ୟୁପି ମହାସଂଗ୍ରାମ: ଜିନ୍ନାଙ୍କ ପରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଏଣ୍ଟ୍ରି, ଯୋଗୀ-ଓଓ୍ବେସୀ ମୁହାଁମୁହିଁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜେନୖତିକ ଉଷ୍ଣତା ସେତେ ବଢ଼ିବାରେ ଲାଗିଛି । ଏଥର କେବଳ ବିକାଶ କି ଜାତି, ଧର୍ମ ନୁହେଁ, ଇତିହାସ ବି ଜୋରସୋରରେ ନିର୍ବାଚନୀ ଦଙ୍ଗଲରେ ଇସ୍ୟୁ ହେବାରେ ଲାଗିଛି । ଇତିହାସକୁ ନେଇ ରାଜନୈତିକ ଦଳ ସେମାନଙ୍କ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ଆଉ ତା’ସହ ତାଳଦେଇ ଆରମ୍ଭ ହୋଇଯାଇଛି ପରସ୍ପର ଉପରକୁ କାଦୁଅ ଫିଙ୍ଗା ବୟାନବାଜି । ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପରେ ଏବେ ୟୁପି ରାଜନୀତିରେ ସମ୍ରାଷ୍ଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଏଣ୍ଟ୍ରି ହୋଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ମୁହାଁମୁହିଁ ହୋଇଛନ୍ତି ।

ରବିବାର ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ବ୍ରାହ୍ମଣ ପରିବାରର ୧୬ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ । ଏଥିରେ ସମ୍ବୋଧନ ଦେବା ବେଳେ ତାଲିବାନଠାରୁ ଆରମ୍ଭ କରି ଚନ୍ଦ୍ରଗୁପ୍ତଙ୍କ ଇତିହାସ କହିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମ୍ପର୍କରେ କହିବା ବେଳେ ଯୋଗୀ ଐତିହାସିକଙ୍କୁ ଆକ୍ଷେପ କରି କରିବା ସହ ଲୋକେ ଚନ୍ଦ୍ରଗୁପ୍ତଙ୍କୁ ମହାନ ରାଜା ମାନନ୍ତି ନାହିଁ ବୋଲି କହିଥିଲେ ।

ଏହି ବୟାନ ଆସିବା ପରେ ଓଓ୍ବେସୀ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି । ଚନ୍ଦ୍ରଗୁପ୍ତ କେତେ ମହାନ ତାକୁ ନେଇ ଯୁକ୍ତି କରିନାହାନ୍ତି ଓଓ୍ବେସୀ । ହେଲେ ଯୋଗୀଙ୍କ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଓଓ୍ବେସୀ କହିଛନ୍ତି, ‘ସିଏମ ଯୋଗୀଙ୍କର ଇତିହାସକୁ ନେଇ କୌଣସି ଜ୍ଞାନ ନାହିଁ । ସେ ସମୟ ଦେଖି ବୟାନବାଜି କରିଥାନ୍ତି । ସେ ଶିକ୍ଷାକୁ ଗୁରୁତ୍ବ ଦିଅନ୍ତି ନାହିଁ ।’ ଏହା କହିବା ବେଳେ ଯୋଗୀଙ୍କୁ ଓଓ୍ବେସୀ ବାରମ୍ବାର ‘ବାବା’ କହି ସମ୍ବୋଧିତ କରୁଥିଲେ ।

ସୂଚନାଯୋଗ୍ୟ, ଚନ୍ଦ୍ରଗୁପ୍ତଙ୍କ ବ୍ୟତୀତ ଯୋଗୀ ବ୍ରାହ୍ମଣ ସମାଜକୁ ନେଇ ବହୁତ କିଛି କହିଥିଲେ । ଏହାସହ ତାଲିବାନକୁ ଟାର୍ଗେଟ କରିବାକୁ ଭୁଲି ନଥିଲେ । ସେ କହିଥିଲେ ‘ରାମାୟଣ ଓ ମହାଭାରତ ଯୁଗରୁ ଆମ ଦେଶ ସହ ଆଫଗାନିସ୍ତାନର ସମ୍ପର୍କ ରହିଛି । ତାଲିବାନ ଯେଉଁ ଭଳି ଭାବେ ଏହାକୁ ଦଖଲକୁ ନେଲା ଏହାକୁ ସଭ୍ୟ ସମାଜ ସମର୍ଥନ କରେନି । କେହି ସମର୍ଥନ କରିବେ ନାହିଁ, ନକରିବା ବି ଦରକାର ।’

ଏହି ଅବସରରେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଯୋଗୀ ପଛାଇ ନଥିଲେ । କହିଥିଲେ, ‘ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯଦି ରାଜ୍ୟମାନଙ୍କୁ ଏକାଠି କରିବାରେ ସାମାନ୍ୟ ଭୁଲ କରିଥାନ୍ତେ ତେବେ ଆଜି ଆମ ଦେଶର ମାନଚିତ୍ର କେମିତି ହୋଇଥାନ୍ତି । ଆଜି ଏମିତି ରାଷ୍ଟ୍ର ନାୟକଙ୍କୁ ଜିନ୍ନାଙ୍କ ସହ ତୁଳନା କରି ପୂରା ଦେଶକୁ ଅପମାନିତ ହେବାର କାମ କରାଯାଉଛି ।’

Leave a Reply