spot_img
Home Blog Page 4814

କେମିତି ହୋଇଥିଲା CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ? ସୂଚନା ଦେଲେ ରାଜନାଥ

କୁନ୍ନୁର: କୁନ୍ନୁରରେ ସେନା ଚପର ଦୁର୍ଘଟଣାଗ୍ରସ୍ତ ନେଇ ପାର୍ଲାମେଣ୍ଟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି । ଉଭୟ ଗୃହରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସୁଲୁର ଏୟାରବେସ୍ରୁ ସିଡିଏସ୍‌ ବିପିନ ରାଓ୍ବତ ଓ ଅନ୍ୟମାନଙ୍କୁ ନେଇ ୧୧ ଟା ୪୮ ମିନିଟରେ ଉଡାଣ ଭରିଥିଲା ଚପର । ୧୨ଟା ବାଜି ୮ମିନିଟରେ ହେଲିକପ୍ଟର ସହ ଏଟିସିର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

ଲ୍ୟାଣ୍ଡିଂ କରିବାର ମାତ୍ର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଚପରରେ ଥିବା ୧୪ଜଣଙ୍କ ମଧ୍ୟରୁ ୧୩ଜଣଙ୍କର ମୃତ୍ୟୁ ହୋଇଛି । ଗ୍ରୁପ କ୍ୟପଟେନ ବରୁଣ ସିଂ ଗୁରୁତର ଅବସ୍ଥାରେ ଓ୍ବେଲିଂଟନ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଏବେ ଲାଇଫ୍ ସପୋର୍ଟ ସିଷ୍ଟମରେ ରହିଛନ୍ତି। ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

CDS General Bipin Rawat Chopper Crash, 3 Jumped After Fire In Helicopter

ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମୃତକଙ୍କ ପ୍ରାର୍ଥିବ ଶରୀର ଦିଲ୍ଲୀଠାରେ ପହଞ୍ଚିବ ବୋଲି ରାଜନାଥ ସୂଚନା ଦେଇଛନ୍ତି। IAFର ସ୍ବତନ୍ତ୍ର ବିମାନରେ ମରଶରୀରକୁ ଦିଲ୍ଲୀ ଅଣାଯିବ । ଅନ୍ୟପଟେ ପୁରା ଘଟଣାର ତଦନ୍ତ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ତିନି ବାହିନୀ ପକ୍ଷରୁ ମିଳିତ ତଦନ୍ତ କରାଯିବ । ଏୟାର ମାର୍ସାଲ ମାନବେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ ଟିମ୍ ଗଠନ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିବୃତି ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ପରେ ଉଭୟ ଗୃହରେ ବୀର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

କରୋନା କବଳରେ ଛାତ୍ରଛାତ୍ରୀ, କ୍ୟାପିଟାଲ ହାଇସ୍କୁଲରେ ୨ ପଜିଟିଭ

ଭୁବନେଶ୍ୱର: ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ପଶିଛି କରୋନା। ଦୁଇ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଛାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ବଢିବା ଆଶଙ୍କା ମଧ୍ୟରେ ଗତକାଲି କ୍ୟାପିଟାଲ ହାଇସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ ଟେଷ୍ଟିଂ ହୋଇଥିଲା।

ଯାହା ପରେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ପଜିଟିଭ ଚିହ୍ନଟ ଦୁଇ ଛାତ୍ରଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ରିପୋର୍ଟ ନେଗେଟିଭ ବାହାରି ଥିବା ନେଇ ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ତେବେ ଦୁଇ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ କଟକଣା ଭିତରେ ଚାଲିଛି ସେମାନଙ୍କ ପାଠପଢ଼ା। ଏହାପରେ ସ୍କୁଲ ଓ ଶ୍ରେଣୀଗୃହକୁ ବିଶୋଧନ କରାଯାଇଥିବା ନେଇ ସୂଚନା ମିଳିଛି।

ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ ନୀତି ପାଳିତ

ପୁରୀ: ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଓଢଣ ଷଷ୍ଠୀ ପର୍ବ। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଇଛି। ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ବା ଘୋଡ଼ ପରିଧାନ କରିଛନ୍ତି ମହାପ୍ରଭୁ ।

ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ ଘୋଡ଼ଲାଗି । ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିବେ ମହାପ୍ରଭୁ । ଗତକାଲି ତିନି ଠାକୁରଙ୍କ ସହ ମାଆ ବିମଳା, ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନଙ୍କ ପାଇଁ ପ୍ରସ୍ତୁତ ଘୋଡ଼ ଅଧିବାସ ହୋଇଥିଲା । ଆଜି ଠାକୁରଙ୍କୁ ଘୋଡ଼ଲାଗି କରାଯାଇ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି।

ଓଢ଼ଣ ଷଷ୍ଠୀ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା । ଘୋଡ ଲାଗି ବେଶ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଏହି ବେଶ ଦର୍ଶନ ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବାଇକ ରାଲି

ଭୁବନେଶ୍ୱର: ହୁ ହୁ ହୋଇ ବଢିଚାଲିଛି ତୈଳ ଓ ଗ୍ୟାସ ଦର। ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରଣହୁଙ୍କାର ଦେଇଛି ବିଜେଡି। ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ କରଯାଇଛି ବିଶାଳ ବାଇକ ରାଲି। ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟଠାରୁ କେଶରୀ ହଲ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଏହି ବାଇକ ରାଲି କରାଯାଇଛି। କେବଳ ଏତିକି ନୁହେଁ ଦରବୃଦ୍ଧି ସହିତ ବେକାରୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛି ବିଜେଡି।

ଏହି ରାଲିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ଛାତ୍ର ଓ ଯୁବବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଛନ୍ତି। ଅପରପକ୍ଷେ ବିଜେଡିର ମହା ସମାବେଶ ଆୟୋଜନ କରାଯାଇଛି। ଯେଉଁଥିରେ ଯାଜପୁର ନିର୍ବାଚନ ମଣ୍ଡଳୀରୁ ଶହ ଶହ ଛାତ୍ର ଯୁବକ ଓ ମହିଳା ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିର ସମାଲୋଚନା କରିଛନ୍ତି ।

ଯାଜପୁର ବିରଜା ମାଟିର ଏହି ସ୍ୱର ଦିଲ୍ଲୀ ଦରବାରରେ ପହଂଚିବା ପର୍ଯ୍ୟନ୍ତ ଏପରି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ଯୁବ ଓ ଛାତ୍ର ବିଜେଡି କର୍ମୀ।

ସେନା ହେଲିକପ୍ଟରର ଶେଷ ମୁହୂର୍ତ୍ତର ଭିଡ଼ିଓ, କୁହୁଡି ଭିତରେ ରାସ୍ତା ଖୋଜୁଥିଲା ରାୱତଙ୍କ ଚପର୍

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।ନୀଳଗିରି ଜଙ୍ଗଲରେ ଜଣେ ପର୍ଯ୍ୟଟକଙ୍କ ମୋବାଇଲରେ କଏଦ ହୋଇଛି ଦୁର୍ଘଟଣା ପୂର୍ବର ଲୋମହର୍ଷଣକାରୀ ମୁହୂର୍ତ୍ତ। ଚପରଟି କୁହୁଡି ବଳୟରେ ଖୁବ୍ ତଳେ ଉଡୁଥିବା ନେଇ ଉକ୍ତ ଭିଡ଼ିଓରେ  ଦେଖିବାକୁ ମିଳୁଛି। ଭିଡିଓଟି ଅଳ୍ପ କେଇ ସେକେଣ୍ଡର ହୋଇଥିବା ବେଳେ ଏଥିରେ ଚପରଟି ଗୋଟିଏ ଗଛରେ ଧକ୍କା ହେଉଥିବା ନଜର ଆସିଛି ।

ଅପରପକ୍ଷେ ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ବୁଧବାର ଦ୍ୱିପ୍ରହର ୧୨ଟା ୮ମି. ସମୟରେ ରାୱତଙ୍କ ଚପର ସହ ଏଟିସିର ସମ୍ପର୍କ ସ୍ଥାପନା ବିଚ୍ଛିନ୍ନ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ହେଲିକପ୍ଟରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ଜଣେ ମାତ୍ର ଯବାନ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ୱେଲିଂଟନ୍ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ରହିଛନ୍ତି।

ହେଲିକପ୍ଟରଟି ଗଛରେ ପିଟି ହୋଇଥିଲା
କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ହେଲିକପ୍ଟରଟି ଖୁବ୍ ଜୋରରେ ଗଛରେ ପିଟିହୋଇଥିଲା। ଯାହା ପରେ ବିସ୍ଫୋରଣ ଘଟିଥିଲା। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ହେଲିକପ୍ଟରରୁ ଜଳୁଥିବା ଲୋକଙ୍କୁ ପଡିବାର ଦେଖିଛନ୍ତି ।

ଏହି ଘଟଣାରେ ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶୀ କୃଷ୍ଣସ୍ୱାମୀ କହିଛନ୍ତି ଯେ ‘ମୁଁ ମୋ ଘରେ ଥିଲି। ସେତେବେଳେ ଜୋରରେ ଏକ ଶବ୍ଦ ଶୁଣାଯାଇଥିଲା। ବାହାରକୁ ଆସି ଦେଖିଲା ବେଳକୁ ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଟିଏ ପରେ ଗୋଟିଏ କରି ଦୁଇଟି ଗଛ ପଡିଥିଲା । ହେଲିକପ୍ଟରରେ ନିଆଁ ଲାଗିଥିଲା ବେଳେ ସେଥିରୁ ଦୁଇରୁ ତିନି ଜଣ ବାହାରକୁ ବାହାରିଥିଲେ, ଯେଉଁମାନଙ୍କ ଦେହରେ ନିଆଁ ଲାଗିଥିବା ନଜର ଆସିଥିଲା। ତତକ୍ଷଣାତ୍ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଡାକ ପକାଇଥିଲି। ଏହା ପରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା।

 

ବାୟୁସେନା ହେଲିକପ୍ଟରର ବ୍ଲାକ ବକ୍ସ ଉଦ୍ଧାର; ଖୋଲିବ ଦୁର୍ଘଟଣାର ସତ

ନୂଆଦିଲ୍ଲୀ: ଏବେ ଖୋଲିବ ତାମିଲନାଡୁ କନ୍ନୁରରେ ଘଟିଥିବା ଚପର ଦୁର୍ଘଟଣାର ସତ। ଦୁର୍ଘଟଣାଗ୍ରସ୍ତ ଚପର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ବ୍ଲାକବକ୍ସ ଉଦ୍ଧାର କରିଛି ତଦନ୍ତକାରୀ ଟିମ୍ । କିପରି ହେଲା ହେଲିକପ୍ଟର ଦୁର୍ଘଟଣା । ଏହା ପଛରେ କାରଣ କଣ । ହେଲିକପ୍ଟର ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିବାବେଳେ ବ୍ଲାକ ବକ୍ସ କହିବ ଦୁର୍ଘଟଣା ପଛର କାହାଣୀ ।

ବ୍ଲାକ ବକ୍ସ ହେଉଛି ଏପରି ଏକ ଯନ୍ତ୍ର ଯାହା ଦ୍ବାରା ଦୁର୍ଘଟଣା ସମ୍ପର୍କିତ ସମସ୍ତ ତଥ୍ୟ ରେକର୍ଡ ହୋଇଥାଏ । ଯେତେବେଳେ ହେଲିକପ୍ଟର ଉଡାଣ ଆରମ୍ଭ କରେ ସେତେବେଳେ ବ୍ଲାକ ବକ୍ସରେ ସବୁ କିଛି ରେକର୍ଡ ହୋଇଥାଏ । ପାଇଲଟ୍ କାହା ସହ କଣ କଥା ହୋଇଛନ୍ତି ତାହା ମଧ୍ୟ ଜଣାପଡିଥାଏ। ବ୍ଲାକ ବକ୍ସରେ ଦୁଇଟି ରେକର୍ଡର ଥାଏ । ଗୋଟିଏରେ ପାଇଲଟଙ୍କ କଥା ରେକର୍ଡ ହୋଇଥିବାବେଲେ ଅନ୍ୟଟିରେ ହେଲିକପ୍ଟର ସମ୍ପର୍କରେ ସମସ୍ତ ତଥ୍ୟ ରେକର୍ଡ ହୋଇଥାଏ । ଦୁର୍ଘଟଣାସ୍ଥଳରୁ ବ୍ଲାକ ବକ୍ସ ମିଳିବା ପରେ ଲ୍ୟାବରେ ଏହାର ଯାଞ୍ଚ କରାଯିବ।

ସହିଦ ବିପିନ ରାୱତଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ବିୟୋଗରେ ବିଧାନସଭାରେ ଆଗତ ହୋଇଛି ଶୋକ ପ୍ରସ୍ତାବ। ବିଧାନସଭା ଶୀତ ଅଧିବେଶନର ଅଷ୍ଟମ ଦିନରେ ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଯାହାକୁ ବିରୋଧୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ ଜଣାଇଛନ୍ତି।

ସେପଟେ ଦୀର୍ଘଦିନ ଧରି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରୁ ନଥିବା ବେଳେ ଆଜି ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି। ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅମର ଆତ୍ମାର ସଦଗତି କାମନା କରିବା ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଗତ ୭ ଦିନରେ ଘଣ୍ଟାଏ ବି ଚାଲିପାରିନି ବିଧାନସଭାର ଶୀତକାଳୀନ ଅଧିବେଶନ । ଧୋଇହୋଇଯାଇଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ । ମାଇଲେଜ ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ରାଜନୈତିକ ନାଟକ ରଚୁଛନ୍ତି। କେବଳ ଏତିକି ନୁହେଁ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ୩ ଥର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ ମାରିଛି।

ସହିଦ ଓଡ଼ିଆ ଯବାନ ରାଣା ପ୍ରତାପଙ୍କୁ ଝୁରୁଛି ପରିବାର, କାନ୍ଦୁଛି ଜନ୍ମ ମାଟି

ଭୁବନେଶ୍ୱର: ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ରେ ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ।  ସହିଦ ଯବାନ ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣା ପ୍ରତାପ ଦାସ। ଯାହାଙ୍କ ଦେହାନ୍ତରେ ପରିବାର ବର୍ଗ ମ୍ରିୟମାଣ ହୋଇପଡିଥିଲା ବେଳେ ଝୁରୁଛି ଜନ୍ମମାଟି ।

ରାଣା ପ୍ରତାପ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ପାଖାପାଖି ମାସେ ହେବ ତାମିଲନାଡୁରେ ରହିଆସୁଥିଲେ। ବାପା ଶ୍ରୀବତ୍ସ ଦାସ ଜଣେ ଅବସରପ୍ରାପ୍ତ କଲେଜ ବରିଷ୍ଠ କିରାଣୀ । ଅବସର ପରେ ସେ ଅସୁସ୍ଥ ପ୍ରାୟ ରହୁଥିବା ବେଳେ ମା ସୁଷମାଙ୍କ ମାନସିକ ସ୍ଥିତି ଭଲ ନାହିଁ। ବୟସର ଅପରାହ୍ନରେ ୩୫ବର୍ଷର ପୁଅକୁ ହରାଇବାର ଦୁଃଖ ସହିପାରିବେନି ବୋଲି ବାପା-ମାଙ୍କୁ ରାଣାଙ୍କ ସମ୍ପର୍କରେ ଅବଗତ କରାଯାଇନାହିଁ।

ରାଣାଙ୍କ ପତ୍ନୀ ଶିବାଙ୍ଗୀ ଏୟାରଫୋର୍ସରେ ଡେଣ୍ଟିଷ୍ଟ ଅଛନ୍ତି। ତାଙ୍କର ବର୍ଷକର ପୁଅଟିଏ ରହିଥିବା ବେଳେ ସେ ଏବେ ବିହାରରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ତେବେ ରାଣା ଘରର ସାନ ପୁଅ ହୋଇଥିବା ବେଳେ ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ,  ଗତକାଲି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇ ଯାଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବାୟୁ ସେନା ଟ୍ୱିଟ୍ କରି ସୂଚନା ଦେଇଥିଲା।

ଓମିକ୍ରନ୍ ବିରୋଧରେ କେତେ ପ୍ରଭାବଶାଳୀ ଫାଇଜର? ଜାଣନ୍ତୁ…

ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ନାଶକାରୀ ଟିକା । ଓମିକ୍ରନର ମୁକାବିଲା ଲାଗି ଫାଇଜରର ତିନିଟି ଟିକା ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଜର୍ମାନୀ ଓ ଆମେରିକାର ମିଳିତ ଉଦ୍ୟୋଗରେ ପ୍ରସ୍ତୁତ ଫାଇଜର-ବାୟୋଏନଟେକ ପକ୍ଷରୁ କୁହାଯାଇଛି ଫାଇଜରର ଦୁଇଟି ଡୋଜ ଓମିକ୍ରନ ବିରୋଧରେ ଅମୋଘ ଅସ୍ତ୍ର ସାବ୍ୟସ୍ତ ହୋଇଛି । ତେବେ ଏହାର ତୃତୀୟ ଡୋଜ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ ଏବଂ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ବୋଲି କହିଛନ୍ତି ବାୟୋଏନଟେକ ଚିଫ ମେଡିକାଲ ଅଫିସର ଓଜେମ ଟୁଏରେସି ।

ଓମିକ୍ରନକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବାବେଳେ ପ୍ରଥମ ଥର ଲାଗି ଏଭଳି ଆଶା ଦେଇଛି ବାୟୋଏନଟେକ। ଗବେଷଣାଗାରରେ ଏହି ଟିକାର ସଫଳ ପରୀକ୍ଷା କରାଯାଇଛି ଏବଂ ଅନୁମତି ମିଳିଲେ ଖୁବ୍ ଶୀଘ୍ର ଏହାର ସାର୍ବଜନୀନ ପ୍ରୟୋଗ କରାଯିବ । ଏହାବ୍ୟତୀତ Pfizer ଏବଂ ଏହାର ସହଯୋଗୀ BioNTech କହିଛନ୍ତି ଯେ ଲାବୋରେଟୋରୀ ପରୀକ୍ଷଣରୁ ଜଣାପଡିଛି ଯେ ଓମିକ୍ରନ୍ ବିରୋଧରେ ଏକ ବୁଷ୍ଟର୍ ଡୋଜ୍ ଆଣ୍ଟିବଡି ସ୍ତରକୁ ୨୫ ଗୁଣା ଯାଏଁ ବୃଦ୍ଧି କରିଥାଏ ।

ଆଂଶିକ ସୁରକ୍ଷା ଦେଇଥାଏ ଫାଇଜର ଟିକା 
ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ‘ଓମିକ୍ରନ୍’ ବିରୋଧରେ ଫାଇଜରର ଆଣ୍ଟି-କୋଭିଡ୍-୧୯ ଟିକା ଆଂଶିକ ସୁରକ୍ଷା ପ୍ରଦାନ କରିଥାଏ। ଅନୁସନ୍ଧାନକାରୀମାନେ ଯାଞ୍ଚ କରିଛନ୍ତି ଯେ ଆଣ୍ଟି-କୋଭିଡ-୧୯ ଟିକା ‘ଫାଇଜର mRNA’ ଭାଇରସର ନୂଆ ରୂପ ‘ଓମିକ୍ରନ୍’ ବିରୁଦ୍ଧରେ ପ୍ରଭାବଶାଳୀ କି ନୁହେଁ ଏବଂ ମାନବ କୋଷିକାକୁ ସଂକ୍ରମିତ କରିବା ପାଇଁ ACE2 ରିସେପ୍ଟର’ ଆବଶ୍ୟକ କି ନୁହେଁ।

ତେବେ ‘ଆଞ୍ଜିଓଟିନସିନ୍ ରୂପାନ୍ତର କରୁଥିବା ଏନଜାଇମ୍-୨’ ରିସେପ୍ଟରଗୁଡ଼ିକ ହେଉଛି ଏକ ପ୍ରକାର ଏନଜାଇମ୍ ଯାହା ହୃଦୟ, ଫୁସଫୁସ, ଧମନୀ, କିଡନୀ ଏବଂ ଅନ୍ତଃନଳୀରେ କୋଷିକାରେ ବାନ୍ଧି ହୋଇଯାଏ । ଏହା ମାଧ୍ୟମରେ ଭାଇରସ୍ ମଣିଷ ଶରୀରରେ ପ୍ରବେଶ କରିଥାଏ।

ସେନା ହେଲିକପ୍ଟର ଦୁର୍ଘଟଣାରେ ଏକାକୀ ଜୀବିତ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ, ଏହା ପୂର୍ବରୁ ବି ମୃତ୍ୟୁକୁ ଦେଇଥିଲେ ମାତ୍…

କନ୍ନୁର: ତାମିଲନାଡୁରେ ସେନା ହେଲିକପ୍ଟରର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କ ଚାଲିଛି ଚିକିତ୍ସା । ଓ୍ବେଲିଂଟନ ସେନା ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି ବରୁଣ ସିଂହ। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ତେବେ ଅଧିକ ଚିକିତ୍ସା ପାଇଁ ଆବଶ୍ୟକସ୍ଥଳେ ତାଙ୍କୁ କୋଏମ୍ବାଟୁର ନିଆଯାଇପାରେ ବୋଲି ସୂଚନା ମିଳିଛି ।

ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ଟୋବର ୧୨ ତାରିଖରେ ଏକ ବଡ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଥିଲେ।  ହେଲିକେପ୍ଟର ଦୁର୍ଘଟଣା ହେବା ସମୟରେ ସେଥିରେ ଥିଲେ ବରୁଣ । ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କୁ ଗଣତନ୍ତ୍ର ଦିବସରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା ।

CDS General Bipin Rawat Chopper Crash, 3 Jumped After Fire In Helicopter

ଏକଦା ଏଲସିଏର ଫ୍ଲାଇଟ କଣ୍ଟ୍ରୋଲ ସିଷ୍ଟମ ଓ ଲାଇଫ ସପୋର୍ଟ ଏନଭିରନମେଣ୍ଟ କଣ୍ଟ୍ରୋଲ ସିଷ୍ଟମ ସଜଡାଯିବା ପରେ ଉକ୍ତ ବିମାନର ଉଡାଣ ଆରମ୍ଭ କରିଥିଲେ । ବିମାନଟି ଅତି ଉଚ୍ଚରେ ଉଡୁଥିବାବେଳେ ଏହାର କକପିଟ ପ୍ରେସରାଇଜେସନ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଏହା ସହ ଫ୍ଲାଇଟ କଣ୍ଟ୍ରୋଲ ସିଷ୍ଟମ ବି ଅଚଳ ହୋଇଯାଇଥିବାରୁ ଏକ ଭୟଙ୍କର ଦୁର୍ଘଟଣା ଅବଶ୍ୟମ୍ଭାବୀ ଥିଲା । ମାତ୍ର ନିଜର ପାରଦର୍ଶିତା, ଅସାଧାରଣ ସାହସ, ବୁଦ୍ଧି ଯୋଗୁ ସେ ପୁନର୍ବାର ବିମାନକୁ ନିୟନ୍ତ୍ରଣକୁ ଆଣିଥିଲେ ବରୁଣ। ବିମାନ ଅବତରଣର ଫର୍ମୂଲା ଅନ୍ୟ ପାଇଲଟଙ୍କ ଲାଗି ବି ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା । ଏହି ସାହସିକତା ଲାଗି ତାଙ୍କୁ ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା।

ବରୁଣ ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲାର ବାସିନ୍ଦା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ସଭିଏଁ ବରୁଣଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଧିକ ପଢନ୍ତୁ- ସେନାର ସବୁଠୁ ସୁରକ୍ଷିତ ହେଲିକପ୍ଟର MI-17V-5; ପ୍ରଧାନମନ୍ତ୍ରୀ ବି କରନ୍ତି ଯାତ୍ରା  

ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁ ସେନାର MI-17V5 ହେଲିକପ୍ଟରରେ ଲେକ୍ଟର ସିରିଜରେ ଯୋଗ ଦେବାକୁ ଯାଉଥିଲେ ସିଡିଏସ୍ ବିପିନ ରାୱତ। ଏହି ହେଲିକପ୍ଟରରେ ଚିଫ୍ ଡିଫେନ୍ସ ଷ୍ଟାଫ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ, ବ୍ରିଗେଡିଅର ଏଲଏସ ଲିଦର, ଲେପ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍‌ସ ନାୟକ ବିବେକ କୁମାର, ଲାନ୍‌ସ ନାୟକ ବି. ସାଇତେଜା ଏବଂ ହାବିଲଦାର ସତପାଲ ଥିଲେ । ଏମାନଙ୍କ ବ୍ୟତୀତ ଦୁଇ ଜଣ ପାଇଲଟ ଏବଂ ହେଲିକପ୍ଟରର ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତି ଥିଲେ । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବାୟୁ ସେନା ଟ୍ୱିଟ୍ କରି ସୂଚନା ଦେଇଥିଲା।