spot_img
Home Blog Page 4981

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଡିଲ୍ କରୁଥିବା ବେଳେ ମାଡ଼ିବସିଲା STF

0

ବରଗଡ଼: ବରଗଡ଼ ଜିଲ୍ଲା ଘେଁସ ରେଞ୍ଜ ଜାମପାଲିରୁ ଏକ ଜୀଅନ୍ତା ବଜ୍ରକାପ୍ତା ଉଦ୍ଧାରହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବନ ବିଭାଗ ମିଳିତ ଚଢାଉ କରି ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜମାପାଲିର ମାକୁନ ଓରଫ ବାଦଲ ବରିଆ ।

ଅଭିଯୁକ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ, ତାକୁ କାବୁ କରିଛି ଏସଟିଏଫ୍ । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ୮ କେଜି ୨ଶହ ଗ୍ରାମ । ତେବେ ଗତ ବର୍ଷ ମଧ୍ୟରେ ୧୯ଟି କଲରାପତରିଆ ଛାଲ, ୧୦ଟି ହାତୀ ଦାନ୍ତ, ୨ଟି ହରିଲ ଛାଲ, ୬ଟି ଜୀବନ୍ତ ବଜ୍ରକାପ୍ତା, ୧୫ ବଜ୍ରକାପ୍ତା କାତି ଜବତ ହୋଇଥିବା ବେଳେ, ୪୦ ଜଣଙ୍କୁ ଗିରଫ କରାଗଲାଣି ।

 

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା, ସାବଧାନତା ଓ ସତର୍କତା ସହ ଉତ୍ସବ ପାଳନ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: କାଳୀପୂଜା ଓ ଦୀପାବଳି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋକର ପର୍ବ ସମସ୍ତଙ୍କ ଜୀବନରେ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି କାମନା କରିଛନ୍ତି ନବୀନ । ଏଥିସହ ସାବଧାନତା ଓ ସତର୍କତା ବଜାୟରଖି ଉତ୍ସବ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ” ‘ମା’ କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସାବଧାନତା ଓ ସତର୍କତା ବଜାୟ ରଖି ଉତ୍ସବରେ ସାମିଲ ହୁଅନ୍ତୁ। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ଶୁଭଦୀପାବଳି । “

ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି  ସେ ରାଜ୍ୟବାସୀଙ୍କୁ କାଳୀପୂଜା ଓ ଦୀପାବଳିର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆନନ୍ଦ ଓ ଆଲୋକର ପର୍ବ ସମସ୍ତଙ୍କ ଜୀବନକୁ ଆଲୋକିତ କରିବାକୁ କାମନା କରିଛନ୍ତି ପ୍ରଣବ।

 

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ରାଜ୍ୟବାସୀଙ୍କୁ ଦୀପାବଳି ଓ କାଳୀପୂଜାର ଶୁଭେଚ୍ଛା ଜଣାଇଛନ୍ତି । ଆଲୋକର ପର୍ବ ସମସ୍ତଙ୍କ ଜୀବନକୁ ଖୁସି ଓ ସଫଳତାରେ ପରିପୂର୍ଣ୍ଣ କରୁ ବୋଲି ସେ କହିଛନ୍ତି ।

ବୈଜ୍ଞାନିକ ଦେଲେ ଚେତାବନୀ; ୭୯ ବର୍ଷ ପରେ ଆସିବ ମହାପ୍ରଳୟ

ନୂଆଦିଲ୍ଳୀ: ଏହି ଶତାବ୍ଦୀ ଅନ୍ତ ସୁଦ୍ଧା ପୃଥିବୀରେ ଭୟଙ୍କର ବିପର୍ଯ୍ୟୟ ଘଟିବ। ଏହି କଥାକୁ ନେଇ ଏବେ ସାରା ବିଶ୍ବର ବୈଜ୍ଞାନିକ ଚିନ୍ତାରେ । ବିଜ୍ଞାନ ରିପୋର୍ଟ ପ୍ରକାଶ କରୁଥିବା ବିଶ୍ବର ସବୁଠାରୁ ବଡ଼ ମାଗାଜିନ୍ NATURE ତରଫରୁ ଏକ ସର୍ଭେ କରାଯାଇଥିଲା । ତେବେ ଏହି ସର୍ଭେ ସାଧାରଣ ଲୋକ କରିନଥିଲେ । IPCCର ଜଳବାୟୁ ରିପୋର୍ଟ କରୁଥିବା ବୈଜ୍ଞାନିକମାନେ କରିଥିଲେ ଏହି ସର୍ଭେ । IPCCର ୨୩୪ ଜଣ ବୈଜ୍ଞାନିକ ଏହି ରିପୋର୍ଟ ତିଆରି କରିଥିଲେ । ଏହି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି ଯେପରି ଭାବରେ ଗ୍ଲେବାଲ ଓ୍ବାର୍ମିଂ ହେଉଛି ସେଥିପାଇଁ ୨୧୦୦ ସୁଦ୍ଧା ପୃଥିବୀରେ ଭୟଙ୍କର ପରିବର୍ତ୍ତନ ହେବ ।  ଏହା କୌଣସି ବିପର୍ଯ୍ୟୟଠାରୁ ମଧ୍ୟ କମ୍ ନୁହେଁ ବୋଲି ସେହି ବୈଜ୍ଞାନିକମାନେ କହିଛନ୍ତି । କଲମ୍ବିଆର ମେଡିଲନରେ ଅବସ୍ଥିତ ଆଣ୍ଟିକେଆ ବିଶ୍ବବିଦ୍ୟାଳୟର ଗବେଷକ ପାଓଲା ଅରିୟସ କହିଛନ୍ତି କି ବିଶ୍ବ ଦ୍ରୁତ ଗତିରେ ବଦଳୁଛି । ଆବଶ୍ୟକତା ମଧ୍ୟ ବଦଳୁଛି । ପ୍ରଦୂଷଣ ଏବଂ ତାପମାତ୍ରା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେହି ଅନୁସାରେ ଏଠାରେ ବଞ୍ଚିବା କଷ୍ଟସାଧ୍ୟ ହେବ । ସବୁବେଳେ ବଦଳୁଥିବା ବର୍ଷାର ପରିମାଣ ପାଇଁ ଜଳର ଅଭାବ ମଧ୍ୟ ରହିଛି । ଆଗକୁ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ।

ପାଓଲା ଚେତାବନୀ ଦେଇଛନ୍ତି କି ଯେପରି ଭାବରେ ବିଶ୍ବ ତାପମାତ୍ରା ବୃଦ୍ଧି ବଢ଼ୁଛି, ସମୁଦ୍ରର ଜଳସ୍ତର ମଧ୍ୟ ସେହି ଅନୁସାରେ ବଢ଼ୁଛି । ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ବିଶ୍ବ ନେତାମାନେ ଅଧିକ ସକ୍ରିୟ ବୋଲି ମୁଁ ଭାବୁ ନାହିଁ ବୋଲି କହିଛନ୍ତି ପାଓଲା । ବିଶ୍ବନେତା ଧୀରେ ଧୀରେ ଏହା ଉପରେ କାମ କରୁଛନ୍ତି । ଏହି ଗତିରେ କାମ କଲେ ପୃଥିବୀକୁ ରକ୍ଷା କରିପାରିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଲୋକମାନେ ବହୁ ପରିମାଣରେ ବିସ୍ଥାପିତ ହେଉଛନ୍ତି । ଆଇପିସିର ଜଳବାୟୁ ରିପୋର୍ଟ ଅନୁଯାୟୀ ପୃଥିବୀକୁ ବଞ୍ଚାଇବା ପାଇଁ ମଣିଷ ପାଖରେ ଆଉ ଅଧିକ ସମୟ ବାକି ନାହିଁ ।

ପାଓଲା ଅରିୟସଙ୍କ ଏହି ମନ୍ତବ୍ୟ ଉପରେ ସହମତି ପ୍ରକାଶ କରିଛନ୍ତି ଆଉ ଜଣେ ବୈଜ୍ଞାନିକ । ଗତମାସରେ ଏହି ଜଳବାୟୁ ରିପୋର୍ଟ କରିଥିବା ୨୩୩ ବୈଜ୍ଞାନିକ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୯୨ ଜଣ ବୈଜ୍ଞାନିକ ଅର୍ଥାତ ୪୦ ପ୍ରତିଶତ ବୈଜ୍ଞାନିକ କହିଛନ୍ତି କି ୨୧୦୦ ସୁଦ୍ଧା ବିଶ୍ବ ଭୟଙ୍କର ବିପର୍ଯ୍ୟୟର ସାମ୍ନା କରିବ। ଯାହା ଫଳରେ ଅନେକ ଦେଶ ଧ୍ବଂସ ହୋଇଯିବ । ବାଦଲ ଫଟା ବର୍ଷା, ସୁନାମୀ, ଉଚ୍ଚ ତାପମାତ୍ରା , ବନ୍ୟା, ମରୁଡି ଭଳି ସମସ୍ୟା ଦ୍ବାରା ମଣିଷମାନେ ଅସୁବିଧାରେ ପଡ଼ିବେ । ଯେଉଁ ବୈଜ୍ଞାନିକମାନେ ଏହି କଥା କହିଥିଲେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ବୈଜ୍ଞାନିକ କହିଛନ୍ତି କି ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ । ତେବେ ୮୮ ପ୍ରତିଶତ ବୈଜ୍ଞାନିକ କହିଛନ୍ତି କି ଗ୍ଲୋବଲ ଓ୍ବାର୍ମିଂ ପାଇଁ ଜଳ ପ୍ରଳୟ ଭଳି ବିପର୍ଯ୍ୟୟ ଆସିବ । ଜଳବାୟୁ ପରିବର୍ତ୍ତନ ଆଗାମୀ ପୀଢ଼ିକୁ ବହୁତ ହନ୍ତସନ୍ତ କରିବ । ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପମାତ୍ରା ବୃଦ୍ଧି ପାଇଁ ଅନେକ ବୈଜ୍ଞାନିକ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରିଛନ୍ତି । ଜୀବନଶୈଳୀ ବଦଳାଇବା ପ୍ରସଙ୍ଗରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସନ୍ତାନ ଜନ୍ମ ଦେବେ କି ନାହିଁ । କାରଣ ଆମେ ଆମ ପିଲାଙ୍କୁ ଭଲ ଭବିଷ୍ୟତ ଦେଇ ପାରିବୁ ନାହିଁ, ତେଣୁ ସେମାନଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଏହି ଦୁନିଆକୁ ଆଣିବାର ଆବଶ୍ୟକତା କ’ଣ? ପ୍ରତିକ୍ରିୟା ଦେଇଥିବା ବୈଜ୍ଞାନିକଙ୍କ ମଧ୍ୟରୁ ୬୦ ପ୍ରତିଶତ ବୈଜ୍ଞାନିକ କହିଛନ୍ତି କି ଜଳବାୟୁ ପରିବର୍ତ୍ତନ ବିଷୟରେ ଚିନ୍ତା କଲାବେଳେ ସେମାନେ ଅସ୍ଥିରତା, ଦୁଃଖ ଓ ଚାପ ଅନୁଭବ କରନ୍ତି ।

ପାଓଲା ଅରିୟସ ଆହୁରି କହିଛନ୍ତି କି ଭେନେଜୁଏଲା ପରି ରାଜନୈତିକ ଅସ୍ଥିର ଦେଶରେ ଅବସ୍ଥା ଆହୁରି ଖରାପ ହେବ । ଖାଦ୍ୟ ଏବଂ ସେଠାରେ ରହିବାରେ ଏକ ବଡ଼ ସମସ୍ୟା ହେବ। ସେହିଭଳି ସେହି ଦେଶଗୁଡିକ ଏହି ବିଷୟରେ ଚିନ୍ତା କରନ୍ତୁ ଯେଉଁଠାରେ ପ୍ରତିଦିନ କିଛି ନା କିଛି ରୋଗ ବ୍ୟାପିଥାଏ । ତେବେ ଏଭଳି ସ୍ଥିତିରେ ଯଦି ପ୍ରକୃତି ସହଯୋଗ ନ କରେ ତାହାଲେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ । ଆମେରିକା, ଚୀନ, ୟୁରୋପିୟାନ ୟୁନିୟନ ସମେତ ଅନେକ ଦେଶ ଗ୍ରୀନ୍ ହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବାକୁ ପ୍ରତିଶୃତି ଦେଇଛନ୍ତି ।

 

 

ଖୁବ୍ ଶୀଘ୍ର ପିଲାଙ୍କ ପାଇଁ କୋଭାକ୍ସିନକୁ ମିଳିପାରେ ‘WHO’ର ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: କୋଭାକ୍ସିନକୁ ନେଇ ପୁଣି ଆସିପାରେ ଆଉ ଏକ ବଡ଼ ନିଷ୍ପତ୍ତି। ଖୁବ୍ ଶୀଘ୍ର ପିଲାଙ୍କୁ କୋଭାକ୍ସିନ ଦେବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗ୍ରୀନ ସିଗନାଲ ଦେଇପାରେ । ଏନେଇ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି । ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲା। ଏହା ଦ୍ୱାରା ସାରା ବିଶ୍ୱରେ କୋଭାକ୍ସିନର ଗ୍ରହଣୀୟତା ବଢିବା ସହ ପୃଥିବୀର କୌଣସି ଦେଶକୁ ଗଲେ ବି କୋଭାକ୍ସିନ ନେଇଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ସେ କହିଛନ୍ତି କୋଭାକ୍ସିନକୁ ଅନୁମତି ଦେବା ଲାଗି ‘ହୁ’ ଅନେକ ସମୟ ନେଇଛି। ଚୀନ ଦ୍ୱାରା ପ୍ରସ୍ତୁତ ଟିକାକୁ ‘ହୁ’ ଆଗୁଆ ଅନୁମତି ଦେଇଥିବା ପ୍ରସଙ୍ଗରେ ସେ କହିଛନ୍ତି ସାଧାରଣତଃ ଟିକାକୁ ଅନୁମତି ଦେବା ଲାଗି ୫୦ ରୁ ୬୦ ଦିନ ସମୟ ଲାଗିଥାଏ। ବେଳେ ବେଳେ ଏହା ୧୬୫ ଦିନ ହୋଇଥାଏ । ଚୀନର ସିନୋଫାର୍ମ ଓ ସିନୋଭାକ ଟିକାକୁ ୧୫୦ ଦିନ ପରେ ଅନୁମତି ଦିଆଯାଇଥିଲା। ଗର୍ଭବତୀଙ୍କ ଲାଗି କୋଭାକ୍ସିନ ନିରାପଦ କି ନାହିଁ ସେହି ପ୍ରସଙ୍ଗରେ ସ୍ୱାମୀନାଥନ କହିଛନ୍ତି, ଏବେ ବି ଏହାର ପ୍ରଭାବ ସମ୍ପର୍କରେ ଗବେଷଣା ଜାରି ରହିଛି। ଭାରତରେ ଅନେକ ଗର୍ଭବତୀ କୋଭାକ୍ସିନ ନେଇଛନ୍ତି। ଏହାର ଫଳାଫଳ ନେଇ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେହିପରି ଶିଶୁ ଓ ନବଜାତଙ୍କ କ୍ଷେତ୍ରରେ କୋଭାକ୍ସିନର ପ୍ରଭାବ ନେଇ ବିଭିନ୍ନ ତଥ୍ୟକୁ ସମୀକ୍ଷା କରାଯାଉଛି। ଏସଂକ୍ରାନ୍ତ ସମସ୍ତ ତଥ୍ୟ ଆସିଲେ ଖୁବ ଶୀଘ୍ର ପିଲାଙ୍କୁ ଟିକା ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।

ରାଜଧାନୀରେ ଗୁଣ୍ଡାଙ୍କ ଆତଙ୍କରାଜ, ଆପାର୍ଟମେଣ୍ଟରେ ପଶି କଲେ ପଥରମାଡ଼

ଭୁବନେଶ୍ୱର: ଭୁବନେଶ୍ୱର ଆପର୍ଟମେଣ୍ଟରେ ଯୁବକଙ୍କ ଆତଙ୍କରାଜ। ସହିଦନଗର ଥାନା ବାଙ୍କୁଆଳରେ ଥିବା ଏକ ଆପର୍ଟମେଣ୍ଟରେ ଟେକା ପଥର ମାଡ଼ କରିବା ସହ ଭଙ୍ଗାରୁଜା କରିଛନ୍ତି କିଛି ଯୁବକ। ଏନେଇ ଆପର୍ଟମେଣ୍ଟ ବାସିନ୍ଦା ଥାନାରେ ଏତଲା ଦେଇଛନ୍ତି।

ସୂଚନା ମୁତାବକ ୨ ଜଣ ଯୁବକ ଗତକାଲି ଅପରାହ୍ଣ ପ୍ରାୟ ୪ଟା ସମୟରେ ଏକ ଆପାର୍ଟମେଣ୍ଟ ଭିତରେ ପଶି ହଠାତ ଟେକା ପଥର ମାଡ଼ କରିବା ସହ ପାର୍କିଂରେ ଥିବା ସାଇକେଲ ଓ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ଆପାର୍ଟମେଣ୍ଟରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡ଼ଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସେଠି ରହୁଥିବା ଲୋକମାନେ ଭୟଭୀତ ହୋଇଯାଇଛନ୍ତି ଓ ଏ ନେଇ ଥାନାରେ ଏତଲା ବି ଦେଇଛନ୍ତି ।

ସୋଶିଆଲ ମିଡିଆରେ ଏ ନେଇ ଏକ ଭିଡିଓ ବି ଭାଇରାଲ ହେଉଛି । ତେବେ ଏହି ଭିଡିଓ ଆଧାରରେ ପୋଲିସ ଏହି ଦୁଇ ଯୁବକଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ଗିରଫ କରିବାକୁ ତଦନ୍ତ ଚଲାଇଛି। ତେବେ ଏହି ୨ ଦୁର୍ବୃତ୍ତ ଦୁଇଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ସନ୍ଦେହ କରାଯାଉଛି।

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ମୁଖ୍ୟ କିରାଣୀ, ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ

କନ୍ଧମାଳ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDA ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି । ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ଠିକାଦାରଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ  ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଠିକାଦାର ପଦ୍ମଚରଣ ପାଣିଗ୍ରାହୀଙ୍କ ସିକ୍ୟୁରିଟି ଟଙ୍କା ବିଭାଗରେ ଥିଲା ତେବେ ସେହି ଟଙ୍କା ଫେରସ୍ତ ପାଇଁ କିରାଣୀଙ୍କ ନିକଟକୁ ଯାଇଥିଲେ ଠିକାଦାର। ବିଲ୍ କରାଇଦେବା ପୂର୍ବରୁ ଠିକାଦାର ୨ ହଜାର ଟଙ୍କା ଦେଇଥିବା ବେଳେ ଆଉ ୬ ହଜାର ଟଙ୍କା ଦେଲେ ବିଲ୍ ହେବ ବୋଲି କିରାଣି ବସନ୍ତ ପାଣି କହିଥିଲେ।

ଗତକାଲି ବକେୟା ୬ ହଜାର ଟଙ୍କା ନେବା ବେଳେ ଫୁଲବାଣୀ ଭିଜିଲାନ୍ସ କିରାଣିଣୀ ବସନ୍ତଙ୍କୁ ଗିରଫ କରିଥିଲା । ଏହାପରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ ନାୟକଙ୍କ ନେତୃତ୍ୱରେ ୫ ଜଣିଆ ଟିମ କିରାଣି ବସନ୍ତଙ୍କ ବାସଭବନରେ ଚଢ଼ାଉ କରିଥିଲେ। ରେଡ୍ ବେଳେ ମିଳିଛି ନଗଦ ୧୩ ଲକ୍ଷ ୨୮ ହଜାର ଟଙ୍କା ସହ ୩୦ ଗ୍ରାମରୁ ଅଧିକ ସୁନା ଗହଣା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଆଫଗାନିସ୍ତାନ ମ୍ୟାଚରେ ନୂଆ ରେକର୍ଡ କଲେ ରୋହିତ ଓ ରାହୁଲ

ଦୁବାଇ: ଛୋଟି ଦିଓ୍ବାଲୀରେ ଭାରତର ବଡ଼ ବିଜୟ । ଚଳିତ ଟି-୨୦ ବିଶ୍ବକପରେ ଲଗାତର ଭାବରେ ଦୁଇଟି ମ୍ୟାଚ ହାରିବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି ଟିମ୍ ଇଣ୍ଡିଆ । ଗତକାଲି ଆଫଗାନିସ୍ତାନ ବିପକ୍ଷରେ ଭାରତ ଏକ ଦମଦାର ବିଜୟ ଲାଭ କରିଛି ।  ତେବେ ଏହି ବିଜୟ ସହ ଭାରତୀୟ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଗତକାଲି ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ ଦମଦାର ଆରମ୍ଭ କରିଥିଲେ ରୋହିତ-ରାହୁଲ । ଆଫଗାନିସ୍ତାନ ବିପକ୍ଷରେ ଏହି ଦୁଇ ଓପନର ୧୪୦ ରନର ପାର୍ଟନରସିପ୍ କରିଥିଲେ । ରୋହିତ ଶର୍ମା ୪୭ ବଲରେ ୭୪ ରନ କରି ଆଉଟ ହୋଇଥିଲେ । ଯେଉଁଥିରେ ସେ ୮ଟି ଚୌକା ଏବଂ ୩ଟି ଛକା ମାରିଥିଲେ । ସେହିପରି ଭାବରେ କେଏଲ ରାହୁଲ ୪୮ ବଲରେ ୬୯ ରନ କରିଥିଲେ । ଯେଉଁଥିରେ ୬ଟି ଚୌକା ଏବଂ ଦୁଇଟି ଛକା ରହିଛି ।

ଆଫଗାନିସ୍ତାନ ବିପକ୍ଷରେ ରାହୁଲ-ରୋହିତଙ୍କ ମଧ୍ୟରେ ଏକ ଶତକୀୟ ପାର୍ଟନରସିପ ହୋଇଥିଲା । ଟି-୨୦ ଅନ୍ତର୍ଜାତୀୟରେ ଏହା ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଚତୁର୍ଥ ଶତକୀୟ ପାର୍ଟନରସିପ୍ । ଭାରତ ପକ୍ଷରୁ ଏହା ପୂର୍ବରୁ ରୋହିତ ଶର୍ମା ଓ ଶିଖର ଧାଓ୍ବନ ମଧ୍ୟ ଚାରୋଟି ଶତକୀୟ ପାର୍ଟନରସିପ୍ କରିଥିଲେ । ରୋହିତ ଶର୍ମା ଓ କେଏଲ ରାହୁଲ ୨୩ଟି ମ୍ୟାଚରେ ୧୨୦୦ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ଚାରୋଟି ଶତକୀୟ ଓ ୫ଟି ଅର୍ଦ୍ଧଶତକୀୟ ପାର୍ଟନରସିପ ରହିଛି ।ତେବେ ଗତକାଲି ମ୍ୟାଚରେ ଉଭୟ ରୋହିତ ଓ ରାହୁଲ ୧୪୦ ରନର ପାର୍ଟନରସିପ୍ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ ଏହା ଥିଲା ସବୁଠାରୁ ବଡ଼ ପାର୍ଟନରସିପ୍ । ଏହା ପୂର୍ବରୁ ଏହି ରେକର୍ଡ ବିରେନ୍ଦ୍ର ସେହଓ୍ବାଗ ଓ ଗୌତମ ଗମ୍ଭୀରଙ୍କ ନାମରେ ଥିଲା । ସେହଓ୍ବାଗ ଓ ଗମ୍ଭୀର ଇଂଲଣ୍ଡ ବିପକ୍ଷରେ ୧୩୬ ରନର ପାର୍ଟନରସିପ୍ କରିଥିଲେ

କେନାଲକୁ ଖସିଲା କାର୍, ୨ ଯାତ୍ରୀ ନିଖୋଜ

ଖୋର୍ଦ୍ଧା : ବାଲିଅନ୍ତା ଥାନା ପୁରୀ ମୁଖ୍ୟ କେନାଲକୁ ଖସିଲା କାର୍ । ଦୁର୍ଘଟଣାରେ କାରଟି କେନାଲ ଭିତରେ ବୁଡି ରହିବା ପରେ ୨ ଘଣ୍ଟା ପରେ କ୍ରେନ୍ ଯୋଗେ ଉପରଣକୁ ଅଣାଯାଇଛି । ମାତ୍ର କାର ମଧ୍ୟରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଖୋଜ ଖବର ମିଳିନି। ନିଖୋଜ ଦୁଇ ବ୍ୟକ୍ତି ହେଉଛନ୍ତି ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦିପ କୁମାର ଏବଂ କର୍ମଚାରୀ ମହେନ୍ଦ୍ର କୁମାର।

ଗତକାଲି ରାତି ପ୍ରାୟ ୧୨ଟା ପରେ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଦୁଇଟି କାର୍ ଶିବ ଶକ୍ତି ନଗରକୁ ଯାଉଥିଲା । ପୁରୀ ମୁଖ୍ୟ କେନାଲ୍‌ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ୍‌ ମଧ୍ୟକୁ ଖସିଯାଇଥିଲା । କେନାଲର ଗଭୀର ଜଳରେ କାରଟି ବୁଡି ଯାଇଥିଲା । ସ୍ଥାନୀୟ ସିକ୍ୟୁରିଟି ଗାର୍ଡ ଏହାକୁ ଦେଖି ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ଯୋଗେ କାରକୁ ପାଣି ଭିତରୁ ବାହାର କରିଥିଲା । ହେଲେ କାର ଭିତରେ ଥିବା ୨ ଜଣଙ୍କ ପତ୍ତା ମିଳିନି ।

କମିଲା ପେଟ୍ରୋଲ ଓ ଡିଜେଲ ଦର, ମଧ୍ୟରାତ୍ରୀରେ ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ: ଉପନିର୍ବାଚନ ପରାଜୟ ପରେ ବୁଦ୍ଧି ଶିଖିଲେ କେନ୍ଦ୍ର ସରକାର । ତୈଳ ଦର ଉପରୁ ଏକସାଇଜ୍ ଡ୍ୟୁଟି କମାଇଛି କେନ୍ଦ୍ର । ପେଟ୍ରୋଲ ଓ ଡିଜେଲ ଦର କମିଛି । ଫଳରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ କରାଯାଇଛି। ଏହା ସହିତ ରାଜ୍ୟ ମାନଙ୍କୁ ଭାଟ କମାଇବାକୁ କେନ୍ଦ୍ର ସରକାର ଅପିଲ କରିଛନ୍ତି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଛି ।

ତେବେ ବର୍ତ୍ତମାନ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୧୦୪ ଟଙ୍କା ୮୮ ପଇସା ଓ ଡିଜେଲ ଲିଟର ପିଛା ଦର ୯୪ ଟଙ୍କା ୫୧ ପଇସାକୁ ହ୍ରାସ ପାଇଛି । ପୂର୍ବରୁ ପେଟ୍ରୋଲ ଲିଟର ୧୧୧ ଟଙ୍କା ୩ ପଇସା ଥିଲା। ଓ ଡିଜେଲ ଦର ଲିଟର ପିଛା ୧୦୭ ଟଙ୍କା ୩୮ ପଇସା ଥିଲା । ଏହି ନୂଆ ଦର ଗତକାଲି ରାତି ୧୨ଟାରେ ଲାଗୁ ହୋଇଛି। ଫଳରେ ଲଗାତାର ବଢୁଥିବା ତୈଳ ଦର ଚିନ୍ତାରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ଖାଉଟି । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ପହଞ୍ଚିଥିଲା। ଫଳରେ ଅସନ୍ତୋଷ ପ୍ରକାଶ କରିଥିଲେ ଜନତା ।

 

 

କେନ୍ଦ୍ର ସରକାରଙ୍କ ପରେ ବିଭିନ୍ନ ରାଜ୍ୟ ସରକାର ଦେଲେ ପେଟ୍ରୋଲ-ଡିଜେଲ ଉପରେ ଆଶ୍ବସ୍ତି

ନୂଆଦିଲ୍ଲୀ: ଦୀପାବଳିରେ ସାଧାରଣ ଲୋକଙ୍କୁ ଗିପ୍ଟ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ-ଡିଜେଲ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିଲା । ତେବେ ଏ ଭିତରେ କେନ୍ଦ୍ର ସରକାର ଗତକାଲି ଏହାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିର ପୂର୍ବ ସନ୍ଧ୍ୟାରୁ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ଆସନ୍ତା କାଲିଠାରୁ ପେଟ୍ରୋଲରେ ପ୍ରତି ଲିଟର ପିଛା ୫ ଟଙ୍କା କମିଥିବା ବେଳେ ଡିଜେଲରେ ପ୍ରତି ଲିଟର ପିଛା ୧୦ ଟଙ୍କା ହ୍ରାସ ପାଇଛି । କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମ୍ କରିଥିବାବେଳେ କିଛି ରାଜ୍ୟ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି । ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉତ୍ତରପ୍ରଦେଶ, ଗୋଆ ସମେତ ବିହାର, ଆସାମ, ତ୍ରିପୁରା, ମଣିପୁର ଏବଂ କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି । ଉତ୍ତରପ୍ରଦେଶ ଓ ଗୋଆ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ସବୁଠୁ ଅଧିକ ଭାଟ୍ ଛାଡିଥିବାବେଳେ ବିହାର ସବୁଠୁ କମ୍ ଭାଟ୍ ହ୍ରାସ କରିଛି । ୟୁପି ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୧୨ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି । ଗୋଆ ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ ହ୍ରାସ କରିବ ବୋଲି ଘୋଷଣା କରିଛି । ଏଥିସହ ଉତ୍ତରାଖଣ୍ଡ ଓ ସିକ୍କିମ ମଧ୍ୟ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ ହ୍ରାସ କରିବା ପାଇଁ ଘୋଷଣା କରିଛି ।  ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଟୁଇଟ କରି ପେଟ୍ରୋଲ-ଡିଜେଲ ଉପରୁ ୭ ଟଙ୍କା ଭାଟ୍ ହ୍ରାସ ହୋଇଛି ବୋଲି ଘୋଷଣା କରିଛନ୍ତି ।

ବିହାର ସରକାର ସବୁଠାରୁ କମ୍ ଭାଟ୍ ହ୍ରାସ କରିଛି । ବିହାର ସରକାର ପେଟ୍ରୋଲ ଲିଟର ପ୍ରତି ୧  ଟଙ୍କା ୩୦ ପଇସା କମ୍ କରିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ୧ ଟଙ୍କା ୯୦ ପଇସା କମ୍ କରିଛି । ବିହାର ପରେ ଆସାମ ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ଶସ୍ତା କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ପେଟ୍ରୋଲ-ଡିଜେଲରେ ପ୍ରତି ଲିଟରେ ୭ ଟଙ୍କା କମ୍ କରିଛନ୍ତି । ସେହିପରି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଟୁଇଟ କରି ପେଟ୍ରୋଲ-ଡିଜେଲ ପ୍ରତି ଲିଟରରେ ୭ ଟଙ୍କା କମ୍ କରିଛନ୍ତି ।

କର୍ଣ୍ଣାଟକ ସରକାର ମଧ୍ୟ ଉଭୟ ପେଟ୍ରୋଲ-ଡିଜେଲରେ ପ୍ରତି ଲିଟରରେ ୭ ଟଙ୍କା ହ୍ରାସ କରିଛନ୍ତି ।  ୭ ଟଙ୍କା ହ୍ରାସ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଟୁଇଟ କରି କହିଛନ୍ତି ।

ସେହିପରି ମଣିପୁର ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ପ୍ରତି ଲିଟର ପିଛା ୭ ଟଙ୍କା କମ୍ କରିଛନ୍ତି । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ  ଏନ୍.ବିରେନ ସିଂ ଟୁଇଟ କରି କହିଛନ୍ତି ।