ରାଜସ୍ଥାନ ରାଜନିତୀରେ ପୁଣି ଅସ୍ଥିରତା; ଇସ୍ତଫା ଦେଲେ ୩ ବରିଷ୍ଠ ମନ୍ତ୍ରୀ

1 min read

ଜୟପୁରୁ: ରାଜସ୍ଥାନ ରାଜନୀତିରେ ପୁଣି ଅସ୍ଥିରତା ଦେଖା ଦେଇଛି । ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ପୂର୍ବରୁ ଇସ୍ତଫା ଦେଲେ ରାଜସ୍ଥାନର ୩ ବରିଷ୍ଠ ମନ୍ତ୍ରୀ । ସେମାନେ ହେଲେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂ ଦୋତସାରା, ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଓ ରାଜସ୍ବ ମନ୍ତ୍ରୀ ହରିଶ ଚୌଧୁରୀ । ଏହି ତିନି ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଏଥିସହ ସେମାନେ କଂଗ୍ରେସ ସଂଗଠନ ପାଇଁ କାମ କରିବେ ବୋଲି ମଧ୍ୟ କହିଛନ୍ତି ।

କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ମାକେନ କହିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏହି  ୩ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି  । ସେମାନେ ନିଜ ନିଜ ଇସ୍ତଫା ପତ୍ର ଦଳର  ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ହରିଶ ଚୌଧୁରୀଙ୍କୁ ଗତ ମାସରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଏକ ବ୍ୟକ୍ତି ଏକ ପଦବି ନୀତିରେ ସେ ମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ହରିଶ । କିଛି ଦିନ ତଳେ ଶିକ୍ଷକଙ୍କ ଏକ ସମାବେଶରେ ବଦଳି ଲାଗି ଟଙ୍କା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏକ ପ୍ରଶ୍ନ ପଚାରିଥିଲେ । ପ୍ରାୟ ସମସ୍ତ ଶିକ୍ଷକ ବଦଳି ଲାଗି ଟଙ୍କା ଦେବାକୁ ପ୍ରସ୍ତୁତ ବୋଲି କହିବା ପରେ ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସଭାରେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଦୋତସାରା ବି ଉପସ୍ଥିତ ଥିଲେ । ଏହି କାରଣକୁ ନେଇ ତାଙ୍କୁ ମନ୍ତ୍ରୀ ପଦ ଛାଡିବାକୁ ପଡିଛି ବୋଲି କୁହାଯାଉଛି । ସେପଟେ ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟିଛନ୍ତି ଦଳର ଅନ୍ୟତମ ନେତା ସଚିନ ପାଇଲଟ । ଏଥର ସମ୍ପ୍ରସାରଣରେ ସଚିନଙ୍କ ଗୋଷ୍ଠୀକୁ ଗୁରୁତ୍ବ ଦିଆଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟ ମନ୍ତ୍ରିମଣ୍ଡଳରେ ୨୧ ଜଣ ମନ୍ତ୍ରୀ ଥିବାବେଳେ ୯ଟି ପଦବି ଖାଲି ରହିଛି । ଆସନ୍ତା ୨୨ ତାରିଖରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ହାଇକମାଣ୍ଡ ଗ୍ରୀନ ସିଗନାଲ ଦେଇଛନ୍ତି ।

 

Leave a Reply