spot_img
Home Blog Page 4547

ସିବିଆଇ ଜାଲରେ ଏମସିଏଲ ସୁରକ୍ଷା ଅଧିକାରୀ

ଭୁବନେଶ୍ବର: ସିବିଆଇ ଜାଲରେ ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇନଚାର୍ଜ । ତାଳଚେର ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଛନ୍ତି ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ ଇନଚାର୍ଜ ଜୟନ୍ତ ବାରିକ ।  ଓଭର ଟାଇମ ଡ୍ୟୁଟି କରାଇ ଦେଇଥିବା ନେଇ ଅନ୍ୟ ଜଣେ ଏମସିଏଲ ସୁରକ୍ଷାକର୍ମୀ ମହେଶ ନାଏକଙ୍କୁ ସେ ଲାଞ୍ଚ ମାଗୁଥିଲେ । ଏ ନେଇ ମହେଶ ଭୁନେଶ୍ୱରର ସିବିଆଇ ଅଫିସର ଦ୍ୱାରସ୍ଥ ହୋଇଥିଲେ । ଆଜି ଓଟି ପାଇଁ ଟଙ୍କା ଦେବା ବେଳେ ସିବିଆଇର ୧୦ ଜଣିଆ ଟିମ ଜୟନ୍ତଙ୍କୁ ଧରିଥିଲେ । ଜୟନ୍ତଙ୍କ  ଘର ସମେତ ଅଫିସରେ ଖୋଳତାଡ଼ ଜାରି ରଖିଛି ସିବିଆଇ ।

ପୌର ନିର୍ବାଚନ: ମଦୁଆଙ୍କୁ ଟିକେଟ ଦେବନି କଂଗ୍ରେସ, ଶଙ୍ଖ ଟିକେଟ ନେବାକୁ ଆଶାୟୀଙ୍କ ଭିଡ

ଭୁବନେଶ୍ବର: ବିଜେଡିର ପଞ୍ଚାୟତ ସଫଳତା ପରେ ବିରୋଧୀ ଶିବିରରେ ହଇଚଇ ସୃଷ୍ଟି ହୋଇଛି । ସମସ୍ତଙ୍କ ନଜର ପୌର ନିର୍ବାଚନ ଉପରେ । ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ୍ ଦେଖି ପ୍ରାର୍ଥୀ ଚୟନର ମାପଦଣ୍ଡ ସ୍ଥିର କରିଛି ଦଳ । ଲୋକଙ୍କ ସେବା କରୁଥିବା ଲୋକଙ୍କୁ ପ୍ରାର୍ଥୀ କରି ବାରମ୍ବାର ସଫଳତା ହାସଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ବି ଏବେ ଲୋକଙ୍କ ସହ ଥିବା ଭଲ ବ୍ୟକ୍ତିତ୍ବକୁ ସନ୍ଧାନ ଆରମ୍ଭ କଲେଣି ।

ଏବେ ହେବିଓ୍ବେଟ ନେତା ସ୍ଥାନୀୟ ବିଧାୟକଙ୍କ ଘରେ ବାହାରେ । ହାତରେ ବାୟୋଡାଟା ଓ ସାଥୀରେ ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଜେଡିର ସଫଳତା ଯୋଗୁଁ ସମସ୍ତଙ୍କ ଇଚ୍ଛା ଶଂଖ ଟିକେଟ୍ । ସବୁ ନିର୍ବାଚନରେ ବିଜେଡି ନେତାମାନେ ସମୀକ୍ଷା କରି ପ୍ରାର୍ଥୀଙ୍କ ତାଲିକା ଦଳୀୟ ସୁପ୍ରିମୋଙ୍କ ପାଖକୁ ପଠାନ୍ତି । ଏଥର ମଧ୍ୟ ପ୍ରତି ଓ୍ବାର୍ଡରୁ ୩ ଜଣ ଆଶାୟୀଙ୍କ ବାୟୋଡାଟା ନବୀନଙ୍କ ପାଖରେ ପହଞ୍ଚିଛି । ସ୍ବଚ୍ଛ ଶାସନରେ ବିଶ୍ବାସ କରୁଥିବା ବିଜେଡି ଏଥର ବି ସେବା ମନୋବୃତ୍ତି ଥିବା ଲୋକଙ୍କୁ ପ୍ରାର୍ଥୀ କରିବ । ତା’ ସହ ପ୍ରାର୍ଥୀ  ନିଷ୍କଳଙ୍କ ହେବା ସହ ଭଲ ଟ୍ରାକ୍ ରେକର୍ଡ ରଖିଥିବ । ସେହିପରି ବ୍ୟକ୍ତିତ୍ବ ଥିବା ଲୋକଙ୍କ ନାଁ ଉପରେ ମୋହର ମାରିବେ ନବୀନ ପଟ୍ଟନାୟକ ।

ମଦୁଆଙ୍କୁ ଟିକେଟ ଦେବନି କଂଗ୍ରେସ

ସେପଟେ ମଦୁଆଙ୍କୁ ଦୂରେଇବ କଂଗ୍ରେସ । ମଦ୍ୟପ କି କ୍ରମିନାଲ, କେହି ବି ପାଇବେ ନାହିଁ କଂଗ୍ରେସର ପୌର ଟିକେଟ୍ । ସ୍ଥାନୀୟ ଅଞ୍ଚଳରେ ଜନସେବା କରୁଥିବା ଭଦ୍ର ପରିବାରର ଶିକ୍ଷିତ ଲୋକଙ୍କୁ ଦଳ ପ୍ରାର୍ଥୀ କରିବ ।

ସମାଜସେବା ଉପରେ ବିଜେପି ନଜର

ସେହିପରି ସାଂଗଠନିକ ସ୍ତରରେ ଦୁର୍ବଳ ହେଉଥିବା ବିଜେପି ସମାଜସେବା ଉପରେ ଗୁରୁତ୍ବ ଦେଉଛି । ଦଳର ରାଜ୍ୟ ସଭାପତି ପୂର୍ବରୁ ଏ ନେଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରି ପ୍ରାର୍ଥୀ ଖୋଜା ଆରମ୍ଭ କରିଛନ୍ତି ।

ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଘଟାଇ ଲୋକଙ୍କଠାରୁ ଦୂରେଇ ଯାଇଛି ବିଜେପି । ହେଲେ ସ୍ବଚ୍ଛ ପ୍ରଶାସନର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରାର୍ଥୀ ଚୟନଠାରୁ ନିର୍ବାଚନ ଯାଏଁ ସ୍ବଚ୍ଛତା ଅବଲମ୍ବନ କରି ବୃହତ ବିଜୟ ପାଇଛନ୍ତି । ଯାହାକୁ ବିରୋଧୀ ଅନୁଭବ କରି ପୌର ନିର୍ବାଚନରେ ଭଲ ପ୍ରାର୍ଥୀ ଖୋଜିବାରେ ଲାଗି ପଡ଼ିଛନ୍ତି ।

ବାବା ଲିଙ୍ଗରାଜଙ୍କ ଶିବରାତ୍ରୀ ନୀତିକାନ୍ତି

0

ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରି । ବାବା ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ଚାଲିଛି ପ୍ରସ୍ତୁତି । ଆସନ୍ତାକାଲି ରାତି ୩ଟାରୁ ଖୋଲିବ ମନ୍ଦିରର ମୁଖ୍ୟଦ୍ୱାର । ୩.୩୦ରେ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ଅବକାଶ ନୀତି । ୫ଟାରୁ ହେବ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ।

ଚଳିତବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରିବେ ଭକ୍ତ । ବ୍ୟାରିକେଡ୍ ଭିତରେ ଧାଡି ବାନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବେ ସେବାୟତ ଓ ତାଙ୍କ ପରିବାର ବର୍ଗ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରସ୍ତୁତି ହୋଇଛି । ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ବିଏମସି ପକ୍ଷରୁ ଶିବରାତ୍ରି ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଡୁଆଲ୍ ଓ କବିତା କ୍ରିଷ୍ଣାମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବା ନେଇ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୋଲିସ କମିଶନର ।

କାଲିଠୁ ୨ ଟଙ୍କା ବଢ଼ିବ ଅମୂଲ କ୍ଷୀର ଦର

0

ଭୁବନେଶ୍ବର: ଆସନ୍ତାକାଲିଠାରୁ ବଢିବ ଅମୂଲ କ୍ଷୀର ଦର । ଲିଟର ପିଛା ୨ ଟଙ୍କା ବଢ଼ାଇବା ଲାଗି ଘୋଷଣା କରିଛି କମ୍ପାନୀ । ଅମୂଲର ସମସ୍ତ ଭାରିଆଣ୍ଟ ଯଥା ଗୋଲ୍ଡ, ତାଜା, ଶକ୍ତି, ଟି-ସ୍ପେଶାଲ କ୍ଷୀର କ୍ଷେତ୍ରରେ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏନେଇ ସୂଚନା ଦେଇଛି ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ । ବର୍ଦ୍ଧିତ ଦର ଯୋଗୁଁ ଅମୂଲ ଗୋଲ୍ଡର ଦାମ ଅଧା ଲିଟର ଲାଗି ହେବ ୩୦ ଟଙ୍କା । ଅମୂଲ ତାଜାର ଦାମ୍ ହେବ ୨୪ଟଙ୍କା । ଅମୂଲ ଶକ୍ତିର ଦର ହେବ ୨୭ଟଙ୍କା ହୋଇଯିବ । ଗତବର୍ଷ ଜୁଲାଇରେ ଶେଷ ଥର ଲାଗି କ୍ଷୀର ଦର ଲିଟର ପିଛା ୨ ଟଙ୍କା ବଢ଼ାଯାଇଥିଲା ।

ଟ୍ରକ୍ ମାଲିକଙ୍କୁ ଫିଲ୍ମ ଷ୍ଟାଇଲରେ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଚାଞ୍ଚଲ୍ୟ । ସୋସିଆଲ୍ ମିଡିଆରେ ଆକୁଳ ନିବେଦନ ସତ୍ତ୍ବେ ମିଳିଲାନି ସାହାଯ୍ୟ । ଟ୍ରକ୍ ମାଲିକଙ୍କୁ ଫିଲ୍ମ ଷ୍ଟାଇଲରେ ମର୍ଡର । ଗୋଡ଼ାଇ ଗୋଡ଼ାଇ ମାରି ଦେଲେ ଦୁର୍ବୃତ୍ତ । ମୃତକ ହେଲେ ତୋଟା ଗାଁର ଜିତେନ୍ଦ୍ର ଦଳେଇ ।

ବ୍ରହ୍ମପୁରରୁ ଘରକୁ ଫେରୁଥିବାବେଳେ ବଡ଼ଘାଟି ନିକଟରେ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ୫ ଦୁର୍ବୃତ୍ତ । ଟଙ୍କା ଲୁଟିବା ସହିତ ତାଙ୍କୁ ମାଡ଼ ମାରିଥିଲେ ଲୁଟେରା । ଦୁର୍ବୃତ୍ତଙ୍କ କବଳରୁ ଖସି ଜଙ୍ଗଲକୁ ଦୌଡ଼ି ପଳାଇଥିଲେ ଜିତେନ୍ଦ୍ର । ଏହି ସମୟରେ ପରିବାର ଲୋକଙ୍କୁ ମେସେଜରେ ଘଟଣା ସମ୍ପର୍କରେ ଜିତେନ୍ଦ୍ର ଅବଗତ କରାଇଥିଲେ । ପୋଲିସକୁ ମଧ୍ୟ ଘଟଣା ସମ୍ପର୍କରେ ମେସେଜ କରିଥିଲେ । ଫୋନ୍ ନକରି ମେସେଜ ଜରିଆରେ ତାଙ୍କ ସହିତ ଯୋଗାଯୋଗ କରିବାକୁ ସେ ଜଣାଇଥିଲେ । ତେବେ ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ମୃତ ଅବସ୍ଥାରେ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାର୍ଚ୍ଚ ଗାଇଡଲାଇନ: ବାହାରେ ନୁହେଁ, ଘରେ ଖେଳାଯିବ ହୋଲି

ଭୁବନେଶ୍ବର: ବାହାରେ ନୁହେଁ ଘର ଭିତରେ ଖେଳାଯିବ ହୋଲି । କେବଳ ନିଜ ପରିବାର ଲୋକଙ୍କ ସହ ହୋଲି ପାଳନ ପାଇଁ ଅନୁମତି ଦିଆଯାଇଛି । ମାର୍ଚ୍ଚ ପାଇଁ ଜାରି ଗାଇଡଲାଇନରେ ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

କରୋନା ହ୍ରାସ ପାଇଥିବାରୁ ଅନଲକ୍ ହୋଇଛି ଓଡ଼ିଶା । ହେଲେ କରୋନା କଟକଣାରେ ପାଳନ ହେବ ହୋଲି, ଦୋଳ ପୂର୍ଣ୍ଣିମା, ମହାଶିବରାତ୍ରି । କେବଳ ନିଜ ପରିବାର ଲୋକଙ୍କ ସହ ହୋଲି ପାଳନ ପାଇଁ ଅନୁମତି ଦିଆଯାଇଛି ।

ଏଣିକି ବାହାଘର, ବ୍ରତଘରରେ ୫୦୦ ଲୋକ ଏକାଠି ହୋଇପାରିବେ । ଅନ୍ତିମ ସଂସ୍କାରରେ ୨୫୦ ଲୋକ ଯୋଗ ଦେଇପାରିବେ । ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହ କୋଭିଡ କଟକଣାକୁ ଗୁରୁତ୍ବ ଦିଆଯିବ । ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ବୃଦ୍ଧ, ଗର୍ଭବତୀ, ଶିଶୁଙ୍କ ବିନା କାରଣରେ ଘରୁ ବାହାରିବାକୁ ମନା କରାଯାଇଛି । କୌଣସି ଧାର୍ମିକ ଅନୁଷ୍ଠାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପ୍ରଶାସନଠୁ ଅନୁମତି ମାଗିବାକୁ ପଡିବ । ପୂର୍ବରୁ ରାଜ୍ୟରେ ରାତ୍ରିକାଳିନ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଉଠାଯାଇଛି ।

ଋଷ-ୟୁକ୍ରେନ୍ ଆଲୋଚନା ଶେଷ, ସେନା ଫେରାଇ ନେବା ପାଇଁ ୟୁକ୍ରେନ୍ ରଖିଲା ଦାବି

ବେଲାଋଷ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବାର୍ତ୍ତା ଶେଷ ହୋଇଛି । ତିନି ଘଣ୍ଟା ଧରି ଚାଲିଥିବା ଆଲୋଚନାରେ କିନ୍ତୁ ଯୁଦ୍ଧ ଜାରି ରହିବ କି ବନ୍ଦ ହେବ ତାକୁ ନେଇ କୌଣସି ସହମତି ସୃଷ୍ଟି ହୋଇ ପାରିନାହିଁ । ତେବେ ଆଲୋଚନା କାଳରେ ୟୁକ୍ରେନ୍ ଋଷ ସମ୍ମୁଖରେ କ୍ରିମିୟା ଓ ଡୋନବାସରୁ ସେନା ପ୍ରତ୍ୟାହାର ପାଇଁ ଦାବି ରଖିଥିଲା । ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା ଯେ, ଯୁଦ୍ଧ ବିରାମ ଓ ୟୁକ୍ରେନରୁ ଋଷୀୟ ସେନା ପ୍ରତ୍ୟାହାର ସେମାନଙ୍କ ମୁଖ୍ୟ ପ୍ରସଙ୍ଗ ରହିବ ।

ଋଷ ସୈନିକ ନିଜ ଦେଶକୁ ଫେରନ୍ତୁ

ବେଲାଋଷରେ ଆଲୋଚନା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଟ୍ୱିଟ୍ କରି ଋଷ ସୈନିକଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ କହିଥିଲେ । ସେ ଲେଖିଥିଲେ ଯେ, ଋଷ ସୈନିକ ନିଜ ଜୀବନ ବଂଚାଇ ଫେରି ଯାନ୍ତୁ । ମୁଁ ଯେତେବେଳେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିଥିଲି ସେତେବେଳେ କହିଥିଲି ଯେ, ଆମେ ସମସ୍ତେ ରାଷ୍ଟ୍ରପତି ହେବା । କାରଣ ସମସ୍ତଙ୍କର ଦେଶ ପ୍ରତି କର୍ତ୍ତବ୍ୟ ରହିଛି । ଏବେ ସେମିତି କିଛି ଘଟୁଛି । ସମସ୍ତେ ଯୋଦ୍ଧା ଭଳି ଲଢୁଛନ୍ତି ।

ଦୁଇ ନମ୍ବର ପାଇଁ ବିଜେପି-କଂଗ୍ରେସ ଟକ୍କର

ଭୁବନେଶ୍ବର: ବିଜେପିକୁ ଜନତାଙ୍କ ଦେଲେ ଭୋଟରେ ଉତ୍ତର । ହଜି ଯାଉଥିବା କଂଗ୍ରେସକୁ ଦେଲେ ଠିକଣା । ଗାଁ ଜନାଦେଶ ବଦଳାଇ ଦେଲା ରାଜ୍ୟ ରାଜନୀତର ସମୀକରଣ । ପୂରା ରାଜ୍ୟରେ ବିଜେଡିକୁ ବିପୁଳ ଜନ ସମର୍ଥନ ମିଳିଥିବା ବେଳେ ରାଜ୍ୟବାସୀ ବିଜେପିକୁ କରିଛନ୍ତି ପ୍ରତ୍ୟାକ୍ଷାନ । ଏବେ କଂଗ୍ରେସ ଓ ବିଜେଡି ମଧ୍ୟରେ ଚାଲିଛି ଟକ୍କର କିଏ ନେବ ଦ୍ବିତୀୟ ସ୍ଥାନ ।

୨୦୨୨ ପଞ୍ଚାୟତ ଫଳାଫଳ । ରାଜ୍ୟର ଦୁଇ ଜାତୀୟ ଦଳ ପାଇଁ ଛିଡ଼ା କରିଛି ନୂଆ ଚ୍ୟାଲେଞ୍ଜ । ବିକାଶର ମହାନାୟକଙ୍କ ଲୋକପ୍ରିୟତା ଆଗରେ ହାର ମାନିଛି ଉଭୟ ଦଳର ଗେମ୍ ପ୍ଳାନ୍ । ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟବାସୀ କଂଗ୍ରେସକୁ ହଟାଇ ବିଜେପିକୁ ମୁଖ୍ୟ ବିରୋଧୀ ଆସନରେ ବସାଇଥିଲେ । ମାତ୍ର ୩ବର୍ଷ ଭିତରେ ବିପଦ ମୁହଁରେ ରାଜ୍ୟ ବିଜେପି । ୨୦୨୨ ପଞ୍ଚାୟତ ନିର୍ବାଚନର ଫଳାଫଳ ଦଳୀୟ ନେତାଙ୍କୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରିଛି । ଦଳ ତିନି ଅଙ୍କ ତ ଛୁଇପାରିନି, ଏମିତିକି ଅନେକ ଜିଲ୍ଲାରେ ଦଳ ଖାତା ବି ଖୋଲି ପାରିନାହିଁ । ସେପଟେ କଂଗ୍ରେସକୁ ମଧ୍ୟ ଆଖିଦୃଶିଆ ସଫଳତା ମିଳିନି ସତ, ହେଲେ ବିଜେପିଠୁ ଆଗରେ ରହିବା ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି ।

ସେପଟେ ଏ ଫଳାଫଳ ଦୁଇ ଜାତୀୟ ଦଳର ରାଜନୈତିକ ଭବିଷ୍ୟତ ପାଇଁ ବଡ଼ ଆହ୍ବାନ ସୃଷ୍ଟଇ କରିଛି । ଲୋକଙ୍କ ଆସ୍ଥା ଜିତିବାକୁ ବିଜେପିକୁ ରୀତିମତ କସରତ କରିବାକୁ ପଡିବ ବୋଲି କହିଛନ୍ତି ରାଜେନୖତିକ ସମୀକ୍ଷକ । ଅନ୍ୟପକ୍ଷରେ ଘର ସଜାଡି ପାରିଲେ ଓ ସ୍ପଷ୍ଟ ନେତୃତ୍ବ ରହିଲେ କଂଗ୍ରେସ ଆହୁରି ଭଲ କରିବ ବୋଲି ପରାମର୍ଶ ଦେଇଛନ୍ତି ।

୨୨ ବର୍ଷ ଧରି ଅପରାଜେୟ ନବୀନ । ଲୋକପ୍ରିୟତାର ଶୀର୍ଷରେ ବିଜେଡି । ଏଭଳି ସ୍ଥିତିରେ ପ୍ରତି ନିର୍ବାଚନ ପରେ ଦ୍ବିତୀୟ ସ୍ଥାନ ପାଇଁ ରାଜ୍ୟରେ ଚାଲିଛି କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଯୋଗୀତା । ହେଲେ ଏଥରର ଫଳାଫଳ ବିରୋଧୀଙ୍କୁ ଟିକେ ଅଧିକ ଚିନ୍ତାରେ ପକାଇ ଦେଇଛି ।

ୟୁକ୍ରେନରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ୱେଲକମ ବ୍ୟାକ ଟୁ ଇଣ୍ଡିଆ ।  ଏପରି କହି ୟୁକ୍ରେନରୁ ଫେରିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମାନିଆ ସୀମାରୁ ଉଦ୍ଧାର କରି ଭାରତୀୟ ଦୂତାବାସ ଦିଲ୍ଲୀରେ ପହଞ୍ଚାଇବା ପରେ ସେମାନଙ୍କ ସହ ସିଧା ଆଲୋଚନା କରିଛନ୍ତି ନବୀନ । ପିଲାଙ୍କ ତିକ୍ତ ଅନୁଭୂତି ଶୁଣିବା ସହ ଫସିଥିବା ଅନ୍ୟ ଓଡ଼ିଆଙ୍କୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସମସ୍ତ ସହାୟତା ଯୋଗାଇ ଦେଇ ସେମାନଙ୍କୁ ମରଣ ମୁହଁରୁ ଉଦ୍ଧାର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଓଡିଆ ଛାତ୍ରଛାତ୍ରୀ । କହିଛନ୍ତି, ଥ୍ୟାଙ୍କ ୟୁ ସିଏମ୍ ।

ୟୁକ୍ରେନରେ ଆତଙ୍କିତ ଓଡ଼ିଆଙ୍କ ମୁହଁରେ ହସ ଫୁଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପଦ ସମୟରେ ସହାୟତାର ହାତ ବଢାଇବାରୁ ୱୋରଜୋନରୁ ଫେରି ଆସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ନବୀନ ଦେଇଛନ୍ତି ଅଭୟ ଆଶ୍ବସ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ସହ ସିଧା ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସହ କଥା ହୋଇ ଭଲମନ୍ଦ ପଚାରି ବୁଝିଛନ୍ତି । ସେଠାରେ ସ୍ଥିତି କେମିତି ଅଛି, ଓଡ଼ିଆ ପିଲାମାନେ କେମିତି ଅଛନ୍ତି, ଫେରିଥିବା ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଆସନ୍ନ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଓଡ଼ିଆ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ଆକୁଳ ନିବେଦନ କରିଥିଲେ । ଅନେକ ଯନ୍ତ୍ରଣା ସହି ପୋଲାଣ୍ଡ ରୋମାନିଆ ବର୍ଡରରେ ପହଞ୍ଚିଲା ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲା ଭାରତୀୟ ଦୂତାବାସ । ଏବେ ବି ସେଠାରେ ବହୁ ଓଡ଼ିଆ ରହିଯାଇଛନ୍ତି । ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଛାତ୍ରଛାତ୍ରୀ ସେମାନଙ୍କ ତିକ୍ତ ଅଭିଜ୍ଞତା ବଖାଣିଥିଲେ । ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ । ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ଯୋଗାଯୋଗରେ ଥିଲେ ବୋଲି ୟୁକ୍ରେନ ଫେରନ୍ତା ଓଡ଼ିଆ ଛାତ୍ର କହିଛନ୍ତି ।

ୟୁକ୍ରେନରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ହେଲପ ଡେସ୍କ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଭୁବନେଶ୍ୱରରେ ପହଞ୍ଚିବା ପରେ ପିଲାମାନଙ୍କୁ ଓଟିଡିସି ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଋଷ ଆରମ୍ଭ କଲା ପରମାଣୁ ଯୁଦ୍ଧାଭ୍ୟାସ: ଧ୍ବଂସ ଦ୍ବାର ଦେଶରେ ବିଶ୍ବ

ନୂଆଦିଲ୍ଲୀ: ଧ୍ବଂସର ଦ୍ବାରଦେଶରେ ବିଶ୍ବ । ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଛି ଋଷ-ୟୁକ୍ରେନ ଯୁଦ୍ଧ । ନାଟୋ ଦେଶଙ୍କ ପରମାଣୁ ଧମକର ଇଫେକ୍ଟ ଏବେ ସାରା ବିଶ୍ବ ଦେଖିବାକୁ ଲାଗିଛି । ବର୍ତ୍ତମାନର ସବୁଠାରୁ ବଡ଼ ଆଉ ହୋସ ଉଡାଇ ଦେବା ଭଳି ଖବର ଆସି ପହଞ୍ଚିଛି ଋଷରୁ । ଗୋଟିଏ ପଟେ ବେଲାଋଷରେ ଋଷ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଏପଟେ ଋଷ ପରମାଣୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛି । ଯାହାକୁ ନେଇ ସାରା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଛି । ଯଦି ଋଷ ଓ ୟୁକ୍ରେନ ଆଲୋଚନା ବିଫଳ ହୋଇଯାଏ ତେବେ ଆରମ୍ଭ ହୋଇପାରେ ପରମାଣୁ ଯୁଦ୍ଧ । ଯଥା ସମ୍ଭବ ବିନାଶର ଏହି ଖେଳ ୟୁକ୍ରେନ ମାଟିରୁ ଆରମ୍ଭ ହୋଇ ନିମିଷକରେ ସାରା ବିଶ୍ବକୁ ବ୍ୟାପି ଯାଇପାରେ ।

ସୂଚନାଯୋଗ୍ୟ, ରବିବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ବୋମା ଟିମକୁ ଆର୍ଲଟ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଋଷ ପୂରା ଦମରେ ଆରମ୍ଭ କରିଛି ପରମାଣୁ ଯୁଦ୍ଧାଭ୍ୟାସ । ଋଷ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସରଗେଇ ସୋଇଗୁ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ଦେଇଛନ୍ତି ।

ଋଷର ଉତ୍ତର ଓ ପ୍ରଶାନ୍ତ ମହାସାଗର ଅଞ୍ଚଳର ମିଜାଇଲ କମାଣ୍ଡକୁ ହାଇ ଆର୍ଲଟରେ ରଖାଯାଇଥିବା ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପକ୍ଷରେ ପଡୋଶୀ ତଥା ସହଯୋଗୀ ବେଲାଋଷରେ ଋଷ ପରମାଣୁ ବୋମା ମୁତୟନ କରିପାରେ । ଏହି ଖବର ମିଳିବା ପରେ ବେଲାଋଷକୁ ନେଇ ୟୁରୋପିୟନ ୟୁନିୟନ ପକ୍ଷରୁ ଆର୍ଲଟ୍ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଯୁଦ୍ଧ ଆରମ୍ଭ ହେବା ଦିନରୁ ରାଷ୍ଟ୍ରପତି ପୁଟିନ୍ ନାଟୋ ଦେଶଙ୍କୁ ପରମାଣୁ ଯୁଦ୍ଧର ଧମକ ଦେଇ ଆସିଛନ୍ତି । ଗତ ଗୁରୁବାର ପୁଟିନ ୟୁକ୍ରେନକୁ ସମର୍ଥନ କରୁଥିବା ଦେଶଙ୍କୁ ଧମକ ଦେଇ କହିଥିଲେ- ୟୁକ୍ରେନ ବିବାଦରେ ଯଦି କୌଣସି ବାହାର ଦେଶ ମୁଣ୍ଡ ପୂରାଇବ ତେବେ ସେ ଏମିତି ପରିଣାମ ଭୋବିଗ ଯେ ଇତିହାସ ମନେ ରଖିବ । ଯାହା କେବେ କେହି ଦେଖିଛନ୍ତି ନା ଆଗକୁ ଦେଖିବେ । ଏହାର ଜବାବରେ ଫ୍ରାନ୍ସ ପକ୍ଷରୁ କୁହାଯାଇଥିଲା, ‘ଋଷ ଏହା ଭୁଲିବା ଉଚିତ ନୁହେଁ ଯେ, ନାଟୋ ଦେଶଙ୍କ ପାଖରେ ବି ପରମାଣୁ ବୋମା ରହିଛି ।’