ଓମିକ୍ରନ୍ ଆତଙ୍କ; ନେଦରଲାଣ୍ଡ୍ସରେ ଲକଡାଉନ, ଭାରତର ସ୍ଥିତି ବି ଜଟିଳ

ନୂଆଦିଲ୍ଲୀ: ଗୋଟିଏ ଦେଶରୁ ଆଉ ଏକ ଦେଶକୁ ବ୍ୟାପିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । କୋଭିଡ ସଂକ୍ରମଣ ବୃଦ୍ଧି ପରେ ନେଦରଲାଣ୍ଡ୍ସରେ ଜାରି ହୋଇଛି ଲକଡାଉନ । କୌଣସି ସ୍ଥାନରେ ପାଳନ ହୋଇ ପାରିବନି ଖ୍ରୀଷ୍ଟମାସ ସେଲିବ୍ରେସନ । ଜାନୁଆରୀ ୧୪ ପର୍ଯ୍ୟନ୍ତ ସମସ୍ତ ଦୋକାନ, ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ । ସେପଟେ ସ୍ଥିତି ଅତି ଜଟିଳ ହୋଇଥିବାରୁ ଏକ ବଡ ବିପଦର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘ । ରାଷ୍ଟ୍ରସଂଘ ମୁଖ୍ୟ ଉର୍ସୁଲା ଲେୟେନ କହିଛନ୍ତି, ଜାନୁଆରୀ ମଧ୍ୟଭାଗ ସୁଦ୍ଧା ସମସ୍ତ ୨୭ଟି ଯାକ ସଦସ୍ୟ ରାଷ୍ଟ୍ରରେ ଆତଙ୍କ ରଚିପାରେ ଓମିକ୍ରନ୍ ।

ଅନ୍ୟପକ୍ଷରେ ବ୍ରିଟେନରେ ବି ସଂକ୍ରମଣ ସମସ୍ୟା ଗମ୍ଭୀର । ବ୍ରିଟେନରେ ଏକ ଜରୁରୀକାଳୀନ ସ୍ଥିତି ଆସିଛି ବୋଲି କହିଛନ୍ତି ଲଣ୍ଡନ ମେୟର ସାଦିକ ଖାନ । ଫ୍ରାନ୍ସରେ ବି ନୂଆ ବର୍ଷ ପାଳନ ଉପରେ କଟକଣା ଲାଗୁ କରିବା ଲାଗି ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଏକ ବିଶେଷଜ୍ଞ ପ୍ୟାନେଲ । ଆଗୁଆ ପ୍ରସ୍ତୁତ ନହେଲେ ସ୍ଥିତି ଗମ୍ଭୀର ହେବ ବୋଲି ସେମାନେ କହିଛନ୍ତି । ସେହିପରି ଆୟରଲାଣ୍ଡରେ ମଧ୍ୟ ରାତି ୮ଟା ପରେ ବାର୍ ଓ ରେଷ୍ଟୁରାଣ୍ଟ ବନ୍ଦ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଯଦି ଭାରତ କଥା କହିବା ତାହାଲେ ଭାରତରେ ପୁଣି ଲମ୍ବିଲା ଓମିକ୍ରନ୍ ଗ୍ରାଫ୍ । କର୍ଣ୍ଣାଟକରେ ୬ ଓ କେରଳରେ ୪ ଜଣ ଓମିକ୍ରନ୍ ପଜିଟିଭ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୬ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୪୩, ଦିଲ୍ଲୀରେ ୨୨, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୪, ତେଲଙ୍ଗାନାରେ ୮, ଗୁଜରାଟରେ ୭, କେରଳରେ ୧୧, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଲେଣି । କର୍ଣ୍ଣାଟକର କେତେକ ଶିକ୍ଷା ପ୍ରତିଷ୍ଠାନରେ ଓମିକ୍ରନ୍ ଠାବ ହେବା ପରେ ଚିନ୍ତା ବଢିଛି । ଦୁଇଟି ଶିକ୍ଷା ପ୍ରତିଷ୍ଠାନରେ ୩୩ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓମିକ୍ରନ୍ ସଂକ୍ରମିତ ଅଛନ୍ତି ୫ ଜଣ । ତେଣେ ଦିଲ୍ଲୀରେ ୫ ମାସରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି କୋଭିଡ ସଂକ୍ରମିତ । ୨୪ ଘଣ୍ଟାରେ ଠାବ ହୋଇଛନ୍ତି ୮୬ ନୂଆ ସଂକ୍ରମିତ ।

 

Leave a Reply