spot_img
Home Blog Page 4892

ଆବଶ୍ୟକ ପଡ଼ିଲେ ପୁଣି ଫେରିବ କୃଷି ଆଇନ: କାଲରାଜ ମିଶ୍ର

ନୂଆଦିଲ୍ଲୀ: ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ଉତ୍ସବ ମନାଉଛନ୍ତି ଚାଷୀ । ବର୍ଷକର ଆନ୍ଦୋଳନ, ୭୦୦ରୁ ଅଧିକ ଚାଷୀଙ୍କ ବଳିଦାନ ଆଗରେ ଶେଷରେ ମୁଣ୍ଡ ନୁଆଁଇଛନ୍ତି ଅହଂକାରୀ କେନ୍ଦ୍ର ସରକାର । ବିବାଦୀୟ ଆଇନ ପ୍ରତ୍ୟାହାର ପୂର୍ବରୁ ବିରୋଧୀଙ୍କ ଟାର୍ଗେଟରେ ଥିଲେ କେନ୍ଦ୍ର ସରକାର । ପ୍ରତ୍ୟାହାର ନେଇ ଘୋଷଣା ପରେ ବି ବିରୋଧୀଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ମୋଦି ସରକାର । ଏମିତି ସ୍ଥିତିରେ ମୋଦି ସରକାରଙ୍କ ଅଡୁଆ ବଢ଼ାଇବା ଭଳି ବୟାନ ଦେଇଛନ୍ତି ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର । ଆବଶ୍ୟକ ପଡ଼ିଲେ ପୁଣି ଥରେ କୃଷି ଆଇନ ଅଣାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିରୋଧୀ ଓ ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇ ଥିବା ବେଳେ କିଛି ଲୋକ ଏହାକୁ ପୁଣି ଥରେ ଆଣିବାକୁ ଦାବି କରୁଛନ୍ତି । ଚାଷୀ ସଂଗଠନଗୁଡିକ ମଧ୍ୟ ଏମିତି ହେବା ଆଶଙ୍କା ପ୍ରକାଶ କରିଛନ୍ତି । ସେଥିପାଇଁ ସଂସଦରେ କୃଷି ଆଇନ ପ୍ରତ୍ୟାହାରରେ ମୋହର ଲାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି କହି ସାରିଛନ୍ତି ।

କାଲରାଜ ମିଶ୍ର କହିଛନ୍ତି, ‘କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । କୃଷି ଆଇନ ଚାଷୀଙ୍କ ହିତ ପାଇଁ ଥିଲା । ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ହେଲେ ଆାଇନ ପ୍ରତ୍ୟାହାର ଦାବିରୁ ହଟି ନଥିଲେ ଚାଷୀ । ଶେଷରେ ଆଇନ ପ୍ରତ୍ୟାହାର କରିନେବାକୁ ସରକାର ହୃଦୟଙ୍ଗମ କଲେ ।’

ସେ ଆହୁରି କହିଥିଲେ, ‘ଆବଶ୍ୟକ ପଡ଼ିଲେ ପୁଣି ଥରେ କୃଷି ଆଇନ ଅଣାଯିବ । ବର୍ତ୍ତମାନ ପାଇଁ ଏହାକୁ ପ୍ରତ୍ୟାହାର କରାଯାଉଛି ।’

କେବଳ ରାଜସ୍ଥାନ ରାଜ୍ୟପାଳ ନୁହଁନ୍ତି, ବିଜେପି ସାଂସଦ ସାକ୍ଷୀ ମହାରାଜ ମଧ୍ୟ କୃଷି ଆଇନ ପୁଣି ଅଣାଯିବା ନେଇ ମତ ରଖିଛନ୍ତି । ସେ କହିଛନ୍ତି, ‘ଆଇନ ତିଆରି ହୋଇଥାଏ, ଭାଙ୍ଗି ଥାଏ । ପୁଣି ଥରେ ଆସିଥାଏ ।’ ସେହିପରି ଫାରୁକବାଦର ବିଜେପି ସାଂସଦ ମୁକେଶ ରାଜପୁର କୃଷି ଆଇନ ପ୍ରତ୍ୟାହାର ନେଇ ଅସହମତି ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ବାଧ୍ୟ ବାଧକତାରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ଚତୁର୍ଥ ଥର ବିବାହ କରିବେ ୫୨ ବର୍ଷୀୟ ଜେନିଫର ଲୋପେଜ

ନୂଆଦିଲ୍ଲୀ: ହଲିଉଡ୍ ଗାୟିକା ଓ ଅଭିନେତ୍ରୀ ଜେନିଫର ଲୋପେଜ ପୁଣି ଥରେ ଚର୍ଚ୍ଚାରେ । ଜେନିଫର ଲୋପେଜ ଦୀର୍ଘ ଦିନ ହେଲା ‘ବ୍ୟାଟମ୍ୟାନ’ର ଅଭିନେତା ବେନ୍ ଏପ୍ଲେକଙ୍କୁ ଡେଟ୍ କରୁଛନ୍ତି । ଦୁହିଁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ଅନେକ ସମୟରେ ଉଭୟଙ୍କୁ ସର୍ବସାଧାରଣରେ ଦେଖିବାକୁ ମଧ୍ୟ ମିଳୁଛି । ଏବେ ଜେନିଫର ବିବାହକୁ ନେଇ କଥା ହୋଇଛନ୍ତି ।

ଏବେ ଜେନିଫର ଆଗାମୀ ଫିଲ୍ମ ‘ମେରି ମାଆ’ର ପ୍ରମୋସନ କରୁଛନ୍ତି । ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିବାହ ନେଇ ପ୍ରଶ୍ନ କରାଯାଇଥିଲା । ୫୨ ବର୍ଷୀୟ ଜେନିଫର ପୂର୍ବରୁ ତିନିଥର ବିବାହ କରି ସାରିଛନ୍ତି । ଚତୁର୍ଥ ଥର ବିବାହ ନେଇ କହିଛନ୍ତି, ‘ହ୍ୟାପିଲି ଏଭର ଆଫଟର’ରେ ବିଶ୍ୱାସ ରଖେ ।

ସେ ଆହୁରି କହିଛନ୍ତି, ମୁଁ ଜଣେ ରୋମାଣ୍ଟିକ ମଣିଷ । ମୁଁ ପୂର୍ବରୁ ଅନେକ ଥର ବିବାହ କରିଛି । ମୁଁ ସମ୍ପୂର୍ଣ୍ଣ ଭାବେ ଖୁସି ଜୀବନ ଚାହେଁ । ଶତ ପ୍ରତିଶତ ଖୁସି ଚାହେଁ । ଜେନିଫରଙ୍କ ଏହି ମନ୍ତବ୍ୟରୁ ଜଣାପଡ଼ୁଛି ସେ ଖୁବଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ।

୨୦୦୨ ମସିହାରେ ଜେନିଫର, ବେନ ଏପ୍ଲେକଙ୍କୁ ଡେଟ୍ କରୁଥିଲେ । ଏପରିକି ଦୁଇ ଜଣଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା । ଦୁହେଁ ଦୁଇ ବର୍ଷ ପରେ ଅଲଗା ହୋଇ ଯାଇଥିଲେ । ଏବେ ପୁଣି ୧୮ ବର୍ଷ ପରେ ଦୁହିଁଙ୍କ ରୋମାନ୍ସ ଜୀବନ ଆରମ୍ଭ ହୋଇଛି ।

ଅଶ୍ଳୀଳ ନୃତ୍ୟ ପରିବେଷଣ କରି ୯ ଯୁବତୀ ଗିରଫ

ପଶ୍ଚିମବଙ୍ଗ : ସଭ୍ୟ ସମାଜରେ ଅସଭ୍ୟ ଆଚରଣ । ହିତାହିତ ଜ୍ଞାନକୁ ଭୁଲିଯାଇଛନ୍ତି ଲୋକେ । ପଶ୍ଚିମବଙ୍ଗରେ ଦର୍ଶକଙ୍କ ଆଗରେ ମଞ୍ଚ ଉପରେ ଅଶ୍ଳୀଳ ନୃତ୍ୟ ପରିବେଷଣ କଲେ ଯୁବତୀ  । ଅଶ୍ଳୀଳ ଇଙ୍ଗିତ ସହିତ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦର୍ଶନ କରି ନୃତ୍ୟ ପରିବେଷଣ କରାଯାଉଥିଲା । ହେଲେ ନିରବଦ୍ରଷ୍ଟା ସାଜିଥିଲେ ସେଠାରେ ଥିବା ଆୟୋଜକ । ଯାହାର ମଜା ଉଠାଉଥିଲେ କିଛି ଅସାମାଜିକ ବ୍ୟକ୍ତି  ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ସ୍ଥିତ ଗୋପାଳ ନଗର ଓ ମାଣିକଖୋଲା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  । ଯାହାର ଫଟୋ କିମ୍ବା ଭିଡିଓ ଦେଖାଇବା ଆମ ପକ୍ଷେ ସମ୍ଭବ ନୁହେଁ  । ଯାତ୍ରା ମଞ୍ଚରେ କେତେକ ଯୁବତୀ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ପରିବେଷଣ କରିବା ବେଳେ ମଞ୍ଚ ଉପରେ ହିଁ ଯୁବତୀ ଉଲଗ୍ନ ହୋଇ ନୃତ୍ୟ ପରିବେଷଣ କରିଥିଲେ । କେବଳ ଏତିକି ନୁହେଁ ନୃତ୍ୟ ପରିବେଷଣ ସମୟରେ ଦର୍ଶକମାନଙ୍କୁ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲେ । ଏଭଳି ଅଶ୍ଳୀଳ ନୃତ୍ୟ ଚାଲିଥିବା ବେଳେ ଖବର ପାଇ ଚଢ଼ାଉ କରିଥିଲା ପୋଲିସ  । ଏଠାରେ ନୃତ୍ୟ ପରିବେଷଣ କରିୁଥିବା ୯ ଯୁବତୀଙ୍କ ସମେତ ମୋଟ ୨୭ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ବାଧୁଛି ଗ୍ୟାସ୍ ଦର; କାଲିଠୁ ରାଜ୍ୟବ୍ୟାପୀ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ତେଜିଲାଣି ଜନ ଅସନ୍ତୋଷ । ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା । ଯୋଜନାର ସୁଫଳ ମିଳୁ ନାହିଁ । ଦରବୃଦ୍ଧି ଯୋଗୁଁ ରିଫିଲିଂ ନ କରିପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମହିଳା । ଏହାର ପ୍ରତିବାଦର ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଆସନ୍ତା ୨୨ରେ କଟକ, ୨୩ରେ ସମ୍ବଲପୁର ଓ ୨୪ ବ୍ରହ୍ମପୁର ଆରଡିସି ଜୋନରେ ଥିବ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଏନେଇ ବିଜେଡି ପକ୍ଷରୁ ପ୍ରେସମିଟ୍ କରାଯାଇଛି ।

Gas Price Rise, BJD To Protest In front Of RDC Office From Tomorrow

ସାଢ଼େ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ଗ୍ୟାସ୍ ଦର ନ କମାଇଲେ ବିରାଟ ଜନ ଆନ୍ଦୋଳନ ହେବ । ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଉଜ୍ଜ୍ୱଳା ଗ୍ୟାସ୍ ରିଫିଲିଂ ହାର କମ ଥିବା କହିଛନ୍ତି । ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ଅନୁସାରେ, ୯୮ ନୁହେଁ ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ବଢ଼ିଛି । ଉଜ୍ଜ୍ୱଳା ଯୋଜନା କରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଠକିଛନ୍ତି । ଏବେ ସିଲିଣ୍ଡର ଦାମ ୯ ଶହ ଟଙ୍କା ଉପରେ ରହିଛି । କେନ୍ଦ୍ର ସରକାର ଦର ହ୍ରାସ ନ କରିବା ଯାଏ ଏହା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ହେବ ।

ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ସ୍ୱର ହୋଇ ଆନ୍ଦୋଳନ କରିବ । ଆସନ୍ତାକାଲି କଟକ ଆରଡିସି ଜୋନର ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନ କରାଯିବ । ଆନ୍ଦୋଳନ ତୀବ୍ରତର ହେବ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରବଞ୍ଚନାରେ ପରିଣତ ହୋଇଛି ।

ବସ୍ତିରେ ବୁଲି ବୁଲି ଗଛ ଲଗାଉଛି ପୋଲିସ

ଭୁବନେଶ୍ବର: ଭୁବନେଶ୍ବରରେ ବସ୍ତିମୁକ୍ତ ଅପରାଧ ପାଇଁ ପୋଲିସ ଜାରି ରଖିଛି ବସ୍ତିକୁ ଚାଲ ଅଭିଯାନ । ବିଭିନ୍ନ ଥାନା ଅଞ୍ଚଳରେ ବନ୍ଧୁତ୍ବରୁ ସୁରକ୍ଷା ନାରା ଦେଇ ପୋଲିସର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ନୟାପଲ୍ଲୀ ପୋଲିସ ଥାନା ଓ ବସ୍ତି ମିତ୍ର, ଆସ ଆମ ବସ୍ତିରେ ଗଛଟିଏ ଲଗାଇବା ନାରା ଦେଇ ବୃକ୍ଷ ରୋପଣ କରିଛନ୍ତି ।

ବାଜପେୟୀ ନଗର ଓ ନୀଳଚକ୍ର ନଗରରେ ଯୁବ ଗୋଷ୍ଠୀଙ୍କୁ ଏକତ୍ର କରି ରାସ୍ତା କଡରେ ନିମ୍ବ, ଆସନ, କୃଷ୍ଣଚୁଡା ଆଦି ଗଛ ଲଗାଯାଇଛି । କେବଳ ଗଛ ଲଗାଇ କାମ ସାରିନି ପୋଲିସ । ଗୋଟିଏ ଗଛର ରକ୍ଷଣାବେକ୍ଷଣ ପାଇଁ ବସ୍ତିର ଗୋଟିଏ ଗୋଟିଏ ପରିବାରକୁ ଦାୟିତ୍ବ ନେବା ପାଇଁ ପୋଲିସ ନିବେଦନ କରିଛି । ଥାନା ଅଧିକାରୀ ଶରତ ସାହୁ ଓ ଜୋନ-୫ ଏସିପି ସଞ୍ଜୀବ ଶତପଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବସ୍ତି ମିତ୍ରଙ୍କୁ ଉତ୍ସାହିତ କରିଥିଲେ ।

ପୁଣି ବାହାରିଲା ଆନ୍ଧ୍ରର ପୁରୁଣା ରୋଗ: ସୀମାନ୍ତ ଗାଁରେ ମାରିଲା ପୋଷ୍ଟର

ଗଜପତି: କଥାରେ ଅଛି ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ’ । ଏହି ଉକ୍ତିଟି ପଡୋଶୀ ଆନ୍ଧ୍ର ପ୍ରଦେଶ ପାଇଁ ଶତ ପ୍ରତିଶତ ସତ । ପଡୋଶୀଙ୍କ ସହ ଭଲ ସମ୍ପର୍କ କଥା ଛାଡ଼, କେମିତି ଅନ୍ୟ ରାଜ୍ୟର ଜମି ହଡପ କରାଯିବ ସେହି ଚିନ୍ତାରେ କଟିଥାଏ ଏହି ରାଜ୍ୟ ମୁଖିଆ ଦିନ । ସୀମାନ୍ତ ଓଡ଼ିଶାକୁ ନିଜ ଦଖଲକୁ ନେବାକୁ ରିତିମତ ଉଦ୍ୟମ ଚଲାଇଥିବା ଆନ୍ଧ୍ର ପୁଣି ଥରେ ମନ୍ଦ ଉଦ୍ଦେଶ୍ୟ ଦେଖାଇଛି । ସୀମାନ୍ତ ମାଣିକପାଟଣା ଗାଁରେ ଲଗାଇଛି ପୋଷ୍ଟର ।

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଗନମୋହନ ରେଡ୍ଡିଙ୍କ ସାକ୍ଷାତ ପରେ ଆଶା କରାଯାଉଥିଲା ସୀମା ବିବାଦକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି । ବିଶେଷ କରି ଗଜପତି ଜିଲ୍ଲାରେ ସୀମା ବିବାଦ ସମାଧାନ ହେବାରେ ପନ୍ଥା ବାହାରିବା ନେଇ ଆଶା କରାଯାଉଥିଲା । ହେଲେ ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତର ସୀମାନ୍ତ ଗାଁଗୁଡିକରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଉଲ୍ଲେଖ ଥିବା ପୋଷ୍ଟର ଘରେ ଘରେ ଲାଗାଯାଇଛି ।

ପୁର୍ବରୁ ସୀମାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଶ୍ରୀକାକୁଲମ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା ଲାଗିରହିଥିବା ବେଳେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । କିନ୍ତୁ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବିବାଦୀୟ ଅଞ୍ଚଳରେ ପୋଷ୍ଟର ମାରିବା ଘଟଣାକୁ ଅଧିକଜଟିଲ କରିଛି ।

ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବାକୁ ମୋଦିଙ୍କୁ ନବୀନଙ୍କ ଚିଠି

ଭୁବେନଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ ଲାଗୁ ହୋଇଥିବା ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ବି ଦେଶରେ ମହାମାରୀ ସମ୍ପୂର୍ଣ୍ଣ ଯାଇନାହଁ । କରୋନା ପାଇଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି । ଏଣୁ ଗରିବଙ୍କ ପାଇଁ ଯୋଜନାକୁ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୨୦ ମାର୍ଚ୍ଚ ମାସରୁ ଏହି ଯୋଜନାରେ ଗରିବ ପରିବାରକୁ ମାସିକ ମାଗଣାରେ ରାସନ ଯୋଗାଇ ଦିଆଯାଉଥିଲା । ରାଜ୍ୟ ସରକାର ମଧ୍ୟ ନିଜର ଅତିରିକ୍ତ ହିତାଧିକାରୀଙ୍କୁ ରାସନ ଯୋଗାଇଛନ୍ତି । କେନ୍ଦ୍ର ସହାୟତା ଦେବାକୁ କରିଥିବା ଘୋଷଣା ଅବଧି ଚଳିତ ମାସରେ ଶେଷ ହେଉଛି । କିନ୍ତୁ କରୋନା ସ୍ଥିତିରେ ଏବେ ବି ସୁଦ୍ଧାର ଆସିନଥିବାରୁ ଆଗାମୀ ୮ମାସ ପର୍ଯ୍ୟନ୍ତ ଲୋକଙ୍କୁ ସହାୟତା ଦେବାକୁ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ।

ରାଜ୍ୟର ୧୯ ଜିଲ୍ଲାରୁ ୨୦୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨୦୫ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୯ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୬ ଜଣ ସ୍ଥାନୀୟ ସଂକ୍ରମିତ । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମଣ ମାମଲା ୧୦ ଲକ୍ଷ ୪୭ ହଜାର ୩କୁ ବୃଦ୍ଧି ପାଇଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ବାଲେଶ୍ୱରରୁ ୫ ଜଣ, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୫ ଜଣ, କଟକରୁ ୧୦ ଜଣ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୬ ଜଣ, କଳାହାଣ୍ଡିରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ୪ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଏବଂ ଷ୍ଟେଟପୁଲରୁ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦ ଲକ୍ଷ ୩୬ ହଜାର ୨୩୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୨୩୨୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ମାତିଛନ୍ତି ହାତୀ: ଦେଢ଼ମାସ ହେଲା କରୁଛନ୍ତି ଉତ୍ପାତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ମାତିଛନ୍ତି ହାତୀ । ୨୫ ଟିକିଆ ହାତୀପଲର ଉତ୍ପାତରେ ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ଲୋକେ ।  ଦେଢ ମାସରୁ ଅଧିକ ହେଲା ସ୍ଥାନୀୟ ଅଞ୍ଚଳରେ କରୁଛନ୍ତି ଉତ୍ପାତ । ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ବାର ଭାଙ୍ଗି କରୁଛନ୍ତି ଛାରଖାର ।

ଗତକାଲି ରାତିରେ ହାତୀ ପଲ ଚମ୍ପୁଆ ବନଖଣ୍ଡକୁ ଫେରିଯାଇଥିବାବେଳେ ସକାଳୁ ପୁଣି କରଞ୍ଜିଆ ଅଞ୍ଚଳକୁ ଲେଉଟିଛନ୍ତି । ହାତୀଙ୍କୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଏବେ ଯାଏଁ ସଫଳତା ମିଳିପାରିନାହିଁ ।

ପୁଣି ମମତାଙ୍କ ଟାର୍ଗେଟରେ ମୋଦି ସରକାର

କୋଲକାତା: କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ମୋର୍ଚ୍ଚା ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ୨୨ରୁ ୨୫ ତାରିଖ ମଧ୍ୟରେ ମମତା ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ତମାମ ବିରୋଧୀ ଦଳର ନେତାଙ୍କୁ ଭେଟିବେ ମମତା ।

ସଂସଦ ଅଧିବେଶନରେ କ’ଣ ରହିବ ବିରୋଧୀଙ୍କ ରଣନୀତି ସେ ନେଇ ଆଲୋଚନା କରିବେ ଦିଦି । କିଭଳି କେନ୍ଦ୍ର ସରକାରଙ୍କୁ ଗୃହ ଭିତରେ ମୁକାବିଲା କରାଯାଇପାରିବ ସେ ନେଇ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କଥା ହେବେ । ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ସଂସଦ ଅଧିବେଶନରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ । ଏଥିସହ ଦରଦାମ ବୃଦ୍ଧି, ସୀମା ପ୍ରସଙ୍ଗ ସହ ଅନେକ ପ୍ରସଙ୍ଗ ରହିଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବାକୁ ଉଦ୍ୟମ କରିବେ । ପୂର୍ବରୁ ମଧ୍ୟ ମମତା ବାନାର୍ଜୀ ଦିଲ୍ଲୀରେ ତମାମ ବିରୋଧୀ ଦଳର ନେତାଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।