spot_img
Home Blog Page 48

ପରିବା ଖାଇବା ମନା !

() ପାର୍ବଣରେ ପରିବା ଦରରେ ଲାଗିଛି ନିଆଁ । ୫ଶହ ଟଙ୍କାରେ ବି ବ୍ୟାଗ ପୁରୁନି । କେମିତି ପୁରିବ ପେଟ, ସେଥିପାଇଁ ଖାଉଟିଙ୍କ ମୁଣ୍ଡ ଉପରେ ପଡିଛି ଚଡକ । ପାର୍ବଣ ଋତୁରେ ଖାଇବାରୁ ପିନ୍ଧିବା ଯାଏଁ ସବୁଠି ଦର ଉପରମୁହାଁ । ଏହାରି ଭିତରେ ହାଣ୍ଡିଶାଳ ଉପରେ ଏବେ ବଡିଛି ଚାପ ।  ପରିବା ଦର ଆକାଶଛୁଆଁ ହୋଇଥିବାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ମାସିକ ବଜେଟ ବିଗିଡି ଗଲାଣି । ଗ୍ୟାସ, ରାସନ ସହ ପରିବା ଦର ଖାଉଟିଙ୍କ ଚିନ୍ତା ବଢାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, କୁଣ୍ଢେଇ, ନୟାହାଟ, କୋଣାର୍କ ଅଞ୍ଚଳରେ ଲୋକେ ବ୍ୟାଗ ଧରିବାକୁ ଡରୁଛନ୍ତି । ଆଉ ରାଜଧାନୀ ଭୁବନେଶ୍ବର କଥା ତ ନକହିବା ଭଲ ।  ବିନ୍ସ କିଲୋ ୧୦୦ ଟଙ୍କା, ବାଇଗଣ ୮୦ ଟଙ୍କା, ଟମାଟୋ ୫୦ ଟଙ୍କା, ପୋଟଳ ୮୦ ଟଙ୍କା, ଭେଣ୍ଡି ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ,  ଯହ୍ନି ୭୦ ଟଙ୍କା, କାକୁଡି ୮୦ ଟଙ୍କା, କଲରା ୮୦ ଟଙ୍କା, ଝୁଡଙ୍ଗ ୬୦ ଟଙ୍କା, ଦେଶୀ ଆଳୁ ୮୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବନ୍ଧା କୋବି କିଲୋ ୪୦ ଟଙ୍କା, ଫୁଲକୋବି ଗୋଟା ୫୦ ଟଙ୍କା, ଭଣ୍ଡା ୩୦, କଖାରୁ ୨୦ ଟଙ୍କା ରହିଛି । ୬୦ ଟଙ୍କା ତଳେ ଗୋଟିଏ ବି ପରିବା ନାହିଁ । ୫୦୦ ଟଙ୍କା ନେଇ ବଜାରକୁ ଗଲେ ବି ବ୍ୟାଗ ଭର୍ତ୍ତି ପରିବା କିଣି ହେଉନାହିଁ ।  ଏଭଳି ଦର ବୃଦ୍ଧି ଯୋଗୁଁ ରୋଷେଇ ଘରୁ ଏକାଧିକ ପରିବା ଗାଏବ ହେଲାଣି ।

ଏନେଇ ବ୍ୟବସାୟୀଙ୍କ କହିବା କଥା ଯେ, ଉତ୍ପାଦନ କମ୍ ଥିବାବେଳେ ଚାହିଦା ଅଧିକ ରହୁଛି । ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି । ଆଉ ପାର୍ବଣ ସମୟରେ ଚାହିଦା ଦୁଇ ଗୁଣା ଥିବାରୁ ଦର ବଢୁଛି । ସେପଟେ ଆଗକୁ କାର୍ତ୍ତିକ ମାସ ଆସୁଛି । ତେଣୁ ପରିବା ଦର ଆହୁରି ବଢିପାରେ ବୋଲି ଆଶଙ୍କା ବଢିଛି । ଗୋଟେ ପଟେ ରାସନ ସାମଗ୍ରୀ, ଗ୍ରୋସରୀ ଦର ବି ହୁ ହୁ ବଢୁଛି, ଆଉ ଏବେ ପରିବା ଦର ମଧ୍ୟବିତ୍ତଙ୍କ ବୋଝ ଉପରେ ନଳିତା ବିଡା ସାଜିଛି ।  ତେଣୁ ସରକାର ବଜାର ଦର ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲୋକେ ।

ରାଜଧାନୀରେ ନିଶାସକ୍ତ ଚାଳକଙ୍କ ନାରକୀୟ କାଣ୍ଡ, ୫ ଆହତ

ଭୁବନେଶ୍ୱର: ଶାସ୍ତ୍ରୀ ନଗର ପରେ ଏବେ ପୁରୀ ବାଇପାସ । କ୍ୟାରେକ୍ଟର ସମାନ, କେବଳ ଲୋକେସନ ଅଲଗା । ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ରାସ୍ତାରେ ଭିଆଇଛନ୍ତି ନାରକୀୟ କାଣ୍ଡ । ଗାଡ଼ି ଚଳାଉଥିବା ଯୁବକ ଜଣଙ୍କ ହେଉଛନ୍ତି ଜୟଦେବ ବିହାର ଅଞ୍ଚଳର ସୌମ୍ୟ ରଞ୍ଜନ ରଥ ।

ସକାଳ ପ୍ରାୟ ୭ଟା ୫ ମିନିଟ୍‌ରେ ଟଙ୍କପାଣି ରୋଡରୁ କେଶୁରା ଯିବା ବାଟରେ ସୌମ୍ୟ ରଞ୍ଜନ ନିଜ କାର୍‌ରେ ୫ ଜଣଙ୍କୁ ଧକ୍କା ଦେଇଥିଲେ । ରାସ୍ତା ଉପରେ ଜଣଙ୍କ ପରେ ଜଣଙ୍କୁ ପିଟି ପିଟି ଚାଲିଥିଲେ । ଦରମରା ଅବସ୍ଥାରେ ଜଣଙ୍କ ପରେ ଜଣେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ସୁଦ୍ଧା ଅଟକି ନଥିଲା ‘କିଲର୍ କାର୍’ ।

ଶେଷରେ ଘଟଣାସ୍ଥଳରେ ଉପସ୍ଥିତ ଉତ୍ତ୍ୟକ୍ତ ଲୋକମାନେ କାରକୁ ଘେରିଯିବା ସହ ଢେଲା ମାଡ଼ କରିବାରୁ ଗାଡ଼ିରେ ବ୍ରେକ ଲାଗିଥିଲା । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପହଞ୍ଚି ମଦ୍ୟପ ଡ୍ରାଇଭରକୁ କାବୁ କରିଥିଲା । ଡାକ୍ତରୀ ମାଇନା ପରେ ସୌମ୍ୟଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯୁବକ ଜଣଙ୍କ ଗତ ଜୁଲାଇ ୧୪ ତାରିଖରେ ମଧ୍ୟ ରାଜଧାନୀ ରାଜରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇଥିଲେ । ଶାସ୍ତ୍ରୀ ନଗରରେ ଅତ୍ୟନ୍ତ ଦ୍ରୁତ ଗତିରେ ମର୍ସିଡିଜ୍ କାର୍ ଚଳାଇ ଜଣଙ୍କ ଜୀବନ ନେଇଥିଲେ । ସେତେବେଳେ ସେ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଥିଲେ, ହେଲେ ତାଙ୍କର ବେପରୁଆ ଗାଡ଼ି ଚଳାଇବାର ନିଶା ଛାଡ଼ିନଥିଲା ।

ତେବେ ଦୁର୍ଘଟଣା ପରେ ପରିବହନ ବିଭାଗର ଟିମ୍ ଥାନା ଓ କ୍ରାଇମ ସ୍ପଟରେ ପହଞ୍ଚି ‘କ୍ରାସ୍ ଇନଭେଷ୍ଟିଗେସନ୍’  ଆରମ୍ଭ କରିଛି । ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ତଦନ୍ତ ବେଳେ ଅଫିସରମାନେ ଜାଣିବାକୁ ପାଇଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ପଞ୍ଜିକରଣ ରଦ୍ଦ କରିବା ସହ ଡ୍ରାଇଭିଂ ଲାଇସେନ୍ସ (DL) ସସପେଣ୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଏଭଳି ପେଶାଦାର ଅପରାଧୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ରାଜଧାନୀ ରାସ୍ତାରେ ନିରୀହ ଲୋକଙ୍କ ଜୀବନ ପାଣି ଫୋଟକା ଭଳି ଚାଲିଯିବ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅଧାପନ୍ତରିଆ ଅବସ୍ଥାରେ ବେଲଭ୍ୟୁ ପାର୍କ ଓ ଫୁଡ଼କୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଲୋକେ ସୁନ୍ଦର ପରିବେଶ ପାଇବେ, ଆର୍ଥିକ ସ୍ବଚ୍ଛଳ ହେବେ । କଟକ ସହରରେ ପୂର୍ବ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଅନେକ ଉନ୍ନତିମୂଳକ କାର୍ଯ୍ୟ ଏବେ ଅଧାପନ୍ତରିଆ ଅବସ୍ଥାରେ । ବେଲଭ୍ୟୁ ପାର୍କ ଓ ଫୁଡ଼କୋର୍ଟ ଏହାର ଜ୍ବଳନ୍ତ ଉଦାହରଣ । କାମ ଅଟକି ଯିବା ଯୋଗୁଁ କୋଟି କୋଟି ଟଙ୍କା ଏବେ ପାଣିରେ ପଡିବା ସଦୃଶ । ୭ କୋଟି ଟଙ୍କା ବ୍ୟୟବରାଦରେ ଏହି ସୁନ୍ଦର ପାର୍କଟିର ଅଧାରୁ ଅଧିକ କାମ ସରିଥିଲା । ଆଉ ଫୁଡକୋର୍ଟ ପାଇଁ କଣ୍ଟେନର ସବୁ ପଡି ଯାଇଥିଲା । ହେଲେ ସରକାର ବଦଳିଲା ସହ କାମ ମଧ୍ୟ ଅଟକି ଗଲା ।

ଏଥିରେ ଓପନ୍ ଜିମ ସାଙ୍ଗକୁ ୱାକିଂ ଟ୍ରାକ୍ ,ପିଲାଙ୍କ ପାଇଁ ଖେଳିବା ବ୍ୟବସ୍ଥା ଥିଲା। କାଠଯୋଡ଼ି କୂଳରେ ଏକ ସୁନ୍ଦର ଯୋଗାଯୋଗ ସ୍ଥାନରେ ଏହି ପାର୍କଟି ହେଉଥିବାରୁ ଏଠାରେ ଏକ ଫୁଡକୋର୍ଟର ପରିକଳ୍ପନା କରାଯାଇଥିଲା। ଏପରିକି କେତେକ ଫୁଡ ଷ୍ଟଲ୍ କଣ୍ଟେନର ଆଣି ରଖାଯାଇଥିଲା । ପରେ କିନ୍ତୁ ସରକାର ବଦଳିଗଲା ଓ ବେଲଭ୍ୟୁ ପାର୍କ ଓ ଫୁଡ଼ କୋର୍ଟର ଭାଗ୍ୟ ମଉଳିଗଲା। ସାଧାରଣ ଲୋକ ତୁରନ୍ତ ଏହାର କାମ ଶେଷ କରିବାକୁ ଦାବି କରିଥିବା ବେଳେ ମେୟର କହିଛନ୍ତି ଯେ, “ସରକାର ଅନୁଦାନ ବନ୍ଦ କରିଥିଲେ ଓ ଆଲୋଚନା ପରେ ଏବେ କାମ ଆରମ୍ଭ କରିବାକୁ ରାଜି ହୋଇଛନ୍ତି।

ଏଥିରେ ୨ ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ସୁଦ୍ଧା ପାର୍କ ଏବେ ଜଙ୍ଗଲ ଭଳି ପଡିଛି। ନିଶାଖୋର ଅସାମାଜିକ ଯୁବକମାନେ ଏଠାରେ ଆଡ୍ଡା ଜମାଉଛନ୍ତି । ଲାଗିଥିବା ଜିନିଷ ସବୁ ଭାଙ୍ଗିରୁଜି ଗଲାଣି”। ଏଭଳି ଏକାଧିକ ପ୍ରକଳ୍ପ ଅବହେଳିତ ଅବସ୍ଥାରେ ରହିଥିବା ମେୟର କହିଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ସରକାର ରାଜି ହୋଇ ଅନୁଦାନ ମଞ୍ଜୁର କରିଛନ୍ତି । ସେପଟେ ଅଟକିଥିବା କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ କରିବାକୁ ଦାବି କରିଛନ୍ତି କଟକ ସହରବାସୀ ।

ଜ୍ଞାନେଶ କୁମାର ‘ରାଜସାକ୍ଷୀ’ ହୁଅନ୍ତୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ପୁଣି ବର୍ଷିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଜ୍ଞାନେଶ କୁମାରଙ୍କ ପାଖରେ ଏବେ ରାଜସାକ୍ଷୀ ହେବା ଛଡ଼ା ଆଉ କୌଣସି ରାସ୍ତା ନାହିଁ ବୋଲି ସେ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଆୟୋଜିତ ପଦଯାତ୍ରା ପୂର୍ବରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଏହି ଅଭିଯୋଗ ଆଣିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ, ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାଙ୍କୁ କୌଣସି ବାର୍ତ୍ତା ମିଳିଛି କି? ଏହାର ଉତ୍ତରରେ ରାହୁଲ କହିଥିଲେ ଯେ, ତାଙ୍କ ପାଖକୁ ବାର୍ତ୍ତା ଆସୁଛି ଏବଂ ଜ୍ଞାନେଶ କୁମାର ଏହି ସାମ୍ବାଦିକ ସମ୍ମିଳନୀ ମଧ୍ୟ ଦେଖୁଛନ୍ତି । ରାହୁଲ କହିଛନ୍ତି, ଜ୍ଞାନେଶ କୁମାରଙ୍କୁ ସେ ପୂର୍ବରୁ ରାଜସାକ୍ଷୀ ହେବାକୁ ପରାମର୍ଶ ଦେଇଥିଲେ । ସେ ଭୁଲ୍ କରିଛନ୍ତି, କିନ୍ତୁ ଏହି ଭୁଲ୍ ପଛରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନୁହନ୍ତି ବୋଲି ରାହୁଲ  କହିଛନ୍ତି । ତେବେ କେଉଁ ମାଧ୍ୟମରେ ବାର୍ତ୍ତା ମିଳିଛି, ସେନେଇ ସେ ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ଏହାସହ ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ହଟାଇବାକୁ ଦାବି କରିଛନ୍ତି ରାହୁଲ। ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ନହେବା ପର୍ଯ୍ୟନ୍ତ ଏବଂ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ମଧ୍ୟ ରାହୁଲ ଘୋଷଣା କରାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି, କେନ୍ଦ୍ର ସରକାରଙ୍କ ପ୍ରାୟ ୨୦୦ରୁ ଅଧିକ ଅଧିକାରୀ ବିରୋଧୀଙ୍କ ସମ୍ପର୍କରେ ଥିବା ଦାବି କରିଛନ୍ତି ରାହୁଲ । ଏଥିରେ ଇଡି, ସିବିଆଇ ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି । ଏହି ଅଧିକାରୀମାନେ ବିରୋଧୀଙ୍କୁ ସରକାରୀ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବା ସେ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ ଉଠାଇଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା  ଅଜିତ ଡୋଭାଲ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ଚାପରେ ଜ୍ଞାନେଶ କୁମାର କାମ କରିଛନ୍ତି ।

ବୁଲେଟ୍ ଚଲାଇ ଫାଇନ୍ ଗଣିଲେ ନାବାଳକ !

ନନ୍ଦିଘୋଷ ବ୍ୟୁରୋ: ମୋଡିଫାଏଡ୍ ସାଇଲେନ୍ସର ଲଗାଇ ବୁଲେଟ୍ ଚଲାଇବା ପଡ଼ିଲା ମହଙ୍ଗା । ବିନା ଲାଇସେନ୍ସରେ ନାବାଳକ ଗାଡି ଚଳାଉଥିବା ଧରାପଡ଼ିବା ପରେ ବାପାଙ୍କ ନାଁରେ କଟିଛି ଚାଲାଣ । ଢେଙ୍କାନାଳରୁ ସାମ୍ନାକୁ ଆସିଛି ଏଭଳି ଖବର । ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ଘରୋଇ ସ୍କୁଲ ଗୁଡିକରେ ଯାଞ୍ଚ କରାଯାଇଥିଲା । ଆଉ ନାବାଳକ ଛାତ୍ରଛାତ୍ରୀ ଗାଡି ନେଇ ଆସୁଥିବା ବେଳେ ତାକୁ ଯାଞ୍ଚ କରି ଜୋରିମାନା କସିଛି ଆଞ୍ଚଳିକ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ । ବିଭିନ୍ନ ସ୍କୁଲ ଗୁଡିକ ଫାଟକ ଆଗରେ ଗାଡି ଗୁଡିକୁ ଜୋରିମାନା କରିବା ସହିତ ଅଭିଭାବକ ଓ ସ୍କୁଲ ର କର୍ତ୍ତୃପକ୍ଷ ମାନଙ୍କୁ ନୋଟିସ କରିଛି ଆଞ୍ଚଳିକ ପରିବହନ ବିଭାଗ।

ବିଭିନ୍ନ ସମୟରେ ନାବାଳକ ବାଳିକା ଗାଡି ଚଳାଇବାକୁ ନେଇ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଏହି ପଦକ୍ଷେପ ଉଠା ଯାଉଥିବା କହିଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ । ମୋଡିଫାଏଡ଼ ବୁଲେଟକୁ ଜବତ କରିବା ସହ ୩୬ ହଜାର ଟଙ୍କାର ଜରିମାନା ଲଗାଯାଇଛି । ବିନା ବୈଧ ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା ପାଇଁ ୫ ହଜାର ଟଙ୍କା, ବିପଜ୍ଜନକ ଗାଡ଼ି ଚାଳନା ପାଇଁ ୫ ହଜାର ଟଙ୍କା, ବାୟୁ ପ୍ରଦୂଷଣ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ୧ ହଜାର ଟଙ୍କା ଏବଂ ନାବାଳକଙ୍କ ଦ୍ୱାରା ଗାଡ଼ି ଚାଳନା ସମ୍ପର୍କିତ ନିୟମ ଅନୁଯାୟୀ ୩୬ ହଜାର ଟଙ୍କା ଜରିମାନା ଲଗାଯାଇଛି ।  ତେଣୁ ନିଜ ପିଲାଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୋଇ ଅଭିଭାବମାନେ ୧୮ ବର୍ଷ ପୂର୍ବରୁ ନିଜ ପିଲାଙ୍କୁ ଗାଡି ଚଳାଇବାକୁ ନଦେବା ଦରକାର ।

ଯୋଗ୍ୟଙ୍କୁ ମିଳୁନି ଘର, ଅଯୋଗ୍ୟ ହାତେଇବା ଅଭିଯୋଗରେ ରାସ୍ତାରେ ଗର୍ଜିଲେ ମହିଳା

ନନ୍ଦିଘୋଷ ବ୍ୟୁରୋ: ସରକାର ଗରିବ ଓ ଅସହାୟ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ଆବାସ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଲମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ୧୨ ନମ୍ବର ୱାର୍ଡରେ ଏହି ଯୋଜନାର ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ପ୍ରକୃତ ଯୋଗ୍ୟ ହିତାଧିକାରୀମାନେ ବର୍ଷ ବର୍ଷ ଧରି ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ରହିଥିବା ବେଳେ, ପ୍ରଶାସନିକ ଅବହେଳା ଓ ଦୁର୍ନୀତି ଯୋଗୁଁ ଅଯୋଗ୍ୟ ବ୍ୟକ୍ତିମାନେ ଘର ହାତେଇ ନେଉଥିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ଉକ୍ତ ୱାର୍ଡର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ଆଜି ବି ଭଙ୍ଗାରୁଜା ଓ ଚାଳଛପର ଘର ତଳେ ଦୀନହୀନ ଅବସ୍ଥାରେ ଦିନ କାଟୁଛନ୍ତି। ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡିଏ ପାଇଁ ଏହି ଗରିବ ପରିବାରଗୁଡ଼ିକ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଅଫିସ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା କଥା, ଇନକ୍ୱାରୀରେ ହାତଗୁଞ୍ଜା ନେଇ ଅଧିକାରୀ ଓ ଲୋକ ପ୍ରତିନିଧି ମାନେ ସରକାରୀ ଯୋଜନାରୁ ନାଁ କାଟି ଦେଉଥିବା ଅଭିଯୋଗ ଆଣିଛନ୍ତି ।

ଅସହାୟ ହିତାଧିକାରୀମାନେ ବାରମ୍ବାର ନିଜର ଗୁହାରି ଜଣାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ଲୋକପ୍ରତିନିଧିମାନେ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ପ୍ରଶାସନର ଏହି ଆବେଗହୀନ ଓ ଅଣଦେଖା ମନୋଭାବ ବିରୋଧରେ ଗ୍ରାମର ଶହ ଶହ ମହିଳା ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି। ଗାଁ ଦାଣ୍ଡରେ ସରକାରୀ ଅଫିସର ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ନାରାବାଜି କରିବା ସହ ତୀବ୍ର ପ୍ରତିବାଦ କରିଛନ୍ତି।

ତେବେ ଅଞ୍ଚଳବାସୀଙ୍କ ସ୍ପଷ୍ଟ ଦାବି ଯେ, ତୁରନ୍ତ ଏହି ଆବାସ ଯୋଜନାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ଦେଇ ପ୍ରକୃତ ଗରିବ ଓ ଯୋଗ୍ୟ ପରିବାରକୁ ତୁରନ୍ତ ଆବାସ ଘର ଯୋଗାଇ ଦିଆଯାଉ। ଯଦି ପ୍ରଶାସନ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନକରେ, ତେବେ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବ୍ୟାପକ ଓ ସ୍ଥାନୀୟ ବ୍ଲକ ଘେରାଉ ରୂପ ନେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି

ଛାତ୍ର ସଂସଦ ନିର୍ବାଚନ: ସରକାରଙ୍କୁ ଏକ୍ସପୋଜ୍ କଲା ବିଜେଡି !

ନନ୍ଦିଘୋଷ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଗୋଟେ ପରେ ଗୋଟେ କଲେଜର ବିଶୃଙ୍ଖଳାର ଖବର ସାମ୍ନାକୁ ଆସୁଛି ।  ଯେଉଁଠି ବିସିଜେଡି ଛାତ୍ରଙ୍କର ବିଜୟ ସୁନିଶ୍ଚିତ ବୋଲି ଜଣାପଡୁଛି, ସେଠାରେ ଉଦ୍ଦେଶ୍ୟମୂଳକ ଭାବେ ନିର୍ବାଚନକୁ ବନ୍ଦ କରି ଦିଆଯାଉଛି  । ଆଉ ଏବେ ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି ।

ଦୁଇବର୍ଷ ପ୍ରସ୍ତୁତି ପରେ ବି ସରକାର ଛାତ୍ର ସଂସଦ ନିର୍ବାଚନ କରିପାରୁ ନଥିଲେ । ପ୍ରଶ୍ନ ଉଠିବାପରେ ହଠାତ କି ପ୍ରସ୍ତୁତି ଆସିଲା ଯେ, ନିର୍ବାଚନ ହେଉଛି । ରମାଦେବୀ ମହାବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡକ୍ଟର ସଂଜୟ ରାଉଳ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେଳେଙ୍କାରୀ କରିଥିବା ଅଭିଯୋଗ କରିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ । ଯାହାର ଫୋନ ଅଡିଓ ରେକର୍ଡ଼ିଂ ଏବେ ଭାଇରାଲ ହେଉଛି । ଇପ୍ସିତା ସାହୁ କହିଛନ୍ତି,  ମହିଳାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି ସରକାର । ହେଲେ ନିଜ ଇମେଜ୍ ବଞ୍ଚାଇବାକୁ ରମାଦେବୀ ଜିତିବାକୁ ଚାହୁଁଛନ୍ତି । ଲିଙ୍ଗଡୋ କମିସନ କୁଆଡେ ଗଲା ? ମୁଖ୍ୟମନ୍ତ୍ରୀ ବାରମ୍ବାର ରମାଦେବୀ ପରି ଅନେକ କଲେଜକୁ ଫୋନ କରୁଛନ୍ତି । ଏବିଭିପିକୁ ଜିତାଇବାକୁ ପ୍ରଶାସନ ଓ ସରକାରୀ କଳ ବ୍ୟବହାର ହେଉଛି ।

ତେବେ କେବଳ ରମାଦେବୀ ନୁହେଁ ବରଂ ନୟାଗଡରେ ବି ସମାନ ପରିସ୍ଥିତି ।  ନୟାଗଡ଼ କଲେଜରେ ନାମାଙ୍କନ ଦାଖଲ ସରିଥିଲା । ହେଲେ ନିର୍ବାଚନ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆସିଲା । ସବୁ ୧୯ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଗଲେ ।  ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ whatsaap ଗ୍ରୁପରେ ପ୍ରଫେସରମାନେ ଏବିଭିପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସେହିପରି FM କଲେଜରେ ବିଧାୟକ କେମିତି ପ୍ରଚାର କଲେ ? ଗତକାଲି ହଠାତ ପିପିଲିରେ ଏବିଭିପି ପ୍ରାର୍ଥୀକୁ ବିଜେପି ଯୁବ ମୋର୍ଚ୍ଚା ହଇଜାକ କରି ନେଇଥିଲେ । ସେ ପ୍ରାର୍ଥୀ ବିଜେବି କଲେଜରେ ନାମାଙ୍କନ କରିଛନ୍ତି । ଏହା କିପରି ଛାତ୍ର ସଂସଦ ନିର୍ବାଚନ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ବିଜେଡି ସଭାପତି ।

କାକଟପୁର ପୀଠରେ ଅଲୌକିକ “ବିଶ୍ରାମ ଶିଳା”, ଦର୍ଶନ ମାତ୍ରେ ଦୂର ହୁଏ ପାପ!

କାକଟପୁର ପୀଠରେ ଅଲୌକିକ “ବିଶ୍ରାମ ଶିଳା”, ଦର୍ଶନ ମାତ୍ରେ ଦୂର ହୁଏ ପାପ!

ନନ୍ଦିଘୋଷ ବ୍ୟୁରୋ: କିମ୍ବଦନ୍ତୀ ବଖାଣୁଛି ବିଶ୍ରାମ ଶିଳା । ପୁରୀ ଜିଲ୍ଲା କାକଟପୁର ମା” ମଙ୍ଗଳା ପୀଠ ସହ ଶ୍ରୀକ୍ଷେତ୍ରର ରହିଛି ନିବିଡ଼ ସମ୍ପର୍କ । ପ୍ରତିଦିନ ରାତ୍ରରେ ବଡ଼ ସିଂହାର ବେଶ ପରେ ମା” ମଙ୍ଗଳା ଶ୍ରୀକ୍ଷେତ୍ରକୁ ବିଜେ କରନ୍ତି । ଶ୍ରୀକ୍ଷେତ୍ରରୁ ଫେରିବା ପରେ ବିଶ୍ରାମ ଶିଳାରେ ପାଦ ଥାପନ୍ତି ।

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ରହିଛି ଅଲୌକିକ ବିଶ୍ରାମ ଶିଳା । ଯାହାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ଯେଉଁଠି ପ୍ରତି ରାତିରେ ବିଶ୍ରାମ ନିଅନ୍ତି ସ୍ଵୟଂ ଜଗତଜନନୀ । ନିଶାର୍ଦ୍ଧରେ ଏଠି ଶୁଭେ ନୁପୁରର ରୁଣଝୁଣ ଶବ୍ଦ । ଝୁଣା ଧୂପର ବାସ୍ନା ଆପେ ଆପେ ବାହାରେ । ପ୍ରତିଦିନ ରାତ୍ରରେ ବଡ଼ ସିଂହାର ବେଶ ପରେ ମା” ମଙ୍ଗଳାଙ୍କ ଶ୍ରୀକ୍ଷେତ୍ର ବିଜେ ଆରମ୍ଭ ହୁଏ । କିମ୍ବଦନ୍ତୀ ଅନୁଯାୟୀ ଲମ୍ବା ପଥ ଅତିକ୍ରମ କରି ଫେରିବା ପରେ ମା” ଏହି ଶିଳାରେ ବିଶ୍ରାମ ନିଅନ୍ତି ।

ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ରହିଛି ବିଶ୍ରାମ ଶିଳା । ଏହି ଶିଳା ସବୁବେଳେ ଶୀତଳ ରୁହେ । ଖରାଦିନେ ମଧ୍ୟ ଗରମ ହୁଏ ନାହିଁ । ପ୍ରତିଦିନ ପହଡ଼ ଖୋଲିବା ପରେ ଶିଳା ଉପରେ ମାଆଙ୍କ ପଦଚିହ୍ନ ଦେଖିବାକୁ ମିଳେ । ଯେଉଁ ଭକ୍ତ ଏହି ଶିଳାକୁ ଥରେ ଛୁଁଏ, ତାର ଜନ୍ମ ଜନ୍ମର ପାପ ଦୂର ହୁଏ ବୋଲି ବିଶ୍ଵାସ ରହିଛି ।

 

ଜୟପାଟଣାରେ ବନ୍ୟାର ତାଣ୍ଡବ: ବିଚ୍ଛିନ୍ନ ଗାଁ, ନାହିଁ ପ୍ରଶାସନ

କଳାହାଣ୍ଡି : ଗତ ଅବପାତ ବର୍ଷା ଓ ବନ୍ୟାରେ ଧ୍ଵସ୍ତ ହୋଇପଡ଼ିଛି ରାସ୍ତାଘାଟ। ଭାଙ୍ଗିଯାଇଛି ଗରିବଙ୍କ ଘରଦ୍ଵାର ଏବଂ ଧୋଇଯାଇଛି ଚାଷୀର ବର୍ଷକର ଆହାର। ଚାଷ ଜମିରେ ବାଲି ମାଡ଼ିଯାଇଥିବାରୁ ଚାଷୀ ଏବେ ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇପଡ଼ିଛି।

ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନଶୁଳି ପଞ୍ଚାୟତର ଚାନ୍ଦପୁର ଓ ଭିତରପାଣି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମିରେ ବାଲି ମାଡ଼ି ଯାଇଛି। ଏହାସହ ଭୂ-ସ୍ଖଳନ ଘଟି ବହୁ ମୂଲ୍ୟବାନ ଗଛଲତା ଓ ଖଣିଜ ସଂପଦ ଛାରଖାର ହୋଇଯାଇଛି।

ତେବେ ଧନଶୁଳି ପଞ୍ଚାୟତ ବେହେରାଗୁଡା ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ସ୍ଥାନୀୟ ଲୋକମାନେ ରାସନ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି। ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ୁଥିଲେ ବି ଏଯାଏଁ ସେମାନଙ୍କ ପାଖରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାନ୍ତି।

ଗୋପରେ ହାଇଡ୍ରାମା: ବିଷ ପିଇବାକୁ ଉଦ୍ୟମ କଲେ ଚାଷୀ ! 

ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକରେ ଜନ ଅଭିଯୋଗ ଶୁଣାଣି ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୀର୍ଘଦିନ ଧରି କେନାଲରେ ପାଣି ନ ଆସିବା ଯୋଗୁଁ ଚାଷ କାର୍ଯ୍ୟ ଗୁରୁତର ଭାବେ ବ୍ୟାଘାତପ୍ରାପ୍ତ ହେଉଥିବା ଅଭିଯୋଗ କରି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସେଠାରେ ହାଇଡ୍ରାମା ସୃଷ୍ଟି ହୋଇଛି।

ଗୋପ ବ୍ଲକର ୪ଟି ପଞ୍ଚାୟତ ଯଥା, ଅଣ୍ଡାରଇଚ୍ଛାପୁର, ଗଣେଶ୍ଵରପୁର, ଗୋପ ଓ ନାଗପୁର ଅଞ୍ଚଳର ଶତାଧିକ ଚାଷୀ ପାଣି ସମସ୍ୟା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ। ହେଲେ ସେମାନଙ୍କ ଅଭିଯୋଗକୁ କେହି ଗୁରୁତ୍ଵ ଦେଉନଥିବାରୁ ଆଜି ଶତାଧିକ ଚାଷୀ ଏକତ୍ରିତ ହୋଇ ଜନ ଅଭିଯୋଗ ଶୁଣାଣି ସମୟରେ ହୋହଲା କରିବା ସହ ଶିବିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନା ଅନୁଯାୟୀ, ଉତ୍ତେଜନା ପ୍ରକାଶ ପାଇବା ସହ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗୋପ ପୋଲିସ ତୁରନ୍ତ ଚାଷୀଙ୍କୁ ବୁଝାସୁଝା କରିବା ସହ ତାଙ୍କ ହାତରୁ ବିଷ ବୋତଲ ଛଡ଼ାଇ ନେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଚାଷୀଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ।