ସରିଲା ଖରିଫ ଧାନ କିଣା, ବିଭାଗ କିଣିଲା ୫୭ଲକ୍ଷ ୨୨ହଜାର ୩୦୪ମେଟ୍ରିକ ଟନ ଧାନ

1 min read

ଭୁବନେଶ୍ୱର: ରାଜ୍ୟରେ ସରିଛି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ମାର୍ଚ୍ଚ ୩୧ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି । ମୋଟ ୫୭ଲକ୍ଷ ୨୨ହଜାର ୩୦୪ମେଟ୍ରିକ ଟନ ଧାନ କିଣିଛି ଯୋଗାଣ ବିଭାଗ । ୩୦ ଜିଲ୍ଲାର ମୋଟ ୧୨ଲକ୍ଷ ୯୨ହଜାର ୭୩୨ଜଣ ଚାଷୀ ଧାନ ବିକ୍ରି କରିଛନ୍ତି ।ଏଥିରେ ରହିଛନ୍ତି ୧୦ଲକ୍ଷ ୯୨ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଯାହାକି ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୯୫ ପ୍ରତିଶତ ଅଧିକ । ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣିବାକୁ ବିଭାଗ ଗୁରୁତ୍ବ ଦେଇଛି ।

ଆଗୁଆ ଟୋକନ ବ୍ୟବସ୍ଥାରେ ଲୋକଙ୍କଠାରୁ ଧାନ କିଣାଯାଇଛି । ଏହାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶି କରିବାକୁ 5T ଆଧାରରେ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି । ପ୍ରଥମଥର ପାଇଁ ୭ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବେ ସାଟେଲାଇଟ୍ ଇମେଜରି ମାଧ୍ୟମରେ ଧାନ ଜମିର ଯାଞ୍ଚ କରାଯାଇଛି । ଭୁଲ ତଥ୍ୟ ଆଧାରରେ ପଞ୍ଜିକୃତ ଜମିକୁ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଏଥର ବରଗଡ଼ ଜିଲ୍ଲାରୁ ସର୍ବାଧିକ ୬ଲକ୍ଷ ୧୪ହଜାର ୧୦୨ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ।