spot_img
Home Blog Page 51

ବେପରୁଆ ଚାଳନାରୁ ଘର ଭିତରକୁ ମାଡ଼ିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ପରିବାର

ନନ୍ଦିଘୋଷ ବ୍ୟୁରୋ : ବେପରୁଆ ଗାଡ଼ି ଚାଳନାରୁ ଘର ଉପରକୁ ମାଡ଼ିଗଲା ମାଲବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଗଲେ ପରିବାର ସଦସ୍ୟ। ପଦ୍ମପୁର ରଜାପଡ଼ାରେ ଘଟିଛି ଏଭଳି ଦୁର୍ଘଟଣା। ସୂଚନା ଅନୁସାରେ, ରଜାପଡ଼ାର ନରହରି ବଗର୍ତ୍ତୀଙ୍କ ଘରକୁ ଏକ ମାଲବୋଝେଇ ଟ୍ରକ୍ ଧକ୍କା ଦେବା ପରେ ଘର ଭିତରକୁ ମାଡ଼ିଯାଇଥିଲା। ନରହରି ବଗର୍ତ୍ତୀଙ୍କ ଅଭିଯୋଗ ଅନୁଯାୟୀ, ଟ୍ରକ୍‌ଟିକୁ ବେପରୁଆ ଭାବେ ଚାଳନା କରାଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି।

ଟ୍ରକ୍ ଧକ୍କାରେ ଘରର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହେବା ସହ ଅନେକ ମୂଲ୍ୟବାନ ଆସବାବପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତେବେ ସୌଭାଗ୍ୟବଶତଃ ପରିବାରର କୌଣସି ସଦସ୍ୟଙ୍କ ଜୀବନହାନି କିମ୍ବା ଆଘାତ ହୋଇନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ଘଟଣା ପରେ ପଦ୍ମପୁର ପୋଲିସ ଟ୍ରକ୍ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

ଇନଷ୍ଟାଗ୍ରାମରେ ପ୍ରେମ, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ :  ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ। ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ନାବାଳିକା। ରାଜଧାନୀରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ମହିଳା ଥାନା ପୋଲିସ।

ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଶ୍ରୀରାମପୁର ଅଞ୍ଚଳର ଦେବରାଜ ବିଶ୍ୱାଳ। ପୀଡ଼ିତା ନାବାଳିକା ଜଣକ ରାଜଧାନୀରେ ରହି ଯୁକ୍ତ ଦୁଇରେ ପାଠ ପଢ଼ୁଛନ୍ତି। ପ୍ରାୟ ଦେଢ଼ ବର୍ଷ ପୂର୍ବେ ଇନଷ୍ଟାଗ୍ରାମ ମାଧ୍ୟମରେ ଦେବରାଜଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା ବେଳେ ଅଭିଯୁକ୍ତ ଜୋରଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମହିଳା ଥାନା ପୋଲିସ ଅଭିଯୁକ୍ତ ଦେବରାଜ ବିଶ୍ୱାଳଙ୍କୁ ଗିରଫ କରିଛି।

ଆଜି ନିଟ୍ ପିଜି ପରୀକ୍ଷା, ସାରା ଦେଶରେ ଦେବେ ୨.୭୩ ଲକ୍ଷ ପରୀକ୍ଷାର୍ଥୀ

ନନ୍ଦିଘୋଷ ବ୍ୟୁରୋ : ଆଜି ଅନୁଷ୍ଠିତ ହେଉଛି ନିଟ୍ ପିଜି ପରୀକ୍ଷା। ସାରା ଦେଶରେ ମୋଟ ୨ ଲକ୍ଷ ୭୩ ହଜାର ୧୮୩ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଗତବର୍ଷ ତୁଳନାରେ ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୨.୫ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ୨ ଲକ୍ଷ ୪୨ ହଜାର ୪୯୩ ଜଣ ପରୀକ୍ଷାର୍ଥୀ ନିଟ୍ ପିଜି ପରୀକ୍ଷା ଦେଇଥିଲେ।

ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ ବା ଏନବିଇଏମଏସ୍ ପକ୍ଷରୁ ପରୀକ୍ଷା ପରିଚାଳନା କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତବର୍ଷ ପରୀକ୍ଷାରେ ୧୮୦ଟି ମଲ୍ଟିପଲ ଚଏସ୍ ପ୍ରଶ୍ନ ରହିବ ଏବଂ ପରୀକ୍ଷାର୍ଥୀଙ୍କୁ ଉତ୍ତର ଦେବା ପାଇଁ ୨୧୦ ମିନିଟ୍ ସମୟ ମିଳିବ। ଗତବର୍ଷ ନିଟ୍ ପିଜି ପରୀକ୍ଷାରେ ୨୦୦ଟି ମଲ୍ଟିପଲ ଚଏସ୍ ପ୍ରଶ୍ନ ରହିଥିବାବେଳେ ଚଳିତବର୍ଷ ପ୍ରଶ୍ନ ସଂଖ୍ୟା ୧୮୦କୁ ହ୍ରାସ କରାଯାଇଛି। ପରୀକ୍ଷାକୁ ସୁରୁଖୁରୁରେ ଓ ସ୍ୱଚ୍ଛ ଭାବେ ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ନନ୍ଦିଘୋଷ ବ୍ୟୁରୋ :ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ପ୍ରବଳ ବୃଷ୍ଟିପାତ ଆଶଙ୍କାରେ ସାରା ରାଜ୍ୟକୁ ଆଲର୍ଟରେ ରଖାଯାଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି। ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ସେହିପରି କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ କରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବା ସହ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏପଟେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି।

ମନୱର ଅଲ୍ଲୀଙ୍କ ଅନଶନକୁ ବିଜେଡିର ସମର୍ଥନ

ନନ୍ଦିଘୋଷ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଭାପତି ଏମ୍.ଡି. ମନୱର ଅଲ୍ଲୀଙ୍କ ଅନଶନ ଦଶମ ଦିନରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ମନୱର ଅଲ୍ଲୀଙ୍କୁ ସମର୍ଥନ ଜଣାଇବା ପାଇଁ ଅନଶନ ସ୍ଥଳରେ ପହଞ୍ଚିଥିଲେ।

ଏହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ, ବିଜେଡି ନେତା ମନ୍ମଥ ରାଉତରାୟଙ୍କ ସମେତ ବହୁ କର୍ପୋରେଟର ଓ ବିଜୁ ଯୁବ ଛାତ୍ର ଜନତା ଦଳର ନେତା ଓ କର୍ମୀମାନେ ଉପସ୍ଥିତ ରହି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜୀବନ, ୨ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଜାମୁଦଲକ କାହ୍ନୁସାହି ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମଙ୍ଗଳପୁର ଅଞ୍ଚଳର ସୁବାସ ଗିରି ଓ ମିରିଗିସିଙ୍ଗା ଅଞ୍ଚଳର ରାଜେଶ ମୁଣ୍ଡା। ସେହିପରି ମଙ୍ଗଳପୁରର ରଇବୁ ମୁଣ୍ଡା ଓ ମିରିଗିସିଙ୍ଗାର ରେଗୁଲାର୍ ଗିରି ଗୁରୁତର ଆହତ ହୋଇ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଉଭୟ ବାଇକ୍‌ରେ ଦୁଇଜଣ ଲେଖାଏଁ ଆରୋହୀ ଥିଲେ। ସୁବାସ ଗିରି ଓ ରଇବୁ ମୁଣ୍ଡା ଏକ ବାଇକ୍‌ରେ ଚିମଳା ପଟୁ ଫେରୁଥିବାବେଳେ ଅନ୍ୟପଟେ ରାଜେଶ ମୁଣ୍ଡା ଓ ରେଗୁଲାର୍ ଗିରି ଅନ୍ୟ ଏକ ବାଇକ୍‌ରେ ଚମ୍ପୁଆ ପଟୁ ଯାଉଥିଲେ। ଜାମୁଦଲକ କାହ୍ନୁସାହି ନିକଟରେ ଉଭୟ ବାଇକ୍‌ ମଧ୍ୟରେ ଜୋରଦାର ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସୁବାସ ଗିରିଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଅନ୍ୟ ତିନିଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ପଠାଇଥିଲେ। ତେବେ ସେଠାରେ ରାଜେଶ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌କୁ ଜବତ କରିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଜେଲରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, କଲେ ସରପ୍ରାଇଜ ଭିଜିଟ୍

ନନ୍ଦିଘୋଷ ବ୍ୟୁରୋ : ଜେଲରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ। ହେଲେ ପ୍ରକୃତରେ ସେ ଜେଲ ଯାଇନାହାନ୍ତି। ବରଂ ମୁଖ୍ୟମନ୍ତ୍ରୀ ଭାବେ ଅଚାନକ ଏକ ହାଇପ୍ରୋଫାଇଲ ସରପ୍ରାଇଜ ଭିଜିଟରେ ଜେଲ ପରିଦର୍ଶନ କରିଛନ୍ତି। ପୁଝାଲ କେନ୍ଦ୍ରୀୟ କାରାଗାରକୁ ଯାଇ ସେଠାରେ ଥିବା ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ବିଜୟ।

ଜେଲର ମେଡିକାଲ ବ୍ୟବସ୍ଥା, ବନ୍ଦୀଙ୍କ ପାଇଁ ମୌଳିକ ସୁବିଧା, ଖାଦ୍ୟର ଗୁଣବତ୍ତା ଏବଂ ଧନ୍ଦାମୂଳକ ଶିକ୍ଷା ଆଦି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଏହା ସହ କିଛି ବନ୍ଦୀଙ୍କ ସହ ସିଧାସଳଖ ଆଲୋଚନା ମଧ୍ୟ କରିଥିଲେ। ପରିଦର୍ଶନ ସମୟରେ ବିଜୟ ଜେଲର କ୍ୱାରେଣ୍ଟାଇନ ସେଣ୍ଟର, ଭିଜିଟର୍ସ ହଲ୍, କ୍ଲାସରୁମ୍, ନିଶା ନିବାରଣ କେନ୍ଦ୍ର, ମହାତ୍ମା ଗାନ୍ଧୀ କମ୍ୟୁନିଟି କଲେଜ, ଲାଇବ୍ରେରୀ, ଆଡଭାନ୍ସଡ କମ୍ପ୍ୟୁଟର ସେଣ୍ଟର, ହାଇସିକ୍ୟୁରିଟି ବ୍ଲକ୍ ଏବଂ ମୃତ୍ୟୁଦଣ୍ଡ ସ୍ଥଳ ଆଦି ବୁଲି ଦେଖିଥିଲେ।

 

ନବୀନଙ୍କ ଦୂରଦୃଷ୍ଟିରେ ବଦଳିଲା ଓଡ଼ିଶାର କ୍ରୀଡ଼ା ଚିତ୍ର

ନନ୍ଦିଘୋଷ ବ୍ୟୁରୋ : ଖେଳରେ ଓଡ଼ିଶାର ମାଇଲଖୁଣ୍ଟ, ନବୀନଙ୍କ ଦୂରଦୃଷ୍ଟିରେ ବଦଳିଲା କ୍ରୀଡ଼ାର ଚିତ୍ର

ଆଜି ଜାତୀୟ କ୍ରୀଡ଼ା ଦିବସ। ଖେଳ ଜଗତରେ ଓଡ଼ିଶା ଆଜି ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ। ଅନେକ ବାଧାବିଘ୍ନ ପାର କରି ବିକାଶର ସିଡ଼ି ଚଢ଼ିଛି ରାଜ୍ୟ। ତୃଣମୂଳ ସ୍ତରରୁ ଆରମ୍ଭ କରି ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ ପର୍ଯ୍ୟନ୍ତ, ଓଡ଼ିଶାର କ୍ରୀଡ଼ା ଯାତ୍ରା ରହିଛି ଚର୍ଚ୍ଚାରେ।

ନବୀନଙ୍କ ଦୂରଦୃଷ୍ଟି, କ୍ରୀଡ଼ାକୁ ନୂଆ ଦିଗ

ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ନେଇଥିଲା ବଡ଼ ଲମ୍ଫ। ଅତ୍ୟାଧୁନିକ ତାଲିମ, ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଉପରେ ଦିଆଯାଇଥିଲା ବିଶେଷ ଗୁରୁତ୍ୱ।

କ୍ରୀଡ଼ା ଓ ଭିତ୍ତିଭୂମି ବିକାଶ ପାଇଁ ତତ୍କାଳୀନ ସରକାର ୨ ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗ କରିଥିଲେ। ଯାହା ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ନୂଆ ପରିଚୟ ଦେଇଥିଲା।

ସଙ୍କଟ ବେଳେ ଭାରତୀୟ ହକି ସହ ଛିଡ଼ା ହୋଇଥିଲା ଓଡ଼ିଶା

୨୦୧୮ରେ ସାହାରା ଆର୍ଥିକ ସହାୟତା ପ୍ରତ୍ୟାହାର କରିନେବା ପରେ ଭାରତୀୟ ହକି ସଙ୍କଟରେ ପଡ଼ିଥିଲା। ସେତେବେଳେ ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ଆଧିକାରିକ ପ୍ରାୟୋଜକ ଭାବେ ଆଗକୁ ଆସିଥିଲା।

ପରବର୍ତ୍ତୀ ସମୟରେ ୪୩୪.୧୨ କୋଟି ଟଙ୍କାର ପ୍ରତିଶ୍ରୁତି ସହ ପ୍ରାୟୋଜକ ଚୁକ୍ତିକୁ ଆହୁରି ବୃଦ୍ଧି କରାଯାଇଥିଲା। ଓଡ଼ିଶାର ଏହି ସମର୍ଥନ ଭାରତୀୟ ହକିର ପୁନରୁତ୍ଥାନରେ ନୂଆ ଉର୍ଜା ଭରିଥିଲା।

ଟୋକିଓରେ ୪୧ ବର୍ଷ ପରେ ହକି ପଦକ

ଓଡ଼ିଶାର ସମର୍ଥନ ପରେ ଭାରତୀୟ ହକି ଦଳର ପ୍ରଦର୍ଶନରେ ଆସିଥିଲା ନୂଆ ଆତ୍ମବିଶ୍ୱାସ। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ଭାରତ ପଦକ ହାସଲ କରିଥିଲା।

ଦୁଇଥର ହକି ବିଶ୍ୱକପ୍, ଓଡ଼ିଶାର ଐତିହାସିକ ସଫଳତା

୨୦୧୮ ଓ ୨୦୨୩ରେ ଓଡ଼ିଶା ଦୁଇଥର ହକି ବିଶ୍ୱକପ୍ ଆୟୋଜନ କରିଥିଲା। ବିଶ୍ୱସ୍ତରୀୟ ଏହି ମହାକୁମ୍ଭର ସଫଳ ଆୟୋଜନ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ଓ ପରିଚାଳନା କ୍ଷମତାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରିଥିଲା।

କଳିଙ୍ଗରୁ ବିର୍ସା ମୁଣ୍ଡା ଷ୍ଟାଡିୟମ୍

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ କମ୍ପ୍ଲେକ୍ସ ଆଜି ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର। ଏଠାରେ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର, ଅତ୍ୟାଧୁନିକ ଜଳକ୍ରୀଡ଼ା କେନ୍ଦ୍ର ଏବଂ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭଳି ଆଧୁନିକ ସୁବିଧା ଗଢ଼ିଉଠିଛି।

ସେହିପରି ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ୍ ଭାବେ ପରିଚିତ ହୋଇଛି।

ଯୁବ ପ୍ରତିଭା ପାଇଁ ନୂଆ ସୁଯୋଗ

କେବଳ ବଡ଼ ବଡ଼ ଷ୍ଟାଡିୟମ୍ ନୁହେଁ, ତୃଣମୂଳ ସ୍ତରରେ ମଧ୍ୟ କ୍ରୀଡ଼ାର ବିକାଶ ଉପରେ ଦିଆଯାଇଥିଲା ଗୁରୁତ୍ୱ। ବିଭିନ୍ନ ପୌରପାଳିକାରେ ୧୦୦ରୁ ଅଧିକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇ ଯୁବ ପ୍ରତିଭାଙ୍କ ପାଇଁ ଉଚ୍ଚସ୍ତରୀୟ ତାଲିମର ସୁଯୋଗ ସୃଷ୍ଟି କରାଯାଇଥିଲା।

ବିଶ୍ୱସ୍ତରୀୟ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଓଡ଼ିଶା

୨୦୧୭ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍, ୨୦୧୪ ପୁରୁଷ ହକି ଚାମ୍ପିଅନ୍ସ ଟ୍ରଫି, ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ମ୍ୟାଚ୍ ଏବଂ ଅନ୍ତର୍ଜାତୀୟ ରଗବି ଟୁର୍ଣ୍ଣାମେଣ୍ଟ ଭଳି ବଡ଼ ବଡ଼ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିଛି ଓଡ଼ିଶା।

ଆଜି ଭୁବନେଶ୍ୱର ଓ ରାଉରକେଲା ଭଳି ସହର ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଜାତୀୟ କ୍ରୀଡ଼ା ଦିବସରେ ଓଡ଼ିଶାର ଏହି କ୍ରୀଡ଼ା ଯାତ୍ରା ରାଜ୍ୟର ବିକାଶ ଓ ସଫଳତାର ଏକ ଗର୍ବର କାହାଣୀ।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ନୂଆ ନିୟମ, ୨୦୨୭ରୁ ଏକ୍ସ-ରେଗୁଲାରଙ୍କ ପାଇଁ ଇଣ୍ଟରନାଲ ବାଧ୍ୟତାମୂଳକ

ନନ୍ଦିଘୋଷ ବ୍ୟୁରୋ :ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ନୂଆ ନିୟମ। ୨୦୨୭ରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ। ସିଲାବସ କମିଟି ବୈଠକରେ ଏହି ନୂଆ ନିୟମକୁ ଅନୁମୋଦନ ମିଳିଛି।ସେହିପରି ଇଣ୍ଟରନାଲ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଅଧୀକ୍ଷକ ନିଜ ଆଡୁ ଇଣ୍ଟରନାଲ ପରୀକ୍ଷା କରାଇବେ। ତେବେ ଏହି ବ୍ୟବସ୍ଥା ୨୦୨୨ରୁ ଏକ୍ସ-ରେଗୁଲାର ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ।

ସେପଟେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ବାଜିଛି ବିଗୁଲ। ଅଧ୍ୟାପକମାନଙ୍କ ଗ୍ରେଡେସନ ଲିଷ୍ଟ ମାଗିଛି CHSE। ବରିଷ୍ଠତା ଆଧାରରେ ଅଧ୍ୟାପକମାନଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବ। ସେମାନେ ଏକ୍ସଟରନାଲ ଏବଂ ସହକାରୀ ପରୀକ୍ଷକ ଭାବେ ନିଯୁକ୍ତି ପାଇବେ।

ବନ୍ୟା ରିଲିଫ ବଣ୍ଟନକୁ ନେଇ ତେଜିଲା ରାଜନୀତି

ନନ୍ଦିଘୋଷ ବ୍ୟୁରୋ : ବନ୍ୟା ବିପନ୍ନଙ୍କୁ ରିଲିଫ ଦେବାରେ ବି ରାଜନୀତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯାଉଥିବା ସରକାରୀ ରିଲିଫକୁ ଶାସକ ଦଳ ଦଳୀୟ ରିଲିଫରେ ପରିଣତ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ। ସରକାରୀ ରିଲିଫରେ ଦଳୀୟ ନେତାଙ୍କ ଫଟୋ ଲଗାଇ ବିଜେପି ବିଧାୟକ, କୁଜି ନେତା ଓ କର୍ମୀମାନେ ରିଲିଫ ବାଣ୍ଟୁଥିବା ଅଭିଯୋଗ ହୋଇଛି। ବନ୍ୟାରେ ସର୍ବାଧିକ ପ୍ରଭାବିତ ଯାଜପୁର ଜିଲ୍ଲାରେ ରିଲିଫ ବଣ୍ଟନକୁ ନେଇ ବିଜେପି ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି ଯେ, ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ ପହଞ୍ଚି ପାରିନାହିଁ ଏବଂ ରିଲିଫ ବଣ୍ଟନରେ ବ୍ୟାପକ ଦଳୀୟ ରାଜନୀତି କରାଯାଉଛି।

ଦଶରଥପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଗାଡ଼ିକୁ ବିଜେପି କର୍ମୀ ଲୁଟ କରିଥିବା ଏବଂ ଏହାର ପର୍ଦ୍ଦାଫାସ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ହଡ଼ପ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ। ଯାଜପୁର, ବରୀ, କୋରେଇ ଓ ଧର୍ମଶାଳା ଆଦି ଅଞ୍ଚଳରେ ବିଜେପି କର୍ମୀମାନେ ସରକାରୀ ରିଲିଫକୁ ଦଳୀୟ ଭିତ୍ତିରେ ବାଣ୍ଟୁଥିବା ଦଳ କହିଛି। ସରକାରୀ ରିଲିଫରେ ଏଭଳି ଦଳୀୟ ରାଜନୀତି ଓ ପାତରଅନ୍ତର କରିବା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଶରଥପୁରରେ ବନ୍ୟା ପ୍ରଭାବିତମାନେ ବନ୍ଧ ଉପରେ ଆଶ୍ରୟ ନେଇଥିବା ବେଳେ ସରକାର ସେମାନଙ୍କୁ ରିଲିଫ ଦେଇନଥିବା ଅଭିଯୋଗ ହୋଇଛି। ଅଥଚ କୋଠାଘର ଥିବା ଲୋକଙ୍କୁ ରିଲିଫ ଦିଆଯାଉଥିବା କଂଗ୍ରେସ କହିଛି।

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସରକାର ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରି କେବଳ ସର୍କିଟ ହାଉସରେ ବୈଠକ କରି ଚୁପ୍ ହୋଇ ବସିଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋଟିଏ ପରିବାର ପିଛା ମାତ୍ର ୨୫୦ ଗ୍ରାମ ଚୁଡ଼ା ଦିଆଯାଇଥିବା ବେଳେ କିଛି ଯୁବକ ଗେରୁଆ ଗାମୁଛା ପକାଇ ଲୋକଙ୍କୁ ଦଳୀୟ ଭିତ୍ତିରେ ରନ୍ଧାଖାଦ୍ୟ ଓ ରିଲିଫ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ ଏପରି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ଅନ୍ୟପଟେ ବନ୍ୟାରେ ବେଶୀ ପ୍ରଭାବିତ ହୋଇଥିବା ଯାଜପୁର ଜିଲ୍ଲାର ଦଶରଥପୁର, ବିଞ୍ଝାରପୁର, ବରୀ ଓ କୋରେଇ ଆଦି ଅଞ୍ଚଳରେ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହୋଇଥିଲେ। ବିଜେଡି ଉପସଭାପତିଙ୍କ ସମେତ ଦଳର ନେତା ଓ କର୍ମୀମାନେ ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚି ସାହାଯ୍ୟ ଓ ସହଯୋଗ କରିଥିବା ଦଳ କହିଛି। ହେଲେ ବିଜେପି ବନ୍ୟା ଓ ରିଲିଫକୁ ନେଇ ରାଜନୀତି କରୁଥିବାରୁ ଏହାର କଡ଼ା ସମାଲୋଚନା କରିଛି ବିଜେଡି। ବିଜେଡି ବିଧାୟକ ବିଶ୍ୱ ମଲ୍ଲିକ କହିଛନ୍ତି ଯେ, ରିଲିଫ ବଣ୍ଟନରେ ବିଜେପି ନେତାମାନେ ରାଜନୀତି କରିବା ଦୁଃଖଦାୟକ। ଦଳୀୟ ଭିତ୍ତିରେ ନୁହେଁ, ସମସ୍ତ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ସାହାଯ୍ୟ ଦେବାକୁ ବିଜେଡି ଦାବି କରିଛି।