spot_img
Home Blog Page 5064

ଟି-୨୦ ବିଶ୍ବକପ୍: ଓମାନ ଓ ସ୍କଟଲାଣ୍ଡର ବାଜିମାତ୍

0

ଓମାନ: ଆରମ୍ଭ ହୋଇଛି ଚଟାପଟ୍ ଟି-୨୦ ବିଶ୍ବକପ୍ ମହାକୁମ୍ଭ । ପ୍ରଥମ ଦିନରେ ଓମାନ ଓ ସ୍କଟଲାଣ୍ଡ ବାଜିମାତ୍ କରିଛନ୍ତି । ପ୍ରଥମ ମ୍ୟାଚରେ ଆୟୋଜକ ଓମାନ, ପପୁଅଆ  ନ୍ୟୁଗିନିକୁ ହରାଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଗିନି ୯ ଓ୍ବକେଟ ହରାଇ ୧୨୯ ରନ୍ କରିଥିଲା । ଦଳ ପକ୍ଷରୁ ଆସାଦ ଭାଲା ସର୍ବାଧିକ ୫୬ ରନ୍ କରିଥିଲେ । ଜବାବରେ ୧୩.୪ ଓଭରରେ ବିନା କୌଣସି ଓ୍ବକେଟ୍ ହରାଇ ଓମାନ ୧୩୧ ରନ୍ କରି ବିଜୟ ହୋଇଛି । ଦୁଇ ଓପନର ଆକିବ ଲାୟାସ ୫୦ ରନ୍ ଓ ଜିତେନ୍ଦ୍ର ସିଂହ ୭୩ ରନ୍ କରି ଦଳକୁ ଜିତାଇଥିଲେ ।

ସେହିପରି ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୬ ରନରେ ହରାଇଛି ସ୍କଟଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ୧୪୦ ରନ୍ କରିଥିଲା ସ୍କଟଲାଣ୍ଡ । ଜବାବରେ ୭ ଓ୍ବିକେଟ ହରାଇ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା ବାଂଲାଦେଶ । କୌଣସି ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ ।

ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମେ ମ୍ୟାଚରେ ଆୟାର୍ଲାଣ୍ଡ, ନେଦରଲ୍ୟାଣ୍ଡକୁ ଭେଟୁଥିବା ବେଳେ ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ଓ ନାମ୍ବିଆ ମୁହାଁମୁହିଁ ହେବେ ।

ସେନା କ୍ୟାମ୍ପରେ ରହିବେ ଅଣ କାଶ୍ମୀର ଲୋକେ

ଜମ୍ମୁ: ଜମ୍ମୁ ଓ କାଶ୍ମୀରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କ ଉପରେ ଆତଙ୍କବଦୀ ଆକ୍ରମଣ ବଢ଼ି ଚାଲିଛି । ଯାହାକୁ ନେଇ ଘଶଟିରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ସୀମା ଆରପଟୁ ଅନୁପ୍ରବେଶ ବଢ଼ିବା ସହ ସାଧାରଣ ନାଗରିକ, କାଶ୍ମୀର ପଣ୍ଡିତ ଓ ବାହାର ରାଜ୍ୟର ଲୋକଙ୍କ କରୁଛନ୍ତି ଟାର୍ଗେଟ୍ । ଏପରି ସ୍ଥିତିରେ ରାଜ୍ୟ ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ବାହାର ରାଜ୍ୟର ଲୋକଙ୍କୁ ପୋଲିସ ଓ ସେନା କ୍ୟାମ୍ପରେ ଆଣି ରଖିବା ପାଇଁ କୁହାଯାଇଛି ।

ସବୁ ଜିଲ୍ଲାର ପୋଲିସକୁ କୁହାଯାଇଛି, ସେମାନଙ୍କ ଜିଲ୍ଲାରେ ରହୁଥିବା ଅଣ କାଶ୍ମୀର ଶ୍ରମିକଙ୍କୁ ଏକାଠି କରି ତୁରନ୍ତ ପୋଲିସ ଓ ସେନା କ୍ୟାମ୍ପକୁ ଆଣିବାକୁ ।

ସେପଟେ ପୁଞ୍ଚ ଓ ରାଜୋରୀରେ ସେନା ପକ୍ଷରୁ ଜାରି ରହିଛି ତଲାସି ଅଭିଯାନ । ଅନ୍ୟ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ଜୋରଦାର କରିଛନ୍ତି ସୁରକ୍ଷାବଳ । ସପ୍ତାହେରୁ ଅଧିକ ସମୟ ହେବ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଛି । ଏଥିରେ ୯ ଜଣ ଯବାନ ସହିଦ ହୋଇଥିବାବେଳେ ୧୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଆସାମରେ ମଧ୍ୟ ହାଇଆର୍ଲଟ ଜାରି କରାଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀ ଆକ୍ରମଣ ନେଇ ସୂଚନା ଦେଇଛି ଗୁଇନ୍ଦା ବିଭାଗ ।

ମଥାନୀରେ ବିପଦ ସଂକେତ ଟପିଲା ଜଳକା, ୫୦ରୁ ଊର୍ଦ୍ଧ୍ୱ ଗାଁ ଜଳମଗ୍ନ ଆଶଙ୍କା

ଜଳେଶ୍ୱର: ଉପର ମୁଣ୍ଡରେ ବର୍ଷା ଯୋଗୁ ବଢ଼ିବାରେ ଲାଗିଛି ଜଳକା ନଦୀର ଜଳସ୍ତର । ଏବେ ମଥାନୀ ଠାରେ ଜଳକା ନଦୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଂକେତ ୫.୫୦ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୦୨ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ଫୁଲିବାରେ ଲାଗିଛି ।

 Jalaka River Water Crossed Danger Mark In Mathani

ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡ଼ା, ଚିତ୍ରଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର । ଏହିଭଳି ଜଳସ୍ତର ବଢ଼ିଲେ ବସ୍ତା ଏବଂ ସଦର ବ୍ଲକର ପ୍ରାୟ ୧୨ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି ।

ବାହାର ରାଜ୍ୟକୁ ଚାଲାଣ ବେଳେ ୪୨ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

କଣ୍ଟାବାଞ୍ଜି: ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ୪୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ଶ୍ରମିକମାନଙ୍କୁ ନେବା ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ନେଉଥିଲା ଦଲାଲ । ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା ।

Kantabanjhi Police Rescued 42 Labour

ଷ୍ଟେସନରୁ ୪୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଦଲାଲକୁ ଅଟକ ରଖିଛି ପୋଲିସ । ଉଦ୍ଧାର ଶ୍ରମିକ ଖପ୍ରାଖୋଲ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଶ୍ରମିକମାନଙ୍କୁ ୩ ଗୋଟି ବୋଲେରୋ ଗାଡ଼ିରେ ଷ୍ଟେସନ ନିଆ ଯାଉଥିବା ବେଳେ ଚଟୁଅନକା ଗାଁ ପାଖ ରାସ୍ତା ନିକଟରେ ପୋଲିସ ରେଡ୍ କରିଥିଲା ।

ଉଦ୍ଧାର ଶ୍ରମିକ ମାନେ ଖପ୍ରାଖୋଲ ଅଞ୍ଚଳର ଟେମରିମାଲ, ପାଇକମାଲ, ବାହାବଲ, ମହୁଲପଡା, ଜଲିଆବାହାଲ ଗାଁର । ଉଦ୍ଧାର ୪୨ ଜଣ ଶ୍ରମିକ ମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ, ୧୫ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି ।

ଆତଙ୍କବାଦୀଙ୍କ ଧମକ: କାଶ୍ମୀର ଛାଡ଼, ନହେଲେ…

କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ରାଜ୍ୟ ବାହାରର ଲୋକଙ୍କୁ କେବଳ ହତ୍ୟା କରୁନାହାନ୍ତି, ଘାଟି ଛାଡି ଚାଲିଯିବାକୁ ଧମକ ଦେଉଛନ୍ତି । ରବିବାର ଦକ୍ଷିଣ କାଶ୍ମୀରର କୁଲଗାମ୍ ଜିଲ୍ଲାରେ ବିହାରର ଦୁଇ ଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଲଶ୍କର ସଂଗଠନର ୟୁନାଇଟେଡ ଲିବରେସନ ଫ୍ରଣ୍ଟ ହତ୍ୟା ପାଇଁ ନିଜକୁ ଦାୟି କରିବା ସହ ବାହାର ରାଜ୍ୟର ଲୋକଙ୍କୁ ଘାଟି ଛାଡି ଚାଲିଯିବାକୁ ଧମକ ଦେଇଛି ।

ନିରୀହ ଲୋକଙ୍କୁ ହତ୍ୟା କରିବା ପରେ ଆତଙ୍କୀ ସଂଗଠନ ନୋଟିସ ଜାରି କରିଛି । ଏହି ଧମକପୂର୍ଣ୍ଣ ନୋଟିସରେ ପ୍ରବାସୀ ଶ୍ରମିକଙ୍କୁ ଘାଟି ଛାଡି ଚାଲିଯାଅ ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି । ସେତିକି ନୁହେଁ ଜମ୍ମୁ ଓ କାଶ୍ମୀରର ନେତା ଏବଂ ପୋଲିସ କର୍ମଚାରୀଙ୍କ ପରିବାରକୁ ବି ଅାକ୍ରମଣ କରାଯିବାକୁ ଧମକ ଦେଇଛି ।

ସୂଚନାଯୋଗ୍ୟ, ସୁରକ୍ଷାବାହିନୀଙ୍କ ଆଣ୍ଟି ଟେରର୍ ଅପରେସନରେ ଆତଙ୍କବଦୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏଥିପାଇଁ ସେମାନେ ନିରୀହ ଜନତାଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି ।

ରବିବାର ୟୁନାଇଟେଡ ଲିବରେସନ ଫ୍ରଣ୍ଟର ଆତଙ୍କୀ କୁଲଗାମ୍ ଜିଲ୍ଲାରେ ବିହାରର ଦୁଇ ଶ୍ରମିକଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିଲେ । ମୃତକମାନେ ହେଲେ ରାଜା ଏବଂ ଜୋଗେନ୍ଦର । ଅାକ୍ରମଣରେ ଚୁନଚୁନ ଦେବ ନାମକ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟା ଧରି ଭିଜିଲାନ୍ସ ରେଡ୍, ସମ୍ପର୍କୀୟଙ୍କ ଘରୁ ୨୦ ଲକ୍ଷ ଜବତ

ଭୁବନେଶ୍ୱର: ଖୋଲୁଛି ପ୍ରଦୀପଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଲମ୍ବା ତାଲିକା । ଗତକାଲି ଭିଜିଲାନ୍ସ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟ ଏଭଳି ୧୫ଟି ରେଡ୍ କରିଥିଲା । ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ଛାନଭିନ୍ କରିଛି ଭିଜିଲାନ୍ସ ଟିମ୍ ।

DA Assets Case, Vigilance Raid In Gopalpur MLA Pradeep Panigrahi's 15 Location

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଚଢ଼ାଉ ବେଳେ, ପ୍ରଦୀପଙ୍କ ଜଣେ ସହଯୋଗୀଙ୍କ ନିକଟରୁ ମିଳିଛି ୨୦ ଲକ୍ଷ ଟଙ୍କା । ଏହି ଟଙ୍କା କାହାର ଓ ଉତ୍ସ କଣ ତାହାର ତଦନ୍ତ କରୁଛି ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀଙ୍କର ଜମିକିଣା କାଗଜପତ୍ର, ଗାଡ଼ି ଓ ସୁନା କିଣା କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ପାସ୍‌ବୁକ, କ୍ରେଡିଟ ଓ ଡେବିଟ କାର୍ଡ, ଲାପଟପ୍ ଓ ମୋବାଇଲ୍ ଜବତ କରାଯାଇଛି ।

DA Assets Case, Vigilance Raid In Gopalpur MLA Pradeep Panigrahi's 15 Location

ଚଢ଼ାଉ ବେଳେ ବାସଭବନରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଶାଶୂ, ଝିଅ, ଝିଆରୀ, ପୁତୁରା ଉପସ୍ଥିତ ଥିଲେ । ଗତକାଲି ସକାଳ ୭ଟାରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଥିଲା । ଆଜି ସକାଳ ସାଢେ ୬ଟାରେ ସରିଛି ଚଢାଉ । ଏକକାଳୀନ ୧୫ଟି ସ୍ଥାନରେ ୨୦ ଅଫିସରଙ୍କୁ ନେଇ ଗଠିତ ଟିମ୍ ଚଢ଼ାଉ କରିଥିଲା ।

https://youtu.be/ObCzksmj2kA

ଶ୍ରୀକ୍ଷେତ୍ରରେ ଭାସୁଛି ବିରାଟ ପଥର, ରାମ ସେତୁ ଶିଳା ହୋଇଥିବା ଅନୁମାନ

ପୁରୀ: ପାଣିରେ ଭାସୁଛି ପଥର । ଗୋଷାଣୀ ବିସର୍ଜନ ବେଳେ ମହୋଦଧୀରୁ ମିଳିଛି ଏମିତି ଏକ ପଥର । ଯାହା ପାଣିରେ ପକାଇଲେ ବୁଡୁନି, ବରଂ ଭାସୁଛି । ଏ ଦୃଶ୍ୟ ପୁରୀ ମାର୍କଣ୍ଡ ପୁଷ୍କରିଣୀର । ଏତେ ବଡ଼ ପଥର  ପାଣିରେ ପକାଇବା ପରେ ବି ଭାସୁଛି । ଗତକାଲି ପୁରୀରେ ଗୋଷାଣୀ ଉତ୍ସବ ପରେ ପୂଜା ସାମଗ୍ରୀକୁ ସମୁଦ୍ରରେ ବିସର୍ଜନ କରାଯାଉଥିଲା । ଏହି ସମୟରେ ସମୁଦ୍ରରେ ଏକ ପଥର ଲହଡିରେ ମାଡ଼ ହେବା ସହ ଭାସୁଥିବା ଦେଖିବାକୁ ମିଳିଥିଲା ।

ଏହା ଦେଖି ପୁରୀର ସନ୍ତୋଷ କୁମାର ଜାଲି ଶ୍ରୀମନ୍ଦିର ସେବାୟତ ଶମ୍ଭୁ ଖୁଣ୍ଟିଆଙ୍କୁ ପଥରଟିକୁ ଦେଇଥିଲେ । ପରେ ପରୀକ୍ଷା ପାଇଁ ସେବାୟତ ଶମ୍ଭୁ ଖୁଣ୍ଟିଆ ପଥରଟିକୁ ମାର୍କଣ୍ଡ ପୁଷ୍କରିଣୀରେ ପକାଇ ଥିଲେ। ହେଲେ ପଥରଟି ବୁଡିବା ପରିବର୍ତ୍ତେ ଭାସିଥିଲା । ଭାସମାନ ପଥରକୁ ନେଇ ପୁରୀ ସହରରେ ଚର୍ଚ୍ଚା ହେଉଛି । ଏହା ତ୍ରେତୟା ଯୁଗର ଶ୍ରୀରାମଙ୍କ ଦ୍ଵାରା ନିର୍ମିତ ସେତୁ ବନ୍ଧର ଶିଳା ହୋଇଥାଇପାରେ ବୋଲି କୁହାଯାଉଛି । ତେବେ ପଥରଟି କାହିଁକି ପାଣିରେ ଭାସୁଛି ସେନେଇ ପରୀକ୍ଷା କରିବାକୁ ଦାବି ହୋଇଛି ।

ସରୁନି ପାଣିଗ୍ରାହୀଙ୍କ ବିସାବ, ସୁନା ପରଖୁଛି ବଣିଆ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଚାଲିଛି ରେଡ୍ । ୨୦ ଜଣ ଅଫିସରଙ୍କୁ ନେଇ ଗଠିତ ଏକ ଟିମ୍ ଏହି ଚଢାଉ କରିଛି । ଘରୁ ଠାବ ହୋଇଥିବା ସୁନା ରୁପାର ଯାଞ୍ଚ ପାଇଁ ଏକ ବଣିଆକୁ ଡକାଯାଇଥିଲା । ସମସ୍ତ ସୁନା ରୁପାର ଓଜନ ମାପିଛି ବଣିଆ । ଏ ପର୍ଯ୍ୟନ୍ତ ପ୍ରଦୀପଙ୍କ ସରକାରୀ ବାସଭାବନରୁ କେତେ ଆୟବହିର୍ଭୁତ ସମ୍ପତି ମିଳିଛି ତାହା ସ୍ପଷ୍ଟ ହୋଇନାହିଁ ।

ଆଜି ଭିଜିଲାନ୍‌ସ ସ୍କାନରରେ ଥିଲେ ଗୋପାଳପୁର ବିଧାୟକ । ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍‌ସର ୧୫ଟି ଟିମ୍‌ ।  ପ୍ରଦୀପଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ବର ରାଓ, ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁ, ହରେକୃଷ୍ଣ ସାହୁ, ମଦନ ପାଣିଗ୍ରାହୀ, ଗୋବିନ୍ଦପୁରର ସୂର୍ଯ୍ୟ ସାହୁଙ୍କ ଘର ଏବଂ ଫାର୍ମ ହାଉସ୍, ପ୍ରଦୀପଙ୍କ ଡ୍ରାଇଭର ଉଜ୍ଜ୍ୱଳ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ ହୋଇଛି ।

ପ୍ରଦୀପ ପାଣିଗ୍ରାହୀଙ୍କ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା କଥା ପୂର୍ବରୁ ଆକଳନ କରିଥିଲା ଭିଜିଲାନ୍‌ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ୬ ଅଭିଯୋଗର ଅଧିକ ତଦନ୍ତ କରିବା ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ପରେ ଆଉ ଏକ ମାମଲା ରୁଜୁ କରି ଚଢ଼ାଉ କରୁଛି ଭିଜିଲାନ୍‌ସ ।

କୃଷି ଆଇନ ଓ ଲଖିମପୁର ହତ୍ୟା ପାଇଁ ୬ ଘଣ୍ଟିଆ ରେଳ ରୋକ

ନୂଆଦିଲ୍ଲୀ:  ସୋମବାର ରେଳ ରୋକ ଆନ୍ଦୋଳନ । ୬ ଘଣ୍ଟିଆ ରେଳ ରୋକ ପାଇଁ ଡାକରା ଦେଇଛି ଚାଷୀ ସଙ୍ଗଠନ । ଭାରତୀୟ କିଷାନ ୟୁନିୟନ ଏହି ଡାକରା ଦେଇଥିବାବେଳେ ଏହାକୁ ସଫଳ କରିବା ପାଇଁ ସମସ୍ତ ଚାଷୀ ସଙ୍ଗଠନକୁ ଆହ୍ବାନ ଦିଆଯାଇଛି । ସମସ୍ତ ଚାଷୀ ନେତା ୬ ଘଣ୍ଟା ପାଇଁ ରେଲଓ୍ବେ ଷ୍ଟେସନରେ ରେଳ ରୋକିବା ପାଇଁ ଅପିଲ୍ କରିଛି ଭାରତୀୟ କିଷାନ ୟୁନିୟନ ।

ତିନି କୃଷି ଆଇନ୍ ପ୍ରତ୍ୟାହାର, ଏମଏସପିରେ ଫସଲ କିଣିବାର ଗ୍ୟାରେଣ୍ଟି ଓ ୟୁପି ଲଖିମପୁର ଚାଷୀ ହତ୍ୟାକାଣ୍ଡକୁ ନେଇ ଏହି ରେଳ ରୋକ ଡାକରା ଦିଆଯାଇଛି । ଚାଷୀ ସଙ୍ଗଠନର ରେଳ ରୋକ ଡାକରାକୁ ଅନେକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ତିନି କୃଷି ଆଇନ୍ ବିରୋଧରେ ଦୀର୍ଘ ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । କେନ୍ଦ୍ର ସରକାର ଆଇନ୍ ପ୍ରତ୍ୟାହାର କରିବା ପାଇଁ ଦାବି ଜୋର ଧରିଥିବାବେଳେ ୟୁପି, ପଞ୍ଜାବ, ହରିୟାଣାରେ ଚାଷୀ ସଙ୍ଗଠନ ମହାପଞ୍ଚାୟତ କରି ନିଜର ଦାବି ରଖୁଛନ୍ତି ।

ବିଜେପି ବିରୋଧରେ ବଡ଼ ଶକ୍ତି, ଉତ୍ତରପ୍ରଦେଶରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଚେହେରା ହେବେ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି । ଦଳ ବାରମ୍ବାର ପ୍ରତ୍ୟାକ୍ଷିତ ହେବା ପରେ ପ୍ରିୟଙ୍କାକୁ ପ୍ରାର୍ଥୀ କରିବା ନେଇ ଅନ୍ଦର ମହଲରେ ଆଲୋଚନା ହୋଇଛି । ତେଣୁ ଆସନ୍ତା ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ ହେବାନେଇ ସୂଚନା ଦେଇଛନ୍ତି ପ୍ରଚାର କମିଟି ମୁଖ୍ୟ ପି.ଏଲ. ପୁନିଆ । ସେ କହିଛନ୍ତି ଉତ୍ତରପ୍ରଦେଶରେ ସବୁଠାରୁ ଜନପ୍ରିୟ ଚେହେରା ହେଉଛନ୍ତି ପ୍ରିୟଙ୍କା ।

ଉତ୍ତରପ୍ରଦେଶ ଲାଗି କଂଗ୍ରେସ ପକ୍ଷରୁ ଘୋଷିତ ୨୦ ସଦସ୍ୟ ବିଶିଷ୍ଟ ନେତୃତ୍ବମଣ୍ଡଳୀର ମୁଖ୍ୟ ଥିବା ପୁନିଆ କହିଛନ୍ତି- ରାଜ୍ୟରେ ବିଜେପିର ମୁକାବିଲା ଲାଗି ପ୍ରିୟଙ୍କାଙ୍କ ନେତୃତ୍ବରେ କଂଗ୍ରେସ ଭଲ କରିବ । କଂଗ୍ରେସ ସାଧାରଣତଃ ବିରଳ ଭାବେ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନିର୍ବାଚନ ପୂର୍ବରୁ ଘୋଷଣା କରିଥାଏ ଯାହାକି ୟୁପି କ୍ଷେତ୍ରରେ ପରିଲିକ୍ଷିତ ହୋଇଛି ।

ରାଜ୍ୟରେ ସିଧାସଳଖ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ । ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଯଥେଷ୍ଟ ପଛରେ ପଡିଥିବାରୁ କଂଗ୍ରେସ ବିଶେଷ ଲାଭବାନ ହେବ ବୋଲି ପୁନିଆ କହିଛନ୍ତି । ଲଖିମପୁର ଖେରି ହିଂସା ଘଟଣାରେ ପ୍ରିୟଙ୍କା ତୁରନ୍ତ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ ବୋଲି ସେ କହିଛନ୍ତି । କଂଗ୍ରେସର ଚେହେରା ଭାବେ ଉତ୍ତରପ୍ରଦେଶ ବାସୀ ପ୍ରିୟଙ୍କାକୁ ଦେଖିବାକୁ ଚାହୁଛନ୍ତି  । ତେଣୁ ପ୍ରିୟଙ୍କା ହିଁ ଉତ୍ତରପ୍ରଦେଶର ଚେହେରା ବୋଲି କହିଛନ୍ତି ପ୍ରଚାର କମିଟି ମୁଖ୍ୟ ପି.ଏଲ. ପୁନିଆ ।