ଭାଙ୍ଗିଲା କେନ୍ଦ୍ର ସରକାରଙ୍କ ଅହଂକାର, ଜିତିଲା ଚାଷୀଙ୍କ ଲହୁଲୁହର ବିଦ୍ରୋହ

1 min read

ଭୁବନେଶ୍ବର: ଚାଷୀଙ୍କ ବିଦ୍ରୋହରେ ଚୂରମାର ହୋଇଗଲା କେନ୍ଦ୍ର ସରକାରଙ୍କ ଅହଂକାର । ବିଜୟ ହେଲା ଲହୁଳୁହର । ନରମିଲା କେନ୍ଦ୍ର । ଚାଷୀଙ୍କ ଜିଦ୍‌ ଆଗରେ ହାର ମାନିଲା ସରକାରଙ୍କ ଅହଙ୍କାର । ୩ଟି ଯାକ କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ । ଶୀତ ଅଧିବେଶନରେ ଆରମ୍ଭ ହେବ ପ୍ରକ୍ରିୟା । ତେବେ ଉତ୍ତର ପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟର ଭୟ ବିଜେପିକୁ ଏତେ ମାତ୍ରାରେ ଘାରିଛି ଯେ, ଏନେଇଛନ୍ତି ଏମିତି ବଡ଼ ନିଷ୍ପତ୍ତି । ଲଖିମପୁର-ଖେରୀ ମାମଲା ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟର ନିଦ ହଜାଇଛି । ସୁପ୍ରିମକୋର୍ଟଙ୍କ ତାଗିଦ ପାଇଁ ବାରମ୍ବାର ରାଜ୍ୟ ସରକାରଙ୍କୁ ନିନ୍ଦିତ ହେବାକୁ ପଡିଛି । ଚାଷୀଙ୍କ ଆନ୍ଦୋଳନ ଜାରି ରହିଲେ ଶହେରୁ ଅଧିକ ଆସନ ହରାଇ ପାରେ ବିଜେପି । ସେହି ଭୟରେ କଲେ ବିବାଦୀ କୃଷୀ ଆାଇନ ପ୍ରତ୍ୟାହାର ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସହ ଅନ୍ନଦାତାଙ୍କ ହୋଇଛି ଐତିହାସିକ ବିଜୟ । ଚାଷୀଙ୍କ ଜିଦ୍‌ ଆଗରେ ହାର ମାନିଲେ କେନ୍ଦ୍ର ସରକାର । ତରିବରିଆ ନିଷ୍ପତ୍ତି ନେଇ ଦେଲେ ପଛଘୁଞ୍ଚା । କୃଷି ଆଇନକୁ ପ୍ରତ୍ୟାହାର କରି ବ୍ୟାକ୍‌ଫୁଟ୍‌ ବିଜେପି ସରକାର ।

କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ନିଷ୍ପତ୍ତି ବିରୋଧୀଙ୍କୁ ବି ଚମକାଇ ଦେଇଛି । ଗୁରୁ ପରବ ଅବସରରେ ନିଜ ସମ୍ବୋଧନରେ କଳା କୃଷି ଆଇନ୍‌ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀଙ୍କ ଦୁଃଖ ତାଙ୍କୁ ଦେଖାଯାଉନି ବୋଲି କହିଛନ୍ତି । ଆନ୍ଦୋଳନ ବନ୍ଦ କରି ଚାଷୀ ଏବେ ନିଜ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି  । ଆସନ୍ତା ଶୀତକାଳିନ ଅଧିବେଶନରେ ଆଇନ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ମଣ୍ଡି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି । ଦେଶରେ ମଣ୍ଡି ସଂଖ୍ୟା ବଢିବା ସହ ଏମଏସପି ମଧ୍ୟ ବଢିଛି ବୋଲି କହିଛନ୍ତି ।

ନବୀନଙ୍କ ସ୍ବାଗତ

୩ କୃଷି ଆଇନ ପ୍ରତ୍ୟାହାର ପରେ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀର ସ୍ବାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି । ଯାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ପରିବାର ଓ ଚାଷ ଜମି ତାଙ୍କୁ ଅପେକ୍ଷା କରିଛି । ଘରକୁ ଫେରିଲେ ସେମାନେ ସ୍ବାଗତ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ସ୍ବାର୍ଥକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି ନବୀନ ।

କୃଷୀ ଆଇନ ପ୍ରତ୍ୟାହାର ପଛର ଅସଲ ସତ

କାହିଁକି ପଛଘୁଞ୍ଚା ଦେଲେ କେନ୍ଦ୍ର ସରକାର ? ଆନ୍ଦୋଳନ ବେଳେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆହା ପଦେ କହିନଥିଲେ ପ୍ରଧାନମନ୍ତ୍ରୀ । ଚାଷୀଙ୍କ ଉପରକୁ ଗାଡ଼ି ଚଢା ଯାଇଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ପସନ୍ଦ କରିନଥିଲେ । ବିବାଦରେ ଛନ୍ଦି ହୋଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ନିଜ ମନ୍ତ୍ରିମଣ୍ଡଳରୁ ହଟାଇନଥିଲେ । ହେଲେ ହଠାତ କାହିଁକି ଏହି ନିଷ୍ପତ୍ତି ଆସନ୍ତୁ ନଜର ପକାଇବା ।

ପ୍ରଥମତଃ ୧୧ ମାସରୁ ଅଧିକ ଦିନ ହୋଇଗଲାଣି ଚାଷୀ କୃଷି ଆଇନକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି  । ଚାଷୀ ରାଜରାସ୍ତାରେ ପଡି ରହି ଆନ୍ଦୋଳନ ଜାରି ରଖିଛନ୍ତି । ୩୦ରୁ ଅଧିକ ଥର ସରକାର ଓ ଚାଷୀଙ୍କ ମଧ୍ୟ ଆଲୋଚନା ବିଫଳ ହୋଇଛି । ତଥାପି ସରକାର ନିଜେ ବୁଝିଥିଲେ ନା ଚାଷୀଙ୍କୁ ବୁଝାଇ ପାରିଥିଲେ । ଶେଷରେ ହାର ମାନିଲେ । ଯେଉଁ କୃଷି ଅର୍ଥଶାସ୍ତ୍ରୀଙ୍କ ପରାମର୍ଶ ମାନି ଏଭଳି କରିଛନ୍ତି ବୋଲି କହୁଛନ୍ତି ପ୍ରଧାନମନ୍ତ୍ରୀ । ହେଲଷ ସେମାନଙ୍କ କଥା ଆଜି ପର୍ଯ୍ୟନ୍ତ କାହିଁକି ଶୁଣୁନଥିଲେ ବୋଲି ପ୍ରଶ୍ନ ଉଠିଛି ।

ଦ୍ବିତୀୟ କାରଣ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଆସନ୍ତାବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତରପ୍ରଦେଶ ଓ ପଞ୍ଜାବରେ ନିଜ ସରକାରକୁ ବଞ୍ଚାଇକୁ ଏହା ବଡ଼ କସ୍‌ରତ୍‌  । ନିଜର ମାନ ସମ୍ମାନ ପଛେ ଯାଉ, ରାଜ୍ୟରେ ସରକାର ବଞ୍ଚିରହୁ । ଏହି ଦୁଇ ରାଜ୍ୟରୁ ସବୁଠୁ ଅଧିକ ଚାଷୀ ଏହି କୃଷି ଆଇନ୍‌କୁ ବିରୋଧ କରୁଛନ୍ତି । ସେମାନଙ୍କ ଅସନ୍ତୁଷ୍ଟ ହେବାର କାରଣ ବିଜେପି ସରକାର ଏହି ଦୁଇ ରାଜ୍ୟରେ ନିଜର ଚିହ୍ନବର୍ଣ୍ଣ ମଧ୍ୟ ହରାଇବା ସୁନିଶ୍ଚିତ ।

ଆଇନଗତ ପଦକ୍ଷେପ ମଧ୍ୟ କେନ୍ଦ୍ରର ନିଦ ହଜେଇ ଦେଇଛି । କୃଷି ଆଇନ୍‌ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଲାଗୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଗତ ଜାନୁଆରୀ ମାସରେ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ୩ ଜଣିଆ କମିଟି ମଧ୍ୟ ଗଠନ କରିଥିଲେ । ଗତ ମାର୍ଚ୍ଚରେ ଏହି କମିଟି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ହେଲେ ଆଜି ସୁଦ୍ଧା ରିପୋର୍ଟରେ କ’ଣ ରହିଛି ତାହା ସାର୍ବଜନୀନ ହୋଇପାରିନାହିଁ । ଏବେ ବି ଏହି ମାମଲା ବିଚାରଧୀନ ଅଛି । ଯଦି ସୁପ୍ରିମକୋର୍ଟ ଚାଷୀଙ୍କ ସମର୍ଥନ ରାୟ ଦିଅନ୍ତି, ତାହେଲେ ଶୁଖିଲାରେ କେନ୍ଦ୍ର ସରକାରଙ୍କୁ ଅପମାନ ସହିବାକୁ ପଡିଥାନ୍ତା ।

ଲଖିମପୁର-ଖେରୀ ମାମଲା କେନ୍ଦ୍ର ପାଇଁ ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା । ୩ ଅକ୍ଟୋବରେ ହୋଇଥିବା ହିଂସା ଯୋଗୁଁ ଚାଷୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମ୍ପୃକ୍ତି, ବିଜେପିକୁ ପଛଘଚଞ୍ଚା ଦେବାକୁ ବାଧ୍ୟ କରିଥିଲା । ଘଟଣାରେ ପୂରା ପ୍ରକରଣ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଯାଇଥିଲା । ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା, ୟୁପିରେ ବିଜେପି ସରକାରର ସ୍ଥିତି ଟଳମଳ କରିଥିଲା । ଯେତେ ଯୋଜନା ଘୋଷଣା କଲେ ମଧ୍ୟ କିଛି ଫରକ ପଡିନଥିଲା ।

Leave a Reply