ତଳିଆ ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ କରାଯାଉଛି ସ୍ଥାନାନ୍ତରଣ, ଗର୍ଭବତୀଙ୍କୁ ପ୍ରାଧାନ୍ୟ

1 min read
Odisha Evacuating People From Low Lying Area Ahead Cyclone Gulab

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗୋପାଳପୁର ଠାରୁ ଦକ୍ଷିଣ ପୂର୍ବରେ ୧୩୫ କିମି ଦୂରରେ ବାତ୍ୟା ଗୁଲାବ ରହିଥିବା ବେଳେ କଳିଙ୍ଗପାଟଣମ ଠାରୁ ପୂର୍ବରେ ୧୮୦ କିମି ଦୂରରେ ରହିଛି । ବିଗତ ୩ ଘଣ୍ଟା ହେଲା ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି ବାତ୍ୟା ।

ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବାତ୍ୟା ’ଗୁଲାବ’ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ ।

ବାତ୍ୟାରେ ଉପୁଡ଼ି ପାରେ ଇଲେକ୍ଟ୍ରି ଖୁଣ୍ଟି । ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇ ଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା । ଭୂ-ସ୍ଖଳନକୁ ଦୃଷ୍ଟିରେ ରଖି ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଅତିପ୍ରବଳ ବର୍ଷା ହେଲେ ଋଷିକୁଲ୍ୟା, ନାଗାବଳି ଓ ବଂଶଧରାରେ ବନ୍ୟା ଜଳ ଆସିପାରେ । ଲ୍ୟାଣ୍ଡସ୍ଲାଇଡ୍ ହେଉଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି ।

Odisha Evacuating People From Low Lying Area Ahead Cyclone Gulab

ଋଷିକୂଲ୍ୟାର ରିଜର୍ଭରରେ ଥିବା ପାଣି ୬୦ ପ୍ରତିଶତକୁ ଖସାଇ ଦିଆଯିବ । ବଡ଼ ବନ୍ୟାର ଆଶଙ୍କା ନାହିଁ । ବଡ଼ ଧରଣର ବନ୍ୟାକୁ ମୁକାବିଲା ପାଇଁ କିଛି ଡ୍ୟାମ ଓ କେନାଲରୁ ପାଣି ନିଷ୍କାସନ କରାଯାଉଛି । ସବୁ ଉଦ୍ଧାରକାରୀ ଦଳ ଆଲର୍ଟ ଅଛନ୍ତି । କୋଷ୍ଚଗାର୍ଡ ଓ ନାଭାଲର ସହାୟତା ପାଇଁ ଆଲୋଚନା ହୋଇଛି । ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିଛନ୍ତି । କେବଳ ପାରଦୀପରେ ଗୋଟିଏ ବୋଟ୍ ଖରାପ ଅଛି, କୋଷ୍ଟ ଗାର୍ଡ ଉଦ୍ଧାର କରୁଛି ।

କଳାହାଣ୍ଡିକୁ ସତର୍କ କରାଯାଇଛି । ଏହା ବାଦ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରକୁ ହାଇଆଲର୍ଟରେ ରଖାଯାଇଛି । ଦିନ ୪ଟା ସୁଦ୍ଧା ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରାଯିବ । କଚ୍ଚା ଘର ସହ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ ହେବ, ଗର୍ଭବତୀଙ୍କୁ ପ୍ରାଧାନ୍ୟ ଦିଆଯିବ । କୋଭିଡ୍ ନିୟମ ପାଳନ କରାଯିବ । ଆଶ୍ରୟ ସ୍ଥଳୀରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଫେରିବା ପରେ କୋଭିଡ୍ ଲକ୍ଷଣ ଉପରେ ନଜର ରଖାଯିବ ।

କଳାହାଣ୍ଡି ଜିଲ୍ଲା ଉପରେ ଅଧିକ ସତର୍କ ନଜର ରଖାଯାଇଛି । କାରଣ ବାତ୍ୟାକୁ କେବେ ସମ୍ମୁଖୀନ କରି ନାହାନ୍ତି ଜିଲ୍ଲାବାସୀ । ଆସନ୍ତା ୨ ଦିନ ପାଇଁ ସ୍କୁଲ ବନ୍ଦ ରହିବ । ମଙ୍ଗଳବାର ସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଆଜି ସନ୍ଧ୍ୟାରୁ ଆସନ୍ତା କାଲି ୯ଟା ଯାଏଁ କେହି ବାହାରକୁ ନଯିବା ଲାଗି ଏସଆରସି ପରାମର୍ଶ ଦେଇଛନ୍ତି ।

Leave a Reply