ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଶହ ଶହ ଚାଷୀଙ୍କ ବଳିଦାନ । ଆରବ ଆରବ ଅର୍ଥନୈତିକ କ୍ଷତି । ଗର୍ଜ୍ଜନରୁ ଘେରାବନ୍ଦୀ, ବର୍ଷର୍ରୁ ଅଧିକ ସମୟ ଆନ୍ଦୋଳନ । ହାର ମାନିଲେନି ଚାଷୀ । ନଇଁବାକୁ ବାଧ୍ୟ ହେଲେ କେନ୍ଦ୍ର ସରକାର । ତିନି କୃଷି ଆଇନ ପ୍ରତ୍ୟାହାର ନେଇ ଅଚାନକ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସହ ଦେଶର କୋଣ ଅଣୁକୋଣରେ ଆରମ୍ଭ ହୋଇ ଯାଇଥିଲା ଉତ୍ସବର ମାହୋଲ । କିଏ ନାଚୁଥିଲା ତ କିଏ ଖଉସିରେ ଆତ୍ମହରା ହୋଇଯାଉଥିଲେ । ଏହା ପରେ ବି ସରକାରଙ୍କ ଉପରେ ଭରସା କରିପାରରୁନି ସଂଯୁକ୍ତ କିଷାନ ମୋର୍ଚ୍ଚା  । ଆଇନ ପ୍ରତ୍ୟାହାର ଘୋଷଣା ପରେ ବି ଘମାସାନ ଜାରି ରହିବ ବୋଲି କହିଛନ୍ତି ସଂଗଠନର ପ୍ରମୁଖ ନେତା । ଚେତାବନୀ ଦେଇଛନ୍ତି, ଯେଉଁଦିନ କୃଷି ଆଇନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ ସେହିଦିନ ଆନ୍ଦୋଳନ ପ୍ରତ୍ୟାହାର ହେବ । ମୋର୍ଚ୍ଚା କେବଳ ଆଇନ ପ୍ରତ୍ୟାହାର ନୁହେଁ ବରଂ ଏମଏସପିର ଆଇନଗତ ମାନ୍ୟତା ପାଇଁ ଆନ୍ଦୋଳନ କରୁଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ସୀମା ଜାମ, ଭୋଟ ଚୋଟ, ଗାଁକୁ ନୋ ଏଣ୍ଟ୍ରି, ନେତାଙ୍କୁ ଘେରାବନ୍ଦୀ । କୃଷି ଆନ୍ଦୋଳନର ଏ ଥିଲା ରଣନୀତି । ବହୁ ସଂଘର୍ଷ ପରେ ଏପରି ନିଷ୍ପତ୍ତିରେ ସାରା ଦେଶରେ ଖୁସିର ମାହୋଲ । ଗାଜିପୁର, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ସବୁଠି ଉତ୍ସବ ମନାଇଛନ୍ତି ଚାଷୀ ସଂଗଠନ । ବାଜା ବଜାଇ ବାଣ ଫୁଟାଇ ନିଜ ବିଜୟକୁ ସେଲିବ୍ରେଟ କରିଛନ୍ତି କୃଷକ ସଂଗଠନ । ସେପଟେ ସରାକାରଙ୍କ ଅହଂକାରର ପତନ ଦେଖି ଆକ୍ରମଣ ମୋଡରେ ବିରୋଧୀ । ଚାଷୀଙ୍କ ଜିଦ୍‌ ଆଗରେ ସରକାରଙ୍କ ଅହଂକାର ଚୂର୍ଣ୍ଣ ହୋଇଛି ବୋଲି କହିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଟିଏମସି, ଏନସିପି, ଆରଜେଡିର ପ୍ରମୁଖ ନେତା ସରକାରଙ୍କୁ କଡ଼ା ଭାଷାରେ କଟାକ୍ଷ କରି ସରକାର ନିର୍ବାଚନ ହାରିବା ଭୟରେ ଆଇନ ପ୍ରତ୍ୟାହାର କରିଥିବା କହିଛନ୍ତି ।

ଜ୍ୟ ବିଜେପି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ଭିନ୍ନ ଢଙ୍ଗରେ ସ୍ବାଗତ କରିଛି । କୃଷି ଆଇନକୁ ଠିକ୍‌ ଭାବେ ବୁଝି ନାହାଁନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । କେବଳ ସେତିକି ନୁହେଁ ପ୍ରତ୍ୟାହାର ପଛର ରହସ୍ୟକୁ ଖୋଲି ଦେଇଛନ୍ତି ବିଷ୍ଣୁ । କହିଛନ୍ତି ଭୋଟ୍ ପାଇଁ ସବୁ ନାଟ । ସେପଟେ ସିପିଆଇ ଦାବି କରିଛି,  ଏମଏସଏପିକୁ ଆଇନ ପରିସରଭୁକ୍ତ କରିବା ସହ ଶ୍ରମ ଓ ବିଦ୍ୟୁତ ଆଇନ ବି କେନ୍ଦ୍ର ପ୍ରତ୍ୟାହାର କରୁ । ଏକାଠି ହେଲେ ନଛୋଡବନ୍ଧା ସରକାରଙ୍କଠାରୁ ଦାବି ହାସଲ କରିହେବ ବୋଲି କହିଛି ସିପିଆଇଏମ ।

Leave a Reply