ସେନା ହେଲିକପ୍ଟରର ଶେଷ ମୁହୂର୍ତ୍ତର ଭିଡ଼ିଓ, କୁହୁଡି ଭିତରେ ରାସ୍ତା ଖୋଜୁଥିଲା ରାୱତଙ୍କ ଚପର୍

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।ନୀଳଗିରି ଜଙ୍ଗଲରେ ଜଣେ ପର୍ଯ୍ୟଟକଙ୍କ ମୋବାଇଲରେ କଏଦ ହୋଇଛି ଦୁର୍ଘଟଣା ପୂର୍ବର ଲୋମହର୍ଷଣକାରୀ ମୁହୂର୍ତ୍ତ। ଚପରଟି କୁହୁଡି ବଳୟରେ ଖୁବ୍ ତଳେ ଉଡୁଥିବା ନେଇ ଉକ୍ତ ଭିଡ଼ିଓରେ  ଦେଖିବାକୁ ମିଳୁଛି। ଭିଡିଓଟି ଅଳ୍ପ କେଇ ସେକେଣ୍ଡର ହୋଇଥିବା ବେଳେ ଏଥିରେ ଚପରଟି ଗୋଟିଏ ଗଛରେ ଧକ୍କା ହେଉଥିବା ନଜର ଆସିଛି ।

ଅପରପକ୍ଷେ ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ବୁଧବାର ଦ୍ୱିପ୍ରହର ୧୨ଟା ୮ମି. ସମୟରେ ରାୱତଙ୍କ ଚପର ସହ ଏଟିସିର ସମ୍ପର୍କ ସ୍ଥାପନା ବିଚ୍ଛିନ୍ନ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ହେଲିକପ୍ଟରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ଜଣେ ମାତ୍ର ଯବାନ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ୱେଲିଂଟନ୍ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ରହିଛନ୍ତି।

ହେଲିକପ୍ଟରଟି ଗଛରେ ପିଟି ହୋଇଥିଲା
କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ହେଲିକପ୍ଟରଟି ଖୁବ୍ ଜୋରରେ ଗଛରେ ପିଟିହୋଇଥିଲା। ଯାହା ପରେ ବିସ୍ଫୋରଣ ଘଟିଥିଲା। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ହେଲିକପ୍ଟରରୁ ଜଳୁଥିବା ଲୋକଙ୍କୁ ପଡିବାର ଦେଖିଛନ୍ତି ।

ଏହି ଘଟଣାରେ ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶୀ କୃଷ୍ଣସ୍ୱାମୀ କହିଛନ୍ତି ଯେ ‘ମୁଁ ମୋ ଘରେ ଥିଲି। ସେତେବେଳେ ଜୋରରେ ଏକ ଶବ୍ଦ ଶୁଣାଯାଇଥିଲା। ବାହାରକୁ ଆସି ଦେଖିଲା ବେଳକୁ ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଟିଏ ପରେ ଗୋଟିଏ କରି ଦୁଇଟି ଗଛ ପଡିଥିଲା । ହେଲିକପ୍ଟରରେ ନିଆଁ ଲାଗିଥିଲା ବେଳେ ସେଥିରୁ ଦୁଇରୁ ତିନି ଜଣ ବାହାରକୁ ବାହାରିଥିଲେ, ଯେଉଁମାନଙ୍କ ଦେହରେ ନିଆଁ ଲାଗିଥିବା ନଜର ଆସିଥିଲା। ତତକ୍ଷଣାତ୍ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଡାକ ପକାଇଥିଲି। ଏହା ପରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା।

 

Leave a Reply