spot_img
Home Blog Page 52

କୂଳ ଖାଉଛି ସମୁଦ୍ର, ତଟ ସୁରକ୍ଷା ପାଇଁ ୨୫୦୦ କୋଟିର ଯୋଜନା

ନନ୍ଦିଘୋଷ ବ୍ୟୁରୋ : କୂଳ ଲଂଘୁଛି ସମୁଦ୍ର। ଆଉ ସମୁଦ୍ର ତଟ କ୍ଷୟକୁ ନେଇ ସରକାରଙ୍କୁ ଘାରିଛି ସୁରକ୍ଷା ଚିନ୍ତା। ସମୁଦ୍ର କୂଳରେ ନିର୍ମାଣ ହେବ କଂକ୍ରିଟ୍‌ ୱାଲ୍‌, ସୃଷ୍ଟି ହେବ ହେନ୍ତାଳ ବଣ। ଆବଶ୍ୟକ ସ୍ଥାନରେ ଖୋଳାଯିବ ନଦୀ ମୁହାଣ ଏବଂ ନଦୀରୁ କଢ଼ାଯିବ ପଟୁ। କର୍ଣ୍ଣାଟକ ଢାଞ୍ଚାରେ ଓଡ଼ିଶାରେ ସମୁଦ୍ର ତଟ କ୍ଷୟ ରୋକିବାକୁ ପ୍ରତିକାର ବ୍ୟବସ୍ଥା କରାଯିବ। ଏଥିପାଇଁ ଅଧ୍ୟୟନ କରିବାକୁ ଓଡ଼ିଶାର ଅଧିକାରୀମାନେ କର୍ଣ୍ଣାଟକ ଗସ୍ତରେ ଯିବେ। ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅନୁଦାନ ଓ ଋଣ ମିଶାଇ ପ୍ରାୟ ୨ ହଜାରରୁ ୨୫୦୦ କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ରାପଡ଼ାର ସାତଭାୟା, ଜଗତସିଂହପୁରର ଶିଆଳୀ ବେଳାଭୂମି ଏବଂ ଗଞ୍ଜାମର ରମେୟାପାଟଣାରେ ସମୁଦ୍ର ତଟ କ୍ଷୟ ସ୍ଥିତି ସଙ୍ଗୀନ ହୋଇଥିବାରୁ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି।

ଧୀରେ ଧୀରେ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଗମ୍ଭୀର ରୂପ ନେଉଥିବା ବେଳେ ଓଡ଼ିଶାରେ ସମୁଦ୍ର କୂଳ ଖାଇବା ଏକ ବଡ଼ ସମସ୍ୟା ହୋଇଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ଓ ପୁରୀ ଭଳି ରାଜ୍ୟର ୬ଟି ଜିଲ୍ଲାରେ ସମୁଦ୍ର ତଟ କ୍ଷୟ ନୂଆ ସମସ୍ୟା ସୃଷ୍ଟି କରିପାରେ। ସମୁଦ୍ର ତଟ କ୍ଷୟ କିପରି ରୋକାଯିବ ଏବଂ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସୁରକ୍ଷା କିପରି ସୁନିଶ୍ଚିତ କରାଯିବ, ସେନେଇ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ପ୍ରାଥମିକ ରିପୋର୍ଟ ଉପରେ ଆଲୋଚନା ହୋଇଛି। ଜଳସମ୍ପଦ, ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସହ ରାଜସ୍ୱ ବିଭାଗ ଏନେଇ ବିସ୍ତୃତ ଆଲୋଚନା କରିଛି। ବିଭାଗୀୟ ଅଧିକାରୀମାନେ ମଧ୍ୟ ରିପୋର୍ଟର ପରୀକ୍ଷା ଓ ନିରୀକ୍ଷା ସାରିଛନ୍ତି।

ମତ୍ସ୍ୟଜୀବୀଙ୍କ ଜୀବନ ସୁରକ୍ଷା, ସମୁଦ୍ର ତଟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ସମ୍ଭାବନାକୁ ଦୃଷ୍ଟିରେ ରଖି ଜଳସମ୍ପଦ, ରାଜସ୍ୱ ସମେତ ଅନ୍ୟ ବିଭାଗଗୁଡ଼ିକ ମିଳିତ ଭାବେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କେରଳ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଭଳି ଓଡ଼ିଶାରେ ମଧ୍ୟ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ସହଯୋଗରେ ଏଭଳି କାର୍ଯ୍ୟ କରାଯିବ। ଭିତ୍ତିଭୂମି ସୁଦୃଢ଼ କରିବା ସହ ହେନ୍ତାଳ ଓ ଅନ୍ୟାନ୍ୟ ଜଙ୍ଗଲ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିପର୍ଯ୍ୟୟର ଆଶଙ୍କା ବଢ଼ୁଥିବାରୁ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗୁଆ ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଚିନ୍ତା କରୁଛନ୍ତି।

MMDR ଆଇନକୁ ନେଇ ନବୀନଙ୍କ ଚିଠି, ବିଜେପି ସାଂସଦଙ୍କୁ ରାଜ୍ୟ ସ୍ୱାର୍ଥ ପାଇଁ ଲଢେଇର ଆହ୍ୱାନ

ନନ୍ଦିଘୋଷ ବ୍ୟୁରୋ :  ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଦାବିରେ ନିଜ ସ୍ୱରକୁ ଆହୁରି ଶାଣିତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ବିଜେପିର ନିର୍ବାଚିତ ୨୦ ଜଣ ସାଂସଦଙ୍କୁ ଚିଠି ଲେଖି ରାଜ୍ୟର ସ୍ୱାର୍ଥ ଓ ଅଧିକାର ପାଇଁ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି। ଚିଠିରେ ନବୀନ ପ୍ରଶ୍ନ କରିଛନ୍ତି, ଓଡ଼ିଶାବାସୀଙ୍କ ଭୋଟରେ ନିର୍ବାଚିତ ହୋଇ ସାଂସଦମାନେ କାହିଁକି ରାଜ୍ୟର ସ୍ୱାର୍ଥ ଓ ଅଧିକାରକୁ ଭୁଲିଗଲେ? ଓଡ଼ିଶା ଉପରେ ବ୍ୟାପକ ପ୍ରଭାବ ପକାଉଥିବା ଏମ୍ଏମ୍ଡିଆର୍ ଆଇନକୁ ବିଜେପି ସାଂସଦମାନେ କାହିଁକି ସମର୍ଥନ କଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଅଗଷ୍ଟ ୧୩ରେ ଲୋକସଭାରେ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ପାରିତ ହେବା ଦିନକୁ ନବୀନ କଳା ଦିବସ ବୋଲି କହିଛନ୍ତି। ଓଡ଼ିଶାର ସ୍ୱାର୍ଥ ସହ ସିଧାସଳଖ ଜଡ଼ିତ ଏତେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଲୋକସଭାରେ ୧୦ ମିନିଟ୍‌ରୁ କମ୍ ସମୟ ଆଲୋଚନା ହୋଇଥିବା ସେ ଅଭିଯୋଗ କରିଛନ୍ତି। ନବୀନଙ୍କ କହିବା ଅନୁସାରେ, ଦେଶର ମୋଟ ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶାରେ ରହିଛି। ରାଜ୍ୟର ଖଣିଜ ସମ୍ପଦ ଦେଶର ଇସ୍ପାତ, ବିଦ୍ୟୁତ, ଖଣି ଓ ଭିତ୍ତିଭୂମି କ୍ଷେତ୍ରର ବିକାଶରେ ବଡ଼ ଅବଦାନ ରଖିଆସିଛି। ସଂଶୋଧିତ ଆଇନ ଯୋଗୁଁ ଓଡ଼ିଶାକୁ ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହାନି ହେବା ସହ ଖଣି ଉପରେ ରାଜ୍ୟ ଟିକସ ଲଗାଇପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଖଣି ଅଞ୍ଚଳରେ ପ୍ରଦୂଷଣ, ବିସ୍ଥାପନ ଓ ପରିବେଶ ଅବକ୍ଷୟର ଭାର ଓଡ଼ିଶାବାସୀ ବହନ କରୁଥିବା ବେଳେ ଏହି ସଂଶୋଧନ ସେମାନଙ୍କ ପ୍ରତି ଅନ୍ୟାୟ ବୋଲି ନବୀନ କହିଛନ୍ତି। ଦଳୀୟ ଆଭିମୁଖ୍ୟରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟ ସ୍ୱାର୍ଥ ପାଇଁ ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଲଢେଇରେ ସାମିଲ ହେବାକୁ ସେ ବିଜେପି ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି।

ସେପଟେ ନବୀନଙ୍କ ଚିଠି ପରେ ମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦ କାହିଁକି ଚୁପ ବୋଲି ପ୍ରଶ୍ନ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟର ଏତେ ବଡ଼ କ୍ଷତି ସମୟରେ ଓଡ଼ିଆ ଅସ୍ମିତା କଥା କହୁଥିବା ସରକାର ଓ ଏହାର ସାଂସଦମାନେ ନୀରବ କାହିଁକି। ତେବେ ଜବାବରେ ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ଏମ୍ଏମ୍ଡିଆର୍ ଆଇନ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ। MMDR ଆଇନକୁ ନେଇ ରାଜ୍ୟରେ ଏବେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି।

ଦୁଇ ଦିନିଆ ରିମାଣ୍ଡରେ ପ୍ରକାଶ ପାଶୱାନ, ଖୋଲିବ କି ଅପରାଧିକ ରାକେଟର ଗୁମର?

ନନ୍ଦିଘୋଷ ବ୍ୟୁରୋ : ପ୍ରକାଶ ପାଶୱାନଙ୍କ ଅପରାଧିକ କାର୍ଯ୍ୟକଳାପର ପେଡ଼ି ଖୋଲିବ କି ? ରିମାଣ୍ଡ ବେଳେ ସାମ୍ନାକୁ ଆସିବ କି ଅନେକ ଗୁପ୍ତ ତଥ୍ୟ? ଏନେଇ ତଦନ୍ତକୁ ଜୋରଦାର କରିଛି ରାଉରକେଲା ପୋଲିସ। ନିଲମ୍ବିତ ବିଜେପି ଯୁବନେତା ପ୍ରକାଶ ପାଶୱାନ ଗିରଫ ହୋଇ ଜେଲ ହାଜତରେ ଥିବାବେଳେ ରଘୁନାଥପାଲ୍ଲୀ ଥାନା ପୋଲିସ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଛି। ରାଉରକେଲା ଜେଲ ହାଜତରୁ ପ୍ରକାଶଙ୍କୁ କଡ଼ା ସୁରକ୍ଷା ବଳୟରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇ ଡାକ୍ତରୀ ପରୀକ୍ଷା କରାଯିବା ପରେ ତାଙ୍କୁ ପଚରାଉଚରା ପାଇଁ ରଘୁନାଥପାଲ୍ଲୀ ଥାନାକୁ ନିଆଯାଇଛି।

ରାଉରକେଲା ସହରରେ ଚୋରା ବନ୍ଧୁକ କାରବାର ସହ ବିଭିନ୍ନ ଅପରାଧିକ କାର୍ଯ୍ୟ ପାଇଁ ଷଡ଼ଯନ୍ତ୍ର, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦାଦାବଟି ଆଦାୟ ଭଳି ବିଭିନ୍ନ ମାମଲାରେ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇ ରାଉରକେଲା ଜେଲ ହାଜତରେ ରହିଛନ୍ତି। ଏହି ଅଭିଯୁକ୍ତମାନଙ୍କ ସହ ପ୍ରକାଶ ପାଶୱାନଙ୍କ କି ସମ୍ପର୍କ ରହିଛି ଏବଂ ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ପଚରାଉଚରା କରୁଛି।

ବନ୍ଧୁକ ଚୋରା କାରବାର ସହ ବିଭିନ୍ନ ଅପରାଧ ଘଟାଇବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି। ଏହି ରାକେଟରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି। ପ୍ରକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିଥିଲେ ମଧ୍ୟ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିଛି। ତଦନ୍ତର ଆବଶ୍ୟକତା ଅନୁସାରେ ପୋଲିସ ପୁଣି ଅଧିକ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ବୋଲି ଆଇନଜୀବୀ କହିଛନ୍ତି।

ବାପା-ମା’ଙ୍କୁ ହରାଇ ବେସାହାରା ୪ ପିଲା, ୭୫ ବର୍ଷୀୟ ଜେଜେମା’ଙ୍କ ଭରସାରେ ଜୀବନ

ନନ୍ଦିଘୋଷ ବ୍ୟୁରୋ : ବାପା ଓ ମା’ ଚାଲିଯିବା ପରେ ବେସାହାରା ହୋଇପଡ଼ିଛନ୍ତି ୪ ପିଲା। ଏବେ ୭୫ ବର୍ଷୀୟ ଜେଜେମା’ଙ୍କ ପଣତକାନି ତଳେ ବିତୁଛି ସେମାନଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କନ୍ୟାରୀବାଡ଼ି ଗାଁର ମଝିଦାଣ୍ଡ ସାହିରୁ ଆସିଛି ଏଭଳି ଏକ ହୃଦୟବିଦାରକ ଚିତ୍ର।

ଭଙ୍ଗାଦଦରା ଛାତ ତଳେ ୭୫ ବର୍ଷୀୟ ବୃଦ୍ଧା ଜେଜେମା’ ନିଜର ୪ ନାତି-ନାତୁଣୀଙ୍କୁ ଧରି କାଳ କାଟୁଛନ୍ତି। ଗ୍ରାମବାସୀଙ୍କ ସହାୟତାରେ କେବେ ଓଳିଏ ଖାଇ ତ କେବେ ଓଳିଏ ଉପାସରେ ଦିନ କାଟୁଥିବା କହିଛନ୍ତି ମୃତ ବାହାନ ଡାକୁଆ ଓ ସୁକାନ୍ତି ଡାକୁଆଙ୍କ ବଡ଼ ଝିଅ। ଦିନ ଥିଲା ବାହାନ ଡାକୁଆ ବାହାର ରାଜ୍ୟରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ୨୦୨୫ ମସିହାରେ ତାଙ୍କର ମୃତ୍ୟୁ ପରେ ସ୍ତ୍ରୀ ସୁକାନ୍ତି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ତଥାପି ପରିବାରର ବୋଝ, ୩ ଝିଅଙ୍କ ପାଠପଢ଼ା ଏବଂ କୋଳରେ ଥିବା ୬ ମାସର ପୁଅର ଦାୟିତ୍ୱ ତାଙ୍କୁ ଘରୁ ବାହାରି କାମ କରିବାକୁ ବାଧ୍ୟ କରିଥିଲା।

ଗାଁର ସ୍କୁଲରେ ରନ୍ଧାବଢ଼ା କାମ କରି ସେ ନିଜର ତେଲ-ଲୁଣର ସଂସାର ଚଳାଇ ଆସୁଥିଲେ। ହେଲେ କିଛି ଦିନ ତଳେ ସୁକାନ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଯିବା ପରେ ଏବେ ସମ୍ପୂର୍ଣ୍ଣ ପରିବାର ବେସାହାରା ହୋଇପଡ଼ିଛି। ଜେଜେମା’ଙ୍କ ଉପରେ ଏବେ ୪ ଅନାଥ ନାତି-ନାତୁଣୀଙ୍କ ଭବିଷ୍ୟତର ବୋଝ।ତେଣୁ ଏହି ଅସହାୟ ପରିବାର ପ୍ରତି ସରକାର ଓ ପ୍ରଶାସନ ତୁରନ୍ତ ସହାୟତାର ହାତ ବଢ଼ାଇବା ଜରୁରୀ ହୋଇପଡ଼ିଛି।

୩ ପିଲର ପରେ ଠପ୍ ସେତୁ କାମ, ବିପଦରେ ନଈ ପାର ହେଉଛନ୍ତି କୁଶପଲ୍ଲୀବାସୀ

ନନ୍ଦିଘୋଷ ବ୍ୟୁରୋ : ଗଡୁଛି ଅବଧି, ଆଗଉନି ବ୍ରିଜ କାମ। ମାତ୍ର ୩ଟି ପିଲର ନିର୍ମାଣ କରି ଛୁ’ ମାରିଛି ଠିକାଦାର। ଫଳରେ ବିପଦପୂର୍ଣ୍ଣ ଭାବେ ନଈ ପାର ହେଉଛନ୍ତି ଲୋକେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର କୁଶପଲ୍ଲୀ ଗାଁ ନିକଟରେ ବୋହିଯାଇଛି କୁଶପଲ୍ଲୀ ନଈ। ହେଲେ ନଈ ଉପରେ ନିର୍ମାଣ ହୋଇନି ବ୍ରିଜଟିଏ। ଫଳରେ ନଈରେ ପାଣି ଆସିଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ଗ୍ରାମବାସୀ। ଜରୁରୀ ସମୟରେ ନଈର ଏପଟୁ ସେପଟ ବନ୍ଧା ହୋଇଥିବା ଦଉଡ଼ି ହିଁ ପାଲଟେ ସେମାନଙ୍କ ସାହା ଭରସା।

୨୦୨୨-୨୩ ଆର୍ଥିକ ବର୍ଷରେ କୁଶପଲ୍ଲୀ ସେତୁ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା। ପରେ ଆଉ ୫ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ହେଲେ ମାତ୍ର ୩ଟି ପିଲର ନିର୍ମାଣ କରି କାମ ଅଧାରେ ଛାଡ଼ି ଦେଇଛି ଠିକାଦାର। ଏବେ ପିଲର ଉପରେ ଗଛଲତା ମାଡ଼ିଗଲାଣି।

ସୂଚନା ଅନୁଯାୟୀ, ଗୋଟିଏ ବ୍ରିଜ ନିର୍ମାଣ ପାଇଁ ସର୍ବନିମ୍ନ ୩୦ରୁ ୩୫ ଲକ୍ଷ ଟଙ୍କାର ଅଟକଳ ହୋଇଥାଏ। ତେବେ କାହା ସ୍ୱାର୍ଥରେ ଏହି ବ୍ରିଜ ପାଇଁ ମାତ୍ର ୧୧ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା? ଟଙ୍କା ହେରଫେର କଲା କିଏ? ଏହାର ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ।ଅନ୍ୟପଟେ, ଆସନ୍ତା ବର୍ଷେ ମଧ୍ୟରେ ବ୍ରିଜ ନିର୍ମାଣ କାମ ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ।

ଆସିକା ବ୍ଲକରେ ମୁରବୀ ଶୂନ୍ୟ, ଖାଲି ପଡ଼ିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ପଦ

ନନ୍ଦିଘୋଷ ବ୍ୟୁରୋ : ଲୋକଙ୍କ ସରକାରରେ ବିକାଶ ଠପ୍। ମୁରବୀ ଶୂନ୍ୟ ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ। ଖାଲି ପଡ଼ିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ପଦ। ଫଳରେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଆସିକା ବ୍ଲକ ଅଧୀନରେ ରହିଛି ୨୭ଟି ପଞ୍ଚାୟତ। ହେଲେ ଦୀର୍ଘ ଦିନ ହେଲା ବ୍ଲକରେ ବିଡିଓ ପଦ ଖାଲି ପଡ଼ିଛି। କବିସୂର୍ଯ୍ୟନଗର ବିଡିଓଙ୍କୁ ଆସିକା ବିଡିଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଫଳରେ ଜଣେ ଅଧିକାରୀଙ୍କୁ ଦୁଇଟି ବ୍ଲକର ଦାୟିତ୍ୱ ସମ୍ଭାଳିବାକୁ ପଡ଼ୁଛି। ଏହାର ପ୍ରଭାବରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଆସିକା ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମଧ୍ୟ ଅଧିକାରୀ ପଦ ଖାଲି ପଡ଼ିଛି। ଜମିଜମା ଓ ପଞ୍ଜୀକରଣ ସମ୍ପର୍କିତ କାମ ପାଇଁ ପ୍ରତିଦିନ ଶହ ଶହ ଲୋକ ଏଠାକୁ ଆସୁଥିବାବେଳେ ଆସିକା ଅତିରିକ୍ତ ତହସିଲଦାରଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିକ୍ଷା ଅଧିକାରୀଙ୍କ ପଦ ମଧ୍ୟ ଖାଲି ପଡ଼ିଥିବାରୁ କଙ୍କରଡା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଖାଲି ସେତିକି ନୁହେଁ, ବ୍ଲକ କୃଷି ଅଧିକାରୀଙ୍କ ପଦ ସହ ଆସିକା ବନଖଣ୍ଡ ଅଧିକାରୀଙ୍କ ପଦ ମଧ୍ୟ ଖାଲି ପଡ଼ିଛି। ସ୍ଥାୟୀ ଅଧିକାରୀ ନଥିବାରୁ ସାଧାରଣ ଲୋକେ ଓ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଏହି ସମସ୍ତ ଖାଲି ପଦ ପୂରଣ କରି ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସାଧାରଣରେ ଦାବି ହୋଇଛି।

ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ :  ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ । ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ପୋତି ଦେଇଥିଲା ସ୍ୱାମୀ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁରେ । ସୁଭଦ୍ରା ଟଙ୍କାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ।

ଟଙ୍କା ଦେବାକୁ ସ୍ତ୍ରୀ କୌଶଲ୍ୟା ପ୍ରଧାନ ରାଜି ନହେବାରୁ ତାଙ୍କ ସ୍ୱାମୀ ଗିରିଶ ପ୍ରଧାନ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ଇନ୍ଦୁପୁର ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ ଢେଙ୍କାନାଳ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀ ଗିରିଶ ପ୍ରଧାନଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ନେପାଳ ବିପତ୍ତିର ପ୍ରଭାବ: ଧ୍ୱସ୍ତ ରାଜପଥ ପାଇଁ ବାତିଲ ଭାରତ-ନେପାଳ ମୈତ୍ରୀ ବସ୍ ସେବା

ନନ୍ଦିଘୋଷ ବ୍ୟୁରୋ : ନେପାଳରେ ପ୍ରଳୟଙ୍କରୀ ବିପତ୍ତି ଯୋଗୁ ଭାରତ-ନେପାଳ ମୈତ୍ରୀ ବସ୍ ସେବା ବାତିଲ କରାଯାଇଛି। ଗତକାଲି ବସ୍ ସେବା ବାତିଲ ରହିଥିବାବେଳେ ଆଜି ମଧ୍ୟ ଏହି ସେବା ବାତିଲ ରହିବ।

ଦିଲ୍ଲୀ-କାଠମାଣ୍ଡୁ ଜାତୀୟ ରାଜପଥ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାରୁ ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ବସ୍ ସେବା ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛି ଦିଲ୍ଲୀ ପରିବହନ ନିଗମ (ଡିଟିସି)। ୨୦୧୪ରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦିଲ୍ଲୀ-କାଠମାଣ୍ଡୁ ଅନ୍ତର୍ଜାତୀୟ ବସ୍ ସେବା ଆରମ୍ଭ ହୋଇଥିଲା। ଦିଲ୍ଲୀରୁ ବାହାରିବା ପରେ ବସ୍ ଉତ୍ତରପ୍ରଦେଶର ଗୋରଖପୁର ଦେଇ ନେପାଳରେ ପହଞ୍ଚିଥାଏ। ହେଲେ ପ୍ରଳୟଙ୍କରୀ ବିପତ୍ତିରେ ଏହି ରାସ୍ତା ଏତେ ନଷ୍ଟ ହୋଇଯାଇଛି ଯେ ସାଧାରଣ ଛୋଟ ଯାନ ଚଳାଚଳ ମଧ୍ୟ ସମ୍ଭବ ହେଉନାହିଁ। ବସ୍ ସେବା ବନ୍ଦ ହେବାରୁ ଶତାଧିକ ଯାତ୍ରୀ ପ୍ରଭାବିତ ହେବେ।

ୟୁକ୍ରେନ ଉପରେ ରୁଷର ଜୋରଦାର ହମଲା

ନନ୍ଦିଘୋଷ ବ୍ୟୁରୋ :  ୟୁକ୍ରେନ ଉପରେ ରୁଷର ଜୋରଦାର ହମଲା। ୟୁକ୍ରେନର କିବ ଉପରେ ହୋଇଥିବା ହମଲାରେ ୨୭ ଜଣ ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ରୁଷ ଉପରେ ବର୍ଷିଛି ୟୁକ୍ରେନ। ୟୁକ୍ରେନର ବୁଚା ଜିଲ୍ଲାରେ ଏହି ହମଲା ହେବା ପରେ ପ୍ରାୟ ୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ହମଲାରେ ୫୦ରୁ ଅଧିକ କୋଠା ଧୂଳିସାତ ହୋଇଛି। ଅନେକ କୋଠାରେ ନିଆଁ ଲାଗିଯାଇଛି। ୟୁକ୍ରେନର ଏକ ପଣ୍ଯାଗାର ଉପରେ ବି ହୋଇଛି ହମଲା। ଗତ ୩ ଦିନ ଧରି ୟୁକ୍ରେନର ବିଭିନ୍ନ ସ୍ଥାନ ଉପରେ ହମଲା କରୁଛି ରୁଷ।

ଜାତୀୟ କ୍ରୀଡ଼ା ଦିବସ: ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି, ‘ଖେଲେଗା ଭାରତ, ଜିତେଗା ଭାରତ’ ଥିମ୍

ନନ୍ଦିଘୋଷ ବ୍ୟୁରୋ : ଆଜି ଜାତୀୟ କ୍ରୀଡ଼ା ଦିବସ। ଅଗଷ୍ଟ ୨୯, ୨୦୨୬ରେ ସାରା ଭାରତରେ ପାଳନ କରାଯାଉଛି ଜାତୀୟ କ୍ରୀଡ଼ା ଦିବସ। ଇତିହାସର ସର୍ବଶ୍ରେଷ୍ଠ ଫିଲ୍ଡ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏହି ଦିବସ ପାଳନ କରାଯାଏ।

ମେଜର ଧ୍ୟାନ ଚାନ୍ଦ ଭାରତ ପାଇଁ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍ସରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୯୨୬ରୁ ୧୯୪୯ ପର୍ଯ୍ୟନ୍ତ ତାଙ୍କର ଚମତ୍କାର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୪୦୦ରୁ ଅଧିକ ଗୋଲ କରିଥିଲେ। ଚଳିତବର୍ଷ ଜାତୀୟ କ୍ରୀଡ଼ା ଦିବସର ଥିମ୍ ରହିଛି— ‘ଖେଲେଗା ଭାରତ, ଜିତେଗା ଭାରତ’। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୨୮ରୁ ୩୦ ପର୍ଯ୍ୟନ୍ତ ସ୍କୁଲ ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଦେଶବ୍ୟାପୀ କ୍ରୀଡ଼ା ଅଭିଯାନ ଚାଲିଛି। ଏହା ମାଧ୍ୟମରେ ଦେଶରେ ଏକ ସୁଦୃଢ଼ କ୍ରୀଡ଼ା ସଂସ୍କୃତି ପ୍ରତିଷ୍ଠା କରିବା ଲକ୍ଷ୍ୟ ରହିଛି।