ଧଳା ଜହରର ନୂଆ ଗଡ଼ ’ନୟାଗଡ଼’

ନୟାଗଡ଼: ବ୍ରାଉନସୁଗାର କାରବାରର ନୂଆ ପେଣ୍ଠସ୍ଥଳ ପାଲଟିଛି ନୟାଗଡ଼ । ଭଡ଼ା ଘରେ ଚାଲିଥିଲା କୋଟି କୋଟିର କଳା ବେପାର । ପୋଲିସର ନାକତଳେ ଚାଲିଥିଲା ବେଆଇନ ବ୍ରାଉନସୁଗାର ଓ ଅସ୍ତ୍ରଶସ୍ତ୍ର କାରବାର । ଟାଉନ ଥାନା ନିକଟ ସିନ୍ଦୁରିଆର ଉଦୟଲେନରେ ବ୍ରାଉନସୁଗାର ପସରା ମେଲାଇଥିଲା ଅଭିଯୁକ୍ତ । ଏସଟିଏଫ ଚଢାଉ କରି ଗୋଟିଏ ଘରୁ ୩ କେଜି ବ୍ରାଉନସୁଗାର ଜବତ କରିଛି । ଏହା ସହ ୬୫ ଲକ୍ଷ ଟଙ୍କା, ୩ଟି ପିସ୍ତଲ, ୭ଟି ମାଗାଜିନ୍, ୪୩ ରାଉଣ୍ଡ ଗୁଳି, ଗୋଟିଏ କ୍ୟାସ୍ କାଉଣ୍ଟିଂ ମେସିନ୍, ୪ଟି ମୋବାଇଲ ଓ ଗୋଟିଏ ଟ୍ୟାବ୍ ଜବତ କରିଛି ଏସଟିଏଫ୍ । ଏହି ମାମଲାରେ କେ. ବିକି ରାଓକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିକି ନାଁରେ ଏନଡିପିଏସ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ରହିଛି ।

ସେହିପରି ଏହି କାରବାରରେ ସଂପୃକ୍ତ ଥିବା ୭ ଜଣଙ୍କୁ ଚିହ୍ନଟ କରିଛି ଏସଟିଏଫ୍ । ମାମଲାକୁ ନେଇ ଅଧିକ ଛାନବିନ୍ ଜାରି ରଖିଛି ତଦନ୍ତକାରୀ ଟିମ୍ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଏସଟିଏଫ କହିଛି । ତେବେ ଏତେ ପରିମାଣର ବ୍ରାଉନସୁଗାର ଗୋଟିଏ ଜାଗାରୁ ଜବତ ହେବା ନୟାଗଡ଼ରେ ପ୍ରଥମ । ଏଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଆଖପାଖ ଜିଲ୍ଲାକୁ ବ୍ରାଉନସୁଗାର ଯୋଗାଣ ହେଉଥିବା ସନ୍ଦେହ କରିଛି ଏସଟିଏଫ୍ । ନୟାଗଡ଼ରୁ ବିଭିନ୍ନ ସ୍ଥାନରୁ ଧଳା ଜହର ଯୋଗାଣ ହେଉଥିବା ମଧ୍ୟ ସନ୍ଦେହ କରାଯାଉଛି । କେବେଠୁ ଏଠାରେ ଧଳାଜହର କାରବାର ହେଉଛି? ଏବଂ ଏହାର ଚେର କେତେବାଟ ଲମ୍ବିଛି, ତାହାର ତଦନ୍ତ ଜାରି ରହିଛି । ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ଏହାସହ ୧୨୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଯାଇଛି ଏବଂ ୬୭ଟି ବେଆଇନ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ଏସଟିଏଫ ।

Leave a Reply