spot_img
Home Blog Page 4930

ସାମ୍ବାଦିକଙ୍କୁ ହତ୍ୟାରେ ମନ୍ତ୍ରୀଙ୍କ ଭଣଜାଙ୍କ ସମ୍ପୃକ୍ତି ଅଭିଯୋଗ

ପାଟଣା: ବିହାରରେ ଅପରାଧୀଙ୍କ ଭୟ ନାହିଁ । ସପ୍ତାହକ ମଧ୍ୟରେ ବିହାରରେ ଦୁଇ ଦୁଇ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ହତ୍ୟା ପଛରେ ବିରାଟ ଷଡ଼ଯନ୍ତ୍ର ସହ ରହିଛି ବଡ଼ ବଡ଼ିଆଙ୍କ ହାତ । ପୂର୍ଣ୍ଣିଆରେ ଜଣେ ସାମ୍ବାଦିକ ତଥା ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀ ବିଶ୍ୱନାଥ ସିଂ ଓରଫ ରିନ୍ତୁ ସିଂଙ୍କୁ ହତ୍ୟା କରାଯାଇଛି । ଏଥିରେ ବିହାରର ଜଣେ ମନ୍ତ୍ରୀଙ୍କ ଭଣଜା ମୁଖ୍ୟ ଅଭିଯୁକ୍ତ ଥିବା ସୁରାକ୍‌ ମିଳିଛି । ଏହାକୁ ନେଇ ନୀତିଶ କୁମାରଙ୍କ କ୍ୟାବିନେଟର ମନ୍ତ୍ରୀ ତଥା ଧାନବାଦର ବିଧାୟକ ଲେସି ସିଂଙ୍କ ଲାଗି ଅଡ଼ୁଆ ବଢିଛି ।

Journalist Killed In Bihar, Allegation Against Minister Leshi Singh

ରିନ୍ତୁଙ୍କ ପରିବାରର ଲୋକ ଅଭିଯୋଗ କରିଛନ୍ତି, ଏହି ଜଘନ୍ୟ ହତ୍ୟା ପଛରେ ମନ୍ତ୍ରୀଙ୍କ ଭଣଜା ସମ୍ପୃକ୍ତ ଅଛନ୍ତି । ଏହାର ତଦନ୍ତ କରିବା ଲାଗି ପରିବାର ଲୋକେ ଦାବି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଉକ୍ତ ମନ୍ତ୍ରୀ ୧୫୦ରୁ ଅଧିକ ହତ୍ୟା ମାମଲାରେ ସମ୍ପୃକ୍ତ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେପଟେ ବିହାରରେ ନିଖୋଜ ହୋଇଥିବା ଜଣେ ସାମ୍ବାଦିକ ଓ ସୂଚନା ଅଧିକାର କର୍ମୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି ।  ବିହାରର ମଧୁବନି ଜିଲ୍ଲାରେ ଚାରି ଦିନ ତଳେ ୨୨ ବର୍ଷ ବୟସ୍କ ସାମ୍ବାଦିକ ତଥା ସୂଚନା ଅଧିକାରୀ କର୍ମୀ ବୁଦ୍ଧିନାଥ ଝା ଓରଫ ଅବିନାଶ ଝା ନିଖୋଜ ହୋଇ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ମେଡିକାଲ ଦୁର୍ନୀତି ଖବର ପ୍ରସାରଣ ପାଇଁ ଯୁବ ସାମ୍ବାଦିକଙ୍କୁ ହତ୍ୟା

ରାଜ୍ୟରେ ଚାଲିଥିବା ଜାଲ୍ କ୍ଲିନିକ ସମ୍ପର୍କରେ ସେ ବିଭିନ୍ନ ଖବର ପ୍ରକାଶ କରୁଥିଲେ । ବୁଦ୍ଧିନାଥ ଝା ଘରୋଇ ନର୍ସିଂ ହୋମ୍ ବିରୋଧରେ ନିୟମିତ ଖବର ପ୍ରକାଶନ କରୁଥିଲେ । ନଭେମ୍ୱର ୭ ତାରିଖରେ ଫେସବୁକରେ ଲେଖିଥିଲେ ୧୫ ତାରିଖରୁ ଖେଳ ଆରମ୍ଭ ହେବ । ଏହି ପୋଷ୍ଟ ପରେ ନଭେମ୍ବର ୯ରେ ବୁଦ୍ଧିନାଥ ନିଖୋଜ ହୋଇ ଯାଇଥିଲେ । ଅପହରଣ ନେଇ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ । ସିସିଟିଭି ଫୁଟେଜ୍ ଅନୁସାରେ, ବୁଦ୍ଧିନାଥ ରାତି ୯ଟା ୫୮ରେ ଘରୁ ବାହାରିଥିଲେ । ଘର ଆଗ ଗଳିରେ ଫୋନରେ କଥା ହେଉଥିଲେ । ଏହାପରେ ରାତି ୧୦ଟା ୧୦ରେ ଶେଷ ଥର ପାଇଁ ବଜାରରେ ଦେଖିବାକୁ ମିଳିଥିଲା ।

Journalist Killed In Bihar, Allegation Against Minister Leshi Singh

ପୋଲିସ ବୁଦ୍ଧିନାଥଙ୍କ ମୋବାଇଲ୍ ଟ୍ରେସ୍ କରିଥିଲା । ଯାହା ବେନିପାଟ୍ଟି ଥାନା ଠାରୁ ୫ କିଲୋମିଟର ଦୂର ଗାଁ ଥିଲା । ସେଠାରେ ପୋଲିସ ପହଞ୍ଚିଥିଲେ ବି କିଛି ସୁରାକ୍ ମିଳି ନଥିଲା । ୧୨ ତାରିଖରେ ଫୋନ୍ ଆସିଥିଲା ବେତୁନ ଗାଁ ନିକଟରେ ଏକ ଅଜଣା ଶବ ମିଳିଛି । ଅର୍ଦ୍ଧଦଗ୍ଧ ମୃତଦେହଙ୍କୁ ବୁଦ୍ଧିନାଥଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ ।

କରୋନା ଟିକାର ଗୋଟିଏ ଡୋଜ୍ ଯଥେଷ୍ଟ ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନଜରରେ ବୁଷ୍ଟର ଡୋଜ୍ ସ୍କାଣ୍ଡାଲ

ନୂଆଦିଲ୍ଲୀ: ଗରିବ ରାଷ୍ଟ୍ରଗୁଡିକ ଟିକା ଲାଗି ବ୍ୟାକୁଳ ହେଉଥିବା ବେଳେ କିଛି ରାଷ୍ଟ୍ର ବୁଷ୍ଟର ଡୋଜ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଏକ ସ୍କାଣ୍ଡାଲ ଏବଂ ଟିକା କ୍ଷେତ୍ରରେ ସହାନୁଭୂତିଶୀଳ ହେବା ଲାଗି ଆହ୍ବାନ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ।  ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେୟେସସ କହିଛନ୍ତି, ସର୍ବାଧିକ ଟିକା କରଣ କରିଥିବା ଦେଶ ଗୁଡିକ ଅଧିକ ଟିକା ସଂଗ୍ରହ କରୁଛନ୍ତି । କିନ୍ତୁ କମ୍ ଆୟକରୀ ରାଷ୍ଟ୍ର, ଗରିବ ରାଷ୍ଟ୍ର ପ୍ରଥମ ଡୋଜ ବି ପାଇନାହାନ୍ତି । ଅପରପକ୍ଷେ ବିଶ୍ବସ୍ତରରେ ୬ ଗୁଣ ଅଧିକା ବୁଷ୍ଟର ଡୋଜ ଦିଆଯାଉଛି । ପିଲା ଓ ସ୍ବାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ ଦେବାର କୌଣସି ଜରୁରୀ ଆବଶ୍ୟକତା ନାହିଁ । ବରଂ ସ୍ବାସ୍ଥ୍ୟକର୍ମୀ, ବୟସ୍କ, ଅଧିକ ଗୁରୁତର ରୋଗୀ ପ୍ରମୁଖଙ୍କୁ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ୟୁରୋପରେ କୋଭିଡ କମିବାର ନାଁ ନେଉନାହିଁ । ଗତ ସପ୍ତାହରେ ୨୦ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ମଧ୍ୟ ୨୭ ହଜାର ଲୋକ ପ୍ରାଣ ହରାଇଛନ୍ତି । ଯାହାକି ସାରା ବିଶ୍ବରେ ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟାର ଅଧା । ତେଣୁ ଯେଉଁ ସବୁ ରାଷ୍ଟ୍ର ଟିକା ଅଭାବରୁ ଜଟିଳ ସ୍ଥିତିରେ ପଡିଛନ୍ତି ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି । ଗତ ସପ୍ତାହରେ ୧୪୪ଟି ରାଷ୍ଟ୍ରକୁ ୫୦୦ ନିୟୁତ ଟିକା ପଠାଯାଇଛି । ସେପଟେ ମିଳିମିଳା ଲାଗି ମଧ୍ୟ ଟିକାର ଅଭାବ ଦେଖାଦେଇଛି । ଗତବର୍ଷ ୨୨ ନିୟୁତ ଶିଶୁଙ୍କୁ ଏହି ଟିକା ଦିଆଯାଇପାରି ନଥିଲା ବୋଲି ସେ କହିଛନ୍ତି ।

ତେବେ ଯଦି ଭାରତ କଥା କହିବା ତାହାଲେ ଭାରତ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜକୁ ନେଇ କୌଣସି ନିଷ୍ପତି ନେଇନାହିଁ । ଭାରତ ସରକାର ଏବେ ପ୍ରଥମ ଓ ଦ୍ବିତୀୟ ଡୋଜ୍ କଭରେଜକୁ ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି । ତେବେ ଅନେକ ରାଜ୍ୟ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ବୁଷ୍ଟର ଡୋଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମୁଖ୍ୟତଃ ସ୍ବାସ୍ଥ୍ୟ କର୍ମୀ ଓ ବୃଦ୍ଧମାନଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ  ୧୦୦ରୁ ଅଧିକ ଦେଶରେ ଏବେ ବି ସେମାନଙ୍କ ଜନସଂଖ୍ୟାର ୪୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇପାରିନାହିଁ । ତେବେ ଏପରି ସ୍ଥିତିରେ ପ୍ରତ୍ୟେକ ଦେଶର ୪୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବାକୁ ହେଲେ ୫୫୦ ନିୟୁତ ଡୋଜ୍ ଟିକା ଆବଶ୍ୟକ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଯାଞ୍ଚ ବେଳେ ରାସ୍ତା ମଝିରେ ମାଟି ଢାଳି ପଳାଇଲେ ମାଫିଆ

ନୀଳଗିରି: ନୀଳଗିରିରେ ସକ୍ରିୟ ମାଟି ମାଫିଆ । ରାଜସ୍ୱ ବିଭାଗର ଚଢ଼ାଉ ବେଳେ ରାସ୍ତା ମଝିରେ ମାଟି ଢାଳି ଚମ୍ପଟ୍ ମାରିଲେ ମାଫିଆ । ଘଟଣା ଘଟିଛି ଶେରଗଡ଼-ଝରଣାଘାଟି ମୁଖ୍ୟ ରାସ୍ତାର ପୋଡ଼ାଶୂଳ ଛକରେ । ବିଳମ୍ବିତ ରାତିରେ ନୀଳଗିରି ରାଜସ୍ୱ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିଲା । ପ୍ରଶାସନର ଭୟରେ ମୁଖ୍ୟ ରାସ୍ତା ମଝିରେ ମାଟି ଢ଼ାଳି ଚମ୍ପଟ ମାରିଥିଲେ ମାଫିଆ । ଫଳରେ ଅନେକ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

Soil Mafia Blocked Road In Nilagiri During Raid

ଅଧିକାରୀ ମାନେ ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା । ନୀଳଗିରି, ସନ୍ତରାଗଡ଼ିଆ, ବଉଳଗଡ଼ିଆ ଶ୍ୟାମସୁନ୍ଦର ପୁର, ବରହମ୍ ପୁର, ଅଯୋଧ୍ୟା, ମିଗିରିଣି, ଆଦି ଅଞ୍ଚଳରେ ଚୋରା ମାଟି, ମୋରମ ଏବଂ ପଥର ମାଫିଆ ସକ୍ରିୟ ରହିଛନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ମୋରମ ଏବଂ ପଥର ମାଫିଆଙ୍କ ଗଳାବାଟ ସାଜିଛି ବାଗୁଡିରୁ ବଉଳଗଡିଆ ରାସ୍ତା ।

୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ, ଜଣେ ଅଟକ

ବରଗଡ଼: ହାତୀ ଦାନ୍ତ ଚୋରା ଚାଲାଣ ବେଳେ ଏସଟିଏଫ୍ ଓ ବନ ବିଭାଗର ଚଢ଼ାଉ । ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଚୋରା ଚାଲାଣ ବେଳେ ୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ ହୋଇଛି । ମାମଲାରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନଙ୍କୁ ଅଟକ ରଖିଛି ଏସଟିଏଫ୍ ।

 Elephant Tusk Around 3 KG Weight Seized In Padmapur

ହାତୀ ଦାନ୍ତ ଚୋରା ଚାଲାଣ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଓ ବନ ବିଭାଗ ରେଡ୍ କରିଥିଲେ । ଚଢ଼ାଉ ବେଳେ ରମେଶଙ୍କ ଠାରୁ ୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ମିଳିଛି । ବଲାଙ୍ଗିର ପଟରୁ ଚୋରା ଚାଲାଣ କରୁଥିବା ଅନୁମାନ କରାଯାଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ବିଗତ ବର୍ଷକ ଭିତରେ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନରେ ୨୦ଟି ଚିତାବାଘ ଛାଲ, ୧୧ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୬ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜିର ବଜ୍ରକାପ୍ତା କାତି ଜବତ କରିଥିବା ବେଳେ ୪୩ ଜଣ ବନ୍ୟପ୍ରାଣୀ ଅପରାଧୀଙ୍କୁ ଗିରଫ କରିଛି ।

ଶିଶୁ ଦିବସରେ ୧୩୮ ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହାଇଟେକ୍ ହେଉଛି ହାଇସ୍କୁଲ । 5T ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ନକ୍ସା । ନୂଆ ରୂପରେ ସ୍କୁଲ , ଶ୍ରେଣୀଗୃହ, ଲାଇବ୍ରେରୀ । ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢ଼ା । ଆଜି ଶିଶୁ ଦିବସ ଅବସରରେ ୪ଟି ଜିଲ୍ଲାର ୧୩୮ ହାଇସ୍କୁଲ ହେବ ରୂପାନ୍ତରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

CM Naveen To Inaugurates 138 Transformed High School Under 5T
FILE PIC

ବୌଦ୍ଧ ଜିଲ୍ଲାର ୧୦ ହାଇସ୍କୁଲ୍, ସୋନପୁରର ୧୧ ହାଇସ୍କୁଲ୍, ଭଦ୍ରକର ୧୭ ହାଇସ୍କୁଲ୍, କେନ୍ଦୁଝର ଜିଲ୍ଲାର ୧୦୦ ହାଇସ୍କୁଲ ହେବ ରୂପାନ୍ତରଣ । ପ୍ରତି ପିଲାଙ୍କ ଭିତରେ ରହିଛି ବିପୁଳ ସମ୍ଭାବନା । ସେ ପ୍ରତିଭା ଓ ସମ୍ଭାବନା ପୂର୍ଣ୍ଣପ୍ରାଣରେ ବିକଶିତ ହେଉ ଏହା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ରାଜ୍ୟରେ ସ୍କୁଲ ଟ୍ରାନ୍ସଫରମେସନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ତାଙ୍କ ସ୍ୱପ୍ନକୁ ସାକାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟର ୨୦ ଜିଲ୍ଲାରୁ ଆଉ ୨୬୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୩ ଶହ ତଳେ ରହୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୦ ଜିଲ୍ଲାରୁ ୨୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୨ଟି ମାମଲା ଚିହ୍ନଟ ହୋଇଛି । ୧୫୩ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୦୯ଟି ମାମଲା ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ୩ ଅଙ୍କ ରହିଛି ।

ବାଲେଶ୍ୱରରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ଜଣେ, ଭଦ୍ରକରୁ ୫ ଜଣ, କଟକରୁ ୨୧ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, ଖୋର୍ଦ୍ଧାରୁ ୧୩୨ ଜଣ, କୋରାପୁଟରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୬ ଜଣ ଏବଂ ଷ୍ଟେଟପୁଲରୁ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୦୯ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୩୦୦କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ୧୦ ଲକ୍ଷ ୪୫ ହଜାର ୪୭୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୪୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ମେଘାଛନ୍ନ ରହିବ ଆକାଶ, ରହିବନି ଶୀତର ବିଶେଷ ପ୍ରଭାବ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ । କମିବ ବର୍ଷାର ପ୍ରଭାବ । ଆକାଶ ମେଘାଛନ୍ନ ରହିବା ସମ୍ଭାବନା ଥିବା ବେଳେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଶୀତର ବିଶେଷ ପ୍ରଭାବ ରହିବନାହିଁ  । ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିସହ ପଢ଼ନ୍ତୁ: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ, ନେଇପାରେ ବାତ୍ୟାର ରୂପ

ଦକ୍ଷିଣ ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରି ଅବପାତର ରୂପ ନେବ । ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ୧୮ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

Image

ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ତାମିଲନାଡ଼ୁ ଉପକୂଳ ସମେତ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଟ୍ରାପ୍‌ ଲାଇନ୍‌ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ରାଜ୍ୟର ୬ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେଉଥିବା ବେଳେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଆଜି ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଜେଲରେ ଭୟଙ୍କର ହଣାକଟା, ୬୮ କଏଦୀ ମୃତ

କ୍ୱିଟୋ: ଦକ୍ଷିଣ ଆମେରିକାର ଇକ୍ୱାଡରର ସବୁଠୁ ବଡ଼ ଜେଲରେ ଶନିବାର ହିଂସାତ୍ମକ ଲଢ଼େଇ ହୋଇଛି । ଯେଉଁଥିରେ ୬୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୯ ଘଣ୍ଟା ଧରି ଜେଲର ଲକଅପ୍ ପାଲଟିଥିଲା ରଣକ୍ଷେତ୍ର । ଗର୍ଜୁଥିଲା ବନ୍ଧୁକ, ଫୁଟୁଥିଲା ବୋମା । ଲାଗୁଥିଲା ଏ ଜେଲ୍ ନୁହଁ ଯୁଦ୍ଧ କ୍ଷେତ୍ର ।

ପୋଲିସ ରିପୋର୍ଟ ଅନୁସାରେ, ଏହି ଘଟଣାରେ ଅନେକ କଏଦୀ ଆହାତ ହୋଇଛନ୍ତି । ସୁରକ୍ଷାକର୍ମୀ କିଛି ବନ୍ଧୁକ ସହ ବିସ୍ଫୋଟକ ଜବତ କରିଛନ୍ତି । ସୋସିଆଲ୍ ମିଡିଆରେ ମଧ୍ୟ ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ କେତେକ ଶବ ଜଳୁଥିବା ବେଳେ ଆଉ କିଛି ମୃତଦେହ ଭୂଇଁରେ ପଡ଼ିଛି ।

ଅକ୍ଟୋବରରେ ରାଷ୍ଟ୍ରପତି ଗୁଇଲେର୍ମା ଲାସୋ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଯାହାଦ୍ୱାରା ମାଦକ ପଦାର୍ଥ ଚୋରାଚାଲାଣ ଓ ଅନ୍ୟ ଅପରାଧ ସହ ଲଢ଼ିବା ପାଇଁ ସୁରକ୍ଷାକର୍ମୀଙ୍କୁ ଅଧିକାର ମିଳିଥିଲା । ଏହାପରେ ବିପୁଳ ସଂଖ୍ୟାରେ ଗିରଫଦାରୀ କରିଥିଲା ସୁରକ୍ଷାକର୍ମୀ । ଜେଲରେ ଘଟିଥିବା ହିଂସା ପାଇଁ ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆଙ୍କୁ ଦାୟୀ କରାଯାଇଛି । ଇକ୍ୱାଡୋର ଜେଲରେ ଏହି ଘଟଣା ପୂର୍ବରୁ ଏବେ ଯାଏଁ ୨୩୦ ଜଣଙ୍କ ମୃତ୍ୟୁ ହୋଇଛି ।

ICC T20 World Cup: ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ୍ ଲଢ଼େଇ

ଦୁବାଇ: ଆଜି ଟି-୨୦ ବିଶ୍ୱକପର ଫାଇନାଲ୍ ଫାଇଟ୍ । ଟାଇଟଲ୍ ପାଇଁ ହେବ ଜୋରଦାର ଲଢ଼େଇ । ସୁପର ସଣ୍ଡେରେ ହେବ ସୁପର୍ ଟକ୍କର । ସନ୍ଧ୍ୟା ୭ଟା ୩୦ରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଟ୍ରଫି ହାତେଇବା ପାଇଁ ଉଭୟ ଦଳଙ୍କ ମଧ୍ୟରେ ହେବ କାଣ୍ଟେକି ଟକ୍କର । ବ୍ୟାଟିଂ ଲାଇନ୍ ଉପରେ ଅଧିକ ଭରସା କରିବ କିୱି ଟିମ୍ । ଓପନର ମାର୍ଟିନ ଗୁପତିଲ୍, ଅଧିନାୟକ ୱିଲିୟମସନ୍, ମିଚେଲ, ଗ୍ଲେନ୍ ଫିଲିପ୍ସଙ୍କ ଉପରେ ରହିବ ଗୁରୁ ଦାୟିତ୍ୱ । ଟିମ୍ ସାଉଥି, ଟ୍ରେଣ୍ଟ ବୋଲ୍ଟ  ଓ ସୋଡି ସମ୍ଭାଳିବେ ବୋଲିଂ ଭାର ।

 ICC T20 World Cup Final New Zealand Vs Australia

ସେପଟେ କଙ୍ଗାରୁ ଦଳର ଦୁଇ ଓପନର ଆରୋନ୍ ଫିଞ୍ଚ ଓ ଡେଭିଡ୍ ୱାର୍ଣ୍ଣରଙ୍କ ସହ ସ୍ମିଥ, ଷ୍ଟୋନିସ୍, ମାଥ୍ୟୁ ୱାଡେ ଓ ମାକ୍ସୱେଲଙ୍କ ଉପରେ ରହିବ କ୍ରିକେଟପ୍ରେମୀଙ୍କ ନଜର । ବୋଲିଂରେ ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ ହାଜେଲଉଡଙ୍କ ଉପରେ ଭରସା କରିବ ଦଳ । ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ଜିତିବା ଅଷ୍ଟ୍ରେଲିଆ ପାଇଁ ଏତେଟା ସହଜ ହେବନି । ଟି-୨୦ ବିଶ୍ୱକପରେ ବ୍ଲାକ୍ କ୍ୟାପକୁ ଆଦୌ ବି ପରାସ୍ତ କରିନି କଙ୍ଗାରୁ ଦଳ ।

ପୂର୍ବରୁ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ହରାଇ ସାରିଛି ନ୍ୟୁଜିଲାଣ୍ଡ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ ୧୪ଟି ଟି-୨୦ ମ୍ୟାଚ୍ ଖେଳା ଯାଇଛି । ଏଥି ମଧ୍ୟରୁ ଅଷ୍ଟ୍ରେଲିଆ ୯ଟିରେ ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ୫ଟିରେ ବାଜିମାତ୍ କରିଛି । ଉଭୟ ଟିମ ଏ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଟାଇଟଲ ହାତେଇ ନଥିବାରୁ ଏଥର ନୂତନ ବିଜେତା ଦେଖିବାକୁ ମିଳିବ ।

ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜିଠୁ ଦୁଇ ଦିନ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ଆଜି ଓ କାଲି ଭକ୍ତଙ୍କୁ ଜଗା ଦର୍ଶନ ମନା ହୋଇଛି । କଟକଣା ଅନୁସାରେ ପ୍ରତ୍ୟେକ ରବିବାର ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଥିବାରୁ ଭକ୍ତଙ୍କୁ ବାରଣ କରାଯାଇଛି । ଅନ୍ୟପଟେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ଏଥିପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି । ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ ।

Puri Shri Mandir Will Closed For Devotee Today And Tomorrow

ଏକାଦଶୀରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ । ପଞ୍ଚୁକର ଶେଷ ଦିନରେ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ମଧ୍ୟ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।