spot_img
Home Blog Page 5090

କର୍ଣ୍ଣାଟକ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ଆଧୁନିକ ମହିଳାମାନେ ଏକା ରହିବାକୁ ଭଲ ପାଆନ୍ତି, ସନ୍ତାନ ଜନ୍ମ ଦେବାକୁ ଚାହାଁନ୍ତି ନାହିଁ’

ବେଙ୍ଗାଲୁରୁ: କର୍ଣ୍ଣାଟକର ସ୍ଵାସ୍ଥ୍ୟ ମନ୍ତ୍ରୀ ସୁଧାକର ରବିବାର ନ୍ୟାନାଲ ଇନଷ୍ଟିଚ୍ୟୁଟ୍ ଅଫ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋଲୋଜିକଲ ସାଇନସେଜ୍  ପକ୍ଷରୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହେଲେ ଏଠାରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସୁଧାକର କହିଛନ୍ତି, ଆଧୁନିକ ଭାରତୀୟ ମହିଳା ଶିଶୁକୁ ନିଜେ ଜନ୍ମ ନଦେଇ ସରୋଗେସିକୁ ଗୁରୁତ୍ଵ ଦେଉଛନ୍ତି। ଆମ ଚିନ୍ତା ଧାରାରେ ଆସୁଥିବା ଏପରି ପରିବର୍ତ୍ତନ କିଛି ଠିକ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।

ବେଙ୍ଗାଲୁରୁରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଧାକର  କହିଛନ୍ତି, ମୋତେ ଏହା କହିବାରେ ଦୁଃଖ ଲାଗୁଛି ଯେ, ଅନେକ ଆଧୁନିକ ଭାରତୀୟ ମହିଳା ଏକାକୀ ରହିବାକୁ ଚାହୁଁଛନ୍ତି। ଯଦି ସେମାନେ ବିବାହ କରୁଛନ୍ତି ତେବେ ଶିଶୁକୁ ନିଜେ ଜନ୍ମ ଦେବାକୁ ଚାହୁଁ ନାହାନ୍ତି। ସେମାନେ ଏବେ ସରୋଗେସିକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଆମ ଚିନ୍ତାଧାରାରେ ଏକ ବିଚାରଣୀୟ ପରିବର୍ତ୍ତନ ଆସିଛି, ଯାହା ଠିକ୍ ନୁହେଁ। ଦୁର୍ଭାଗ୍ୟରୁ ଆଜି ଆମେ ପାଶ୍ଚାତ୍ୟ ମାର୍ଗରେ ଗତି କରୁଛେ। ଅଜା-ଆଈଙ୍କ ପାଖରେ ରହିବା ତ ଦୂରର କଥା ଆମେ ନିଜର  ବାପା-ମାଙ୍କ ସହିତ ରହିବାକୁ ଚାହୁଁ ନାହାନ୍ତି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ମାନସିକ ସ୍ଵାସ୍ଥ୍ୟ ବିଷୟରେ ସୁଧାକର କହିଛନ୍ତି, ଏହି ସମୟରେ ଦେଶରେ ପ୍ରତିଟି ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମାନସିକ ସମସ୍ୟା ଦେଇ ଗତି କରୁଛି। ଏମିତି ସ୍ଥିତିରେ ଭାରତୀୟଙ୍କୁ ଯୋଗ ଏବଂ ଧ୍ୟାନ କରିବା ଉପରେ ଜୋର ଦେବା ଉଚିତ୍। ଏହା ଆମ ପୂର୍ବଜ ଆମ୍ଭମାନଙ୍କୁ ଶିଖାଇଛନ୍ତି।

ଜମ୍ମୁ-କାଶ୍ମୀରରେ ୨ଟି ଏନକାଉଣ୍ଟର୍: ୨ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ୨ଟି ଏନକାଉଣ୍ଟର୍। ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିହତ ହେଇଥିବା ସୂଚନା ମିଳିଛି । ଅନ୍ୟପଟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିପରି ବାନ୍ଦିପୋରା ହାଜିନର ଗୁଣ୍ଡଜାହାଙ୍ଗିରରେ ହୋଇଥିବା ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ନିହତ ହୋଇଛି । ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ ଏହି ସର୍ଚ୍ଚ ଅପରେଶନ କରାଯାଇଥିବା ବେଳେ ଏଥିରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଜଣେ ଆତଙ୍କବାଦୀ ନିହତ ହେବା ସହ ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ଏକ ପିସ୍ତଲ ଓ ଏକ ଗ୍ରେନେଡ ମିଳିଛି । କିଛି ଦିନ ହେବ କାଶ୍ମୀରରେ ସିଲେକ୍ଟିଭ୍ କିଲିଂ କରୁଥିବା ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଚଳାଇଛି । ଅନ୍ୟପଟେ କାଶ୍ମୀରରେ ଅନେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ମଧ୍ୟ କୁହାଯାଉଛି । ତେଣୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ଦିଗରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଲୋକଙ୍କ ଉପରେ ପଡ଼ିଲାଣି ତେଲ ଚଡ଼କ, ଲଗାତାର ସପ୍ତମ ଦିନ ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ୍ ଦର

ଭୁବନେଶ୍ୱର: କରୋନା ସଂକଟରୁ ଏଯାଏ ବାହାରିପାରିନି ଦେଶ । ଏପଟେ ଲୋକଙ୍କ ଉପରେ ପଡିଲାଣି ତେଲ ଚଡ଼କ । ଲଗାତାର ଭାବେ ତେଲଦର ବୃଦ୍ଧି ଏବେ ଲଗାଇଲାଣି ନିଆଁ । ଖାଲି ତେଲତ ବଢୁନି ବରଂ ବଜାରର ଦରଦାମ ବୃଦ୍ଧିକୁ ବି ଇନ୍ଧନ ଯୋଗାଉଛି ବର୍ଦ୍ଧିତ ତେଲଦର । ଗତକାଲି ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିଲା । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୫ ପାର ହୋଇଥିବା ବେଳେ ମାଲକାନଗିରିରେ ଦର ୧୧୦ ଟଙ୍କା ୫୮ ପଇସା ଛୁଇଁଥିଲା ।

ତେବେ ଆଜି ସୋମବାର ଲଗାତାର ଭାବେ ସପ୍ତମ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ୍ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୦ ପଇସା ବୃଦ୍ଧି ପାଇଁ ଲିଟର ପିଛା ଦର ୧୦୪ ଟଙ୍କା ୪୪ ପଇସାରେ ପହଞ୍ଚିଛି । ଡିଜେଲ ୩୫ ଟଙ୍କା ବୃଦ୍ଧି ପାଇଁ ୯୩ ଟଙ୍କା ୧୭ ପଇସାରେ ପହଞ୍ଚିଛି । ସେହିଭଳି ମୁମ୍ବାଇର ପେଟ୍ରୋଲ ଦର ୧୧୦ ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ଦର ୧୦୧ ଟଙ୍କା ୩ ପଇସା ରହିଛି । ଲଗାତାର ଭାବେ ବଢୁଥିବା ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଯଥାଶୀଘ୍ର ଏ ଦିଗରେ ଧ୍ୟାନ ଦେବା ସହ ଦର କମାଇବା ପାଇଁ ସାଧାରଣରେ ଦାବି ହୋଇଛି ।

IPL ଫାଇନାଲରେ ଚେନ୍ନାଇର ଦମଦାର ଏଣ୍ଟ୍ରି, ନବମ ଥର ପାଇଁ ଫାଇନାଲ୍ ଗଲା ସୁପରକିଙ୍ଗ୍ସ

ଦୁବାଇ: ନବମ ଥର ପାଇଁ ଆଇପିଏଲର ଫାଇନାଲରେ ପ୍ରବେଶ କଲା ଚେନ୍ନାଇ ସୁପରକିଙ୍ଗ୍ସ । ଗତକାଲି କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଫାଇନାଲ୍ ଟିକେଟ୍ ହାସଲ କରିଛି ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କରିଥିଲା ୧୭୨ ରନ୍ । ଦଳ ପକ୍ଷରୁ ପୃଥ୍ବୀ ସ ସର୍ବାଧିକ ୬୦ ରନ୍ କରିଥିବାବେଳେ ଅଧିନାୟକ ରିସଭ ପନ୍ଥ କରିଥିଲେ ୫୧ ରନ୍ । ୧୭୩ ରନରୁ ଟାର୍ଗେଟକୁ ଶେଷ ଓଭରରେ ହାସଲ କରିଥିଲା ଚେନ୍ନାଇ । ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୬ ବଲରେ ୧୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ସେହିଭଳି ଋତୁରାଜ ଗାଏକ୍ବାଡ ୭୦ ରନ୍ ଓ ରବିନ ଉଥପ୍ପା କରିଥିଲେ ୬୩ ରନ୍ । ସେପଟେ ଆଜି ଏଲିମିନେଟରରେ ମୁହାଁମୁହିଁ ହେବେ କୋଲକାତା ଓ ବାଙ୍ଗାଲୋର । ଯେଉଁ ଟିମ୍ ଜିତିବ ସେହି ଟିମ୍ , ଦିଲ୍ଲୀ ସହ ଖେଳିବ କ୍ବାଲିଫାୟର-୨ । ଯେଉଁ ଟିମ୍ ହାରିବ ସେହି ଟିମ୍ ଆଇପିଏଲ ଅଭିଯାନରୁ ବିଦାୟ ନେବ ।

କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନ ଖାନକୁ ମିଳିବ କି ଜାମିନ, ଆଜି ସେସନ କୋର୍ଟରେ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନକୁ ମିଳିବ କି ଜାମିନ । ଆଜି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି । ସେସନ୍ କୋର୍ଟରେ ମାମଲାର ଶୁଣାଣି ହେବ । ତଳ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଖାରଜ କରିବା ପରେ ଏବେ ଆର୍ଥର ରୋଡ ଜେଲରେ ଅଛନ୍ତି ଆର୍ଯ୍ୟନ । ଏବେ ସୁଦ୍ଧା ମାମଲାରେ ୨୦ ଜଣ ଗିରଫ ହୋଇସାରିଲେଣି ।

ଡ୍ରଗ୍ସ ପାର୍ଟି ମାମଲାରେ ବିବାଦରେ ଛନ୍ଦି ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ୍ ଖାରଜ କରିଥିଲେ ମୁମ୍ବାଇ କିଲ୍ଲା କୋର୍ଟ । ମାମଲା ଗମ୍ଭୀର ଥିବାରୁ ତଳ କୋର୍ଟରେ ନୁହେଁ, ସେସନ୍ କୋର୍ଟକୁ ଯିବା ପାଇଁ ଆର୍ଯ୍ୟନଙ୍କ ଓକଲିଙ୍କୁ କହିଥିଲେ କୋର୍ଟ । କୋର୍ଟରେ ଶୁଣାଣି ବେଳେ ଏନସିବି ଓ ଆର୍ଯ୍ୟନଙ୍କ ଓକିଲଙ୍କ ମଧ୍ୟରେ ହୋଇଥିଲା ଜବରଦସ୍ତ ଯୁକ୍ତିତର୍କ ।

ଆର୍ଯ୍ୟନ ହେଉଛନ୍ତି ଲୋକାଲ୍ ବଏ, ସେ ଜଣେ ପ୍ରତିଷ୍ଠିତ ଫିଲ୍ମ ଷ୍ଟାରଙ୍କ ପୁଅ । ୫ ଦିନର ଜେରାରେ କୌଣସି ପ୍ରମାଣ ପାଇନି ଏନସିବି, ଏଣୁ ତାଙ୍କୁ ବେଲ୍ ମିଳିବା ଜରୁରୀ ବୋଲି କହିଥିଲେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଧେ । ଗେଷ୍ଟ ହିସାବରେ ସେ ପାର୍ଟିରେ ଯୋଗ ଦେଇଥିବା କହିଥିଲେ ତାଙ୍କ ଓକିଲ । ହେଲେ କୋର୍ଟ ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରିବା ସହ ବେଲ୍ ନାମଞ୍ଜୁର କରିଥିଲେ ।

ଆଜି ପୀଠେ ମହା ସପ୍ତମୀ, ମଣ୍ଡପରେ ଷଷ୍ଠୀ: ପୂଜା ପାର୍ବଣ ପାଇଁ ଆଜିଠୁ ଟୁଇନ୍ ସିଟିରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ପାର୍ବଣ ପାଇଁ ଆଜିଠୁ ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ନାଇଟକର୍ଫ୍ୟୁ । ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ । ପୂର୍ବରୁ ଯେଉଁଭଳି ନାଇଟ୍ କର୍ଫ୍ୟୁ ହେଉଥିଲା ସେମତି ସମାନ ଢଙ୍ଗରେ ଆଜିଠୁ ନାଇଟ କର୍ଫ୍ୟୁ ଜାରି ହେବ । କେବଳ ଅନୁମତି ପ୍ରାପ୍ତ ଯାନବାହାନ ରାସ୍ତାରେ ଯାଇପାରିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବାରୁ କମିଶନରେଟ ପୋଲିସ୍ ପକ୍ଷରୁ କଟକଣା ଜାରି କରାଯାଇଛି । ନାଇଟ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ କଡା ନଜର ରହିବ । ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ।

ସେପଟେ ଉତ୍ସବମୁଖର ସାରା ରାଜ୍ୟ । ଆଜି ପୀଠେ ମହା ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ ମଙ୍ଗଳବାର ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ଆରମ୍ଭ ହେବ ମହାମାୟାଙ୍କ ପୂଜାନୀତି । ବୁଧବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏଥିରୁ ବିରତ ରହିଛନ୍ତି ମଣ୍ଡପ କର୍ମକର୍ତ୍ତା ।

ଶୁକ୍ରବାର ଦଶମୀରେ ପୂଜା ଅନୁଷ୍ଠିତ ହେବ । ତେବେ କଟକଣା ପାଇଁ ଚଳିତବର୍ଷ ରାବଣ ପୋଡି ଉତ୍ସବ ପାଳନ କରାଯିବ ନାହିଁ । ଡିଜିଟାଲରେ ରାବଣ ପୋଡି କରିବାକୁ କିଛି ମଣ୍ଡପ ନିଷ୍ପତ୍ତି ନେଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟପକ ପୋଲିସ ମୁତୟନ ରହିବେ । ପୂଜା ସମୟରେ ସଂକ୍ରମଣ ଭୟ ଥିବାରୁ ଆଜିଠାରୁ ଟୁଇନ୍ ସିଟିରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ ଟା ଯାଏଁ ପୂର୍ବବର୍ଷ ପରି କଟକଣା ଜାରି ରହିବ ।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମିଟିଂ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ବସିବ ବୈଠକ । ବୈଠକରେ ଠିକା ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି । ସେହିଭଳି ପଞ୍ଚାୟତିରାଜ ଓ ପାନୀୟ ଜଳ ଅଧିନରେ କେତେକ ପ୍ରକଳ୍ପକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ପୂର୍ତ୍ତ ବିଭାଗ ସମ୍ପର୍କିତ ଏକାଧିକ କାର୍ଯ୍ୟାଦେଶ ଉପରେ ବାଜିପାରେ ମୋହର । ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରସ୍ତାବ ଗୁଡିକ ଉପରେ ହୋଇପାରେ ଆଲୋଚନା । ବୈଠକରେ ୧୦ରୁ ୧୨ଟି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ସୋମବାର ପୂର୍ବାହ୍ନରେ କ୍ୟାବିନେଟ, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

ଭୁବନେଶ୍ୱର:  ସୋମବାର ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ବୈଠକରେ ଠିକା ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବା ସମ୍ଭାବନା ରହିଛି ।

ସେପଟେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ କ୍ୟାବିନେଟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗେଇବା ନେଇ ଅନୁମାନ କରାଯାଉଛି  । ସୋମବାର ପୂର୍ବାହ୍ନରେ କ୍ୟାବିନେଟ ବସିବାକୁ ଯାଉଛି  । ମୁଖ୍ୟମନ୍ତ୍ରୀ କ୍ୟାବିନେଟକୁ ଅଧ୍ୟକ୍ଷତା କରିବା ନେଇ ସୂଚନା ରହିଛି  ।

ମନୀଷ ଗୁପ୍ତା ହତ୍ୟା ମାମଲା: ଅଭିଯୁକ୍ତ ପୋଲିସ କର୍ମଚାରୀ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବ୍ୟବସାୟୀ ମନୀଷ ଗୁପ୍ତା ହତ୍ୟା ମାମଲାର ଅଭିଯୁକ୍ତ ଗିରଫ । ଦୁଇ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପୋଲିସ ଇନିସପେକ୍ଟର ଜେ ଏନେ ସିଂହ ଏବଂ ଏସଆଇ ଅକ୍ଷୟ ମିଶ୍ରାକୁ ଗିରଫ କରିଛି ଗୋରଖପୁର ପୋଲିସ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କାନପୁର SITକୁ ହସ୍ତାନ୍ତର କରାଯାଇଛି ।

ଏହି ଦୁଇ ଅଭିଯୁକ୍ତଙ୍କ ଉପରେ ୧ ଲକ୍ଷ ଲେଖାଏଁ ରାଶି ଘୋଷଣା କରିଥିଲା SIT । ଆଗୁଆ କୋର୍ଟରେ ଜାମିନ୍ ପାଇଁ ଏହି ଦୁଇ ଅଭିଯୁକ୍ତ ପ୍ରୟାସ କରୁଥିବାବେଳେ ଏମାନଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି ପୋଲିସ । ଗତ ୨୭ ତାରିଖରେ ହୋଟେଲ୍ କୃଷ୍ଣା ପ୍ୟାଲେସରେ ଚେକିଙ୍ଗ ସମୟରେ ଜେ ଏନ୍ ସିଂହ, ଅକ୍ଷୟ ମିଶ୍ରାଙ୍କ ସହ ୬ ଜଣ ପୋଲିସ କର୍ମଚାରୀ ବ୍ୟବସାୟୀ ମନୀଷ ଗୁପ୍ତାକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ପୁଣି ଫାଟିଲା ପାଣି ପାଇପ୍, ବାଦାମବାଡ଼ିରେ କୃତ୍ରିମ ବନ୍ୟା

କଟକ: ପୁଣି ଫାଟିଲା ଭୂତଳ ପାଣି ପାଇପ୍ । ବାଦାମବାଡ଼ି ଟ୍ରାଫିକ ଛକରେ ପାଇପ୍ ଫାଟି ଅଞ୍ଚଳ ଜଳମଗ୍ନ ହୋଇଛି । ହଠାତ୍ ପାଇପ୍ ଫାଟି ମାଟି ତଳୁ ୨୦ ଫୁଟ ଉଚ୍ଚକୁ ଉଠିଥିଲା ପାଣି ଛିଟା । ପାଇପରୁ ପାଣି ନିର୍ଗତ ହୋଇ ପିଚୁ ଫାଟିଯିବାରୁ ଜଣେ ବାଳିକା ସାମାନ୍ୟ ଆହତ ହୋଇଛନ୍ତି । ଅଞ୍ଚଳରେ ପାଣି ମାଡ଼ି ଯିବାରୁ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା ।

ଲାଇନ ଚେକ୍ କରିବା ସମୟରେ ପାଇପ୍ ଲାଇନ୍ ଲିକ୍ ହେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ପାଣି ବନ୍ଦ କରାଯିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । କିଛିଦିନ ତଳେ ରାଜାବଗିଚା ଅଞ୍ଚଳରେ ପାଣି ପାଇପ ଫାଟି ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା । ଲିଙ୍କ ରୋଡ ନିକଟରେ ପାଇପ ଫାଟି ପାଣି ନିର୍ଗତ ହେବାପରେ ଅଞ୍ଚଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।