ପାକିସ୍ତାନକୁ ଇମ୍ରାନଙ୍କ ଉଦବୋଧନ: ଶେଷ ବାର୍ତ୍ତାରେ ଭାରତକୁ ଭୂୟସୀ ପ୍ରଶଂସା

ହିନ୍ଦୁସ୍ତାନ ଓ ପାକିସ୍ତାନ ଏକା ସାଙ୍ଗରେ ସ୍ୱାଧିନ ହୋଇଥିଲେ । ଆଜି କିନ୍ତୁ ହିନ୍ଦୁସ୍ତାନ ସ୍ୱାଭୀମାନର ସହ ବଞ୍ଚିଛି  । ଭାରତ ବିରୋଧରେ କହିବାର ଶାହସ କୌଣସି ମହାଶକ୍ତିର ନାହିଁ  । ଋଷିଆ ଯୁଦ୍ଧ ଲଢୁଥିବା ସମୟରେ ମଧ୍ୟ ଭାରତ ତେଲ କିଣିବା ନେଇ ଚୁକ୍ତି କରିଛି  । କମ୍ ଦାମରେ ଦେଶବାସୀଙ୍କୁ ତୈଳ ଯୋଗାଇଦେବାକୁ ନେଇ ଭାରତ କାର୍ଯ୍ୟ କରୁଛି  । ପାକିସ୍ତାନ ରାଜନୀତିରେ ବାହ୍ୟ ଦେଶର ପ୍ରଭାବ ରହୁଛି, ଏଠି କଣ ଘଟିବ ସେଠାରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି  । ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏମିତି କିଛି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ।

ସୁପ୍ରିମକୋର୍ଟଙ୍କ ରାୟ ତାଙ୍କୁ ଗଭୀର ଦୁଃଖ ଦେଇଛି ବୋଲି କହିଲେ ଇମ୍ରାନ୍‌ ଖାନ୍‌ । ୨୬ ବର୍ଷ ପୂର୍ବରୁ ପିଟିଆଇ ଦଳ ଆରମ୍ଭ ହୋଇଥିବା ବେଳେ ଆଜି ବି ନୀତି ନୈତିକତାକୁ ନେଇ ନେଇ ମୁଁ ଆଗକୁ ବଢୁଛି । କିନ୍ତୁ ପାକିସ୍ତାନର ଭବିଷ୍ୟତ ଚିନ୍ତା କାହାରି ନାହିଁ । ବିରୋଧୀ ଆମେରିକା ପାଖରେ ମୁଣ୍ଡ ବିକିଦେଇଛନ୍ତି । ନିଜର ଅର୍ଥକୁ ସୁରକ୍ଷା ଦେବା ପାଇଁ ବିରୋଧୀ ପାକିସ୍ତାନକୁ ତଳିତଳାନ୍ତ କରିବାକୁ ମଧ୍ୟ ପଛାଉନାହାନ୍ତି । କିନ୍ତୁ ମୁଁ ସବୁବେଳେ ପାକିସ୍ତାନର ବିକାଶ କଥା ଚିନ୍ତା କରେ । ପାକିସ୍ତାନରେ ଯାହା ବି କିଛି ଚାଲିଛି ଅନ୍ୟ କୌଣସି ଦେଶରେ ଏମିତି ହୁଏ ନାହିଁ ବୋଲି ଇମ୍ରାନ୍‌ କହିଛନ୍ତି ।

ସେହିପରି ଇମ୍ରାନ ଖାନ କହିଛନ୍ତି ୪ ମାସ ତଳେ ମୋ ବିରୋଧରେ ଆମେରିକା ଷଡ଼ଯନ୍ତ୍ର ଆରମ୍ଭ କରିଥିଲା । ହେଲେ ସେମାନେ କେବେବି ସଫଳ ହେବେ ନାହିଁ । ପ୍ରଧାନମନ୍ତ୍ରୀ ପଦ ଯାଉ ପଛେ ପାକିସ୍ତାନର ବିକାଶ ପାଇଁ ସବୁ ବେଳେ ସଂଘର୍ଷ ଜାରି ରହିବ । ପାକିସ୍ତାନ ଯେଉଁ ମୂଳ ଉଦ୍ଦେଶ୍ୟ ନେଇ ଗଠନ ହୋଇଥିଲା, ତାହା ପୂରଣ ହେଉ  । ସେହି ମାର୍ଗରେ ଦେଶବାସୀ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ଇମ୍ରାନ ଖାନ  । ଦେଶବାସୀଙ୍କୁ ଉଦବୋଧନ ଦେବାବେଳେ ଭାବପ୍ରବଣ ହୋଇ ପଡ଼ିଥଲେ ଇମ୍ରାନ ଖାନ  ।

ସେ ଏକଥା ମଧ୍ୟ କହିଥିଲେ କି, ମୁଁ ଆଦୈ ଭାରତ ବିରୋଧି ନୁହେଁ  । ଅନେକ ସମ୍ମାନ ଓ ଶିକ୍ଷା ଭାରତ ଦେଇଛି  । କ୍ରିକେଟ ଖେଳିବା ଦିନଠାରୁ ସମ୍ପର୍କ ରହିଆସିଛି  । ଭାରତ ଓ ପାକିସ୍ତାନ ଏକାସାଙ୍ଗରେ ସ୍ୱାଧିନ ଲାଭ କରିଥିଲେ  । ଭାରତୀୟ ମାନେ ସ୍ୱାଭିମାନୀ  । ଦେଶ ପ୍ରଥମେ  । ସଂପ୍ରଭୁତା ଓ ଜାତୀୟତା ପାଇଁ ସମସ୍ତେ ଏକତ୍ର କାର୍ଯ୍ୟ କରିଥାନ୍ତି  । ଆଜି ଭାରତକୁ କୌଣସି ମଧ୍ୟ ମହାଶକ୍ତି ଆଖି ଉଠାଇ ଚାହିଁପାରିବ ନାହିଁ  । ଭାରତକୁ କାହାରି ନିର୍ଦ୍ଦେଶ ବା ଆଦେଶର ଆବଶ୍ୟକତା ନାହିଁ  । ମୁଁ ମଧ୍ୟ ଅନୁରୂପ ପାକିସ୍ତାନ ଗଢିବାକୁ ଚାହିଁଥିଲି  । କିନ୍ତୁ ବିରୋଧିଙ୍କ ଉଦ୍ଦେଶ୍ୟ ଭିନ୍ନ ଥିଲା ବୋଲି କହିଛନ୍ତି ଇମ୍ରାନ ଖାନ  । ସେହିପରି ଭାରତର ବିଦେଶ ନୀତିକୁ ଶତ ପ୍ରଶଂସା କରିଥିଲେ ପାକିସ୍ତାନ ପ୍ରାଧନମନ୍ତ୍ରୀ  ।