ଆଜି ଉଦଘାଟିତ ହେବ ରାଜ୍ୟର ପ୍ରଥମ ମଲ୍ଟି ପାର୍କିଂ, ଅପରାହ୍ନରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଏଣିକି ଭୁବନେଶ୍ୱର-ନନ୍ଦନକାନନ ରାସ୍ତାରେ କମିବ ଭିଡ଼ । ଦୂର ହେବ ପାର୍କିଂ ଚିନ୍ତା । ଆଜି ନନ୍ଦନକାନନରେ ଉଦଘାଟିତ ହେବ ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ । ଅପରାହ୍ନରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୫ କୋଟିରୁ ଅଧିକ ବଜେଟରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ ସ୍ଥଳ । ୪ ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରିଚକିଆ ଯାନ ଓ ୨ ହଜାର ଦୁଇଚକିଆ ଯାନ ରହିବାର ସୁବିଧା କରାଯାଇଛି । ପ୍ରତ୍ୟେକ ପାର୍କିଂ ମହଲା ୫ ହଜାର ୬୦୦ ବର୍ଗ ମିଟରରେ ନିର୍ମିତ ହୋଇଛି । ସାଇକେଲ ୫ ଟଙ୍କା, ବାଇକ ୨୦ ଟଙ୍କା, କାର ୫୦ ଟଙ୍କା, ବସ୍ ୭୦ ଟଙ୍କା ଟିକେଟ ମୂଲ୍ୟ ସ୍ଥିର କରାଯାଇଛି । ଏହି ଦର ୬ ଘଣ୍ଟା ସମୟ ସୀମା ପର୍ଯ୍ୟନ୍ତ ଲାଗୁ ହେବ ।

ସିସିଟିଭି ଫୁଟେଜ ନିରୀକ୍ଷଣରେ ରହିବ ପାର୍କିଂ ସ୍ଥଳ । ସେହିପରି ଅଚାନକ ଅଗ୍ନିକାଣ୍ଡ ହେଲେ ସ୍ଥିତିକୁ ଆୟତ୍ତ କରିବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ଓ ଟ୍ରାଫିକ ନିୟନ୍ତ୍ରଣ ଏହି ପ୍ରକଳ୍ପର ଲକ୍ଷ୍ୟ ।