ଭୁବନେଶ୍ୱର: ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ନବୀନ । ୩ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ବଳକା ଉଷୁନା ଚାଉଳ ଉଠାଇବା ସହିତ ଜିଏସଟି ବକେୟା ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ସେହିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବଳକା ଆବାସ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ । ଏହି ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଛୁରୀରେ ଆକ୍ରମଣ କଲା ଯୁବକ, ଜଣେ ମୃତ
ଦିଗପହଣ୍ଡି: ବଚସାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଛୁରୀରେ ଆକ୍ରମଣ କଲେ ଯୁବକ । ଜଣେ ମୃତ, ଜଣେ ଗୁରୁତର ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁରେ ଘଟିଛି ଘଟଣା । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏମକେସିଜିକୁ ସ୍ଥାନାନ୍ତର ବେଳେ ଜଣକର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବାବୁ ଗୌଡ଼ ହୋଇଥିବା ବେଳେ ଗୁରୁତର ଯୁବକ ଜଣକ ପ୍ରଦୀପ ସାହୁ ବୋଲି ଜଣାପଡିଛି ।
ସୂଚନା ମୁତାବକ କୌଣସି ଏକ କାରଣରୁ ଯୁବକଙ୍କ ମଧ୍ୟରେ ହୋଇଥିଲା ବଚସା । ପରବର୍ତ୍ତୀ ସମୟରେ ଏହି ସାମାନ୍ୟ ବଚସା ନେଇଥିଲା ସାଙ୍ଘାତିକ ରୂପ । ଜଣେ ଯୁବକ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା ଯୁବକ ଜଣକ ଫେରାର ହୋଇଯାଇଛି । ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, ୫୦ ଲକ୍ଷ କ୍ଷତିପୂରଣ ମାଗିଲେ ପରିବାର
ଝାରସୁଗୁଡା: ବନ୍ଧବାହାଲ ସ୍ଥିତି ସାପଡାରେ ଅଘଟଣ । ବିଦ୍ୟୁତ ଆଘାତରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ କର୍ମଚାରୀ ଜଣକ ଅଢାପଡ଼ା ଗ୍ରାମର ଜଗଦିଶ ପ୍ରଧାନ । ଏଭି ସ୍ଵିଚ ପରିଚାଳନା ବେଳେ ଜଗଦୀଶଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଚେତାଶୁନ୍ୟ ହୋଇପଡିବା ପରେ ତାଙ୍କୁ ସାଥୀ କର୍ମଚାରୀ ଓ ପରିବାର ଲୋକେ ବେଲପାହାଡ ସ୍ଥିତ ଟିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜଗଦିଶ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୁମାଡେରା ସ୍ଥିତ ଟିଆରଏଲ ଚିକିତ୍ସାଳୟ ସମ୍ମୁଖରେ ଶବ ରଖି ରାସ୍ତା ରୋକ କରିଥିଲେ ଉତ୍ୟକ୍ତ ଲୋକେ । ମୃତକଙ୍କ ପରିବାର ବର୍ଗଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରୀ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ରାଜଧାନୀରେ ବ୍ଲେଡ଼ ମାଡ଼, କଟିଗଲା ବେକର ଭେନ୍
ଭୁବନେଶ୍ୱର: ରାଜଧାନୀରେ ବ୍ଲେଡ଼ ମାଡ଼ । ଦୁଇ ନିସାଡ଼ିଙ୍କ ମଧ୍ୟରେ ମାରପିଟ୍ । ଧଉଳି ଥାନା ଅନ୍ତର୍ଗତ ବିଜୟ ବିହାର ଲେନ୍ 2 ରେ ଘଟିଛି ଘଟଣା । ନୂଆଗାଁ ବୁଢ଼ା ବିଶ୍ବାଳର ବ୍ଲେଡ ମାଡ଼ରେ ସାମନ୍ତରାପୁର ଜଗା ଆହତ ହୋଇଛି । ଜଗା ବେକର ଭେନ୍ କଟିବା ସହିତ ନାକରେ ଗଭୀର କ୍ଷତ ହୋଇଥିବା ଜମା ପଡ଼ିଛି ।
ସେପଟେ ଗୁରୁତର ଭାବେ ଜଗାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୋଲିସ । କେଉଁ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଏଭଳି ସ୍ଥିତି ଉପୁଜିଲା ତାହାର କାରଣ ଖୋଜୁଛି ପୋଲିସ । ନିଶା କେବଳ ଏମାନେ ସେବନ କରୁଥିଲେ ନା ବିକ୍ରିୟ ଭଳି କାର୍ଯ୍ୟ କରୁଥିଲେ ଏବଂ ଯେଉଁଥିପାଇଁ ବ୍ଲେଡରେ ଆକ୍ରମଣ ହୋଇଛି ତାହାର ମଧ୍ୟ ଅନୁସନ୍ଧାନ କରୁଛି ଧଉଳି ପୋଲିସ ।
ରାଜ୍ୟସଭା ପାଇଁ ବିଜେପି ଘୋଷଣା କଲା ୧୬ ଜଣ ପ୍ରାର୍ଥୀଙ୍କ ନାମ
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ପ୍ରଥମ ପକ୍ରିୟାରେ ଦଳ ଉତ୍ତର ପ୍ରଦେଶର ୬ଟି ଆସନ ଲାଗି ଘୋଷଣା କରିଛନ୍ତି ପ୍ରାର୍ଥୀ ତାଲିକା । ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ରାଧା ମୋହନ ଅଗ୍ରୱାଲଙ୍କ ସମେତ ୬ ଜଣଙ୍କ ନାମ ଘୋଷଣା କରାଯାଇଛି । ଦ୍ୱିତୀୟ ତାଲିକାରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ର ଗୋଟିଏ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ସମୁଦାୟ ୫୭ଟି ସିଟ ପାଇଁ ୧୦ ଜୁନରେ ହେବାକୁ ଯାଉଛି ନିର୍ବାଚନ ।

ବିଜେପି ମଧ୍ୟପ୍ରଦେଶରୁ କବିତା ପାଟିଦାର, କର୍ଣାଟକରୁ ନିର୍ମଳା ସୀତାରମଣ ଏବଂ ଜଗେଶ, ମହାରାଷ୍ଟ୍ରରୁ ପିୟୁଷ ଗୋୟେଲ ଏବଂ ଡ. ଅନିଲ ସୁଦେବରାଓ, ରାଜସ୍ଥାନରୁ ଘନଶ୍ୟାମ ତିୱାରୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି ଉତ୍ତରପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ, ସୁରେନ୍ଦ୍ର ସିଂ ନଗର, ବାବୁରାମ ନିଷାଦ, ଦର୍ଶନ ସିଂହ, ସଙ୍ଗୀତା ଯାଦବ, ଉତ୍ତରାଖଣ୍ଡରୁ କଳ୍ପନା ସୈନୀ, ବିହାରରୁ ସତୀଶ ଚନ୍ଦ୍ର ଦୁବେ, ଶମ୍ଭୁ ଶରଣ ପଟେଲ, ଏବଂ ହରିୟାଣାରୁ କୃଷ୍ଣ ଲାଲ ପମ୍ବାରଙ୍କୁ ରାଜ୍ୟସଭା ପଠାଇବେ ନିମନ୍ତେ ଘୋଷଣା କରିଛି ବିଜେପି ।
ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର, ୩୧କୁ ଅପେକ୍ଷା..
ନନ୍ଦିଘୋଷ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର । ମଇଦାନରେ ଶେଷ ଦିନରେ କସରତ କଲେ ତିନି ପ୍ରମୁଖ ଦଳ । ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ମୁଦ୍ଦାନେଇ ପ୍ରଚାର କରିଥିବାବେଳେ ବିଜେଡିର ଅଳକା ମହାନ୍ତି ଲଖନପୁର ବେଲପାହାଡ ଓ ବ୍ରଜରାଜନଗରରେ ଶେଷ ପ୍ରଚାର କରିଛନ୍ତି । ମହିଳା ବ୍ରିଗେଡକୁ ଧରି ବିକାଶ ମୁଦ୍ଦା କରି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ଅଳକା ।
ସରିଲା ପ୍ରଚାର । ଆଉ ଦିନକ ପରେ ବ୍ରଜରାଜନଗର ପାଇଁ ମତଦାନ । ଶେଷ ଦିନରେ ଜୋରସୋରରେ ହେଲା ପ୍ରଚାର । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଘର ଘର ବୁଲି ଭୋଟ ମାଗିଛନ୍ତି । ଜନମତକୁ ନିଜ ଆଡକୁ ନେବା ପାଇଁ ଷ୍ଟାର କ୍ୟାମ୍ପେନର ଜୋରଦାର ପ୍ରୟାସ କରିଛନ୍ତି । ଏସବୁ ଭିତରେ ପ୍ରଚାରରେ ଆଗୁଆ ଅଛନ୍ତି ବିଜେଡିର ଅଳକା ମହାନ୍ତି । ରାଜ୍ୟ ସରକାରଙ୍କ ବିକାଶ ମୁଳକ ଯୋଜନାକୁ ନେଇ ଲୋକଙ୍କୁ ସମର୍ଥନ ଜିତିବାକୁ ଚେଷ୍ଟା କରିଛନ୍ତି । ଗ୍ରାଉଣ୍ଡ ଜିରୋରେ ଭୋଟରଙ୍କ ନିକଟରେ ପହଞ୍ଚିଛନ୍ତି ଅଳକା ।
ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ଦିନରେ ଗାଁ ଗାଁ ବୁଲି ବିଭିନ୍ନ ମୁଦ୍ଦା ନେଇ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପ୍ରାର୍ଥୀନି ରାଧାରାଣୀ ପଣ୍ଡା ମଧ୍ୟ ନିଜ ସମର୍ଥକଙ୍କୁ ଧରି ବ୍ରଜରାଜନଗର ଓ ବେଲପାହାଡରେ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ବ୍ରଜରାଜନଗର ଅଂଚଳରେ ଶେଷ ପ୍ରଚାର କରିଛନ୍ତି । ଆସନ୍ତା ୩୧ରେ ବ୍ରଜରାଜନଗରରେ ମତଦାନ ହେବାକୁ ଥିବା ବେଳେ ଜୁନ୍ ୩ରେ ପ୍ରକାଶ ପାଇବ ଫଳ ।

