spot_img
Home Blog Page 4940

ବାଦଶାହାଙ୍କ ନାମରେ ଚାର୍ଜସିଟ୍; ୭୨ ଲକ୍ଷ ଫେକ୍ ଭିଉଜ୍ ପାଇଁ ୭୪ ଲକ୍ଷ ଟଙ୍କା

ମୁମ୍ବାଇ: ବଢିଲା ବାଦଶାହାଙ୍କ ଅଡ଼ୁଆ । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ରାପର ବାଦଶାହାଙ୍କ ବିରୋଧରେ ଦାଖଲ କରିଛି ୪୪୬ ପୃଷ୍ଠାର ଚାର୍ଜସିଟ । ଜାଲ୍ ଦର୍ଶକ ବା ଫେକ୍ ଭିଉଜ ମାମଲାରେ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ସାଉଁଟିଛି କ୍ରାଇମବ୍ରାଞ୍ଚ । ଏକ ଭିଡିଓର ଲୋକପ୍ରିୟତା ବଢାଇବା ସହ ୭୨ ଲକ୍ଷ ଫେକ୍ ଭିଉଜ୍ ଲାଗି ଆଦିତ୍ୟ ପ୍ରତୀକ ସିଂ ଓରଫ ବାଦଶାହା ପ୍ରଦାନ କରିଥିଲେ ୭୪ ଲକ୍ଷ ଟଙ୍କା । ଏହି ମାମଲାର ୫ ଅଭିଯୁକ୍ତ, ୩୬ ଜଣ ସାକ୍ଷୀଙ୍କୁ ଜେରା ପରେ ଏହି ଚାର୍ଜସିଟ ଦାଖଲ କରାଯାଇଛି ।

ଏହି ମାମଲାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇଥିବା ବେଳେ, ବାଦଶାହା ଓ କୋଏନା ମିତ୍ର ସାକ୍ଷୀ ଭାବେ ରହିଛନ୍ତି । ଜଣେ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ନିକଟରେ କହିଛନ୍ତି ସେ ଏହି ଗୀତର ଭିଉଜ୍ ବଢାଇବା ଲାଗି ୭ରୁ ୮ ଜଣ ଫଲୋର୍ସଙ୍କୁ ନିୟୋଜିତ କରିଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ତଥା ବୈଷୟିକ ସହଯୋଗୀ ବୟାନ ଦେଇଥିଲେ ଯେ, ଏହି ଘଟଣାରେ କିଛି ସେଲିବ୍ରେଟି ସମ୍ପୃକ୍ତ ଥିଲେ ମଧ୍ୟ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯାଉନାହିଁ । ବାଦଶାହାଙ୍କ ଲାଗି କାମ କରିଥିବା କମ୍ପାନୀର ସିଏଫଓ କହିଛନ୍ତି, ଭିଡିଓର ଭିଉଜ ବଢାଇବା ଲାଗି ତାଙ୍କୁ ବାଦଶାହା ୭୪ ଲକ୍ଷ ୨୬ ହଜାର ୩୭୦ଟଙ୍କା ପ୍ରଦାନ କରିଥିଲେ । ଏକ ଜାଲ୍ ଆଇଡି ଜରିଆରେ ଇନଷ୍ଟାଗ୍ରାମରେ ଲୋକଙ୍କ ସହ ଯୋଗସୂତ୍ର ରକ୍ଷା କରୁଛନ୍ତି ବୋଲି ଗୀତର ଗାୟିକା ଭୂମି ତ୍ରିବେଦୀ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏହାର ପର୍ଦ୍ଦାଫାସ୍ ହୋଇଥିଲା । ଜେରା ବେଳେ ଖୋଦ୍ ବାଦଶାହା ସ୍ୱୀକାର କରିଥିଲେ ଯେ, ତାଙ୍କର ଏହି ଭିଡିଓ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଲାଗି ସେ ଫେକ୍ ଭିଉଜ କ୍ରୟ କରୁଥିଲେ ।

ଭାରତରେ ଖୁବ୍ ଶୀଘ୍ର ମିଳିବ ମୋଲନୁପିରାଭିର ବଟିକା

ନୂଆଦିଲ୍ଲୀ: ଭାରତରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ ମର୍କ କମ୍ପାନୀର ମୋଲନୁପିରାଭିର ବଟିକା। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ବା ସିଏସଆଇଆରର ମୁଖ୍ୟ ଡାକ୍ତର ରାମ ବିଶ୍ବକର୍ମା। ଗେମ ଚେଞ୍ଜର ଭାବେ ସାବ୍ୟସ୍ତ ହେବାକୁ ଯାଇଥିବା ଏହି ଟାବଲେଟ ଭାରତର ୮ଟି ଔଷଧ ନିର୍ମାତା କମ୍ପୀନୀ ସହ ସ୍ବେଚ୍ଛାକୃତ ଲାଇସେନ୍ସିଂ ରାଜିନାମା ସ୍ବାକ୍ଷର କରିଛି।

ସେହି କମ୍ପାନୀଗୁଡିକ ମଧ୍ୟରେ ସିପଲା, ଡକ୍ଟର ରେଡିସ ଲାବରେଟୋରିସ, ସନ ଫାର୍ମା, ହେଟେରୋ, ଅରବିନ୍ଦ ଫାର୍ମା ଓ ଅନ୍ୟ କିଛି କମ୍ପାନୀ। ଏହି କମ୍ପାନୀଗୁଡିକ କିଛି ଦିନ ଧରି କ୍ଲିନିକାଲ ଟ୍ରାଏଲର ଶେଷ ପର୍ଯ୍ୟାୟ ସାରିବା ସହ ଏହି ରିପୋର୍ଟ ଦାଖଲ କରିଛନ୍ତି। ସେ କହିଛନ୍ତି ଭାରତରେ ମୋଲନୁପିରାଭିର ବଟିକା ତିଆରି କରିବା ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହେବା ସହ ବୈଷୟିକ ସହଭାଗିତା ହୋଇଛି। ବିଭିନ୍ନ କମ୍ପାନୀ ପକ୍ଷରୁ କରାଯାଇଥିବା କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ବା ଡିସିଜିଆଇଙ୍କ ନିକଟରେ ଦାଖଲ କରାଯାଇଛି।

ଏହି ବଟିକାକୁ ପ୍ରଥମେ ବ୍ରିଟେନ ନିଜ ଦେଶରେ ଅନୁମତି ଦେଇସାରିଛି। ଖୁବ୍ ଶୀଘ୍ର ଭାରତରେ ବି ଏହି ଟାବଲେଟ ଉପଲବ୍ଧ ହେବ। ପ୍ରାୟ ୭୦୦ ଲୋକଙ୍କ କ୍ଷେତ୍ରରେ ଏହା ଟ୍ରାଏଲ କରାଯାଇଛି ଏବଂ ସଫଳତା ପରିଲକ୍ଷିତ ହୋଇଛି। ଏସମସ୍ତ ରିପୋର୍ଟକୁ ଡିସିଜିଆଇ ବିଚାରକୁ ନେବା ସହ ଅନୁମତି ଦେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଭାରତରେ ଏହି ଔଷଧ ତିଆରି ଲାଗି ଭାରତୀୟ ସମନ୍ବିତ ଔଷଧ ପ୍ରତିଷ୍ଠାନ ବା ଆଇଆଇଆଇଏମ ସହ ସିଏସଆଇଆର କାର୍ଯ୍ୟ କରୁଛି । ଭାରତରେ ୧୫ରୁ ୨୦ଟି ଟାବଲେଟର ଦାମ ୫୦୦ରୁ ୧ ହଜାର ଟଙ୍କା ପଡିପାରେ ବୋଲି ସେ ସୂଚନା ଦେଇଛନ୍ତି।

ଦୁଇ ଚକିଆ ଯାନରେ ମିଳିବ ଏୟାରବ୍ୟାଗ; କେଉଁ ଦୁଇ କମ୍ପାନୀ ତିଆରି କରୁଛି ଏୟାରବ୍ୟାଗ ଜାଣନ୍ତୁ…

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତି ବର୍ଷ ସଡ଼କ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ତେବେ ଯେବେଠାରୁ କାରରେ ଏୟାରବ୍ୟାଗର ସୁବିଧା ମିଳିଛି ସେବେଠାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କିଛି ପରିମାଣରେ କମିଛି । ଏବେ ବହୁତ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ ବରଣ କରୁଛନ୍ତି । ତେବେ ଦୁର୍ଘଟଣାରୁ କିପରି ବାଇକ୍ ଚାଳକଙ୍କୁ ବଞ୍ଚାଇପାରିବ ସେନେଇ କିଛି ଅଟୋମୋବାଇଲ କମ୍ପାନୀ ଲଗାତର ଭାବରେ କାମ କରୁଛି । ଆଉ ଏବେ ଦୁଇ ଚକିଆ ଯାନରେ ଏୟାର ବ୍ୟାଗ ଦିଆଯିବା ପାଇଁ ଆଲୋଚନା ଚାଲିଛି । ଏହା ଯଦି ସଫଳ ହୁଏ ତେବେ କାର ପରି ବାଇକ ଓ ସ୍କୁଟରରେ ମଧ୍ୟ ଆପଣ ଏୟାର ବ୍ୟାଗର ସୁବିଧା ପାଇପାରିବେ ।

ବାଇକ ଓ ସ୍କୁଟରରେ ଏୟାରବ୍ୟାଗ ଆଣିବା ପାଇଁ ଏବେ Piaggio ଅଟୋମୋବାଇଲ କମ୍ପାନୀ କାମ କରୁଛି । ଦୁଇ ଚକିଆ ଯାନରେ ଏୟାରବ୍ୟାଗ ଦେବା ପାଇଁ ସ୍ୱଂୟ ଚାଳିତ ସୁରକ୍ଷା ବ୍ୟବସ୍ଥା କମ୍ପାନୀ ଅଟୋଲିଭ୍ ସହ ଚୁକ୍ତି କରିଛି । ଯାହା ପରେ ଦୁଇ ଚକିଆ ଯାନରେ ଏୟାରବ୍ୟାଗ ପାଇଁ ଏହି ଦୁଇ କମ୍ପାନୀ ଏକାଠି କାମ କରୁଛନ୍ତି ବୋଲି କୁହାଯାଉଛି । ଏକ ମିଡିଆ ରିପୋର୍ଟ ଅନୁଯାୟୀ ଅଟୋଲିମ୍ କମ୍ପାନୀ ଆଡଭାନ୍ସ ସିମୁଲସେନ ଟୁଲ ସହିତ ଏୟାରବ୍ୟାଗର ପ୍ରାରମ୍ଭିକ କାମ କରୁଛି । ଯାହାର କ୍ରାଶ୍ ଟେଷ୍ଟ ବି ସରିଛି । ତେବେ ଏହି ଏୟାରବ୍ୟାଗ ଅଟୋଲିଭ୍ କମ୍ପାନୀ ଆସିବା ପରେ ଏହି ଏୟାରବ୍ୟାଗକୁ ଭଲ ଭାବରେ ତିଆରି କରାଯିବ । ଖବର ଅନୁସାରେ ଏହି ଏୟାରବ୍ୟାଗ ଦୁଇ ଚକିଆ ଯାନର ଫ୍ରେମ ଉପରେ ଲାଗିବ । ତେବେ ଦୁର୍ଘଟଣା ହେବାର ଆଖି ପିଛୁଳାକେ ଏହି ଏୟାରବ୍ୟାଗ ଖୋଲି ଯିବ । ଯେପରି ଭାବରେ ଚଚାରି ଚକିଆ ଯାନରେ ଏୟାରବ୍ୟାଗ ଖୋଲି ଯାଏ ସେହିପରି ଦୁଇ ଚକିଆ ଯାନରେ ବି ଏୟାରବ୍ୟାଗ ଖୋଲିଯିବ । ଯାହାଫଳରେ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ସଂଖ୍ୟା କମିଯିବ ।

ଅଟେଲିଭର ସିଇଓ ତଥା ଅଧ୍ୟକ୍ଷ୍ୟ ମାଇକେଲ ବ୍ରାଟ କହିଛନ୍ତି କି ଅଟୋଲିଭ୍ ଅଧିକ ଜୀବନ ବଞ୍ଚାଇବା ଓ ବିଶ୍ବସ୍ତରୀୟ ଜୀବନ ରକ୍ଷକ ପାଇଁ ପ୍ରତିଶୃତିବଦ୍ଧ । ଦୁଇ ଚକିଆ ଯାନର ଚାଳକଙ୍କ ସୁରକ୍ଷା ପାଇଁ ଆମେ ଏହି ପ୍ରୋଜେକ୍ଟକୁ ଡେଭଲପ୍ କରିଛୁ । ଯାହା ଚାଳକଙ୍କୁ ଅଧିକ ସୁରକ୍ଷା ଦେବ । ୨୦୩୦ ସୁଦ୍ଧା ପ୍ରତି ବର୍ଷ ଏକ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଦୁଇ ଚକିଆ ଯାନରେ ଏୟାରବ୍ୟାଗ ତିଆରି କରାଯିବ ।

କଂଗ୍ରେସର ବନ୍ଦ ପାଳନ; ଦୋକାନ ବଜାର ଖୋଲା ଓ ସ୍ବାଭାବିକ ରହିଛି ଗାଡି ଚଳାଚଳ

ଭୁବନେଶ୍ୱର: ଆଜି ୬ ଘଣ୍ଟିଆ ହରତାଳ କରୁଛି କଂଗ୍ରେସ। କିନ୍ତୁ ଏହି ସମୟରେ କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଓଡ଼ିଶା ବନ୍ଦ କରିବାକୁ କହିଥିଲା କଂଗ୍ରେସ। କିନ୍ତୁ ବନ୍ଦ ପାଳନକୁ ନେଇ ନକାରାତ୍ମକ ବାଣି ଶୁଣାଇଥିଲେ ହାଇକୋର୍ଟ।

ବନ୍ଦ ପାଳନକୁ ନେଇ ହାଇକୋର୍ଟ କହିଥିଲେ ଯେ, ରାଜନୈତିକ ଦଳ ବିକ୍ଷୋଭ ପ୍ରଦର୍ଶନ କରିପାରିବେ, କିନ୍ତୁ କାହାର ବ୍ୟକ୍ତିଗତ ସ୍ବାଧୀନତା ଛଡ଼ାଇ ନେଇ ପାରିବେ ନାହିଁ। ଅଖଚକ ବନ୍ଦ କରିବା ମଧ୍ୟ ବେଆଇନ। ହରତାଳ ବେଳେ ରାସ୍ତାରେ କୌଣସି ଗାଡ଼ିମୋଟର ଜବରଦସ୍ତ ଅଟକାଇ ପାରିବେନି ଆନ୍ଦୋଳନକାରୀ । ରେଳ ଓ ବିମାନ ଯାତ୍ରା ବନ୍ଦ କରିପାରିବେନି ।

କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଜୋର ଜବରଦସ୍ତ ବନ୍ଦ କରାଯାଇ ପାରିବନି ବୋଲି ହାଇକୋର୍ଟ କହିଥିଲେ । ବିକ୍ଷୋଭ ପ୍ରଦର୍ଶନ ସମୟରେ ଯଦି କୌଣସି ସ୍ଥାନରେ ବଳପୂର୍ବକ ଦୋକାନ ବଜାର, ପରିବହନ ମାଧ୍ୟମକୁ ବନ୍ଦ କରିବାକୁ କଂଗ୍ରେସ କର୍ମୀ ଚେଷ୍ଟା କରନ୍ତି, ତେବେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟ୍ବିନ ସିଟିରେ ମୁତୟନ ହୋଇଛନ୍ତି ୩୫ ପ୍ଲାଟୁନ୍ ଫୋର୍ସ । ଭୁବନେଶ୍ବରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୩୦ଜଣ ଇନ୍ସପେକ୍ଟର, ୪୫ ଜଣ ସବ ଇନ୍ସପେକ୍ଟର ଏବଂ ଏଏସଆଇ, ୧୫ ଜଣ ଡିଏସପି, ୫ଜଣ ଏସିପି ଓ ଡିସିପି ରାଙ୍କର ଅଫିସର ନିୟୋଜିତ ହୋଇଛନ୍ତି । ସାଧାରଣ ଲୋକଙ୍କୁ ହଇରାଣ କରାଗଲେ ୧୧୨କୁ କଲ୍ କରି ଜଣାଇବାକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୧୪ରେ ଭାରତକୁ ପ୍ରକୃତ ସ୍ୱାଧିନତା ମିଳିଥିଲା: କଙ୍ଗନା ରଣାଓ୍ୱତ

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିଲେ କଙ୍ଗନା ରଣାଓ୍ୱତ । ଦୁଇ ଦିନ ପୂର୍ବେ ପଦ୍ମ ପୁରସ୍କାର ପାଇଥିବା କଙ୍ଗନା ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ଭାରତ ସ୍ୱାଧିନତାକୁ ନେଇ ଚର୍ଚ୍ଚାରେ ଅଛନ୍ତି କଙ୍ଗନା । ତେବେ ୧୯୪୭ରେ ଭାରତର ସ୍ବାଧିନତାକୁ ନେଇ ଏକ ଇଂରାଜୀ ଗଣମାଧ୍ୟମରେ ଦେଇଥିବା ବୟାନକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେ କହିଥିଲେ କି ୧୯୪୭ରେ ଭାରତକୁ ମିଳିଥିବା ସ୍ୱାଧିନତା ଭିକ ଥିଲା । ପ୍ରକୃତ ସ୍ୱାଧିନତା ୨୦୧୪ରେ ମିଳିଥିଲା । ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ଭାରତକୁ ପ୍ରକୃତରେ ସ୍ୱାଧିନତା ମିଳିଛି । ତେବେ କଙ୍ଗନାଙ୍କ ଏହି ବୟାନ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

କଙ୍ଗନାଙ୍କ ଏହି ବୟାନ ପରେ ରାଜନୈତିକ ମାହୋଲରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ବଲିଉଡ୍ ଅଭିନେତ୍ରୀ କଙ୍ଗନାଙ୍କ ଏହି ବୟାନ ପରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଟୁଇଟ କରି କଙ୍ଗନାଙ୍କୁ କଟାକ୍ଷ କରିଥିଲେ । ବରୁଣ ଗାନ୍ଧୀ କହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତପସ୍ୟା ପ୍ରତି ଏହା ଏକ ବଡ଼ ଅପମାନ । ଦେଶର ସ୍ୱାଧିନତା ପାଇଁ ଲକ୍ଷ ଲକ୍ଷ ଲୋକ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ପରିବାର ସ୍ୱାଧିନତା ଲାଗି ଆନ୍ଦୋଳନ ଓ ଲଢ଼େଇରେ ଶହୀଦ ହୋଇଥିଲେ । କଙ୍ଗନାଙ୍କ ଏହି ବୟାନ ସିଧାସଳଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତି ଅପମାନ । ଯେଉଁମାନେ ଦେଶ ଲାଗି ନିଜ ଜୀବନ ଉତ୍ସର୍ଗ କରିଥିଲେ । ଏହା ସିଧାସଳଖ ଦେଶଦ୍ରୋହର ମାମଲା ବୋଲି ବରୁଣ ଉଲ୍ଲେଖ କରିଥିଲେ ।

ତେବେ ଏହି ମାମଲାରେ କେବଳ ବରୁଣ ଗାନ୍ଧୀ ନୁହେଁ ବରୁଣଙ୍କ ବ୍ୟତୀତ ବିରୋଧୀ ଦଳ ମଧ୍ୟ ଏହାକୁ ନେଇ ତୀବ୍ର ସମାଲୋଚନା ପ୍ରକାଶ କରିଛନ୍ତି । ଅକାଳୀ ଦଳ ନେତା ମନଜିନ୍ଦର ସିଂ କହିଛନ୍ତି ମଣିକର୍ଣ୍ଣିକ ଚଳଚିତ୍ର ଅଭିନୟ କରୁଥିବା ଅଭିନେତ୍ରୀ କିପରି ସ୍ୱାଧିନତାକୁ ଭିକ୍ଷା କହୁଛନ୍ତି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟିର ନେତ୍ରୀ ପ୍ରିତୀ ଶର୍ମା ମେନନ କଙ୍ଗନାଙ୍କ ଏହି ଉକ୍ତିକୁ ବିରୋଧ କରି ମୁମ୍ବାଇ ପୋଲିସ ନିକଟରେ ଏକ ଏଫଆଇଆର ଦାୟର କରିଥିଲେ । ତେବେ ଏମାନଙ୍କ ବ୍ୟତୀତ ଇତିହାସକାର ଇର୍ଫାନ ହବିବ୍, ଅଭିନେତ୍ରୀ ସ୍ବାରା ଭାସ୍କର, ଫିଲ୍ମ ନିର୍ମାତା ଓନିର, ବ୍ୟାଟମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ଓ ରେଡିଓ ଜକି ସାଇମାଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ମାଲକାନଗିରିରେ ଏକର ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡାରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ରାଜୁଲକୋଣ୍ଡା, ବନଗୁରୁ ଓ ରେଖାପାଲି ଆଦି ଗାଁରେ ଚଢ଼ାଉ କରି ୭୦ ଏକର ଜମିରେ ହୋଇଥିବା ବେଆଇନ ୯୮ହଜାର ଗଞ୍ଜେଇ ଗଛ କାଟି ସଫା କରିଛି ଚିତ୍ରକୋଣ୍ଡା ପୋଲିସ ।

ସୂଚନା ଅନୁଯାୟୀ, ପରେ ନଷ୍ଟ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ ପୋଡି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

ଆଜି ଅଁଳା ନବମୀ; ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି, ମିଳିବନି ରାଧାପାଦ ଦର୍ଶନ

ଭୁବନେଶ୍ୱର: ଅଁଳା ନବମୀରେ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ପୀଠରେ ଆଜିଠୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଥିବା ବେଳେ ୮ ଦିନ ଧରି ୧୯ ତାରିଖ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା ବଳବତ୍ତର ରହିବ।

ପଞ୍ଚୁକ ସମେତ ବଡ଼ଓଷା କଟକଣାରେ ହେବାକୁ ଥିବା ବେଳେ ପୀଠ ବାହାରେ ଗଜଭୋଗ ବିତରଣ ପାଇଁ ନିଷ୍ପତ୍ତି ନେଇଛି ଆଠଗଡ଼ ପ୍ରଶାସନ। ତେବେ ପୂର୍ବପରି ବାବା ଧବଳେଶ୍ବରଙ୍କର ସମସ୍ତ ପ୍ରକାର ନୀତିକାନ୍ତି ଚାଲୁ ରହିବ।

ସେହିପରି ସାକ୍ଷୀଗୋପାଳ ସ୍ଥିତ ଗୋପିନାଥ ଦେବ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଭୋର ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଶ୍ରଦ୍ଧାଳୁଙ୍କ ଭିଡ ଏବଂ କରୋନାକୁ ନଜରରେ ରଖି କଟକଣା ଜାରି କରାଯାଇଛି । ଏହାସହ ୧୫ ତାରିଖରେ ବଡ ଏକାଦଶୀ ପୂଜା ପାଇଁ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ନୀତିକାନ୍ତି ପାଳିତ ହେବ । କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କ ପ୍ରବେଶ ପାଇଁ ଅନୁମତି ମିଳିଛି । ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରିଥାଆନ୍ତି ।

ତାମିଲନାଡୁରେ ଜଳ ପ୍ରଳୟ; ୧୪ ମୃତ

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁ ତାମିଲନାଡୁରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ରାଜ୍ୟ ସାରା ଯୁଆଡେ ଦେଖିବେ ପାଣି ଆଉ ପାଣି । ଘର-ବାହାର, ରାସ୍ତାଘାଟ ସବୁଠି ଖାଲି ପାଣି ଆଉ ପାଣି  । ଗତ ୫ ଦିନ ତାମିଲନାଡୁରେ ଲାଗି ରହିଥିବା ବର୍ଷା ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦୋକାନ ବଜାରଠାରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳୁଛି ଜଳ ପ୍ରଳୟ ।  ଲଗାତର ବର୍ଷା ଫଳରେ ୧୪ ଜଣ ମୃତ୍ୟୁ ବରଣ କରିଛନ୍ତି । ତେବେ ଲଗାତର ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ଦ ରହିଛି ବିଦ୍ୟୁତ ସରବରାହ । ତେବେ ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ରହୁଥିବା ଲୋକ ବହୁ ପ୍ରଭାବିତ ହୋଇଛନ୍ତି । ତଳିଆ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ  । ତଳିଆ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ ପାଇଁ ୧୧ ପ୍ଲାଟୁନ୍‌ ଏନଡିଆରଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଲାଗିଥିବା ବେଳେ କେବଳ ଚେନ୍ନାଇ ସହରରେ ୫ଟି ଏନଡିଆରଫ ଟିମ୍ ନିୟୋଜିତ ହୋଇଛନ୍ତି ।

ତେବେ ଯେଉଁମାନେପାଣିଘେରରେ ଥିବା ଲୋକଙ୍କୁ ସରକାରଙ୍କ ତରପରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ସେପଟେ ଲଘୁଚାପ ପାଇଁ ଚେନ୍ନାଇ ସହ ୯ଟି ଜିଲ୍ଲାକୁ ରେର୍ଡ ଆଲର୍ଟ ଜଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆଉ ଏକ ଲଘୁଚାପ ଆସୁଛି ବୋଲି ଆଇଏମଡି ଆକଳନ କରିବା ପରେ ତାମିଲାନାଡୁରେ ଚିନ୍ତା ବଢ଼ିଯାଇଛି ।

 

ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ KBN ଗ୍ରୁପର ୪ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ କେବିଏନ ଗ୍ୟାଙ୍ଗର ଭିଡିଓ ଭାଇରାଲ ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତ ଦୁଇ ଦିନିଆ ରିମାଣ୍ଡରେ ଯିବେ ।  ଆଜିଠୁ ୨ ଦିନିଆ ରିମାଣ୍ଡରେ ନୟାପଲ୍ଲି ଥାନା ପୋଲିସ ନେବ। ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ୨ ଦିନ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ।

୪ ଅଭିଯୁକ୍ତ ମଧ୍ୟରେ ରହିଛନ୍ତି ରାହୁଲ ଜେନା, ରାଜେଶ ବେହେରା, ଶୁଭମ ପରିଡା ଓ ସନାତନ ବେହେରା। କେବେଠୁ ଗ୍ୟାଙ୍ଗ ତିଆରି ହୋଇଛି? ଏହା ପଛର ଉଦ୍ଦେଶ୍ୟ କଣ ? କେଉଁ କେଉଁ ସ୍ଥାନରେ ଭିଡିଓ କରଛନ୍ତି? ମୁଖ୍ୟ ଅଭିଯୁକ୍ତ ବୁବୁ ଜେନା ସହ ଅନ୍ୟମାନେ କେଉଁଠି ଅଛନ୍ତି । ସେମାନଙ୍କୁ ଏମିତି ଅନେକ ପଚରାଉଚରା କରିପାରେ ପୋଲିସ ।

ତେବେ ମାରଣାସ୍ତ୍ର ଧରି ଭିଡିଓ କରିବା ଏବଂ ତାକୁ ଭାଇରାଲ କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପରେ କମିଶନରେଟ ପୋଲିସ୍ କେବିଏନ୍ ଗ୍ୟାଙ୍ଗ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ ୨୯ ଜଣକ ନାଁରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ୍ । ସେପଟେ ଏହି ମାମଲାରେ ମୋଟ୍‌ ୯ଜଣ ଗିରଫ ହୋଇଛନ୍ତି ।

ଅଧିକ ପଢନ୍ତୁ- କେବିଏନ୍ ଓ ପବ୍ଲିକ ଷଣ୍ଢ ଗ୍ରୁପ ପରେ ଏବେ ବାହାରିଲା ବଲାଙ୍ଗୀରର କିଙ୍ଗ୍‌ ଗ୍ରୁପ

ପରାସ୍ତ ପାକିସ୍ତାନ, ଫାଇନାଲରେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ

ଦୁବାଇ:  ଟି-୨୦ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ପାକିସ୍ତାନକୁ ହରାଇ ଫାଇନାଲ୍ ଟିକେଟ୍ ହାସଲ କରିଛି ଅଷ୍ଟ୍ରେଲିଆ ଟିମ୍ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍ ସଂଗ୍ରହ କରିଥିଲା  । ସେପଟେ ଦ୍ୱିତୀୟ ଇଂନିସରେ ୧୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା କଙ୍ଗାରୁ ବାହିନୀ  ।

ଅନ୍ୟପଟେ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି କଙ୍ଗାରୁ ଦଳ । ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରିଥିଲା ପାକିସ୍ତାନ । ଏହାର ଜବାବରେ ୬ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଛି ଅଷ୍ଟ୍ରେଲିଆ । ଆସନ୍ତା ୧୪ ତାରିଖରେ ନ୍ୟୁଜିଲାଣ୍ଡ ସହ ହେବ ଅଷ୍ଟ୍ରେଲିଆର ଫାଇଟ୍  । ତେବେ ଦୁଇ ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଆସନ୍ତା ୧୪ ତାରିଖରେ ମୁହାମୁହିଁ ହେବେ  ।