ବଲାଙ୍ଗୀରରେ ଲାଞ୍ଚ କାରବାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ଼ ରେଞ୍ଜ୍ ଲରମ୍ଭା ସେକ୍ସନ ଫରେଷ୍ଟର ଓ ଫରେଷ୍ଟଗାର୍ଡ ଲାଞ୍ଚ କାରବାରର ଅଡିଓ ଭାଇରାଲ୍ ଘଟଣା । ଜବତ୍ କାଠ ଟ୍ରାକ୍ଟର ଛାଡିବା ପାଇଁ ଫରେଷ୍ଟର ୨୦ ହଜାର ଓ ଗାର୍ଡ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଘଟଣାରେ ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି ବଲାଙ୍ଗୀର ଡିଏଫଓ ନୀତିଶ କୁମାର । ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟଗାର୍ଡ ଗୋପାଳକୃଷ୍ଣ ଗଡତିଆକୁ ନିଲମ୍ବିତ କରିଛନ୍ତି ଡିଏଫଓ । ଗତ ମାର୍ଚ୍ଚ ମାସରେ ଜଙ୍ଗଲରୁ ଟ୍ରାକ୍ଟର ଯୋଗେ କାଠ ଚୋରା ଚାଲାଣ ବେଳେ ଗାଡି ସିଜ୍ କରିଥିଲେ ଫରେଷ୍ଟର ।

ଲରମ୍ଭା ଭାରତବାହାଲ ଗାଁର କରୁଣାକର ମିଶ୍ର ନାମକ ଜଣେ ବ୍ୟକ୍ତି ପାଟଣାଗଡ଼ ବନଖଣ୍ଡ ଲରମ୍ଭା ଫରେଷ୍ଟ ସେକ୍ସନ ମହଦାସନୀ ଓ ବୁଢାରାଜା ରିଜର୍ଭ ଫରେଷ୍ଟରୁ କାଠକାଟି ଟ୍ରାକ୍ଟଟରେ ଚୋରା ଚାଲାଣ କରୁଥିଲେ  । ତେବେ ଫରେଷ୍ଟର ଭାଗବତ ଦାସ ୨୦ ହଜାର ଟଙ୍କା ଓ ଫରେଷ୍ଟଗାର୍ଡ ଗୋପାଳକୃଷ୍ଣ ଗଡତିଆ ଗାଡ଼ି ଛାଡ଼ିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ହେଲେ ଟଙ୍କା ଦେବା ପରେ ମଧ୍ୟ ଗାଡ଼ି ଛାଡ଼ିନଥିଲେ । ଏହାର ଅଡ଼ିଓ ଭାଇରାଲ ହେବା ପରେ ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ ।