ଏସିଆନ ଚମ୍ପିଆନ୍ସ ଟ୍ରଫି ହକି; ପାକିସ୍ତାନକୁ ୪-୩ରେ ହରାଇ ବ୍ରୋଞ୍ଜ୍ ଜିତିଲା ଭାରତ

1 min read

ଢ଼ାକା: ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ବ୍ରେଞ୍ଜ ମେଡାଲ ଜିତିଲା ଟିମ୍ ଇଣ୍ଡିଆ । ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୩ରେ ପରାସ୍ତ କରି ହାସଲ କରିଛି ବ୍ରୋଞ୍ଜ୍ ମେଡାଲ । ଗତ ମଙ୍ଗଳବାର ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିଲା ସେମିଫାଇନାଲ ମୁକାବିଲା । ଏହି ମ୍ୟାଚରେ ଭାରତ-ଜାପାନଠାରୁ ୫-୩ରେ ପରାସ୍ତ ହୋଇ ଫାଇନାଲ ରେସରୁ ବାହାରି ଯାଇଥିଲା । ଫାଇନାଲ ରେସରୁ ବାହାରି ଯିବ ପରେ ଆଜି ବ୍ରୋଞ୍ଜ୍ ପାଇଁ ପାକିସ୍ତାନ ସହ ମୁହାଁମୁହିଁ ହୋଇଥିଲା ବ୍ଲୁ ବ୍ରିଗେଡ । ତେବେ ଏହି ବ୍ରୋଞ୍ଜ୍ ମେଡାଲ ମ୍ୟାଚରେ ଭାରତ ୪-୩ରେ ପାକିସ୍ତାନକୁ ହରାଇ ହାତେଇଛି ବ୍ରୋଞ୍ଜ୍ ମେଡାଲ ।

ଆଜି ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୨ ମିନିଟରେ ଭାରତ ପକ୍ଷରୁ ହରମନପ୍ରୀତ ସିଂଙ୍କ ଷ୍ଟିକରୁ ଆସିଥିଲା ପ୍ରଥମ ଗୋଲ । ଏହି ଗୋଲ ଫଳରେ ଭାରତ ୧-୦ରେ ଆଗୁଆ ରହିଥିଲା । ଏହାର ୮ ମିନିଟ ପରେ ଅର୍ଥାତ ୧୦ତମ ମିନିଟରେ ପାକିସ୍ତାନ ଏକ ଗୋଲ ସ୍କୋର କରି ମ୍ୟାଚର ସ୍ଥିତିକୁ ୧-୧ରେ ବରାବର କରିଥିଲା । ପ୍ରଥମ କ୍ୱାଟର ଶେଷ ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ ।  ଦ୍ୱିତୀୟ କ୍ୱାଟରରେ ଉଭୟ ଦଳ ଗୋଲ ସ୍କୋର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଦଳ ଗୋଲ ସ୍କୋର କରି ପାରିନଥିଲେ । ତୃତୀୟ କ୍ୱାଟର ଆରମ୍ଭରୁ ପାକିସ୍ତାନ ଆଉ ଗୋଲ ସ୍କୋର କରି ମ୍ୟାଚରେ ଆଗୁଆ ରହିଥିଲା । କିନ୍ତୁ ପାକିସ୍ତାନ ଏହି ଲିଡ୍ ଅଧିକ ସମୟ ରଖିପାରିନଥିଲା । ତୃତୀୟ କ୍ୱାଟର ଶେଷ ହେବା ସମୟରେ ଭାରତ ପକ୍ଷରୁ ସୁମିତ ଆଉ ଏକ ଗୋଲ ସ୍କୋର କରି ପୁଣି ମ୍ୟାଚକୁ ୨-୨ରେ ବରାବର କରିଥିଲା ।

ଚତୁର୍ଥ କ୍ୱାଟର ଆରମ୍ଭରୁ ପୁଣି ଥରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚର ୫୩ତମ ମିନିଟରେ ବରୁଣ କୁମାର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ମ୍ୟାଚରେ ପୁଣି ଥରେ ଭାରତକୁ ୩-୨ରେ ଆଗୁଆ କରିଥିଲେ ।  ଏହାର ୪ ମିନିଟ ପରେ ଅର୍ଥାତ ୫୭ ତମ ମିନିଟରେ ଭାରତ ପକ୍ଷରୁ ଚତୁର୍ଥ ଗୋଲ ସ୍କୋର କରିଥିଲେ ଆକାଶଦୀପ ସିଂ ।  ଯଦିଓ ୫୭ତମ ମିନିଟରେ ପାକିସ୍ତାନ ଆଉ ଏକ ଗୋଲ ସ୍କୋର କରିଥିଲା କିନ୍ତୁ ଏହି ମ୍ୟାଚ ଜିତିବାରେ ସଫଳ ହୋଇନଥିଲା ପାକିସ୍ତାନ । ଯାହା ଫଳରେ ଭାରତ ଏହି ମ୍ୟାଚକୁ ୪-୩ ଗୋଲରେ ନିଜ ନାମରେ କରିଥିଲା । ଏହି ବିଜୟ ସହ ଭାରତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ  ବ୍ରୋଞ୍ଜ୍ ମେଡାଲ ଜିତିଛି । ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ଫଳରେ ଅଧିନାୟକ ମନପ୍ରୀତ ସିଂଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା ।

 

Leave a Reply