ସେନାରେ ଭର୍ତ୍ତି ହେବା ସ୍ୱପ୍ନ ଭାଙ୍ଗିବା ପରେ ଆତ୍ମହତ୍ୟା କଲେ ଆଶାୟୀ ଯୁବକ

ସୋର: ଅଗ୍ନିପଥ ପାଇଁ ଆତ୍ମହତ୍ୟା । ସେନାରେ ଭର୍ତ୍ତି ହେବା ସ୍ୱପ୍ନ ଭାଙ୍ଗିଯିବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଆଶାୟୀ ଯୁବକ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମରେ । ରଜନୀ ମହାନ୍ତିଙ୍କ ପୁଅ ଧନଞ୍ଜୟ ଦେଢ଼ବର୍ଷ ତଳେ ସେନାରେ ଭର୍ତ୍ତି ପାଇଁ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ବେଳେ କେନ୍ଦ୍ରର ଅଗ୍ନିପଥ ଯୋଜନା ଯୋଗୁ ଧନଞ୍ଜୟ ସେନାରେ ଭର୍ତ୍ତି ହେବା ଆଶା ମଉଳି ଯାଇଥିଲା ।

ଯାହାଫଳରେ ସେ ହତାଶ ହୋଇ ନିଜ ଘରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଅର ମୃତ୍ୟୁ ପରେ କିଡନୀ ଓ ଆଖିଦାନ କରିବାକୁ ପରିବାର ଲୋକ ନିଷ୍ପତ୍ତି ନେଇଛନ୍ତି । ଧନଞ୍ଜୟ ଆତ୍ମହତ୍ୟା କରିବା ପୂର୍ବରୁ ହ୍ୱାଟସଆପରେ ନିଜ ସାନଭାଇକୁ ମେସେଜ କରିବା ସହ ଷ୍ଟାଟସରେ ସରି, ଆଇ କୁଇଟ୍‌ ବୋଲି ଲେଖିଛନ୍ତି ।