ରାଜ୍ୟକୁ ପୁଣି ଫେରିଲା ତାତି, ଦୁଇ ଦିନରେ ଆହୁରି ବଢ଼ିବ ପାରା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲାଣି ତାତି । କିଛିଦିନର ବ୍ୟବଧାନ ପରେ କଲବଲ କରୁଛି ଖରା । ୪୦ ଡିଗ୍ରୀ ଉପରେ ଅଧିକାଂଶ ସହର । ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରା ଅଧିକ ରହିବ । ଜୁନ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନଥିବାରୁ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।

ସେପଟେ କାଳବୈଶାଖି ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାରେ ବିଳମ୍ବ ହୋଇଛି । କିନ୍ତୁ ନିକଟରେ ବଡ଼ ବର୍ଷା ନଥିବାରୁ ମୌସୁମୀ ସକ୍ରିୟ ହେବାକୁ ସକ୍ଷମ ହେଉନାହିଁ । ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ । ତେଣୁ ଓଡ଼ିଶାରେ ମୌସୁମୀ ବିଳମ୍ବ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।