ପାକିସ୍ତାନ ବାସୀଙ୍କୁ ଆଜି କ’ଣ କହିବେ ଇମ୍ରାନ ଖାନ୍ ?

1 min read

ଇସଲାମବାଦ: ଦେଶର ସର୍ବୋଚ୍ଚ ଅଦାଲତଙ୍କଠାରୁ ଶକ୍ତ ଧକ୍କା ଖାଇବା ପରେ ବ୍ୟାକଫୁଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କିନ୍ତୁ ତାଙ୍କର ପରବର୍ତ୍ତୀ ରଣନୀତି କଣ ହେବ, ସେ ନେଇ ସରଗରମ ହେବାରେ ଲାଗିଛି ଚର୍ଚ୍ଚା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇମ୍ରାନ ସରକାର ଅନାସ୍ଥା ଭୋଟ ସମ୍ମୁଖୀନ ହେବେ ନା ଜବାବୀ ପଦକ୍ଷେପ ନେଇ ବିରୋଧୀଙ୍କୁ ପୁଣି ଥରେ ଚ୍ୟାଲେଞ୍ଜ କରିବେ । ଏସବୁ କଳ୍ପନାଜଳ୍ପନା ମଧ୍ୟରେ ଇମ୍ରାନ ଖାନ ଆଜି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ।ପାକିସ୍ତାନ ସୁପ୍ରିମକୋର୍ଟଠୁ ଝଟକା ପାଇଲା ପରେ ଇମ୍ରାନ ଖାନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କର ନଜର ।

ସୁପ୍ରିମକୋର୍ଟଙ୍କ ରାୟରେ ବିରୋଧୀ ଦଳ ଉଲ୍ଲସିତ ହୋଇଥିବା ବେଳେ ନିଜର ରଣନୀତି ସ୍ପଷ୍ଟ କରିନାହାନ୍ତି ଇମ୍ରାନ । ତେବେ ଶେଷ ବଲ୍ ଯାଏଁ ସଂଘର୍ଷ କରିବେ ବୋଲି ସଂକେତ ଦେଇଛନ୍ତି ଇମ୍ରାନ । ଅନାସ୍ଥା ପ୍ରସ୍ତାବ ରଦ୍ଦ ନେଇ ଡେପୁଟି ସ୍ପିକରଙ୍କ ରୁଲିଂ ଅସାମ୍ବିଧାନିକ ବୋଲି ଗତକାଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସର୍ବସମ୍ମତ ରାୟ ଦେଇଥିଲେ । ନ୍ୟାସନାଲ ଆସେମ୍ବଲି ପୁନଃସ୍ଥାପନ ସହ ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଆଜି ଇମ୍ରାନ ଖାଁ ପୁଣି ଥରେ ଦେଶକୁ ସମ୍ବୋଧନ କରିବାକୁ ଯାଉଛନ୍ତି । ଏଥିସହ ଇମ୍ରାନ ଖାଁ କ୍ୟାବିନେଟ ଓ ତେହରିକ-ଇ-ଇନସାଫର ସଂସଦୀୟ ଦଳ ବୈଠକ ଡାକିଛନ୍ତି । କୁହାଯାଉଛି ଯେ, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।

ଏଥିସହ ଇମ୍ରାନଙ୍କ ଦଳ ତେହେରିକ୍ –ଇ-ଇନସାଫର ସବୁ ସାଂସଦ ନ୍ୟାସନାଲ ଆସେମ୍ବଲି ଓ ପ୍ରାନ୍ତୀୟ ବିଧାନସଭାରୁ ଇସ୍ତଫା ଦେଇପାରନ୍ତି ।
ଏପ୍ରିଲ ୩ ତାରିଖରେ ଅନାସ୍ଥା ପ୍ରସ୍ତାବ ଖାରଜ କରିଦେଇଥିଲେ ଡେପୁଟି ସ୍ପିକର କାସିମ ସୁରୀ । ପରେ ଇମ୍ରାନ ଖାଁଙ୍କ ପରାମର୍ଶରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ କରିଥିଲେ ରାଷ୍ଟ୍ରପତି । ମିଳିତ ବିରୋଧୀ ଦଳର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଡେପୁଟି ସ୍ପିକରଙ୍କ ରୁଲିଂ ଅସାମ୍ବିଧାନିକ ଦର୍ଶାଇଥିଲେ । ଆସନ୍ତାକାଲି ସକାଳ ସାଢେ ୧୦ଟାରେ ନ୍ୟାସନାଲ ଆସେମ୍ବଲି ଅଧିବେଶନ ଡାକି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।