spot_img
Home Blog Page 4429

ଶ୍ରୀଲଙ୍କାକୁ ଖୋଳ କରିଦେଲେ ରାଷ୍ଟ୍ରପତିଙ୍କ ପରିବାର, ଏବେ ଦେଶରେ ଖାଦ୍ୟ ସଙ୍କଟ

କଲମ୍ବୋ: ଶ୍ରୀଲଙ୍କାରେ ଅଧିକ ଘନୀଭୂତ ହେଲା ସଙ୍କଟ । ରାଜଧାନୀ କଲମ୍ବୋସ୍ଥିତ ରାଷ୍ଟ୍ରପତି ଭବନ ନିକଟରେ ହଜାର ହଜାର ଲୋକ କରିଛନ୍ତି ବିକ୍ଷୋଭ । ଦିନକୁ ଦିନ ଲୋକଙ୍କ ଦୁର୍ଦ୍ଦଶା ବଢୁଥିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ତାତିଛନ୍ତି ଜନତା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରିବା ସହ ତୁରନ୍ତ ସମସ୍ୟାର ସମାଧାନ ଲାଗି ସେମାନେ ଦାବି କରିଛନ୍ତି । ଆନ୍ଦଳୋନକାରୀଙ୍କୁ ଦମନ କରିବା ଲାଗି ସଂସଦୀୟ ପୋଲିସ ୟୁନିଟ୍ ଓ ସ୍ବତନ୍ତ୍ର ଟାସ୍କ ଫୋର୍ସ ମୁତୟନ କରାଯାଇଥିବା ବେଳେ, ସେମାନଙ୍କୁ ଘଉଡାଇବା ଲାଗି ଲୁହବୁହା ଗ୍ୟାସ ଓ ଜଳତୋପ ମାଡ କରାଯାଇଥିଲା ।

ଉତ୍ତ୍ୟକ୍ତ ଲୋକେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ବସ୍ ପୋଡି ଦେଇଛନ୍ତି । କେବଳ କଲମ୍ବୋ ନୁହେଁ, ସାରା ଦେଶର ବିଭିନ୍ନ ସ୍ଥାନରେ ଜୋର ଧରିଛି ଆନ୍ଦୋଳନ । ଲୋକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତା ଅବରୋଧ କରିଛନ୍ତି । ଦେଶରେ କିଛି ଦିନ ଧରି ଅଦ୍ଭୁତପୂର୍ବ ସଂକଟ ଦେଖା ଦେଇଥିବା ବେଳେ ଖାଦ୍ୟପଦାର୍ଥ, ଜରୁରୀ ସାମଗ୍ରୀ, ମେଡିସିନ, ଇନ୍ଧନ, ଗ୍ୟାସର ବ୍ୟାପକ ଅଭାବ ଦେଖାଦେଇଛି । ବିଜୁଳି ସଂକଟର ମୁକାବିଲା ଲାଗି ଦୈନିକ ୧୩ ଘଣ୍ଟା ବିଦ୍ୟୁତକାଟ୍ କରାଯାଉଛି । ଗତକାଲିଠାରୁ ଦେଶରେ ଡିଜେଲ ଉପଲବ୍ଧ ହେଉନଥିବାରୁ ସ୍ଥିତି ଅତି ସାଂଘାତିକ ହୋଇଛି । ବସସେବା ଓ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସ୍ଥିତି ଏପରି ହୋଇଛି ଯେ ଅତିଜରୁରୀ ସେବା ବି ସମ୍ଭବ ହୋଇପାରୁନାହିଁ ।

ଶ୍ରୀଲଙ୍କା ଷ୍ଟକ ମାର୍କେଟର ସ୍ଥିତି ମଧ୍ୟ ଜଟିଳ ହୋଇଛି । ଦିନରେ ମାତ୍ର ଘଣ୍ଟାଏ ଦୁଇ ଘଣ୍ଟା ଟ୍ରେଡିଂ କରାଯାଉଛି । ସନ୍ଧ୍ୟା ହୋଇଯିବା ମାତ୍ରେ ଷ୍ଟ୍ରିଟଲାଇଟକୁ ଅଫ୍ କରି ଦିଆଯାଉଥିବାରୁ ଜନଜୀବନ ବାଧାପ୍ରାପ୍ତ ହେଉଛି । ରାଷ୍ଟ୍ରପତିଙ୍କ ପରିବାର ହାତରେ ପ୍ରାୟତଃ କ୍ଷମତା ଠୁଳ ହୋଇଥିବାରୁ ଲୋକେ ଅଧିକ କ୍ଷୁବ୍ଧ ହୋଇଛନ୍ତି । ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ଭାଇ ମହିନ୍ଦା ରାଜପକ୍ଷ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ସାନଭାଇ ବାସିଲ ରାଜପକ୍ଷ ଅର୍ଥମନ୍ତ୍ରୀ ଅଛନ୍ତି ।

ସେହିପରି ଗୋଟାବାୟାଙ୍କ ଆଉ ଜଣେ ବଡ଼ଭାଇ ଚମଲ ରାଜପକ୍ଷ କୃଷିମନ୍ତ୍ରୀ ଥିବା ବେଳେ ପୁତୁରା ନମଲ ରାଜପକ୍ଷ କ୍ରୀଡାମନ୍ତ୍ରୀ ଅଛନ୍ତି । ଦେଶର ବୈଦେଶିକ ଋଣଭାର ୫୧ ବିଲିୟନ ଡଲାର ହୋଇଥିବାରୁ ଗତ ୨୦୨୦ରେ ଆମଦାନି ଉପରେ କଟକଣା ଜାରି କରିବା ନେଇ ସରକାରଙ୍କ ପଦକ୍ଷେପ ଏହି ଅଭୁତପୂର୍ବ ସଙ୍କଟର ମୂଳ କାରଣ ହୋଇଥିଲା । ସ୍ଥିତିର ମୁକାବିଲା ଲାଗି ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ଭାରତ ଓ ଚୀନର ସହାୟତା ଲୋଡିଛନ୍ତି ।

ମାନସ ସ୍ୱାଇଁ ହତ୍ୟାକାଣ୍ଡରୁ ହଟୁଛି ପରଦା, ମାଷ୍ଟରମାଇଣ୍ଡ ଶର୍ମିଷ୍ଠାକୁ ନେଇ କ୍ରାଇମ ସ୍ପଟରେ କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଚାନ୍ଦବାଲି କ୍ରାଇମ ସ୍ପଟରେ ଶର୍ମିଷ୍ଠାଙ୍କୁ ନେଇ ତନାଘନା କଲା କ୍ରାଇମବ୍ରାଞ୍ଚ । ମାନସଙ୍କ ହତ୍ୟାକାରୀକୁ କ୍ରାଇମ ସ୍ପଟକୁ ନେବା ଖବର ଜାଣି ଲୋକଙ୍କ ଭିଡ଼ ହୋଇଥିଲା । ଯାହାଫଳରେ ସେଠାରେ ଅଳ୍ପ ସମୟ ରହି ଶର୍ମିଷ୍ଠାକୁ ପୁଣି କଟକ ମୁଖ୍ୟାଳୟକୁ ନେଇ ଆସିଛି କ୍ରାଇମବ୍ରାଞ୍ଚ । ଭିଡ଼ ଯୋଗୁ ଡେମୋ ଦେଖାଇ ପାରିନଥିବା ସୂଚନା ମିଳିଛି । ଚାନ୍ଦବାଲି ପଳାସପୁରରୁ କେମିତି ହୋଇଥିଲା ମାନସଙ୍କ ଅପହରଣ, ସେହି ଡେମୋ କମ୍ ସମୟରେ ଦେଖାଇଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ।

ଏହାପରେ ଦୟାଲ ଆଶ୍ରମ ଓ ନୟାଗଡ଼ରେ କ୍ରାଇମ ସିନ୍ ରିକ୍ରିଏଟ କରିବ କ୍ରାଇମବ୍ରାଞ୍ଚ । ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମିଳିନି । ଶର୍ମିଷ୍ଠାର ଡେମୋରୁ ତା’ର ବି ସୁରାକ୍ ପାଇପାରେ କ୍ରାଇମବ୍ରାଞ୍ଚ । ଶେଷରେ ନୟାଗଡ଼ରେ କେଉଁଠି ଓ କେଉଁ ପ୍ଲାନିଂରେ ମୃତଦେହ ପୋତିଥିଲେ ଏବଂ ପ୍ରମାଣ ଲୁଚାଇବାକୁ କ’ଣ ହୋଇଥିଲା ଯୋଜନା, ତା’ର ଡେମୋ ଦେଖାଇବ ଅଭିଯୁକ୍ତ । ଗତକାଲି କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ବଖାଣି ସାରିଛି ଅଭିଯୁକ୍ତ ରଞ୍ଜନ ନାୟକ । ପରେ ଶର୍ମିଷ୍ଠା ଓ ଅନ୍ୟମାନେ ସବୁ ସତ ମାନିଥିଲେ । ଚଣ୍ଡିଖୋଲର ସେହି ସ୍ଥାନକୁ ଯାଇ ଅଧାପୋଡ଼ା ଇୟର ଫୋନ୍, ଚପଲ, ଶାଢ଼ୀ, ଅଖା ବସ୍ତା, ଗଇଁତି ଓ କୋଦାଳକୁ ଜବତ କରିଥିଲା ତଦନ୍ତକାରୀ ଟିମ୍ ।

ପୁଣି LPG ଗ୍ୟାସରେ ମହଙ୍ଗାମାଡ଼, ୧୯କିଲୋ କମର୍ସିଆଲ ସିଲିଣ୍ଡର ବାବଦକୁ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼ । ୨୫୦ ଟଙ୍କା ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସିଲିଣ୍ଡର ଉପରେ ଏହି ଦାମ୍ ବଢିଛି । ଦାମ୍ ବୃଦ୍ଧି ପରେ ନୀଳ ରଙ୍ଗର ଏହି ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଁଚିଛି । ନୂଆ ଦର ବଢ଼ିବା ପରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ଦର ୨ ହଜାର ୨୫୩ ଟଙ୍କାରେ ପହଞ୍ଚିଛି । କୋଲକାତାରେ ୨ ହଜାର ୩୫୧, ମୁମ୍ବାଇରେ ୨ ହଜାର ୨୦୫, ଚେନ୍ନାଇରେ ୨ ହଜାର ୪୦୬ ଟଙ୍କା ହୋଇଛି ଅଣସବସିଡ୍ ଗ୍ୟାସ ସିଲିଣ୍ଡର ଦାମ୍ ।

ସେପଟେ ଘରୋଇ ଗ୍ୟାସ ଦର ଅପରିବର୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୯୭୬ରେ ସ୍ଥିର ରହିଛି । ମାର୍ଚ୍ଚ ୨୨ ତାରିଖରେ ୫୦ ଟଙ୍କା ବଡିଥିଲା ଘରୋଇ ଗ୍ୟାସ ଦର । ନିର୍ବାଚନର କିଛି ଦିନ ପରେ ଲଗାତାର ବଢି ଚାଲିଛି ଦରଦାମ୍ । ସବୁର ଦରଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ବୋଝ ଉପରେ ନଳିତାବିଡା ଭଳି ହୋଇଛି ଗ୍ୟାସ୍ ଦର ବୃଦ୍ଧି । ଅଣସବସିଟ୍ ଗ୍ୟାସ୍ ଦର ବୃଦ୍ଧି ପରେ ଏବେ ହୋଟଲରେ ଖାଇଲେ ଦେବାକୁ ପଡ଼ିବ ଅଧିକ ଟଙ୍କା ।

କମର୍ସିଆଲ ସିଲିଣ୍ଡରଗୁଡିକର ବ୍ୟବହାର ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନମାନଙ୍କରେ ହୋଇଥାଏ । ଏଭଳି ପରିସ୍ଥିତିରେ ୨୫୦ ଟଙ୍କା ବୃଦ୍ଧି କାରଣରୁ ସେମାନଙ୍କ ମାସିକ ବଜେଟ୍ ଉପରେ ପ୍ରଭାବ ପଡ଼ିବ । ଅନ୍ୟପକ୍ଷରେ, ଆସନ୍ତା ମାସରେ ବିବାହ ଆଦି କାର୍ଯ୍ୟରେ ଗ୍ୟାସ ସିଲିଣ୍ଡରର ଅତ୍ୟଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ତେଣୁ କ୍ୟାଟରିଂ ଏବଂ ରୋଷେଆମାନେ ଏହି କାରଣରୁ ସେମାନଙ୍କର ମୂଲ୍ୟ ବୃଦ୍ଧି କରିବେ ।

ରାଜ୍ୟରେ ବଢ଼ୁଛି ଦୁର୍ଘଟଣା, ୨୦୨୦ ତୁଳନା ୨୦୨୧ରେ ୭.୨୪ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ୨୦୨୦ ତୁଳନାରେ ୨୦୨୧ରେ ବୃଦ୍ଧି ପାଇଛି ସଡ଼କ ଦୁର୍ଘଟଣା । ୨୦୨୦ ତୁଳନାରେ ୨୦୨୧ରେ ୭.୨୪ ପ୍ରତିଶତ ବୃଦ୍ଧି ପାଇଛି ସଡ଼କ ଦୁର୍ଘଟଣା । ରାଜ୍ୟର ୪ଟି ଜିଲ୍ଲାରେ ୨୫ ପ୍ରତିଶତ ଦୁର୍ଘଟଣା ବୃଦ୍ଧି ଘଟିଛି । ତେବେ ଏହି ଦୁର୍ଘଟଣା କମାଇବା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ । ଦୁର୍ଘଟଣା କମାଇବା ପାଇଁ ଆଜିଠୁ ଏକ ମାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ । ରାଜ୍ୟରେ ୧୦ ହଜାର ୯୮୪ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫ ହଜାର ୮୧ଜଣ ଲୋକ । ଏଥିସହିତ ଆହତ ହୋଇଛନ୍ତି ୯ ହଜାର ୭ ଶହ ୮୨ଜଣ । ତେବେ ୭ଟି ଜିଲ୍ଲାରେ କମିଛି ଦୁର୍ଘଟଣାର ମୃତ୍ୟୁହାର  । ଗଜପତି ଜିଲ୍ଲାରେ ଦୁର୍ଘଟଣାରେ ମୃତ୍ୟୁହାର ସର୍ବାଧିକ ବୃଦ୍ଧି ହୋଇଛି ।

ଜଙ୍ଗଲ ଛାଡ଼ି ଗାଁ ଭିତରେ ବୁଲି ବୁଲି ମା’କୁ ଖୋଜୁଛି ଛୁଆ ହାତୀ

ଢ଼େଙ୍କାନାଳ: ଗାଁ ମୁହାଁ ଗୋଠ ଛଡ଼ା ହାତୀ ଛୁଆ । ଜଙ୍ଗଲ ଛାଡ଼ି ଗାଁ ଭିତରେ ବୁଲି ବୁଲି ମା’କୁ ଖୋଜୁଛି ଦେଢ଼ ବର୍ଷର ହାତୀ ଛୁଆ । ଗାଁ ଭିତରେ କାହା ଗୁହାଳ ଭିତରେ ପଶି ଯାଉଛି ତ କାହା ଘର ଭିତରେ ପଶି ଯାଉଛି ଛୁଆ ହାତୀ । ଗୋଠ ଛଡ଼ା ହାତୀ ଛୁଆ ପାଇଁ ନାକେଦମ୍ ହେଲେଣି ଗ୍ରାମବାସୀ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢ଼େଙ୍କାନାଳ ସଦର ରେଞ୍ଜ ଭାପୁର ନୂଆ ସାହି ଅଞ୍ଚଳରେ । ଛୁଆ ହାତୀଟିର ବୟସ ଦେଢ଼ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟି ଫେରିବାର ବାଟ ନ ପାଇ ଗାଁ ଭିତରେ ଖୋଜି ବୁଲୁଛି ତାର ପରିବାରକୁ । ଗାଁ ଭିତରେ ଛୁଆ ହାତୀ ପଶିବା ପରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ଜଙ୍ଗଲ ଆଡ଼କୁ ଘଉଡାଇବା ଉଦ୍ୟମ ଜାରି ରଖିଛି । କିନ୍ତୁ ହାତୀ ଛୁଆଟି ଜଙ୍ଗଲ ଭିତରକୁ ଯିବାକୁ ଯେପରି ଅମଙ୍ଗ। ଏପରି ସ୍ଥିତିରେ ବନବିଭାଗ ହାତୀ ଛୁଆ ଉପରେ ନଜର ରଖିଛି ।

ଓଡ଼ିଶା ପାଳୁଛି ଉତ୍କଳ ଦିବସ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ଉତ୍କଳ ଦିବସ ଅବସରରେ ଉତ୍ସବମୁଖର ସାରା ରାଜ୍ୟ । ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ଟ୍ୱିଟ କରି ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରୀଣ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧି କରିବାକୁ ରାଜ୍ୟପାଳ ବାର୍ତ୍ତା ଦେଇଛନ୍ତି ।

ସେହିପରି ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଟ୍ୱିଟ୍ କରି ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ଆସନ୍ତୁ ଓଡ଼ିଆ ଜାତିର ସ୍ୱାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମାରିଉପୋଲକୁ କବଜା କରିବାକୁ ଋଷ ଜାରି ରଖିଛି ପ୍ରୟାସ

କିଭ୍: ୩୭ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ଦୋଛକିରେ ଶାନ୍ତି ପ୍ରକ୍ରିୟା । ଧ୍ୱସ୍ତବିଧ୍ୱସ୍ତ ମାରିଉପୋଲକୁ କବଜା କରିବା ପାଇଁ ଋଷ ଶକ୍ତିଠୁଳ କରୁଥିବା ସୂଚନା ମିଳିଛି । ୟୁକ୍ରେନର ଦକ୍ଷିଣାଞ୍ଚଳ ଦୋନବାସ ଅଞ୍ଚଳରେ ସ୍ଥିତି ଅତି ଜଟିଳ ହୋଇଛି ଏବଂ ସେଠାରେ ବି ଋଷ ନୂଆ ରଣକୌଶଳ ଆପଣାଉଛି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ବିପନ୍ନ ଲୋକଙ୍କ ପଳାୟନ ଲାଗି ମାରିଉପୋଲରୁ ଜାପୋରଜିଆ ଯାଏ ଆଜି ଏକ ହ୍ୟୁମାନଟାରିଆନ କରିଡର ଖୋଲାଯାଇଛି ।

ହ୍ୟୁମାନଟାରିଆନ କରିଡର ଖୋଲିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଓ ଜର୍ମାନ ଚାନସେଲର ଓଲାଫ ସ୍କଜଙ୍କ ବ୍ୟକ୍ତିଗତ ଅନୁରୋଧ କ୍ରମେ ଋଷ ଏହି ପଦକ୍ଷେପ ନେଇଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଜାତିସଂଘ ଓ ରେଡକ୍ରସ । ନାଗରିକଙ୍କ ପଳାୟନ ଲାଗି ୟୁକ୍ରେନ ସରକାରଙ୍କ ପକ୍ଷରୁ ବହୁ ସଂଖ୍ୟକ ବସ୍ ନିୟୋଜିତ କରାଯାଇଛି । ରାଜଧାନୀ କିବ ଓ ଉତ୍ତରାଞ୍ଚଳ ସହର ଚେର୍ଣ୍ଣିହିବରେ ଋଷ ସୈନ୍ୟଙ୍କ ଆକ୍ରମଣ ଜାରି ରହିଛି । ଆକ୍ରମଣ ଥମିବାର କୌଣସି ସୂଚନା ମିଳୁନାହିଁ ।

ଦୋନବାସରେ ମଧ୍ୟ ଋଷ ସୈନ୍ୟ ଅଧିକ ସଂଖ୍ୟାରେ ଠୁଳ ହେବାରେ ଲାଗିଛନ୍ତି । ତେଣେ ୟୁରୋପ ବିରୋଧରେ ଋଷ ନେଇପାରେ ବଡ଼ଧରଣର ପଦକ୍ଷେପ । ୟୁରୋପକୁ ଦିଆଯାଇଥିବା ଗ୍ୟାସ ସଂଯୋଗକୁ ବନ୍ଦ କରିଦେବା ଲାଗି ଋଷ ଦେଇଛି ଧମକ । ପ୍ରାୟ ମାସାଧିକ କାଳ ଚେର୍ଣ୍ଣୋବିଲ ଆଣବିକ ପାୱାର ପ୍ଲାଣ୍ଟରେ ଡେରା ପକାଇଥିବା ଋଷ ସୈନ୍ୟ ସେହି ସ୍ଥାନ ଛାଡିଛନ୍ତି ବୋଲି ସୂଚନା ମିଳିଛି ।

ସେପଟେ ଯୁଦ୍ଧ ପ୍ରସଙ୍ଗରେ ଆଜି ବସୁଛି ୟୁରୋପୀୟ ରାଷ୍ଟ୍ରସଂଘ ଓ ଚୀନର ବୈଠକ । ଏହି ବୈଠକରେ ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଣଠାରୁ ଆରମ୍ଭ କରି କୌଣସି ପ୍ରକାର ସାହାଯ୍ୟ ନକରିବା ଲାଗି ଚୀନ ନିକଟରେ ଦାବି କରିପାରନ୍ତି ଇୟୁ ନେତା । ୟୁରୋପିଆନ କମିଶନ ଅଧ୍ୟକ୍ଷ ଉର୍ସୁଲା ଲେୟେନ ଓ ୟୁରୋପିଆନ କାଉନସିଲ ଅଧ୍ୟକ୍ଷ ଚାର୍ଲସ ମିସେଲ ଚୀନ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ଓ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିବେ ।

ପୁରୀ ବାସୀଙ୍କ ପାଇଁ ଖୁସି ଖବର, ଆଜିଠୁ ପୁରୀରେ ଦୁଇଟି ରୁଟରେ ଚାଲିବ ’ମୋ ବସ୍’

ପୁରୀ: ପୁରୀ ବାସୀଙ୍କ ପାଇଁ ଖୁସିଖବର । ଆଜିଠୁ ଶ୍ରୀକ୍ଷେତ୍ରରେ ଗଡ଼ିବ ’ମୋ ବସ୍’ । ପୁରୀ ସହରବାସୀ ଏବଂ ପର୍ଯ୍ୟଟକଙ୍କୁ ସୁବିଧାରେ ଯାତାୟତ ସେବା ଯୋଗାଇବାକୁ ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ସହର ମଧ୍ୟରେ ଦୁଇଟି ରୁଟରେ ମୋ ବସ୍ ଚଳାଚଳ କରିବ । ବଳିଆପଣ୍ଡା ରୋଡ୍ ଓ ଷ୍ଟେସନକୁ ସଂଯୋଗ କରିବ ମୋ ବସ୍ । ଆଗକୁ ରୁଟ୍ ସଂଖ୍ୟା ବଢାଯିବା ସହ ଅନ୍ୟ ସହରରୁ ବି ପୁରୀକୁ ସିଧାସଳଖ ’ମୋ ବସ’ ଚଳାଚଳ କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବର୍ତ୍ତମାନ ପୁରୀ ସହର ମଧ୍ୟରେ ଯେଉଁ ଦୁଇଟି ରୁଟରେ ବସ୍ ଚାଲିବ ତାହାର ଟାଇମିଂ ସୋସିଆଲ ମିଡିଆ ଓ ଅଫିସିଆଲ ଓ୍ବେବସାଇଟ ମାଧ୍ୟମରେ ଅବଗତ କରାଯିବ । ପୂବର୍ରୁ ଭୁବନେଶ୍ୱରରୁ ପୁରୀକୁ ୬ଟି ମୋ ବସ୍ ଯାତାୟତ କରୁଥିଲା । ତେବେ ବର୍ତ୍ତମାନ ପୁରୀ ସହର ମଧ୍ୟରେ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି  ।

ଏଥର ମହଙ୍ଗା ହେବ ବିମାନ ଯାତ୍ରା ! ଜେଟ ଇନ୍ଧନର ମୂଲ୍ୟ ୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ବିମାନଯାତ୍ରୀଙ୍କ ବଡ଼ ଖବର । ଏପ୍ରିଲର ପ୍ରଥମ ଦିନରୁ ହିଁ ଜେଟ ଇନ୍ଧନ କିମ୍ବା ଏୟାର ଟର୍ବାଇନ (ଏଟିଏଫ) ର ମୂଲ୍ୟ ବୃଦ୍ଧି ପାଇଛି। ତୈଳ ମ୍ପାନୀଗୁଡିକ ଜେଟ ଇନ୍ଧନର ମୂଲ୍ୟକୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପରେ ଜେଟ ଇନ୍ଧନର ମୂଲ୍ୟ କିଲୋମିଟର ପିଛା ୧,୧୨,୯୨୪.୮୩ଟଙ୍କାରେ ପହଞ୍ଚିଛି।

ଗୋଟିଏ ବର୍ଷରେ ୭ ଥର ମୂଲ୍ୟ ବୃଦ୍ଧି

ଚଳିତ ବର୍ଷ ସପ୍ତମ ଥର ପାଇଁ ଏଟିଏଫ୍ ମୂଲ୍ୟ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ଏହାର ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ହୋଇଛି ଯଥା କିଲୋଲିଟର ପିଛା ୨,୨୫୮.୫୪ ଟଙ୍କା, ଏହା ପରେ ATF ମୂଲ୍ୟ କିଲୋମିଟର ପିଛା ୧,୧୨,୯୨୪.୮୩ଟଙ୍କାରେ ପହଞ୍ଚିଛି।

୧ ଏବଂ ୧୬ତାରିଖରେ ମୂଲ୍ୟ ସଂଶୋଧିତ ହୋଇଛି

ସୂଚନା ଅନୁସାରେ, ଆନ୍ତର୍ଜାତୀୟ ମୂଲ୍ୟ ଆଧାରରେ, ଜେଟ୍ ଇନ୍ଧନର ମୂଲ୍ୟ ପ୍ରତ୍ୟେକ ମାସର ପହିଲା ଏବଂ ୧୬ରେ ସଂଶୋଧିତ ହୁଏ । ୨୦୨୨ ବର୍ଷ ଆରମ୍ଭରୁ ATF ମୂଲ୍ୟ ବୃଦ୍ଧି ପାଇଛି । ଜାନୁଆରୀ ୧ ଠାରୁ ଏପର୍ଯ୍ୟନ୍ତ ଇନ୍ଧନ ୭ଥର ଇନ୍ଧନର ମୂଲ୍ୟ ବୃଦ୍ଧି ପାଇଛି । ଚଳିତ ବର୍ଷ ଏଟିଏଫ୍ ମୂଲ୍ୟ ୩୮,୯୦୨.୯୨ କିଲୋଲିଟର କିମ୍ବା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ପେଟ୍ରୋଲ ଏବଂ ଡିଜେଲ ହାର ସ୍ଥିର

ଏଥିସହିତ ସରକାରୀ ତୈଳ କମ୍ପାନୀଗୁଡିକ ଶୁକ୍ରବାର ଦିନ ପେଟ୍ରୋଲ-ଡିଜେଲ ଦର ଜାରି କରିଛନ୍ତି । ଆଜି ତୈଳ ଦରରେ କୌଣସି ବୃଦ୍ଧି ହୋଇନାହିଁ । ରାଜଧାନୀ ଦିଲ୍ଲୀ ସମେତ ଚାରୋଟି ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲର ହାର ସ୍ଥିର ରହିଛି । ଦେଶରେ ତେଲ ଦର ବୃଦ୍ଧି ପାଇନାହି । କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ହାର କ୍ରମାଗତ ଭାବେ ବୃଦ୍ଧି ପାଇଥିଲା। IOCL ର ସର୍ବଶେଷ ହାର ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୦୭ ଟଙ୍କା ବିକ୍ରି ହେଉଛି ।

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଆଜି ଓ ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ବଢ଼ୁଛି ତାତି, ହନ୍ତସନ୍ତ ଜନଜୀବନ । ରାଜ୍ୟରେ କ୍ରମାଗତ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମରେ ଅଧିକ ରହୁଛି ତାତି । ଆଜି ଓ ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩ ଦିନ ପର୍ଯ୍ୟନ୍ତ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଉଚ୍ଚା ରହିବ ପାରଦ । ବିଶେଷ କରି ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୨ଦିନ ପରେ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସେପଟେ ଗତକାଲି ବି ଟିଟିଲାଗଡ଼ ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ଟିଟିଲାଗଡ଼ରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ା, ବଲାଙ୍ଗୀର, ଭବାନୀପାଟଣାରେ ୪୧.୨ ଡିଗ୍ରୀ ତାପମାତ୍ରା ରହିଛି । ବୌଦ୍ଧ, ସୁନ୍ଦରଗଡ଼, ସମ୍ବଲପୁର ଓ ମାଲକାନଗିରିରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ଖରାର ପ୍ରକୋପକୁ ଦେଖି ରାଜଧାନୀରେ ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ୍ ହପ୍ସିଟାଲରେ ଖୋଲିଛି ସ୍ବତନ୍ତ୍ର ଓ୍ବାର୍ଡ ।