ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ, ବିଧାନସଭାରେ ହେବେ ଆସ୍ଥା ଭୋଟରେ ସମ୍ମୁଖୀନ

ମୁମ୍ବାଇ: ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଆସ୍ଥା ଭୋଟରେ ସମ୍ମୁଖୀନ ହେବେ ସିନ୍ଦେ । ଏବେ ୩୯ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସମେତ ୫୦ ବିଧାୟକ ସିନ୍ଦେ କ୍ୟାମ୍ପରେ ଅଛନ୍ତି । ବିଜେପି ମଧ୍ୟ ସିନ୍ଦେ ସରକାରଙ୍କ ଅଂଶୀଦାର ରହିଛି । ତେଣୁ ସଂଖ୍ୟା ସିନ୍ଦେ –ବିଜେପି ପାଖରେ ରହିଛି । ଯଦି କିଛି ଆଇନଗତ ସମସ୍ୟା ନ ଉପୁଜେ, ତେବେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟୀ ହେବା ନିଶ୍ଚିତ ।

ଗତକାଲି ବାଚସ୍ପତି ନିର୍ବାଚନରେ ମଧ୍ୟ ଏହାର ଆଭାସ ଦେଖିବାକୁ ମିଳିଛି । ବିଜେପି ଓ  ଶିବସେନାର ସିନ୍ଦେ ଗୋଷ୍ଠୀର ମିଳିତ ପ୍ରାର୍ଥୀ ରାହୁଲ ନାର୍ଭେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ରାହୁଲଙ୍କୁ ୧୬୪ଟି ଭୋଟ୍ ମିଳିଥିଲା ବେଳେ ମହାବିକାଶ ଅଘାଡିର ସାଲଭୀ ପାଇଥିଲେ ୧୦୭ଟି ଭୋଟ୍ । ଏଣୁ ସଂଖ୍ୟା ଦୃଷ୍ଟିରେ ସିନ୍ଦେ ଢେର ଆଗରେ ଅଛନ୍ତି । ସେପଟେ ବିଧାନସଭା ଅଧିବେଶନ ଓ ବାଚସ୍ପତି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଶିବସେନାର ଉଦ୍ଧବ ଗୋଷ୍ଠୀ ଓ କଂଗ୍ରେସ । ସିନ୍ଦେ ଗୋଷ୍ଠୀର ବିଧାୟକମାନେ ବାଚସ୍ପଚି ନିର୍ବାଚନରେ ଭାଗ ନେବା ସଂପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଟିମ୍ ଉଦ୍ଧବ ପକ୍ଷରୁ କୁହାଯାଇଛି । କଂଗ୍ରେସ ରାଜ୍ୟପାଳଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛି ।