spot_img
Home Blog Page 4310

ବାରବାଟୀ ଟି-୨୦: ଘଣ୍ଟି ବଜାଇ ମ୍ୟାଚ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ: ଆସନ୍ତାକାଲି ହେବାକୁ ଥିବା ବାରବାଟୀ ଟି-୨୦ ମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଡେନ ଗାର୍ଡେନ ପରି ବାରବାଟୀରେ ମଧ୍ୟ ଏକ ଘଣ୍ଟି ଲଗାଯିବ । ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ ଆରମ୍ଭ ହେବାର ସଙ୍କେତ ଦେବା ନେଇ ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବାରୁ ଉଚ୍ଚସ୍ତରୀୟ ଅଧିକାରୀମାନେ ଶୁକ୍ରବାର ବାରବାଟୀକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ବାରବାଟୀରେ ଉପସ୍ଥିତ ରହିବେ ।  ତେଣୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାରେ ଯେପରି କିଛି ତ୍ରୁଟି ନରୁହେ ସେଥିପ୍ରତି ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

ଆରଡିସି ସୁରେଶ କୁମାର ଦଳାଇ, ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି, ଡିସିପି ପିନାକ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିସନର ଅନନ୍ୟା ଦାସ, ଓସିଏ ସମ୍ପାଦକ ସ˚ଜୟ ବେହେରା ପ୍ରମୁଖ ଷ୍ଟାଡିୟମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆଲୋଚନା କରିଥିଲେ ।ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ମ୍ୟାଚ୍ ଦେଖିବାକୁ ବାରବାଟୀ ଷ୍ଟାଡିୟମ ଆସିବେ ।

ନ୍ୟାସନାଲ୍ ହେରାଲ୍ଡ ମାମଲା, ସୋନିଆ ଗାନ୍ଧିଙ୍କୁ ଇଡିର ସାନି ସମନ

ନୂଆଦିଲ୍ଲୀ: ନ୍ୟାସନାଲ୍ ହେରାଲ୍ଡ ମାମଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡିର ସାନି ସମନ । ଆସନ୍ତା ୨୩ ତାରିଖରେ ହାଜର ହେବାକୁ ସୋନିଆଙ୍କୁ ସମନ କରିଛି ଇଡି । ସୋନିଆ କରୋନା ସଂକ୍ରମିତ ହୋଇଥିବାରୁ ହାଜର ତାରିଖକୁ ପୂର୍ବରୁ ଘୁଞ୍ଚାଯାଇଥିଲା । ଏବେ ସୋନିଆ କରୋନାରୁ ସୁସ୍ଥ ହେବା ପରେ ସାନି ସମନ ଜାରି ହୋଇଛି । ଅନ୍ୟପଟେ ଆସନ୍ତା ୧୩ତାରିଖରେ ଇଡି ପାଖରେ ହାଜର ହେବେ ରାହୁଲ ଗାନ୍ଧୀ ।

ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ର ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧିଙ୍କୁ ହାଜର ପାଇଁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମାମଲାରେ ଏହି ବର୍ଷ ଏପ୍ରିଲ ୧୨ରେ କଂଗ୍ରେସର ଦୁଇ ବଡ଼ ନେତା ପବନ ବନସଲ ଓ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଇଡି ତଦନ୍ତ ପରିସରଭୁକ୍ତ କରିଥିଲା । ୨୦୧୪ରେ ସୁବ୍ରମଣ୍ୟମ ସ୍ବାମୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଗାନ୍ଧି ପରିବାର ବିରୋଧରେ ୫୫ କୋଟି ଟଙ୍କା ହେରଫେର ଅଭିଯୋଗ ଆଣିଥିଲେ ସୁବ୍ରମଣ୍ୟମ ସ୍ୱାମୀ ।

ଆସନ୍ତାକାଲିଠୁ ତାତିରୁ ମିଳିବ ତ୍ରାହି, ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୨ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ବଦଳିବ ପାଣିପାଗ ମିଜାଜ, ତାତିରୁ ମିଳିବ ଆଶ୍ବସ୍ତି । ଆସନ୍ତାକାଲିଠୁ ରାଜ୍ୟରେ କମିବ ତାପମାତ୍ରା । ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ତେବେ ଆଜି ଆଭ୍ଯନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦେଖାଦେବ ଗ୍ରୀଷ୍ମ ପ୍ରକୋପ । ବିଶେଷ କରି ବରଗଡ଼ ଓ ସୋନପୁର ଜିଲ୍ଲାରେ ପ୍ରବଳ ଖରା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଉଭୟ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।

ସେପଟେ ଉପକୂଳ ଓଡ଼ିଶାରେ ଗତକାଲିଠୁ ପାଗ ବଦଳିଛି ପାଗ । ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି କମିଛି । କିଛି ଜିଲ୍ଲାରେ ଝିପିଝିପି ବର୍ଷା ମଧ୍ୟ ହୋଇଛି । ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ କାଳବୈଶାଖୀ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ରହିବ ।

ମ୍ୟାଚ ପାଇଁ ଦୁଇଟି ରୁଟରେ ଗଡ଼ିବ ସ୍ୱତନ୍ତ୍ର ’ମୋ ବସ୍’

କଟକ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ସ୍ବତନ୍ତ୍ର ମୋ ବସ୍ ସେବା । ଦର୍ଶକଙ୍କ ଯିବା ଆସିବା ପାଇଁ ସ୍ବତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯିବ । ଆସନ୍ତାକାଲି ଭୁବନେଶ୍ବରରୁ ବାରବାଟୀକୁ ଦୁଇଟି ରୁଟରେ ଗଡ଼ିବ ସ୍ବତନ୍ତ୍ର ମୋ ବସ୍ । ପ୍ରଥମ ରୁଟରେ ବସ୍ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଦ୍ବିତୀୟ ରୁଟରେ ବରମୁଣ୍ଡାରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ଯିବ ମୋ ବସ୍ । ମଧ୍ୟାହ୍ନ ୧୨ ଟା ୩୦ ରୁ ବସ୍ ଚଳାଚଳ କରିବ ।

ମ୍ୟାଚ୍ ସରିବା ପରେ ରାତି ୧୧ ଟା ୩୦ରୁ ଦର୍ଶକଙ୍କୁ ନେଇ ମୋ ବସ୍ ଷ୍ଟାଡିୟମରୁ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାତ୍ରା କରିବ । ଏହି ସ୍ବତନ୍ତ୍ର ବସର ଭଡ଼ା ୪୦ ଟଙ୍କା ରଖାଯାଇଛି । ଏନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରୁକ୍କୁଣୀ ବିବାହ ଉତ୍ସବ

ପୁରୀ: ଆଜି ଶ୍ରୀମନ୍ଦିରରେ ରୁକ୍କୁଣୀ ହରଣ ଏକାଦଶୀ ନୀତି । ବିଦର୍ଭର ରାଜା ଭିଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ଆଜି ବିବାହ କରିବେ ମହାପ୍ରଭୁ । ଏଥି ଲାଗି ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରା ଯାଇଥିବା ବେଳେ ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି । ସମ୍ପୂର୍ଣ୍ଣ ରଙ୍ଗ ବେରଙ୍ଗର ଫୁଲରେ ଶ୍ରୀମନ୍ଦିର ସିଂହଦ୍ବାରକୁ ସଜା ଯାଇଛି । ଗତକାଲି ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ କାହାଳୀ, ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଛି । ଏହି ନୀତିକୁ ରାଜେନ୍ଦ୍ରାଭିଷେକ ନୀତି କୁହାଯାଏ । ଅନ୍ୟପଟେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀନହରଠାରୁ ଶ୍ରୀମନ୍ଦିର ସମ୍ମୁଖ ଅଞ୍ଚଳକୁ ଜିଗ ଜ୍ୟାଗ ବ୍ୟାରିକେଡ଼ କରାଯାଇଛି । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

ସେହିପରି ସ୍ନାନପୂର୍ଣ୍ଣମୀ ପୂର୍ବରୁ ତିନି ରଥର ଚାରି ନାହାକା ଉଠିସାରିଛି । ଏବେ ପୋଲ ଗୟଳ, ଛନ୍ଦା ଗୟଳ ଓ ବଡ଼ ଗୟଳ ପଡ଼ି ଯୋଖା ବୁଲିବା ପରେ ପ୍ରଥମ ଭୂଇଁ ଉଠିବ । ପରେ ଦ୍ବିତୀୟ ଓ ତୃତୀୟ ଭୂଇଁ ସହ ତେର ପରସ୍ତ ପୋଟଳ ଉଠି ଉପରିଭାଗ କାର୍ଯ୍ୟ କରାଯିବ । ଏଥିପାଇଁ ଜାରି ରହିଛି ନିର୍ମାଣ କାମ । ତିନିରଥ ମହାରଣା ଭୋଇ ସେବକ ପାର୍ଶ୍ବ ଦଣ୍ଡା ମାନଙ୍କରେ ତିନୋଟି ଲେଖାଏଁ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଏଁ କୋଣଗୁଜ ଖଞ୍ଜି ପାର୍ଶ୍ବ ଗୟଳ ପକାଇଛନ୍ତି । ନନ୍ଦିଘୋଷ ଏବଂ ଦେବଦଳନ ରଥର ବେଦି ପାଇଁ ୫ଟି ଜଗତ ପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ବଜ ରଥର ୩ ଗୋଟି ଜଗତ ପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି ।

ନୟାଗଡ଼ ବଡ଼ପଣ୍ଡୁସର ବ୍ରିଜ୍ ତଳକୁ ଖସି ଫାଟିଲା ଡିଜେଲ ଟ୍ୟାଙ୍କର, ବିସ୍ଫୋରଣରେ ୪ ମୃତ

ନୟାଗଡ଼: ନୟାଗଡ଼ ବଡ଼ପଣ୍ଡୁସର ନିକଟରେ ବ୍ରିଜ ତଳକୁ ଡିଜେଲ ଟ୍ୟାଙ୍କର ଖସି ବିସ୍ଫୋରଣ । ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଅଛନ୍ତି । ପାରାଦୀପରୁ ତେଲ ନେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଏକ ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ବଡ଼ପଣ୍ଡୁସର ବ୍ରିଜ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ପରେ ୩ ଜଣ ସ୍ଥାନୀୟ ଯୁବକ ଟ୍ୟାଙ୍କରରେ ଥିବା ଡ୍ରାଇଭରଙ୍କୁ ଓ ହେଲପରଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ହେଲେ ତେଲ ଟ୍ୟାଙ୍କରଟି ବିସ୍ଫୋରଣ ହେବାରୁ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଚାରି ମୃତକ ହେଲେ ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ । ଘଟଣାସ୍ଥଳରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଇଟାମାଟି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଆସନ୍ତାକାଲି ବାରବାଟୀ ଲଢ଼େଇ, ଆଜି ଅଭ୍ୟାସ କରିବେ ଉଭୟ ଦଳ

କଟକ: ଆସନ୍ତାକାଲି ବାରବାଟୀ ଲଢ଼େଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଗତକାଲିଠୁ ଉଭୟ ଦେଶର ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ଆଜି ଉଭୟ ଦଳ ବାରବାଟୀ ଯାଇ ନେଟ ପ୍ରାକ୍ଟିସ କରିବେ । ପ୍ରଥମେ ଦକ୍ଷିଣ ଆଫ୍ରିକା ଟିମ୍ ବାରବାଟୀ ଗ୍ରାଉଣ୍ଡରେ ଅଭ୍ୟାସ କରିବ । ଦିନ ଗୋଟାଏରୁ ପ୍ରାକ୍ଟିସ ଆରମ୍ଭ ହେବ । ପରେ ସନ୍ଧ୍ୟା ୫ଟାରୁ ନେଟ ପ୍ରାକ୍ଟିସ କରିବ ଇଣ୍ଡିଆ । ଉଭୟ ଦଳ ୩ ଘଣ୍ଟା ଲେଖାଏଁ ଅଭ୍ୟାସ କରିବାର ସୂଚନା ରହିଛି । ନେଟ ପ୍ରାକ୍ଟିସ୍ ପାଇଁ ୪ଟି ପିଚ୍ ପ୍ରସ୍ତୁତ ହୋଇ ରହିଛି ।

ଅଭ୍ୟାସ ପାଇଁ ଉଭୟ ଦେଶର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ ମେ ଫାୟାରରୁ ବାରବାଟୀ ଷ୍ଟାଡିୟମ ଯିବେ । ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ଡିସିପି । ଏହି ସମୟରେ ପ୍ରତ୍ୟେକ ଛକରେ ପୋଲିସ ଅଧିକାରୀ ନିୟୋଜିତ ରହିବେ । ଖେଳାଳିଙ୍କ ଯାତ୍ରା ସମୟରେ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ପ୍ରଥମ ଟି-ଟ୍ବେଣ୍ଟି ଭଳି ବାରବାଟୀରେ ମଧ୍ୟ ବଡ଼ ସ୍କୋର ହେବାର ଅଧିକ ସମ୍ଭାବନା ରହିଛି । ଅନ୍ୟପଟେ ମ୍ୟାଚ ଉପରେ ବର୍ଷା ପ୍ରଭାବ ମଧ୍ୟ ରହିପାରେ । ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି କର୍ତ୍ତୁପକ୍ଷ ।

ହାତୀ କଙ୍କାଳ ଉଦ୍ଧାର ଘଟଣା, ୬ଜଣଙ୍କୁ ଗିରଫ କଲା ବନ ବିଭାଗ

କଟକ: ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ଅଞ୍ଚଳରୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ଘଟଣା । ଜଣେ ନିଲମ୍ବିତ ଫରେଷ୍ଟ ଗାର୍ଡ ଓ ୩ଓ୍ବାଚରଙ୍କ ସମେତ ୬ଜଣଙ୍କୁ ଗିରଫ କଲା ବନ ବିଭାଗ । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ନିଲମ୍ବିତ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀ । ମାମଲାରେ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ ଓ ଖୁଣ୍ଟୁଣି ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛି ବନ ବିଭାଗ ।

ମାମଲାରେ ପୂର୍ବରୁ ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ବଡମ୍ବା ରେଞ୍ଜର ଫରେଷ୍ଟର ମନୋଜ ଦାସ ଓ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରିଙ୍କୁ ମଧ୍ୟ ସସପେଣ୍ଡ କରିଥିଲା ବନ ବିଭାଗ । ଜେରା ପାଇଁ DFO ଅଫିସ ଆସିଥିବା ବେଳେ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ ମନୋଜ ଦାସ୍ ।ଏଯାଏ ତାଙ୍କର ପତ୍ତା ମିଳିନଥିବାବେଳେ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି ।

ଗୁରୁତର ଅସୁସ୍ଥ ପରଭେଜ ମୁସାରଫ, ମୃତ୍ୟୁ ଖବରକୁ ପରିବାରର ଖଣ୍ଡନ

ଇସଲମାବାଦ: ଅସୁସ୍ଥ ଅଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ । ଗୁରୁତର ହୋଇପଡିବାରୁ ଗତ ୩ ସପ୍ତାହ ହେଲା ସେ ମେଡିକାଲରେ ଅଛନ୍ତି । ସେ ଏକ ଜଟିଳ ରୋଗରେ ପୀଡିତ ଅଛନ୍ତି । ଯାହା ସମ୍ପୂର୍ଣ୍ଣ ଭଲ ହେବା ସମ୍ଭବ ନୁହେଁ ବୋଲି ତାଙ୍କ ପରିବାର ପକ୍ଷରୁ ଟୁଇଟ କରି କୁହାଯାଇଛି । ମୁଶାରଫଙ୍କର ମୃତ୍ୟୁ ହୋଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି ।

ବିଦେଶରେ ସେ ସ୍ୱତନ୍ତ୍ର ଡାକ୍ତରଙ୍କ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଛନ୍ତି । ଆଜି କିଛି ଜାତୀୟ ଗଣମାଧ୍ୟମରେ ମୁଶାରଫଙ୍କର ଦେହାନ୍ତ ହୋଇଛି ବୋଲି ଖବର ପ୍ରସାରଣ ହେଉଥିଲା । ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହୋଇଛି । ଦୀର୍ଘଦିନ ହେବ ଅସୁସ୍ଥ ରହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ ମୁସାରଫ  । ଆଜି ଅନେକ ମିଡିଆରେ ପରଭେଜ ମୁସାରଫଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଗୁଜବ ପ୍ରଚାରିତ ହୋଇଥିଲା  । ଯଦ୍ୱାରା ତାଙ୍କ ପରିବାର ଲୋକ ଏକ ସ୍ପଷ୍ଟୀକରଣ ରଖିଥିଲେ  ।

ସରିଲା ରାଜ୍ୟସଭା ନିର୍ବାଚନ: ନିର୍ମଳା ସୀତାରମଣ, ସଞ୍ଜୟ ରାଉତ, ରଣଦୀପ ସୁରଜେଓ୍ୱାଲ ବିଜୟୀ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସରିଥିବା ବେଳେ ଗଣତିରେ ହେଉଛି ବିଳମ୍ବ । ୪ଟି ରାଜ୍ୟ ୧୬ଟି ଆସନରେ ଫୋକ୍‌ସରେ ଥିବା ବେଳେ ରାଜସ୍ଥାନର ୩ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସର ପ୍ରମୋଦ ତିଓ୍ୱାରୀ , ମୁକୁଲ ୱାଶନିକ, ରଣଦୀପ ସୁରଜେଓ୍ୱାଲ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ବିଜେପିର ଘନଶ୍ୟାମ ତିଓ୍ବାରୀ ବିଜୟୀ ହୋଇଛନ୍ତି ।

ରାଜସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସୁବାଷ ଚନ୍ଦ୍ରା ପରାଜିତ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରୁ ସଞ୍ଜୟ ରାଉତଙ୍କ ବିଜୟ ହୋଇଛି । ବିଜେପିର ନିର୍ମଳା ସୀତାରମଣ ଏବଂ କଂଗ୍ରେସର ଜୟରାମ ରମେଶ କର୍ଣ୍ଣାଟକରୁ ବିଜୟ ହୋଇଛନ୍ତି । କିଛି ସ୍ଥାନରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ଓ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି । ଆଜି ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇଥିଲା ।

ହରିୟାଣା, ରାଜସ୍ଥାନ , ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୬ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ରାଜସ୍ଥାନ ଓ କର୍ଣ୍ଣାଟକରେ କ୍ରସ ଭୋଟିଂ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ୧୫ ରାଜ୍ୟର ମୋଟ ୫୭ ରାଜ୍ୟସଭା ଆସନରୁ ୪୧ ଜଣ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇସାରିଛନ୍ତି । ବାକି ୧୬ଟି ଆସନରେ ଆଜି ଭୋଟିଂ ହୋଇଥିଲା । ମହାରାଷ୍ଟ୍ରର ୬, ରାଜସ୍ଥାନ ଓ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ ଓ ହରିୟାଣାର ୨ଟି ରାଜ୍ୟସଭା ଆସନ ପାଇଁ ଭୋଟିଂ ହୋଇଥିଲା ।