ଼ିଦେଇଥିଲା । ବର୍ତ୍ତମାନ ସମୟରେ ବାରାଦାର ତାଲିବାନର ଚର୍ଚ୍ଚିତ ଚେହେରା । କିଛି ମିଡିଆ ରିପୋର୍ଟ ମୁତାବକ ରବିବାର ଦୋହାରୁ କାବୁଲ ପହଞ୍ଚିସାରିଛି । କାବୁଲ ଉପରେ କବ୍‌ଜା ପରେ ଏକ ଭିଡିଓ ସନ୍ଦେଶରେ ତାଲିବାନ ନେତା କହିଛନ୍ତି ଯେ, ବର୍ତ୍ତମାନ ସଂଗଠନର ଅସଲି ପରୀକ୍ଷା ଆରମ୍ଭ ହେବ । କାହିଁକି ସେମାନଙ୍କୁ ଦେଶବାସୀଙ୍କ ସେବା କରିବାର ଅଛି । ବାରାଦାର ୧୯୮୦ ମସିହାରେ ସୋଭିଏତ ସେନା ବିରୋଧରେ ଆଫଗାନ ମୁଜାହିଦ୍ଦିନ୍ରେ ଲଢ଼େଇ କରିଥିଲା । ୧୯୯୨ ବାରାଦାର ନିଜ ପୂର୍ବ କମାଣ୍ଡର ଏବଂ ସମ୍ପର୍କୀୟ ମହମ୍ମଦ ଉମରଙ୍କ ସହ ମିଶି କାନ୍ଧାରରେ ଏକ ମାଦ୍ରାସା ସ୍ଥାପନ କରିଥିଲେ ।

ମହମ୍ମଦ ଉମର ଏବଂ ବାରାଦାର ମିଶିକରି ୧୯୯୪ ମସିହାରେ ତାଲିବାନର ସ୍ଥାପନା କରିଥିଲେ । ସର୍ଦ୍ଦାରମାନଙ୍କ ମଧ୍ୟରେ ବଢ଼ୁଥିବା ତିକ୍ତତା ଏବଂ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ସମର୍ଥନ କାରଣରୁ ତାଲିମାନ ୧୯୯୬ରେ ଜଣଙ୍କ ପରେ ଜଣେ ପ୍ରାନ୍ତିୟ ରାଜଧୀନ ଉପରେ କବ୍‌ଜା ପରେ ଆଫଗାନିସ୍ତାନ ଉପରେ କବ୍‌ଜା କରିଥିଲେ । ମୁଲ୍ଲା ଉମର ପରେ ସେ ଦ୍ୱିତୀୟ ପାଓ୍ୱାରଫୁଲ ନେତା । ସେ ନିଜ ରଣନୀତି ନେଇ ବେଶ୍ ପରିଚିତ ।

ଏଥିସହିତ ପଢ଼ନ୍ତୁ: ଗୁମ୍ଫାରୁ ୬ଲଢୁଆ ବିମାନ ଲୁଟି କାବୁଲ ଅଧିକାର କରିବା ପରେ ତାଲିବାନ ଜଣେ ରାଷ୍ଟ୍ରପତିଙ୍କୁ ପିଟିପିଟି ମାରି ଦେଇଥିଲା !

ରାଜ୍ୟର ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତିକୁ କେନ୍ଦ୍ରର ଅଣଦେଖା: ଏଯାଏଁ ଓଡ଼ିଶୀ ସଙ୍ଗୀତକୁ ମିଳିଲାନି ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର: ଏଯାଏଁ ମିଳିଲାନି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା । ରାଜ୍ୟର ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତିକୁ କେନ୍ଦ୍ର ଅଣଦେଖା କରିଛି । କୌଣସି ପ୍ରାଚୀନ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଆମ କାମ ନୁହେଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅବାନ୍ତର ଯୁକ୍ତି ନେଇ ଆଖିଲାଲ କରିଛନ୍ତି ରାଜ୍ୟର ଶାସକ ଓ ବିରୋଧୀ ଦଳ ଏବଂ ସଙ୍ଗୀତ ଶିଳ୍ପୀ । ରାଜ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଓଡ଼ିଶା ପ୍ରତି କେନ୍ଦ୍ର ଘୋର ଅବିଚାର କରୁଛି । ଏହାର ଦୃଢ଼ ପ୍ରତିବାଦ କରାଯିବ ।

ତାଳ, ଛନ୍ଦ, ଲୟ, ମାଧୁର୍ଯ୍ୟ । ସବୁଥିରେ ରହିଛି ସ୍ୱତନ୍ତ୍ର ପରିଚୟ । ଏହା ଓଡ଼ିଶୀ ସଙ୍ଗୀତ । କିନ୍ତୁ କେନ୍ଦ୍ର ଆଗରେ ଏହା ଅର୍ଥହୀନ । ଓଡ଼ିଶୀ ସଙ୍ଗୀତକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବହୁଦିନରୁ ଦାବି ହେଉଛି । ରାଜ୍ୟ ସରକାର ବି ଏ ନେଇ ବହୁବାର କେନ୍ଦ୍ର ଆଗରେ ଦାବି ରଖିଛନ୍ତି । ୨୦୨୦ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ । ହେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, ଭାରତରେ କେବଳ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । କୌଣସି ପ୍ରାଚୀନ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର କାମ ନୁହେଁ । କେବଳ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦୁଇ ଶାସ୍ତ୍ରୀୟ ସଙ୍ଗୀତ ସହିତ ଓଡ଼ିଶୀ ସଙ୍ଗୀତ ପାଇଁ ପୁରସ୍କାର ଦେଉଛି । କେନ୍ଦ୍ରମନ୍ତ୍ରୀଙ୍କ ଏପରି ବିତଣ୍ଡା ଯୁକ୍ତିରେ ସଂଗୀତ ଶିଳ୍ପୀ ଖପ୍ପା । ସେମାନେ ପ୍ରଶ୍ନ ଉଠାଇଛନ୍ତି, ଯଦି ସଂସ୍କୃତି ମନ୍ତ୍ରାଳୟ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେଉନାହିଁ, ତେବେ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଲା କିଏ ?

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦରେ ପ୍ରଶ୍ନ କରିଥିଲେ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଶନ ରେଡ୍ଡୀ ଭଳି ବିଭ୍ରାନ୍ତିକର ତଥ୍ୟ ରଖିଛନ୍ତି, ସେଥିରେ ବିଜେଡି ଅସନ୍ତୋଷ ପ୍ରକାଶ କରିଛି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଜନଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ରାଜ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଗତ ୬ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ନିଜେ ଭେଟି ଏ ନେଇ ପୁଣି ଏକ ସ୍ମାରକପତ୍ର ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟକୁ ଆଘାତ ଦେଇଛି । ଏହାର କଡ଼ା ପ୍ରତିବାଦ କରାଯିବ ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାକୁ ଅଲିମ୍ପିକ୍ସ ପଦକ ବିଜୟର ଶ୍ରେୟ ଦେଲେ ନରିନ୍ଦର ବାତ୍ରା: ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ଦୂରଦୃଷ୍ଟି ପାଇଁ ଜଣାଇଲେ ଧନ୍ୟବାଦ

ଗୁମ୍ଫାରୁ ୬ଲଢୁଆ ବିମାନ ଲୁଟି କାବୁଲ ଅଧିକାର କରିବା ପରେ ତାଲିବାନ ଜଣେ ରାଷ୍ଟ୍ରପତିଙ୍କୁ ପିଟିପିଟି ମାରି ଦେଇଥିଲା !

କାବୁଲ : ଆଫଗାନିସ୍ତାନର ପଞ୍ଜଶିର ଘାଟିକୁ ଛାଡିଦେଲେ ପୁରା ଦେଶ ଏବେ ତାଲିବାନ କବଜାରେ ଅଛି । ତାଲିବାନ ତା’ ଶାସନର ଦ୍ୱିତୀୟ ପାଳି ଆରମ୍ଭ କରିଥିବା ବେଳେ ପ୍ରଥମ ଶାସନ ଅମଳରେ ଘଟିଥିବା କିଛି ଘଟଣାକୁ ନେଇ ଏବେ ଢେର ଆଲୋଚନା ଚାଲୁଛି । ପ୍ରଥମ ପାଳିରେ ତାଲିବାନ ପଥର ମୁର୍ତ୍ତିଠାରୁ ଆରମ୍ଭ କରି ଜିବୀତ ବ୍ୟକ୍ତି ସମସ୍ତଙ୍କ ଉପରେ କରିଥିଲା ଅକଥନୀୟ ଅତ୍ୟାଚାର । ବିରୋଧୀଙ୍କ ପାଇଁ ତାଲିବାନର ଗୋଟିଏ ଦଣ୍ଡ ଥିଲା । ଆଉ ତା’ ହେଉଛି ଅକଥନୀୟ ନିର୍ଯାତନା ପରେ ମୃତ୍ୟୁ । ତାଲିବାନ ତା’ର ପ୍ରଥମ କାର୍ଯ୍ୟକାଳରେ ଦେଶର ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ପିଟି ପିଟି ହତ୍ୟା କରିଥିଲା ।

ନଜିବଉଲ୍ଲା : ସେଇ ରାଷ୍ଟ୍ରପତି ଯାହାଙ୍କୁ ତାଲିବାନ ହତ୍ୟା କରିଥିଲା
୧୯୯୬ ମସିହାରେ ପାକିସ୍ତାନ ପଟୁ ତାଲିବାନ ଆଫଗାନିସ୍ତାନକୁ ପ୍ରବେଶ କରିଥିଲା । ତାଲିବର ଅର୍ଥ ହେଉଛି ବିଦ୍ୟାର୍ଥୀ । ତାଲିବାନର ପ୍ରତି ସଦସ୍ୟ ମଦ୍ରାସାରୁ ଶିକ୍ଷା ଲାଭ କରିଥାନ୍ତି । ବେନଜିର ଭୁଟ୍ଟୋଙ୍କ ଅମଳରେ ପାକିସ୍ତାନ ତାଲିବାନକୁ ତିଆରି କରିଥିଲା । ଲକ୍ଷ୍ୟ ଥିଲା ତାଲିବାନ ଜରିଆରେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରି ଇରାନ,ଭାରତ ଓ ଋଷକୁ ଟକ୍କର ଦେବା । ୧୯୯୬ରେ ତାଲିବାନ କାବୁଲ ଦଖଲ କରିଥିଲା । ସେତେବେଳେ ସେଠାରେ ମୁଜାହିଦ୍ଦିନଙ୍କ ସରକାର ଥିଲା । ମୁଜାହିଦ୍ଦିନଙ୍କ ପଳାୟନ ପରେ ପୁର୍ବତନ କମ୍ୟୁନିଷ୍ଟ ରାଷ୍ଟ୍ରପତି ନଜିବଉଲ୍ଲାଙ୍କୁ ତାଲିବାନ ନୃଶଂସତାର ସହ ହତ୍ୟା କରିଥିଲା । ଜାତିସଂଘ ଅଫିସରେ ଶରଣ ନେଇଥିବା ନଜିବଉଲ୍ଲାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ପରେ ତାଙ୍କ ଗୁପ୍ତାଙ୍ଗକୁ କାଟି ଦିଆଯାଇଥିଲା । ଏହା ପରେ ତାଙ୍କ ମୃତଦେହକୁ କାବୁଲର ଗୋଟିଏ ଟ୍ରାଫିକ୍ ପୋଷ୍ଟରେ କିଛି ଦିନ ପାଇଁ ଟଙ୍ଗାଇ ରଖା ଯାଇଥିଲା । ନଜିବଉଲ୍ଲାଙ୍କ ପରିବାରକୁ ଭାରତ ଶରଣ ଦେଇଥିବାରୁ ସେମାନେ ରକ୍ଷା ପାଇଯାଇଥିଲେ । ନଜିବଉଲ୍ଲାଙ୍କୁ ଭାରତରେ ଆଶ୍ରୟ ଦେବାକୁ ହୋଇଥିବା ଉଦ୍ୟମ ବିଫଳ ହେବା ପରେ ସେ ଜାତିସଂଘ ଅଫିସରେ ଶରଣ ନେଇଥିଲେ । ତାଲିବାନ ପୂର୍ବରୁ ମୁଜାହିଦ୍ଦିନ ମାନେ କାବୁଲକୁ ନିଜ କବଜାକୁ ନେଇଥିଲେ । ଏହି ସମୟରେ ଭାରତ ତାଙ୍କୁ ବିମାନରେ ନୂଆଦିଲ୍ଲୀ ଆଣିବାକୁ ଉଦ୍ୟମ କରିଥିଲା ।

When Taliban killed Afghan President Mohammad Najibullah and hanged him  from a traffic light pole - Hayat News

ଯେଉଁଦିନ ନଜିବ ରାଷ୍ଟ୍ରପତି ଭବନରୁ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲେ ସେହି ରାତିରେ ହିଁ ବିମାନ ବନ୍ଦରକୁ ମୁଜାହିଦ୍ଦିନ ନିଜ କବଜାକୁ ନେଇ ଯାଇଥିଲେ । ଫଳରେ ନଜିବ ବିମାନ ଚଢି ପାରିନଥିଲେ । ସେ ଭାରତୀୟ ଦୂତାବାସରେ ଶରଣ ନେବାକୁ ଚାହିଁଥିଲେ କିନ୍ତୁ ଭାରତ ତାଙ୍କୁ ଜାତିସଂଘ ଅଫିସରେ ଶରଣ ନେବାକୁ ପରାମର୍ଶ ଦେଇଥିଲା । କାରଣ ଜାତିସଂଘ ଅଫିସ ଅଧିକ ସୁରକ୍ଷିତ ବୋଲି ସେତେବେଳେ ମନେ କରାଯାଇଥିଲା । ନଜିବ ମଧ୍ୟ ପାଖାପାଖି ଅଢେଇ ବର୍ଷ ଜାତିସଂଘ ଅଫିସରେ ଥିଲେ । ଏହି ସମୟରେ ତାଙ୍କୁ ପାକିସ୍ତାନରେ ଶରଣ ନେବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ନଜିବ ପାକିସ୍ତାନ ପ୍ରତିନିଧିଙ୍କୁ ଗାଳିଗୁଲଜ କରି ନିଜ ରୁମରୁ ବାହାର କରିଦେଇଥିଲା । ନଜିବ ଜାତିସଂଘ ଅଫିସରେ ଶରଣ ନେଇଥିବା ବେଳେ ମୁଜାହିଦ୍ଦିନ ସରକାରର ପତନ ଘଟିଥିଲା । ଆଉ ତାଲିବାନ ଶାସନକୁ ଆସିଥିଲା । ତାଲିବାନ କାବୁଲ ମଧ୍ୟକୁ ପ୍ରବେଶ କରିବା ପରେ ପ୍ରଥମ କାମ କରିଥିଲା ନଜିବଙ୍କୁ ଖୋଜି ବାହାର କରି ହତ୍ୟା କରିବା ।
ତାଲିବାନ କେମତି ଆରମ୍ଭ ହୋଇଥିଲା ?
୧୯୯୪ରେ ଆଫଗାନିସ୍ତାନରେ ଜଣେ ମୁଜାହିଦ୍ଦିନ ନିଜ ପୂର୍ବତନ ସାଥୀଙ୍କ କାଣ୍ଡକାରଖାନାକୁ ନେଇ ଅସନ୍ତୁଷ୍ଟ ଥିଲା । ସେହି ବ୍ୟକ୍ତିର ନାମ ଥିଲା ମୁଲ୍ଲା ସଲାମ ଅବ୍ଦୁଲ ଜାଇଫ୍ । ଜାଇଫ୍ ସୋଭିଏତ ସଂଘ ଆକ୍ରମଣ କାଲରେ ମୁଜାହିଦ୍ଦିନ ଭାବେ ଜିହାଦ ଲଢିଥିଲା । ୧୯୯୪ରେ ସେ ଏକ ସଂଗଠନ ତିଆରି କରି ମୁଜାହିଦ୍ଦିନ ନେତାଙ୍କୁ କ୍ଷମତାରୁ ବେଦଖଲ କରିବାକୁ ଚାହୁଁଥିଲା । ନିଜ ଉଦ୍ଦେଷ୍ୟ ପୁରଣ ପାଇଁ ଜାଇଫ୍,ମୁଲ୍ଲା ଉମରକୁ ଭେଟିଥିଲା । ମୁଲ୍ଲା ଉମର ସେହି ସମୟରେ କାନ୍ଦାହାର ପାଖରେ ଥିବା ଗୋଟିଏ ଗାଁର ମଦ୍ରାସାର ଶିକ୍ଷକ ଥିଲା । ଦୁଇ ମୁଲ୍ଲା ମିଶି ୫୦ ଜଣ ତାଲିବଙ୍କୁ ନେଇ ତିଆରି କରିଥିଲ ତାଲିବାନ । ଏହି ସମୟରେ ପାକିସ୍ତାନ ମଧ୍ୟ ମୁଜାହିଦ୍ଦିନଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲା । ପାକିସ୍ତାନର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳକୁ କିଛି ମୁଜାହିଦ୍ଦିନ ଅପହରଣ କରି ଟଙ୍କା ମାଗୁଥିବାରୁ ଆଇଏସଆଇ ମୁଜାହିଦ୍ଦିନଙ୍କୁ ପାନେ ଚଖାଇବା ପାଇଁ ତାଲିବାନକୁ ସାହାଯ୍ୟ କରିଥିଲା । ମୁଲ୍ଲା ଉମର ଓ ଜାଇଫ୍ ମିଶି କାନ୍ଦାହାର ସୀମାରେ ଥିବା ସ୍ପିନ ବୁଲଦକ ନାମକ ସହର ଉପରେ କବଜା କରିଥିଲେ । ଏହି ସହର ପାଖରେ ଗୋଟିଏ ପାହାଡ ଥିଲା । ପାହାଡର ଗୁମ୍ଫାରେ ସୋଭିଏତ ଅମଳର ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିଲା । ୨ଶହ ତାଲିବଙ୍କ ସହିତ ଦୁଇ ମୁଲ୍ଲା ପାହାଡ ଗୁମ୍ଫାରୁ ଅସ୍ତ୍ରଲୁଟ କରି କାବୁଲ ଅଭିମୁଖେ ବାହାରି ଥିଲେ । ସେହି ଗୁମ୍ଫାରୁ ମୁଲ୍ଲା ଉମର ପାଇଥିଲା ୬ଟି ମିଗ୍ ବିମାନ । ଯାହା ତାକୁ ବିରୋଧୀଙ୍କୁ ଧ୍ୱଂସ କରିବାରେ ସାହାଯ୍ୟ କରିଥିଲା । କାବୁଲ ଅଧିକାର କରିବା ପରେ ମୁଲ୍ଲାର ପ୍ରଥମ ଆଦେଶ ଥିଲା କାଫିର ନଜିବଉଲ୍ଲାକୁ ଖୋଜି ହତ୍ୟା କର ।