ଜୁଏଲ ଓରାମଙ୍କ ବଢ଼ିଲା ଅଡ଼ୁଆ, ଅଭଦ୍ର ଆଚରଣ ପାଇଁ ପୋଲିସର ଆଶ୍ରୟ ନେଲେ ଯୁବନେତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ । ଅଭଦ୍ର ଆଚରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ  । ଝିରପାଣି ଥାନାରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି । ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଜୁଏଲ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଥିଲା । ଅପମାନ ସହି ନପାରି ନେତ୍ରୀ ଜଣକ ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ଘଟଣା ନେଇ ଯୁବନେତ୍ରୀ କହିଛନ୍ତି, ଜୁଏଲ ଓରାମଙ୍କୁ ସମ୍ମାନ ଦେଉଥିଲି, ମାତ୍ର ସେ ମହିଳାଙ୍କୁ ଇଜ୍ଜତ ଦେବା ଶିଖି ନାହାନ୍ତି । ମୋତେ ବହୁତ ଅଶ୍ଳୀଳ ଭାଷାରେ ଇଙ୍ଗିତ କରିଛନ୍ତି ଜୁଏଲ୍ । ପୂର୍ବରୁ ମଧ୍ୟ ଜୁଏଲ ମହିଳାଙ୍କୁ ଅସଦାଚରଣ କରୁଥିବା କଥା ଶୁଣିଥିଲି । ଏବେ ନିଜ ଅଙ୍ଗେ ଲିଭାଇଛି ବୋଲି ସେ କହିଛନ୍ତି । ସାଂସଦଙ୍କ ଏଭଳି ଆଚାରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତୁରନ୍ତ କାର୍ଯ୍ୟାପନୁଷ୍ଠାନ ନେବା ସହ ବହିଷ୍କାର କରିବାକୁ ଦାବି ହୋଇଛି ।

ଅନ୍ୟପକ୍ଷରେ ବିଜେପି ସାଂସଦ ଜୁଏଲ ଓରାମ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା । ସେ କହିଛନ୍ତି କି ଅଭିଯୋଗରେ ସତ୍ୟତା ଥିଲେ ଏହା ନିନ୍ଦନୀୟ ଓ ଲଜ୍ୟାଜନକ । ଏହି ଘଟଣାରେ ସୁନ୍ଦରଗଡ଼ ଏସପି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ନେଇ ରିପୋର୍ଟ ମଗାଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

 

Leave a Reply