ରଶ୍ମିରେଖା ମୃତ୍ୟୁ ମାମଲା: ବୟଫ୍ରେଣ୍ଡ ମୁହଁରେ ବ୍ରେକଅପ୍ କାହାଣୀ

ଭୁବନେଶ୍ବର: ଟେଲି ଅଭିନେତ୍ରୀ ରଶ୍ମିରେଖା ସୁଇସାଇଡ୍ ସସପେନ୍ସ । ଏକ୍ସ ବୟଫ୍ରେଣ୍ଡ ରାଜାଙ୍କୁ ୨ ଘଣ୍ଟା ମାରାଥନ ଜେରା କରିଛି ନୟାପଲ୍ଲୀ ଥାନା ପୋଲିସ । ଜେରା ବେଳେ ରଶ୍ମି ଓ ରାଜାଙ୍କ ମଧ୍ୟରେ ଥିବା ସମ୍ପର୍କ ନେଇ ପଚରାଉଚରା କରିଛି ପୋଲିସ । ନୋଟିସ ପରେ ରାଜା ଥାନାରେ ହାଜର ହୋଇ ବୟାନ ରଖିଥିବା ବେଳେ ଏବେ ବି ଫେରାର ଅଛନ୍ତି ସନ୍ତୋଷ ପାତ୍ର । ପୋଲିସ ହାତରେ ଲାଗିଛି ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ପୁଣି ଥରେ ରାଜାଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିବା ବେଳେ ଘଟଣାରେ ଆଉ କିଛି ଲୋକଙ୍କୁ ନୋଟିସ ଦେଇଛି ପୋଲିସ ।

ବୟଫ୍ରେଣ୍ଡ ରାଜା ମୁହଁରେ ବ୍ରେକଅପ୍ କାହାଣୀ । ରାଜା ଖୋଲିବେ ରଶ୍ମିରେଖା ଆତ୍ମହତ୍ୟାର ରାଜ୍ । ରଶ୍ମିରେଖାଙ୍କ ସହ ରାଜାଙ୍କ ସମ୍ପର୍କ କ’ଣ ?  କେବେଠାରୁ ରଶ୍ମିରେଖାଙ୍କୁ ଜାଣିଥିଲେ ? ରଶ୍ମିରେଖା ସନ୍ତୋଷଙ୍କୁ ବିବାହ କରିବା ପରେ ଭିଡିଓ କଲ କରୁଥିଲେ କି ରାଜା ? ଯଦି କରୁଥିଲେ ତେବେ ଏହା ରଶ୍ମିରେଖାଙ୍କ ମାନସିକ ଚାପର କାରଣ କି ? ରଶ୍ମିରେଖାଙ୍କ ଏକ୍ସ ବୟଫ୍ରେଣ୍ଟ ରାଜାଙ୍କୁ ଏଭଳି ଅନେକ ପ୍ରଶ୍ନ କରିଛି ପୋଲିସ ।

ସେପଟେ ସାମ୍ନାକୁ ଆସିଛି ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏଥିରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ଉଲ୍ଲେଖ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଆତ୍ମହତ୍ୟା ପଛର କାରଣ ଜଣାପଡିନି । ସେଥିପାଇଁ ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ନୋଟିସ କରାଯାଇଛି । ରାଜାଙ୍କୁ ଆଜି  ପଚରାଉଚରା କରାଯାଇଥିବା ବେଳେ ସନ୍ତୋଷକୁ ମଧ୍ୟ ଖୁବଶୀଘ୍ର ଜେରା କରାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ରଶ୍ମିରେଖା ଗର୍ଭବତୀ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ସେପଟେ ଝିଅର ମୃତ୍ୟୁ ପରେ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି । ରଶ୍ମିରେଖାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ସତ କ’ଣ ସାମନାକୁ ଆଣିବାକୁ ଅଭିନେତ୍ରୀଙ୍କ ବାପା ରଞ୍ଜନ ଓଝା କହିଛନ୍ତି । ଘଟଣାରେ ଦୁଇ ପୁରୁଷ ବନ୍ଧୁ ରାଜା ଏବଂ ସନ୍ତୋଷ ପାତ୍ରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ରଞ୍ଜନ ।

ଆତ୍ମହତ୍ୟା ପୂର୍ବରୁ ରଶ୍ମିଙ୍କ ଶେଷ ଭିଡିଓ ସାମନାକୁ ଆସିଛି । ଏକ ବାରରେ ମନଖୋଲି ନାଚି ଥିଲେ ରଶ୍ମିରେଖା । କୌଣସି କାରଣରୁ ମାନସିକ ଚାପରେ ଥିବାରୁ ମନ ହାଲକା କରିବା ପାଇଁ ବାରକୁ ଯାଇଥିବା ଜଣାପଡିଛି ।