ଆଜି ନବୀନ ଦେବେ ବିକାଶର ବାର୍ତ୍ତା, ବିଶ୍ୱ ଶୁଣିବ ଓଡ଼ିଶା ଖାଦ୍ୟ ସୁରକ୍ଷାର ସଫଳ କାହାଣୀ

1 min read

ରୋମ୍: ଆଜି ବିଶ୍ୱ ଶୁଣିବ ଓଡ଼ିଶା ବିକାଶର ଗାଥା । ରୋଲ୍ ମଡେଲ ସାଜିଥିବା ରାଜ୍ୟର ସଫଳତାର ଯାତ୍ରା ସମ୍ପର୍କରେ ବିଶ୍ୱକୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଅବସରରେ ରାଜ୍ୟରେ କୃଷିର ବିକାଶ, ଖାଦ୍ୟ ନିରାପତ୍ତା, ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଆଦି ପ୍ରସଙ୍ଗରେ ଉଦବୋଧନ ଦେବେ ନବୀନ । ପୂର୍ବାହ୍ନରେ ଜାତିସଂଘ-ବିଶ୍ୱ ଖାଦ୍ୟ ଯୋଜନାର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଶ୍ୱବାସୀଙ୍କୁ ଉଦବୋଧନ ଦେବେ । ଭୋକର ଭୂଗଳରୁ ଭରସାର ଭାତହାଣ୍ଡି ପାଲଟିଛି ଓଡ଼ିଶା । ଅନ୍ୟ ରାଜ୍ୟକୁ ବି ଖାଦ୍ୟ ଶସ୍ୟ ଯୋଗାଇବାକୁ ସକ୍ଷମ । ଖାଦ୍ୟ ସୁରକ୍ଷାରେ ଓଡ଼ିଶା ଏବେ ଅଗ୍ରଣୀ ରାଜ୍ୟ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସୃଷ୍ଟି କରିଛି ବିଶ୍ବ ପାଇଁ ଉଦାହରଣ । ଏହି ସବୁ ସଫଳତା ଉପରେ ନବୀନ ଦେବେ ଉଦବୋଧନ ।

ସେପଟେ ମହାପ୍ରଭୁଙ୍କ ଲାଗି ଆଗେଇ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଂଲଣ୍ଡରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ଏନେଇ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସହାୟତା ପ୍ରତିଶ୍ରୁତି । ରୋମରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଓ ଆବାସିକ କମିଶନର ରବି କାନ୍ତ । ଏହାସହ ଓଡ଼ିଶାର ବିକାଶ ନେଇ ପ୍ରବାସୀ ଓଡ଼ିଆଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ନବୀନ । ରାଜ୍ୟ ପ୍ରଗତିରେ କିପରି ସେମାନେ ଭାଗୀଦାର ହୋଇପାରିବେ ସେନେଇ ଦିଗଦର୍ଶନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓ୍ୱାର୍ଲଡ ଓଡ଼ିଶା ସୋସାଇଟିର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ, ସଂଗଠନର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୁଦୂର ରୋମରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇ ବିକାଶ ପୁରୁଷଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରବାସୀ ଓଡ଼ିଆ । ଆସନ୍ତା ୨୬ ତାରିଖରେ ଦୁବାଇ ଗସ୍ତ କରି ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ଶିଳ୍ପାୟନ ପାଇଁ ରାଜ୍ୟରେ ଥିବା ଅପାର ସୁଯୋଗ ଓ ସମ୍ଭାବନା ବାବଦରେ ଆଲୋଚନା କରିବେ ନବୀନ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉଦ୍ୟମ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।