ଘନେଇଲା ଋଷ-ୟୁକ୍ରେନ ବିବାଦ, ୟୁକ୍ରେନକୁ ସହାୟତା କରିବାକୁ ଆମେରିକାର ଘୋଷଣା

1 min read

ନୂଆଦିଲ୍ଲୀ: ଘନେଇଲା ୟୁକ୍ରେନ ବିବାଦ । ଋଷର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଲା ନାଟୋ । ସେପଟେ ୟୁକ୍ରେନ ଛାଡି ନିଜ ଦେଶକୁ ଫେରିଆସିବା ଲାଗି ସମସ୍ତ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିଶ୍ଚିତ ସୂଚନା କ୍ରମେ ଆମେରିକା ଏହି ନିଷ୍ପତ୍ତି ନେଇଛି । ଆମେରିକା କୂଟନୀତିଜ୍ଞ ଆଣ୍ଟୋନି ବ୍ଲିଙ୍କେନ ୟୁରୋପୀୟ ରାଷ୍ଟ୍ରସଂଘ ସହ ଏନେଇ ଆଲୋଚନା କରିଛନ୍ତି । ପରିସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଜେନେଭା ଗସ୍ତରେ ଯାଇଛନ୍ତି । ୟୁକ୍ରେନ ସୀମାରେ ଋଷ ଲକ୍ଷାଧିକ ସୈନ୍ୟ ଠୁଳ କରିବାରୁ ଏହାକୁ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି ।

ଯଦି ୟୁକ୍ରେନକୁ ସୈନ୍ୟ ପଠାଏ ତେବେ ଋଷ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛି ଓ୍ୱାଶିଂଟନ ଓ ୟୁରୋପୀୟ ରାଷ୍ଟ୍ରସଂଘ । ୨୦୧୪ରେ ୟୁକ୍ରେନର କ୍ରିମିଆ ଉପରେ ମସ୍କୋର ଆକ୍ରମଣକୁ ନେଇ ଏବେ ବଢ଼ିଛି ବିବାଦ । ସେହି ବର୍ଷଠାରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଜାରି ରହିଛି ଯାହା ଦ୍ୱାରା ୧୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ବିବାଦ କାରଣରୁ ଗ୍ରୁପ-୮ରୁ ଋଷକୁ କିଛି ବର୍ଷ ତଳେ ବହିଷ୍କାର କରାଯାଇଛି । ୨୦୧୯ରେ ରାଷ୍ଟ୍ରପତି ଭାବେ ଭୋଲୋଦମିର ଜେଲେନସ୍କି ୟୁକ୍ରେନ ରାଷ୍ଟ୍ରପତି ହେବା ପରେ ସ୍ଥିତି ସୁଧୁରିବା ଆଶାଥିଲା । ମାତ୍ର ଏହା ସମ୍ଭବ ହୋଇନଥିଲା । ସେପଟେ ଯଦି ଋଷ ଆକ୍ରମଣ କରେ ତେବେ ୟୁକ୍ରେନକୁ ସହାୟତା ଦେବାକୁ ଘୋଷଣା କରିଛି ଆମେରିକା ।

Leave a Reply