spot_img
Home Blog Page 5063

LACରେ ଚୀନର ମୁକାବିଲା ପାଇଁ ସଜାଗ ନୂଆ ଆଭିଏସନ ବ୍ରିଗେଡ

ନୂଆଦିଲ୍ଲୀ: ଚୀନର ମୁକାବିଲା ଲାଗି ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ମୁତୟନ ସେନାର ନୂଆ ଆଭିଏସନ ବ୍ରିଗେଡ । ଆସାମର ତେଜପୁର ନିକଟସ୍ଥ ମିସାମାରୀରେ ନିୟୋଜିତ ଏହି ବ୍ରିଗେଡ ନିକଟରେ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ବା ଏଏଲଏଚ, ଚିତା ହେଲିକପ୍ଟର ଓ ହେରୋନ ଡ୍ରୋନ ରହିଛି । ସମ୍ଭାବ୍ୟ ଆକ୍ରମଣ ପୂର୍ବରୁ ଏହି ବାହିନୀ ଶତ୍ରୁ ରାଷ୍ଟ୍ରକୁ କଡା ଟକ୍କର ଦେବାର କ୍ଷମତା ହାସଲ କରିଛି । ଏହାସହ ଏହି ବାହିନୀ ସୀମାରେ ହେଉଥିବା ଘଟଣାବଳୀ ପ୍ରତି ତୀକ୍ଷ୍ଣ ନଜର ରଖିପାରିବା ସହ ଗୁଇନ୍ଦା ତଥ୍ୟ ପ୍ରଦାନ କରିପାରିବ ।

ଏଠାରେ ଆଭିଏସନ ବ୍ରିଗେଡର ୩ଟି ସ୍କ୍ୱାଡ୍ରନ ମୁତୟନ ହୋଇଛି । ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମି ଦାଧୱାଲ କହିଛନ୍ତି, ଏହି ବାହିନୀ ହାତରେ ସ୍ୱଦେଶୀ ନିର୍ମିତ ଅନେକ ଯନ୍ତ୍ରପାତି ରହିଛି । ଯାହାକି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇପାରୁଛି । ବିଭିନ୍ନ ସାମରିକ ଅପରେସନରେ ଏହା ଭାରତ ଲାଗି ମୂଲ୍ୟବାନ ସାବ୍ୟସ୍ତ ହୋଇଛି । ଯେ କୌଣସି ସ୍ଥାନ, ଉଚ୍ଚତା ଓ ପାଗରେ ଏହି ହେଲିକପ୍ଟର ଗୁଡିକ କାର୍ଯ୍ୟକ୍ଷମ ହୋଇପାରିବେ ଏବଂ ସୈନ୍ୟ ମୁତୟନ କରିପାରିବେ । ପୂର୍ବାଞ୍ଚଳ ଲଦାଖରେ ଏଲଏସିର ଦୁଇ ପାଖରେ ଉଭୟ ଭାରତ ଓ ଚୀନର ପ୍ରାୟ ୫୦ ହଜାର ସୈନ୍ୟ ବର୍ତ୍ତମାନ ବି ମୁତୟନ ରହିଛନ୍ତି ।

ପାଟ୍ରୋଲିଂ ପଏଣ୍ଟ ୧୫ରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଚୀନର ଅଗ୍ରାହ୍ୟ ପରେ ଭାରତ ଏଲଏସିର ସୁରକ୍ଷା ପ୍ରତି ଗୁରୁତ୍ବ ଦେଇଛି । କିଛି ଦିନ ତଳେ ସେନାମୁଖ୍ୟ ଜେନରାଲ ଏମ.ଏମ ନରୱାଣେ କହିଥିଲେ- ଏଲଏସିରେ ଅନେକ ଭିତ୍ତିଭୂମି ତିଆରି କରିଥିବାରୁ ଚୀନ ସହଜରେ ଏଲଏସି ଛାଡିବ ନାହିଁ । ସେପଟେ ଚୀନର କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବା ଲାଗି ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଏଲଏସିରେ ମଧ୍ୟ ମୁତୟନ ରହିଛି ହେରୋନ ଡ୍ରୋନ, ଏଏଲଏଚ ଧ୍ରୁବ ଓ ରୁଦ୍ର । ସାମରିକସ୍ତରୀୟ କଥାବାର୍ତ୍ତା ବିଫଳ ହେବା ପରେ ଏଲଏସି ପ୍ରତି ବେଶ୍ ସଜାଗ ରହିଛି ଭାରତ ।

ରାଜ୍ୟର ଅପହଞ୍ଚ ଇଲାକାରେ ଟାୱର ବସାଇବାକୁ ଘରୋଇ କମ୍ପାନୀ ଅରାଜି: ମନ୍ତ୍ରୀ

ଭୁବନେଶ୍ୱର: ବିଏସଏନଏଲ୍ ଆଉ ନୂଆ ଟାୱାର ଲଗାଇବାକୁ ରାଜି ନାହିଁ । ତେଣୁ ଘରୋଇ କମ୍ପାନୀଙ୍କୁ ଅନୁରୋଧ କରିଛୁ ଅପହଞ୍ଚ ଅଞ୍ଚଳରେ ଟାୱାର ଲଗାଇବାକୁ । ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଓ ଗଜପତିର କିଛି ଅଞ୍ଚଳରେ ନେଟୱର୍କ ସମସ୍ୟା ନେଇ ଏ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ଯା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏ ସବୁ ସ୍ଥାନ ଭୌଗଳିକ ଦୃଷ୍ଟିରୁ ଅପହଞ୍ଚ ରହିଛି । ଘରୋଇ କମ୍ପାନୀ ମଧ୍ୟ ସେଠାରେ ଟାୱାର ବସାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ।

ଉକ୍ତ ଅଞ୍ଚଳରେ ଜନସଂଖ୍ୟା କମ୍ ଥିବାରୁ କମ୍ପାନୀ ନିଜ ଫାଇଦା ଦେଖି ଟାୱାର ବସାଉ ନଥିବା କହିଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାଲକାନଗିରିରେ ଏୟାରଟେଲ୍ ଯୋଗେ ନେଟୱର୍କ ଦିଆଯାଉଛି । ଘରୋଇ କମ୍ପାନୀଙ୍କ ସହ ବୈଠକ କରି ଅପହଞ୍ଚ ଅଞ୍ଚଳରେ ଟାୱାର ବସାଇବାକୁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ତୁଷାରକାନ୍ତି ବେହେରା ।

ରାଜ୍ୟରେ ଟେଲି ସେବା ପ୍ରଦାନ କରୁଥିବା କମ୍ପାନୀଙ୍କ ସହ ସରକାର ବୈଠକରେ ଆଲୋଚନା କରିଛନ୍ତି । ମାଓ ପ୍ରବଣ ଅଞ୍ଚଳରେ ପୋଲିସ ଥାନା ଓ ଅନ୍ୟ ସରକାରୀ ଅଫିସରେ ଟାୱାର ବସାଇବାକୁ ଅନୁମତି ଦିଆଯାଇଥିବା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ଯା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମହାକାଶରେ ସରିଲା ପ୍ରଥମ ଫିଲ୍ମ ଶୁଟିଂ, ପୃଥିବୀକୁ ଫେରିଲେ ‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର ଟିମ୍

ଋଷିଆ: ମହାକାଶରେ ଶୁଟିଂ ଏବେ ଶେଷ ହୋଇଛି। ଫିଲ୍ମ ଶୁଟିଂ ସାରି ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍‌ । ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶ ଗସ୍ତରେ ଯାଇଥିଲେ।  ‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟର ଶୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍‌ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍‌ଡ୍‌ ଏବଂ ୩୮ ବର୍ଷିୟ ନିର୍ଦ୍ଦେଶକ କ୍ଲିମ୍‌ ସିପେଙ୍କୋ ରକେଟ୍‌ ଯୋଗେ ମହାକାଶକୁ ଯାଇଥିଲେ।

ମହାକାଶରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହାର କାହାଣୀର କିଛି ଅଂଶ ସ୍ପେସ୍‌ରେ ଶୁଟିଂ କରାଯାଇଛି । ରବିବାର ଦିନ ଅନ୍ତର୍ଜାତୀୟ ସମୟ ରାତି ୧.୧୫ ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ବାହାରିଛି। ଜଣେ ମହାକାଶଚାରୀ ଏବଂ ଦୁଇଜଣ ରୁଷୀୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ନେଇ ସୋୟୁଜ୍ ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡି ପୃଥିବୀ ଅଭିମୁଖେ ଯାତ୍ରା କରିଛନ୍ତି।

ଏହି ରକେଟରେ ଓଲେଗ ନୋଭିଟସ୍କି, ୟୁଲିଆ ପେରେସିଲ୍ଡ ଏବଂ କ୍ଲିମ ସିପେଙ୍କୋ ଅଛନ୍ତି। ଅଭିନେତ୍ରୀ ପେରେସିଲ୍ଡ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିପେଙ୍କୋ ଅକ୍ଟୋବର ୫ ରେ “ଚ୍ୟାଲେଞ୍ଜ” ନାମକ ଫିଲ୍ମ ଶୁଟିଂ ପାଇଁ ସ୍ପେସ୍ ଷ୍ଟେସନରେ ପହଞ୍ଚି ସେଠାରେ ୧୨ ଦିନ ରହିଥିଲେ । ସ୍ପେସ୍ ଷ୍ଟେସନରେ ୬ ମାସରୁ ଅଧିକ ସମୟ ବିତାଇଥିବା ନୋଭିତ୍ସକି ଏହି ଫିଲ୍ମରେ ଜଣେ ଅସୁସ୍ଥ ମହାକାଶଚାରୀ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ମୁତାବକ, ଏହାପୂର୍ବରୁ ‘ମିସନ୍‌ ଇମ୍ପସିବଲ୍‌’ର ଅଭିନେତା ଟମ୍‌ କ୍ରୁଜ୍‌, ‘ନାସା’ ଏବଂ ‘ଏଲନ୍‌ ମସ୍କ୍‌’ର ‘ସ୍ପେସ୍‌ଏକ୍ସ’କୁ ନେଇ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରାଯିବ ବୋଲି ଗତବର୍ଷ ହଲିଉଡ୍‌ ଘୋଷଣା କରିଥିଲା।

ରେଡ୍ ବେଳେ ପ୍ରଦୀପଙ୍କ ଘରୁ ୨୪ ଲକ୍ଷର ହାର ଜବତ, ଫ୍ରିଜ୍ ହେବ ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଗତକାଲି ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସହ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ କରିଥିଲା । ଚଢ଼ାଉ ବେଳେ ସବ୍ୟସାଚୀ ବ୍ରାଣ୍ଡର ୧୪୪୦ ଗ୍ରାମର ସୁନା ହାର ଜବତ ପ୍ରଦୀପଙ୍କ ଘରୁ ଜବତ କରିଛି କଟକ ଭିଜିଲାନ୍ସ । ଜବତ ହାରର ମୂଲ୍ୟ ୨୪.୨୫ ଲକ୍ଷ ଟଙ୍କା ହେବ ।

 Vigilance To Freeze Bank Accounts Of Pradeep Panigrahi And Family Members

ଏଥିସହ ପ୍ରଦୀପଙ୍କ ଘରୁ ବହୁ ବ୍ୟାଙ୍କ ଆକାଉଣ୍ଟ ସହ କାଗଜପତ୍ର ଜବତ କରାଯାଇଛି । ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ଲାଗି ଭିଜିଲାନ୍ସ ପଦକ୍ଷେପ ନେଉଛି । ସର୍ଚ୍ଚ ବେଳେ ଜବତ ହୋଇଥିବା କାଗଜପତ୍ର ଯାଞ୍ଚ ଭିଜିଲାନ୍ସ ସହ ଚାର୍ଟାଜ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କିଂ କନସଲଣ୍ଟାଣ୍ଟ ଯାଞ୍ଚ କରୁଛନ୍ତି । ଭିଜିଲାନ୍ସର ସାଇବର ସେଲ୍ ଜବତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରୁ ତଥ୍ୟ ଖୋଜିବ । ଏବେବି ତଦନ୍ତ ଜାରି ରହିଛି ।

 Vigilance To Freeze Bank Accounts Of Pradeep Panigrahi And Family Members

ପ୍ରଦୀପ ପାଣିଗ୍ରାହୀଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟ ଏଭଳି ୧୫ଟି ରେଡ୍ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ରେଡ୍ ଚାଲିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଚଢ଼ାଉ ବେଳେ, ପ୍ରଦୀପଙ୍କ ଜଣେ ସହଯୋଗୀଙ୍କ ନିକଟରୁ ମିଳିଛି ୨୦ ଲକ୍ଷ ଟଙ୍କା । ଏହି ଟଙ୍କା କାହାର ଓ ଉତ୍ସ କଣ ତାହାର ତଦନ୍ତ କରୁଛି ଭିଜିଲାନ୍ସ । ପ୍ରଦୀପ ପାଣିଗ୍ରାହୀଙ୍କର ଜମିକିଣା କାଗଜପତ୍ର, ଗାଡ଼ି ଓ ସୁନା କିଣା କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ପାସ୍‌ବୁକ, କ୍ରେଡିଟ ଓ ଡେବିଟ କାର୍ଡ, ଲାପଟପ୍ ଓ ମୋବାଇଲ୍ ଜବତ କରାଯାଇଛି ।

ରେଳ ଧାରଣାରେ ଚାଷୀ, କେନ୍ଦ୍ର ବିରୋଧରେ ରଣହୁଙ୍କାର

ଅମୃତସର: କେନ୍ଦ୍ର ବିରୋଧରେ ଚାଷୀଙ୍କୁ ପୁଣି ରଣହୁଙ୍କାର । ୬ ଘଣ୍ଟିଆା ରେଳ ରୋକ । ସମସ୍ୟାରେ ସାଧାରଣ ଯାତ୍ରୀ ।

ପଞ୍ଜାବ ଅମ୍ରତସରର ଦେବୀ ସାସପୁର ଗାଁରେ କୃଷକ ସଂଗଠନର ବିକ୍ଷୋଭ । ରେଳ ଟ୍ରାକ୍ ଉପରେ ବସି ଚାଷୀ ଚଲାଇଛନ୍ତି ଆନ୍ଦୋଳନ। ଅପରାହ୍ନ୪ଟା ଯାଏଁ ଚାଲିବ ଏହି ଆନ୍ଦୋଳନ । ଭାରତୀୟ କିଷାନ ୟୁନିୟନ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ଚାଷୀ ସଙ୍ଗଠନକୁ ଆହ୍ବାନ ଦିଆଯାଇଛି ।

ତିନି କୃଷି ଆଇନ୍ ପ୍ରତ୍ୟାହାର, ଏମଏସପିରେ ଫସଲ କିଣିବାର ଗ୍ୟାରେଣ୍ଟି ଓ ୟୁପି ଲଖିମପୁର ଚାଷୀ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶ ଗୃହମନ୍ତ୍ରୀଙ୍କୁ ବରଖାସ୍ତ କରାଯିବା ଦାବିରେ ଏହି ରେଳ ରୋକ ଡାକରା ଦିଆଯାଇଛି । ଅନେକ ରାଜନୈତିକ ଦଳ ବନ୍ଦକୁ ସମର୍ଥନ ଜଣାଇଛନ୍ତି ।

ସେପଟେ ଲକ୍ଷ୍ନୌରେ ୧୪୪ ଧାରା ଜାରି କରାଯାଇଛି । ଲକ୍ଷ୍ନୌ ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦିଆଯାଇଛି । ଆନ୍ଦୋଳନ ବେଳେ ସାମାନ୍ୟ ସ୍ଥିତି ବ୍ୟାହତ କରିବାକୁ ଚେଷ୍ଟା କଲେ ଏନଏସଏ ଲଗାଇବାକୁ ଲକ୍ଷ୍ନୌ ପୋଲିସ କହିଛି ।

ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ମାମଲା, ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ବଲାଙ୍ଗିର: ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା, ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ପୋଲିସ ଅଟକ ରଖିଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଫେରାର୍ ହୋଇ ଯାଇଛନ୍ତି । ଗତକାଲି ରାତିରେ ଟିଟିଲାଗଡ଼ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ଗୋବିନ୍ଦ ।

Kalahandi School Chairman Missing Case, Accuse Absconded

ଏହି ଘଟଣାରେ ଦାୟିତ୍ୱରେ ଅବହେଳା ପାଇଁ ୩ଜଣ ପୋଲିସ କର୍ମଚାରୀଙ୍କୁ ବଲାଙ୍ଗିର ଏସପି ନୀତିନ କୁଶଲକର ନିଲମ୍ବିତ କରିଛନ୍ତି । ନିଲମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ କନେଷ୍ଟବଳ ରାକେଶ ବିଶ୍ୱାଳ, ଓଏପିଏଫ କନେଷ୍ଟବଳ ଦୟା ଜାନୀ ଓ ରବୀନ୍ଦ୍ର ଝିଲେନି । ଫେରାର୍ ଗୋବିନ୍ଦ ସାହୁଙ୍କୁ ଧରିବା ପାଇଁ ବଲାଙ୍ଗିର ପୋଲିସ ସମସ୍ତ ରାସ୍ତାକୁ ନାକାବନ୍ଦୀ କରି ଚେକିଂକୁ ଜୋରଦାର କରିଛି । ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ଛତିଶଗଡ଼ ସୀମାରେ ପୋଲିସ ମୁତୟନ ହୋଇଛନ୍ତି ।

Kalahandi School Chairman Missing Case, Accuse Absconded

ଗତ ୮ ତାରିଖରେ ସ୍କୁଲ୍‌କୁ ଯିବା ବାଟରେ ମମିତା ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକ ବଲାଙ୍ଗିର ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଗତ ୧୩ ତାରିଖ ରାତିରେ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ତାଙ୍କ ଘରୁ ଉଠାଇ ଆଣି ପଚରାଉଚରା କରୁଥିଲା ପୋଲିସ ।

Kalahandi School Chairman Missing Case, Accuse Absconded

ତାଙ୍କ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି । ଘଟଣାକୁ ଆଜି ୧୦ ଦିନ ବିତିଥିଲେ ବି ନିଖୋଜ ଅଧ୍ୟକ୍ଷାଙ୍କ କୌଣସି ପତ୍ତା ମିଳିନାହିଁ । ବଲାଙ୍ଗିର ପୋଲିସ ଲାପଟପ୍ ଜବତ କରି ତଦନ୍ତ ଜାରି ରଖିଛି । ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୮ ତାରିଖରେ ମମିତାଙ୍କୁ ଗୋବିନ୍ଦ ସାହୁ କିଛି ଜରୁରୀ କାମ ପାଇଁ ସ୍କୁଲ୍‌ ଆସିବାକୁ ଫୋନ କରିଥିଲେ । ମମତା ସ୍କୁଲକୁ ଯିବା ବେଳେ ସିନ୍ଧେକେଲା ଥାନା ଚାନ୍ଦତରା ଛକ ନିକଟରୁ ନିଖୋଜ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ପୋଲିସ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିବା ବେଳେ ଗତକାଲି ରାତିରେ ସେ ଫେରାର ହୋଇ ଯାଇଛନ୍ତି ।

ହୁତୁ ହୁତୁ ହୋଇ ଜଳିଲା କୋଠା, ୫ ମହଲାରୁ ଡେଇଁଲେ ଶ୍ରମିକ

ସୁରତ: ହୁହୁ ହୋଇ ଜଳୁଥିଲା କୋଠା । ୫ ମହଲା କୋଠାରେ ଫସିଥିଲେ ଶତାଧିକ ଶ୍ରମିକ । ସବୁଠି ଭୟର ବାତାବରଣ । ଜୀବନ ବଞ୍ଚାଇବାକୁ ଶେଷରେ କୋଠାରୁ ଡେଇଁବା ଆରମ୍ଭ କରିଦେଲେ ଶ୍ରମିକ । ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ । ଏହି ଭୟାବହ ଘଟଣା ଘଟିଛି ସୁରତ୍ କଡୋଦରା ଅଞ୍ଚଳରେ । ଏକ ପ୍ୟାକେଜିଙ୍ଗ ୟୁନିଟରେ ଲାଗିଛି ନିଆଁ । ଦମକଳ ବାହିନୀର ୧୨ରୁ ଅଧିକ ଗାଡ଼ି ନିଆଁ ଲିଭାରେ ନିୟୋଜିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପ୍ରତିଦିନ ଭଳି ପ୍ୟାକେଜିଙ୍ଗ ୟୁନିଟର ୫ମ ମହଲାରେ ଶ୍ରମିକମାନେ କାମ କରୁଥିଲେ । ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ୍ ବଢ଼ିବାରୁ ଶ୍ରମକମାନେ ନିଜ ଜୀବନ ବଞ୍ଚାଇବାକୁ କୋଠାରୁ ଡେଇଁବା ଆରମ୍ଭ କରିଦେଇଥିଲେ ।

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହାଇଡ୍ରୋଲିକ ଲିଫ୍ଟରେ ୧୨୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ରିର୍ପୋଟ ଲେଖା ହେବା ପର୍ଯ୍ୟନ୍ତ ନିଆଁ ଆୟତ୍ତକୁ ଆସିନି । ନିଆଁ ଲିଭାରେ ୧୨ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।

ରାଜ୍ୟର ୨୧ ଜିଲ୍ଲାରୁ ଆଉ ୩୪୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି ୪ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ ଜିଲ୍ଲାରୁ ୩୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୫୦ ଜଣ ସଂକ୍ରମିତ ଅଛନ୍ତି । ୧୯୯ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୪୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାରୁ ସର୍ବାଧିକ ୧୪୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୬ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ୪୩, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୧୦ ଜଣ, ଯାଜପୁରରୁ ୯ ଜଣ, କେନ୍ଦ୍ରାପଡ଼ାରୁ ୧୫ଟି ସଂକ୍ରମଣ ମାମଲା ଆସିଛି ।

ସେହିଭଳି କୋରାପୁଟରୁ ୩, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨, ପୁରୀରୁ ୭, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୨, ସୁନ୍ଦରଗଡ଼ରୁ ୨ ଏବଂ ଷ୍ଟେଟ ପୁଲରୁ ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭କୁ ବୃଦ୍ଧି ପାଇଛି । କରୋନାକୁ ୧୦ ଲକ୍ଷ ୨୨ ହଜାର ୨୫୦ ଜଣ ମାତ୍ ଦେଇ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୪ ହଜାର ୮୨୪ଟି ସକ୍ରିୟ ମାମଲା ରହିଛି ।

ଆଉ ୨ ଦିନ ବର୍ଷା, ମାସ ଶେଷ ଆଡ଼କୁ ଅନୁଭୂତ ହେବ ହାଲୁକା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଡରାଉଛି ଲଘୁଚାପ ବର୍ଷା । ଆସନ୍ତା ୨ ଦିନ ରାଜ୍ୟକୁ ଭିଜାଇବ ଆଉ ୨ଟି ଲଘୁଚାପ । ୨୦ ତାରିଖ ଯାଏଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ସମ୍ଭାବନା ରହିଛି । ସକ୍ରିୟ ଲଘୁଚାପ ଉତ୍ତର ତେଲଙ୍ଗାନା ଓ ଏହାର ଆଖପାଖରେ ରହିଛି । ଏହାସହ ଆଉ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ବଙ୍ଗୋପସାଗରରୁ ଓଡ଼ିଶାକୁ ପୂର୍ବା ପବନ ବହୁଛି । ଫଳରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Image

ଆଜି ପ୍ରବଳ ବର୍ଷା ନେଇ ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଘଡ଼ଘଡ଼ି ସହ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୯ ତାରିଖ ପାଇଁ ଘଡ଼ଘଡ଼ି ଓ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Image

ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସଜୀବୀଙ୍କୁ ଆସନ୍ତାକାଲି ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ୨୧ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିବ । ଚଳିତ ମାସ ଶେଷ ଆଡ଼କୁ ରାଜ୍ୟରେ ଦିନର ତାପମାତ୍ରା କମିବା ସହ ହାଲୁକା ଶୀତ ଅନୁଭୂତ ହେବ ।

ଚୋରି ଟଙ୍କା ହଡ଼ପ କରି ଜେଲ୍ ଗଲେ ୪ ପୋଲିସ୍

ଫିରୋଜାବାଦ: ୟୁପି ପୋଲିସ ଖାକିରେ ଦାଗ ।  ଚୋର ପାଖରୁ ଟଙ୍କା ହଡପ କରି ଫସିଲେ ୪ ପୋଲିସ କମର୍ଚାରୀ । ନିଲମ୍ବିତ ହେଲେ, ଜେଲ୍ ବି ଗଲେ । ଘଟଣାଟି ଫିରୋଜାବାଦ ସିରସାଗଞ୍ଜ ଥାନାରେ ଘଟିଛି । ଥାନା କମର୍ଚାରୀମାନେ ଧରିଥିବା ଚୋରଙ୍କ ପାଖରୁ ଜବତ ୯୬ ହଜାର ଟଙ୍କା ହଡପ କରିବା ସହ ସେମାନଙ୍କୁ ଛାଡି ଦେଇଥିଲେ । ତଦନ୍ତରୁ ସତ ଜଣା ପଡ଼ିବା ପରେ ଏସଏସପି ସେମାନଙ୍କୁ ନିଲମ୍ବିତ କରିଥିଲେ ।

ସୂଚନାଯୋଗ୍ୟ, ଅକ୍ଟୋବର ୧୫ ତାରିଖରେ ଜଣେ ବ୍ୟବସାୟୀ ଇ-ରିକ୍ସାରେ ଦୋକାନନରୁ ଦୋକାନ ବୁଲି ମାଲ ଦେଉଥିଲେ । ରସୁଲପୁର ଅଞ୍ଚଳରେ ଏକ ଦୋକାନରେ ମାଲ ଦେବା ବେଳେ ଦୁଇ ଚୋର ଇ-ରିକ୍ସା ସିଟ୍ ତଳେ ଥିବା ୧ ଲକ୍ଷ ୧୦ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ । ସିସିଟିଭିରୁ ଚିହ୍ନଟ ପରେ ଦୁଇ ଚୋର ପ୍ରିୟାଂଶୁ ଓ ଓମବୀରଙ୍କୁ ରସୁଲପୁର ପୋଲିସ ଗିରଫ କରିଥିଲା । ପଚରାଉଚରା ବେଳେ ସତ ପଦାକୁ ଆସିଥିଲା ।

ଚୋରଙ୍କ କହିବା ଅନୁସାରେ ଚୋରି କରି ଫେରାର ହେଉଥିବା ବେଳେ ସିରସାଗଞ୍ଜ ପୋଲିସ୍ ସେମାନଙ୍କୁ ଧରିଥିଲା । ଯାଞ୍ଚ ବେଳେ ସେମାନଙ୍କ ପାଖରୁ ୧ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ରାସ୍ତାରୁ ପାଇଥିବା ପୋଲିସକୁ କହିଥିଲେ । ଏହାପରେ ପୋଲିସ କର୍ମଚାରୀମାନେ ୪ ହଜାର ଟଙ୍କା ଫେରାଇ ବାକି ୯୬ ହଜାର ଟଙ୍କା ନେଇ ଯାଇଥିଲେ ।

ଘଟଣା ଜଣାପଡ଼ିବା ପରେ ରସୁଲପୁର ପୋଲିସ ଏନେଇ ସିରସାଗଞ୍ଜ ଥାନା ଏସଏସପି ଅଶୋକ ଶୁକ୍ଲାଙ୍କୁ ସୂଚନା ଦେଇଥିଲେ । ଏହାପରେ ଏସଏସପି ୪ ଅଭିଯୁକ୍ତ ପୋଲିସ କର୍ମଚାରୀ ସୁନୀଲ ଚନ୍ଦ୍ର, ରାଜେଶ କୁମାର, ସୁରେନ୍ଦ୍ର କୁମାର ଓ ବିଷ୍ଣୁ କୁଲକର୍ଣ୍ଣିଙ୍କୁ ଡାକି ପଚରାଉଚରା କରିବାରୁ ସେମାନେ ସତ ମାନି ଯାଇଥିଲେ । ଏହାପରେ ଏସଏସପି ସେମାନଙ୍କ ନିଲମ୍ବିତ କରିବା ସହ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି ।