spot_img
Home Blog Page 480

ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ: ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ

ଉତ୍ତରାଖଣ୍ଡ ଚାମୋଲିରେ ପୁଣି ପ୍ରକୃତିର ତାଣ୍ଡବ। ବାଦଲଫଟା ବର୍ଷା ଯୋଗୁ ଅନେକ ସ୍ଥାନରେ ହୋଇଛି ଭୂସ୍ଖଳନ। ଏହି ଘଟଣାରେ ୧୦ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି। ଚାମୋଲିର ନନ୍ଦ ନଗର ନିକଟରେ ଘଟିଛି ଅଘଟଣ। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଟିମ ପହଞ୍ଚି ସହାୟତା କରୁଛନ୍ତି। ଘଟଣାସ୍ଥଳରେ ମୁତୟନ ହୋଇଛି ୩ଟି ଆମ୍ବୁଲାନ୍ସ। ଭୂସ୍ଖଳନରେ ୬ଟି କୋଠା ଧରାଶାୟୀ ହୋଇଛି। ଗତକାଲି ରାତିରେ ଏହି ଅଘଟଣ ଘଟିଥିଲା। ଘଟଣାସ୍ଥଳରୁ ୨ ଜଣଙ୍କୁ କୌଣସିମତେ ଉଦ୍ଧାର କରାଯାଇଥିଲା। ତେବେ ୫ ଜଣ ନିଖୋଜ ଅଛନ୍ତି। ସେଠାରେ ବର୍ତ୍ତମାନ ରେସ୍କ୍ୟୁ ଅପରେସନ ଜାରି ରହିଛି। ଆଉ କିଛି ଲୋକ ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି। ଡେରାଡୁନ ଚମ୍ପାବତ ଓ ଉଦ୍ଧମସିଂ ନଗରରେ ରେଡ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୦ ଯାଏ ସ୍ଥାନୀୟ ଅଞ୍ଚଳରେ ବିପତ୍ତି ଲାଗି ରହିବ ବୋଲି ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡରେ ୧୫ ଜଣ ନିଖୋଜ ରହିଛି। ଗତ ପ୍ରାୟ ଏକ ମାସ ଧରି ଉତ୍ତରାଖଣ୍ଡରେ ଖଣ୍ଡପ୍ରଳୟ ଜାରି ରହିଛି। ଶତାଧିକ କୋଠା ଧସିବା ସହ ଅନେକ ରାସ୍ତା ନଷ୍ଟ ହୋଇଛି।

କେରଳରେ ବ୍ୟାପିଲା ପ୍ରାଇମେରୀ ଆମୋଇବିକ ମେନିଙ୍ଗୋଏନସେଫାଲିଟିସ

କେରଳରେ ବ୍ୟାପିଲା ପ୍ରାଇମେରୀ ଆମୋଇବିକ ମେନିଙ୍ଗୋଏନସେଫାଲିଟିସ ବା ପିଏଏମ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି ଆଲର୍ଟ। ମସ୍ତିଷ୍କ ସହ ଜଡିତ ଏହି ରୋଗରେ ମୃତ୍ୟୁ ସମ୍ଭାବନା ଅଧିକ ଥିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ନାଏଗ୍ଲେରିଆ ଫୋଲେରି ନାମକ ଏକ ଆମୋଇବା ଏହି ସଂକ୍ରମଣର ପ୍ରମୁଖ କାରଣ ହୋଇଛି। ଏହି ଆମୋଇବା ସାଧାରଣତଃ ମସ୍ତିଷ୍କକୁ ନଷ୍ଟ କରୁଥିବାରୁ ମୃତ୍ୟୁ ସମ୍ଭାବନା ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଆମୋଇବା ଯୋଗୁ ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୧ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ବିଶେଷ କରି କୋଝିକୋଡ ଓ ମାଲାପୁରମ ଜିଲ୍ଲାରେ ଏହି ରୋଗ ବିସ୍ତାରିତ ହେବାରେ ଲାଗିଛି। ଏହି ଆମୋଇବା ସୁସ୍ଥ ଶିଶୁ ଓ କିଶୋରମାନଙ୍କୁ ଆକ୍ରମଣ କରିଥାଏ। ବଡ଼କଥା ହେଉଛି ଏହି ରୋଗକୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାଏ। ଏହାକୁ ରୋକିବା ଲାଗି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ସହ କେରଳ ସ୍ବାସ୍ଥ୍ୟ ବିଭାଗ ସମନ୍ବୟ ରକ୍ଷା କରି ପଦକ୍ଷେପ ନେଉଥିବା ସୂଚନା ମିଳିଛି।

ବିହାର ପରେ ଦିଲ୍ଲୀରେ ହେବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ

ବିହାର ପରେ ଦିଲ୍ଲୀରେ ହେବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର। ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ। ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି। ଭୋଟର ତାଲିକାକୁ ନିର୍ଭୁଲ ଓ ଅନ୍ତର୍ଭୁକ୍ତିକରଣ ସଂକ୍ରାନ୍ତ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପାଦନ କରିବା ଲାଗି ନିର୍ବାଚନ କମିଶନ ଏହି ପଦକ୍ଷେପ ନେବେ। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି- ୨୦୦୨ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ସ୍ଥାନୀତ ହୋଇନାହିଁ ସେମାନେ ଉପଯୁକ୍ତ ପରିଚୟ ପ୍ରମାଣପତ୍ର ଦାଖଲ କରି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ଗତ ମାସରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ- ଦେଶବ୍ୟାପୀ ଏସଆଇଆର କରିବା ପ୍ରସଙ୍ଗରେ ଖୁବ୍ ଶୀଘ୍ର ଘୋଷଣା କରାଯିବ। ଦିଲ୍ଲୀ ସିଇଓ ନିଜର ୱେବସାଇଟରେ ୨୦୦୨ର ଭୋଟର ତାଲିକା ଅନଲାଇନରେ ଅପଲୋଡ ବି କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ, ଭୋଟର ପଞ୍ଜିକରଣ ଅଧିକାରୀ, ବୁଥସ୍ତରୀୟ ଅଧିକାରୀ ବା ବିଏଲଓମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେପଟେ ବିହାର ଭୋଟର ତାଲିକା ପ୍ରସଙ୍ଗରେ ଆସନ୍ତା ଅକ୍ଟୋବର ୭ରେ ଚୂଡ଼ାନ୍ତ ଶୁଣାଣି କରିବେ ସୁପ୍ରିମକୋର୍ଟ। ବିହାର ଏସଆଇଆର ପ୍ରକ୍ରିୟାରେ ଆଧାର କାର୍ଡ ବୈଧ ପ୍ରମାଣପତ୍ର ବୋଲି ସୁପ୍ରିମକୋର୍ଟ କହିଥିବାବେଳେ ଏହାକୁ ନେଇ ନାଚାର ଅଛନ୍ତି ନିର୍ବାଚନ କମିଶନ।

ହ୍ୟାଣ୍ଡଶେକ ବିବାଦ ମଧ୍ୟରେ ପୁଣି ହେବ ଭାରତ-ପାକିସ୍ତାନ ମ୍ୟାଚ, ସ୍ଥିର ହେଲା ତାରିଖ

ଏସିଆ କପ ୨୦୨୫ରେ ଭାରତ ଓ ପାକିସ୍ତାନ ଟିମ ମଧ୍ୟରେ ପୁଣି ଥରେ ମୁକାବିଲା ହେବ । ଉଭୟ ଟିମ୍ ସୁପର-୪ ରାଉଣ୍ଡ ପାଇଁ କ୍ବାଲିଫାଏ କରିଛନ୍ତି । ଦୁଇ ଟିମ୍ ମଧ୍ୟରେ ହେବାକୁ ଥିବା ମୁକାବିଲାର ତାରିଖ ଧାର୍ଯ୍ୟ କରାଯାଇଛି । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜ ମ୍ୟାଚ ପରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲା । ତା’ପରେ ଦୁଇ ଦେଶ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଏହି ଘଟଣା ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ବୟକଟ କରିବାକୁ ଧମକ ଦେଇଥିଲା । ଉକ୍ତ ବିବାଦ କାରଣରୁ ୟୁଏଇ-ପାକିସ୍ତାନ ମ୍ୟାଚ ବିଳମ୍ବରେ ହୋଇଥିଲା । ଉକ୍ତ ବିବାଦ ଶାନ୍ତ ପଡ଼ିନଥିବା ବେଳେ ପୁଣି ଥରେ ଦୁଇ ଦେଶ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

ଆସନ୍ତା ୨୧ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ୍ ପୁଣି ଥରେ ମୁହାଁମୁହିଁ ହେବେ । ଗ୍ରୁପ ଷ୍ଟେଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହୋଇ ଟପରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ୩ଟି ମ୍ୟାଚରୁ ୨ଟିରେ ଜିତି ଦ୍ବିତୀୟ ସ୍ଥାନରେ ରହିଛି । ୟୁଏଇ ୩ଟି ମ୍ୟାଚରେ ୧ଟିରେ ଜିତି ନିଜର ଅଭିଯାନ ସମାପ୍ତ କରିଛି । ଓମାନ ଭାରତ ବିପକ୍ଷରେ ନିଜର ଅନ୍ତିମ ମ୍ୟାଚ ଖେଳିବାକୁ ଥିବାବେଳେ ସୁପର-୪ ରେସ ପୂର୍ବରୁ ହିଁ ବିଦାୟ ନେଇଛି । ପ୍ରଥମ ଦୁଇଟି ମ୍ୟାଚରେ ଓମାନକୁ ପରାଜୟବରଣ କରିବାକୁ ପଡ଼ିଛି ।

ଆଜି ଫ୍ରାନ୍ସରେ ପୁଣି ହେବ ଜୋରଦାର ପ୍ରତିବାଦ

ଆଜି ଫ୍ରାନ୍ସରେ ପୁଣି ହେବ ଜୋରଦାର ପ୍ରତିବାଦ। ପ୍ରାୟ ୮ ଲକ୍ଷ ଜନତାଙ୍କ ସମାଗମ ହେବା ସମ୍ଭାବନା ରହିଛି। ଦେଶବ୍ୟାପୀ ପ୍ରତିବାଦ ଲାଗି ପ୍ରସ୍ତୁତ ହେଉଛି ଫ୍ରାନ୍ସ।ରାଜରାସ୍ତାକୁ ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ଓହ୍ଲାଇବା ଆଶଂକା କରିଛି ପ୍ରଶାସନ। ଫ୍ରାନ୍ସର ବୃଦ୍ଧି ପାଉଥିବା ଋଣକୁ ହ୍ରାସ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଡ୍ରାଫ୍ଟ ବଜେଟ୍ ବିରୋଧରେ ପ୍ରତିବାଦ କରିବାକୁ ଟ୍ରେଡ୍ ୟୁନିଅନମାନେ ଫ୍ରାନ୍ସବାସୀଙ୍କୁ ଅନୁରୋଧ କରିଛନ୍ତି।ଆନ୍ଦୋଳନ ଦ୍ଵାରା ସଡ଼କ ପରିବହନ, ରେଳ ଓ ବିମାନ ସେବା ବାଧାପ୍ରାପ୍ତ ହେବା ସହ ଅନେକ ସ୍କୁଲ ବନ୍ଦ ରହିବା ଆଶଙ୍କା କରାଯାଉଛି।ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଗତ ସପ୍ତାହରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଘନିଷ୍ଠ ସହଯୋଗୀ ସେବାଷ୍ଟିଏନ ଲେକୋର୍ନୁଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। ଏହାପରେ ଯୋଜନାବଦ୍ଧ ଭାବେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏହି ପ୍ରଦର୍ଶନ କରିବାକୁ ସ୍ଥିର କରାଯାଇଛି।ରାଜନୈତିକ ଅଚଳାବସ୍ଥା ଏବଂ ଦରବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଉଥିବାରୁ ପ୍ରତିବାଦକାରୀ ଜନତାଙ୍କୁ ରାସ୍ତାକୁ ଆଣିବା ପାଇଁ ଟ୍ରେଡ୍ ୟୁନିଅନଗୁଡ଼ିକ ଆହ୍ଵାନ କରିଛନ୍ତି।ଆଜି ଦେଶର ବିଭିନ୍ନ ସ୍ଥାନରେ 250 ଶୋଭାଯାତ୍ରା ହେବା ନେଇ ଆଶଂକା କରାଯାଇଛି। ଏଥିରେ ସାମିଲ ହୋଇପାରନ୍ତି ୮ ଲକ୍ଷରୁ ଅଧିକ ଜନତା। ଏହା ପୂର୍ବରୁ ୨୦୨୩ରେ ଫ୍ରାନ୍ସରେ ସମାନ ଆନ୍ଦୋଳନ ହୋଇଥିଲା। ବିବାଦୀୟ ପେନସନ ସଂସ୍କାର ବିରୁଦ୍ଧରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସ୍ଥିତିକୁ ନେଇ ଫ୍ରାନ୍ସ ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସାରା ଦେଶରେ ପ୍ରାୟ ୮୦ ହଜାରରୁ ଅଧିକ ପୋଲିସ ମୁତୟନ ହେବେ।

ଏସିଆ କପରେ ୟୁଏଇକୁ ୪୧ ରନରେ ପରାସ୍ତ କରିଛି ପାକିସ୍ତାନ

ଏସିଆ କପରେ ୟୁଏଇକୁ ୪୧ ରନରେ ପରାସ୍ତ କରିଛି ପାକିସ୍ତାନ। ଏହା ସହ ଗ୍ରୁପ- ଏରୁ ଦ୍ବିତୀୟ ଦଳ ଭାବେ ସୁପର-୪ରେ ପ୍ରବେଶ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ୱିକେଟ ହରାଇ କରିଥିଲା ୧୪୬ ରନ। ଫଖର ଜମାନ ସର୍ବାଧିକ କରିଥିଲେ ୫୦ ରନ। ଏହା ସହ ସାହିନ ଶାହ ଆଫ୍ରିଦି ଅପରାଜେୟ ୨୯ ରନ କରିଥିଲେ। ଅଧିନାୟକ ସଲମାନ ଆଗା ୨୦, ମହମ୍ମଦ ହାରିସ ୧୮ ରନ କରିଥିଲେ। ୟୁଏଇର ନୁନୈଦ ସିଦ୍ଦିକ ୪ ଓ ସିମ୍ରନଜିତ ସିଂ ୩ଟି ୱିକେଟ ହାସଲ କରିଥିଲେ। ଜବାବରେ ୟୁଏଇ ୧୦ ୱିକେଟ ହରାଇ କରିଥିଲା ୧୦୫ରନ। ରାହୁଲ ଚୋପ୍ରା ୩୫, ଧୃବ ପରାଶର ୨୦, ଅଧିନାୟକ ମହମ୍ମଦ ୱାସିମ ୧୪ ରନ କରିଥିଲେ। ଆଫ୍ରିଦି, ହାରିସ ଓ ଆବ୍ରାର ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ। ଆଫ୍ରିଦି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ। ଗତକାଲି ପାକିସ୍ତାନ ଖେଳାଳି ଷ୍ଟାଡିୟମକୁ ଆସିବାରେ ବିଳମ୍ବ ହେବାରୁ ମ୍ୟାଚ ୧ ଘଣ୍ଟା ବିଳମ୍ବ ହୋଇଥିଲା। ଭାରତ ପାକିସ୍ତାନ ମ୍ୟାଚରେ ହ୍ୟାଣ୍ଡସେକ୍ ବିବାଦ ପରେ ମ୍ୟାଚ ରେଫରି ଆଣ୍ଡି ପାୟକ୍ରଫଙ୍କୁ ହଟାଇବାକୁ ଦାବି କରିଥିଲା ପାକିସ୍ତାନ। ପାୟକ୍ରଫ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଗତକାଲିର ମ୍ୟାଚ ରେଫରି ଆଣ୍ଡି ପାୟକ୍ରଫ୍ଟ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଥିଲା ପାକିସ୍ତାନ। ତେବେ ପ୍ରେସମିଟ କରି ପାକିସ୍ତାନ ମ୍ୟାଚ ଖେଳିବ ବୋଲି ଘୋଷଣା କରିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ PCB।

ରାଜ୍ୟରେ ପ୍ରଥମ ଥର ପାଇଁ BMC ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ

ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ ହୋଇଛି । ଆସନ୍ତ ୨୫ ତାରିଖ ମଧ୍ୟରେ ସମୁଦାୟ ୬୭ ଟି ଓ୍ୱାର୍ଡରେ ଏହି ଗଣନା କାର୍ଯ୍ୟ ଚାଲିବ। ବୁଲା କୁକୁର ଗଣନା ପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୮ ରୁ ୨୦ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୋର ୫ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । ଏକ କାଳୀନ ୪୧୦ ଟି ଟିମ୍ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା କରିବେ। ଏହି କୁକୁର ଗଣନାର ମୁଖ୍ୟ ଉଦ୍ଦେଶ୍ୟଗୁଡିକ ହେଲା କୁକୁର କାମୁଡ଼ିବା ହ୍ରାସ କରିବା, ରୋଗ ସଂକ୍ରମଣ ରୋକିବା, ଭୁକିବା, ପିଛା କରିବା ବା ପଛରେ ଗୋଡାଇବା , ସଡ଼କ ଦୁର୍ଘଟଣା, ପରିବେଶ ପ୍ରଦୂଷଣ ରୋକିବା ଏବଂ ବିଏମସି ଅଞ୍ଚଳରେ କୁକୁର ସଂଖ୍ୟାର ଘନତ୍ୱକୁ ଜାଣିବା। ଏନେଇ ଭୁବନେଶ୍ୱରବାସୀ କୁକୁର ଗଣନାକାରୀଙ୍କୁ ସହଯୋଗ ଓ ସହାୟତା ପ୍ରଦାନ କରିବା ପାଇଁ ମେୟର ଅପିଲ କରିଛନ୍ତି।

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ।୧୭ ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆସନ୍ତା ୨୫ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନାର୍ଥେ ଗୃହ ମୁଲତବି କରାଯିବ। ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ସରକାରଙ୍କୁ ଗୃହରେ ଘେରିବା ପାଇଁ ବିରୋଧୀ ପୁରା ତୟାର। ମୁଖ୍ୟ ବିରୋଧୀ ବିଜେଡି ମହିଳା ସୁରକ୍ଷା, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିବ। ଲୋକଙ୍କ ସ୍ଵର ସାଜି ବିଜେଡି ବିଜେପି ସରକାରକୁ ଘେରିବାକୁ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି। ସେହିପରି କଂଗ୍ରେସ ଗଣଦୁଷ୍କର୍ମ ଓ ନାରୀ ହିଂସା, ସାର କଳାବଜାରୀ, ଛାତ୍ର ସଂସଦ ନିର୍ବାଚନ, ବେକାରୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ସରକାରଙ୍କୁ ଗୃହରେ ଘେରିବାକୁ ନିଷ୍ପତି ନେଇଛି। ଦେଢ଼ ବର୍ଷର ମୋହନ ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ଦର୍ଶାଇ ଗୃହରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛି। ଦୁଇ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ। ଆସନ୍ତାକାଲି ଶାସକ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ରଣନୀତି ଚୂଡାନ୍ତ ହେବ। ୧୮ରୁ ୨୫ଯାଏ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ଛଅଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଛି। ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ବେଶ ଉଷ୍ମ ହେବାକୁ ଯାଉଛି। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ଵଦଳୀୟ ବୈଠକରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡି ସାରିଛନ୍ତି।

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ଵାନ କ୍ରମେ ରାଜ୍ୟବ୍ୟାପୀ ଚାଲିଥିବା ୭୫ ଲକ୍ଷ ବୃକ୍ଷରୋପଣ ର ଲକ୍ଷ୍ୟ ପ୍ରାପ୍ତି ଅଭିଯାନରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭୁବନେଶ୍ୱର ସାମିଲ ହୋଇଥିଲା। ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର; ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭୁବନେଶ୍ୱର ପରିସରରେ ଏକ ଚାରା ରୋପଣ କରି ବିଭାଗ ପକ୍ଷରୁ ଏହି ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସୁଧାଂଶୁ ଶେଖର ଖୋରା, ଆଇ.ଏଫ୍.ଏସ, ମୁଖ୍ୟ କାର୍ଯ୍ୟନିର୍ବାହୀ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଏବଂ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ,  ସୁରେଶ ପନ୍ତ, ଆଇ.ଏଫ୍.ଏସ, ଏବଂ ବିଭାଗର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ, ବିଭାଗର କର୍ମଚାରୀ ଯୋଗ ଦେଇଥିଲେ। ଏଥିସହ ପାଖାପାଖି ୩୫୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଏବଂ ଆଇ.ଆର.ସି ଭିଲେଜ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ଚାରା ରୋପଣ କରିଥିଲେ। ବିଭାଗ ପକ୍ଷରୁ ଆଜି ଗୋଟିଏ ଦିନରେ ୨୨୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଅଛି। ଏଥିମଧ୍ୟରୁ ବିଭିନ୍ନ କିସମର ଫୁଲ ଜାତୀୟ  ଯେପରିକି – ହଳଦିଆ କାଞ୍ଚନ, ରକ୍ତ କାଞ୍ଚନ, ଅଶୋକ, କୋବିଦାର, ସୁବର୍ଣ୍ଣକ, ରାଜତରୁ, ନୀଳ ଗୁଲମୋହର ଭଳି ଅନେକ ଫୁଲ ଗଛର ଚାରା ରୋପଣ କରାଯାଇଅଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ଓ ପରିବେଶ ସୁରକ୍ଷା ପ୍ରତି ବିଭାଗର ଦୃଢ଼ ପ୍ରତିବଦ୍ଧତା ଅନୁଯାୟୀ, ଆର.ପି.ଆର,ସି ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଉଦ୍ୟମ ଗ୍ରହଣ କରିଆସିଅଛି। ଜୈବ ବିବିଧତାର ସୁରକ୍ଷା ଦିଗରେ ଜନସଚେତନତା ବୃଦ୍ଧି କରିବାକୁ ମଧ୍ୟ ବିଭାଗ ନିୟମିତ ଅଭିଯାନ ଜାରି ରଖିଛି।

ସରକାରଙ୍କ କୋଚିଂ ବ୍ୟବସ୍ଥାକୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ…

ଭୁବନେଶ୍ୱର : ଶିଶୁ ବାଟିକା ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା- ସବୁଠି ବିଫଳତା । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ କୋଚିଂ ବ୍ୟବସ୍ଥା ହୋଇଛି। ବିଜ୍ଞାନ ପିଲାଙ୍କ ପାଇଁ ଜେଇଇ, ନିଟ କୋଚିଂର ବ୍ୟବସ୍ଥା ହୋଇଥିବା ବେଳେ କଳା ଓ ବାଣିଜ୍ୟ ପାଇଁ ଏକାଡେମିକ ସପୋର୍ଟ ବ୍ୟବସ୍ଥା ଚାଲୁ ରହିଛି। ସେଥିରେ ଚାପ୍ଟର ଅନୁଯାୟୀ ପାଠପଢା, ପ୍ରୋବ୍ଲେମ, ପୂର୍ବ ପ୍ରଶ୍ନପତ୍ରର ସଲଭ୍ ହେଉଛି। କିନ୍ତୁ ଗତ ୫ ରୁ ୬ ମାସ ହେଲାଣି ଏସବୁରେ ପଢିବା ପାଇଁ ପିଲାଙ୍କ ଆଗ୍ରହ ନାହିଁ। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଳି ସବୁଠୁ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଏହି କୋଚିଂରେ ଗୋଟିଏ ହେଲେ ବି ପିଲା ଆସୁ ନାହାନ୍ତି। କିନ୍ତୁ ସମାନ ଶିକ୍ଷା ବାହାରେ ପଢ଼ୁଛନ୍ତି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସକାଳ ସାଢେ ସାତରୁ ସାଢ଼େ ଦଶଟା ପର୍ଯ୍ୟନ୍ତ ନିଟ, ଜେଇଇ ଓ ଦିନ ୨ ଟାରୁ ୩ ଟା ୩୦ ଯାଏ ଅନ୍ୟ ପରୀକ୍ଷା ପାଇଁ କ୍ଲାସ ହେଉଥିଲା। ଆରମ୍ଭ ବେଳେ ପିଲା ଆଡ଼ମିଶନ ବି ନେଇଥିଲେ। କିନ୍ତୁ ଏବେ କ୍ଲାସରେ ପିଲାଙ୍କ ସଂଖ୍ୟା ଶୂନ।  ପିଏମ ଇ-ବିଦ୍ୟା ଭଳି କେନ୍ଦ୍ରର ଯୋଜନା ପାଇଁ ଟିଭି ତଥା ଆନୁସଙ୍ଗିକ ସାମଗ୍ରୀ ଥିଲେ ବି ମିଶନ ହୋଇଛି ବିଫଳ।

ଅନଲାଇନ ପଢା ଯୋଗୁ କୋଚିଂ ବ୍ୟବସ୍ଥା ବିଫଳ ହେଉଥିବା କହିଛନ୍ତି କର୍ତ୍ତୃପକ୍ଷ। ବାହାରେ ଘରୋଇ କୋଚିଂ ସେଣ୍ଟରରେ ରିଅଲ ମୋଡ଼ରେ ପିଲା ପଢୁଥିବାବେଳେ ଏଠି ଭରଚୁଆଲ ମୋଡ଼ରେ ପଢୁଛନ୍ତି। ଫଳରେ ପିଲା ମାଗଣା ହେଲେ ମଧ୍ୟ ଏଠାରେ ପଢିବାକୁ ଆଗ୍ରହୀ ନୁହନ୍ତି। ଏବେ ଅନଲାଇନ ମାଧ୍ୟମରେ କ୍ଲାସ ୱାନ ୱେ ଟ୍ରାଫିକ ଭଳି ହେଉଛି। ପିଲାଙ୍କ ଡାଉଟ କ୍ଲିୟର ହେଉ ନାହିଁ। ପିଲାଙ୍କୁ ପାଠର ଲିଙ୍କ ପଠାଇବାକୁ ସରକାର କହିବା ପରେ ଲିଙ୍କ ପଠାଗଲା। ମାତ୍ର  ଅଳ୍ପ କିଛି ପିଲାଙ୍କୁ ଛାଡିଲେ କୌଣସି ପିଲା ଏହାକୁ ଦେଖିଲେନି। ଶିକ୍ଷା ଜ୍ୟୋତି ପୋର୍ଟାଲରେ କ୍ଲାସ ଗୁଡିକର ଭିଡିଓ ଅପଲୋଡ଼ ହେଉଛି କିନ୍ତୁ ଏହା ନିଷ୍ଫଳ। ଆଦିବାସୀ, ଏସସି ଓ ପଛୁଆ ବର୍ଗଙ୍କ ପାଇଁ ଚାଲୁଥିବା ବିଭିନ୍ନ ଶିକ୍ଷା ସ୍କିମକୁ ବନ୍ଦ କରିବା ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଶିକ୍ଷା ବ୍ୟବସ୍ଥା ଭୁଶୁଡୁଥିବା ଅଭିଯୋଗ ହୋଇଛି। ୨୦୦୭ -୦୮ରେ ପ୍ରତି କଲେଜରେ ମେରିଟ ଅପଗ୍ରେଡେସନ କ୍ଲାସ ହେଉଥିଲା। ସେତେବେଳେ ପିଲାମାନେ ଆଗ୍ରହର ସହ ଆସୁଥିଲେ। କିନ୍ତୁ ଏବେ ଯେଉଁ ବ୍ୟବସ୍ଥା ହେଉଛି ତାହା ଗ୍ରହଣୀୟ ହେଉ ନାହିଁ।