ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ନାରାବାଜି । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ନାରାବାଜି ଯୋଗୁଁ ବାଧାପ୍ରାପ୍ତ ହୋଇଛି ପ୍ରଶ୍ନକାଳ । ଫଳରେ ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଆଜି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା । ହେଲେ ବିରୋଧୀ ସଦସ୍ୟଙ୍କ ନାରାବାଜି ଯୋଗୁ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଆଜି ଗୃହରେ ବିଜେପି ଆଣିଛି ମୁଲତବି ପ୍ରସ୍ତାବ ‘ବିଦ୍ୟୁତ୍ ସଂସ୍କାର ଆଳରେ ଉପଭୋକ୍ତମାନଙ୍କୁ ମହଙ୍ଗା ମାଡ଼’ । ଘନ ଘନ ପାଓ୍ୱାର କଟ୍, ଲୋ ଭୋଲଟେଜ୍, ଚୁଲିକି ଗଲାଣି ପିଲାଙ୍କ ପାଠ । ଗୃହରେ ଏହି ପ୍ରଶ୍ନରେ ଉତ୍ତର ରଖିବେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଯଦି ଗୃହ କାର୍ଯ୍ୟ ସ୍ୱାଭାବିକ୍ ହୁଏ, ତେବେ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।