ନନ୍ଦିଘୋଷ ବ୍ୟୁରୋ : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର। ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛି ଆହତ ଅପରାଧୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଛକ ନିକଟରେ ଏହି ଏନକାଉଣ୍ଟର ହୋଇଛି। ସୂଚନା ଅନୁସାରେ, ଗତ ରାତିରେ ରାଣୀତାଲ-କୁପାରୀ ରୋଡ୍ରେ ଦୁଇ ଅପରାଧୀ ଲୋକେଶ ଓ ତା’ର ସହଯୋଗୀ ଯାଉଥିଲେ। ଉଭୟଙ୍କ ନାଁରେ ହତ୍ୟା ଧମକ, ଚୋରି ଓ ଡକାୟତି ଭଳି ଏକାଧିକ ସଂଗୀନ ମାମଲା ରହିଛି। ସେମାନଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିବା ବେଳେ ଲୋକେଶ ପ୍ରଥମେ ଗୁଳି ଚଳାଇଥିବା ଜଣାପଡ଼ିଛି। ପରେ ପୋଲିସର ପାଲଟା ଗୁଳିରେ ଲୋକେଶ ଆହତ ହୋଇଥିଲା। ତା’ର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି। ଫେରାର ଅପରାଧୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।
ଶ୍ରୀମନ୍ଦିରରେ ଆଜି ଜନ୍ମାଷ୍ଟମୀ, ନିଷ୍ଠାର ସହ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମନୀତି
ନନ୍ଦିଘୋଷ ବ୍ୟୁରୋ : ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ। ଏହି ଅବସରରେ ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ନୀତି ପାଳିତ ହେବ। ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବେଶ୍ ନିଷ୍ଠାର ସହ ପାଳନ କରାଯିବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି, କାଳୀୟ ଦଳନ ଭଳି ଅନେକ ନୀତି ସହ କଂସ ବଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।
ପରମ୍ପରା ଅନୁସାରେ, ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ। ସେଠାରେ ସୁନାର କୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ବିଜେ କରାଯିବ।
ପରେ ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଭାବେ ଏହି ଜନ୍ମନୀତି ପାଳନ କରିବେ। ଏହାପରେ ମଦନମୋହନଙ୍କୁ ନାଭିକଟା ମଣ୍ଡପକୁ ନିଆଯାଇ ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ। ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ। ତେବେ ଗତକାଲି ସନ୍ଧ୍ୟା ଆଳତୀ ବେଶରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିବା ବେଳେ ସୁଖପ୍ରସବ ପାଇଁ ଯେଉଟ ଭୋଗ ମଧ୍ୟ ଲାଗି କରାଯାଇଥିଲା।
ଅଗଷ୍ଟ ୩୧ରୁ ନିଖୋଜ ମେଡିକାଲ ଛାତ୍ର, ରେଳଷ୍ଟେସନରୁ ମିଳିଲା ମୋବାଇଲ୍
ନନ୍ଦିଘୋଷ ବ୍ୟୁରୋ : ଅଗଷ୍ଟ ୩୧ରୁ ନିଖୋଜ ଅଛନ୍ତି ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ସାଗର। ତାଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ। ବ୍ରହ୍ମପୁର ରେଳଷ୍ଟେସନରେ ସାଗର ଟ୍ରେନରେ ଚଢୁଥିବା ଏବଂ କିଛି ସମୟ ପରେ ଟ୍ରେନରୁ ଓହ୍ଲାଉଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗତ ରବିବାର ବ୍ରହ୍ମପୁର ରେଳଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରୁ ସାଗରଙ୍କ ମୋବାଇଲ ଫୋନ ମିଳିବା ପରେ ଘଟଣାକୁ ନେଇ ରହସ୍ୟ ବଢିଛି। ସାଗର କେଉଁ ଟ୍ରେନରେ ବସି ବାହାରକୁ ଯାଇଛନ୍ତି, ସେନେଇ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ ସହ ବିଭିନ୍ନ ଦିଗରୁ ପୋଲିସ ତଦନ୍ତ ଜାରି ରଖିଥିବା ବ୍ରହ୍ମପୁର ଏସପି କହିଛନ୍ତି।
ସେପଟେ ସାଗରଙ୍କ ପରିବାର ଲୋକେ ବ୍ରହ୍ମପୁର ରେଳଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ତାଙ୍କ ଫଟୋ ଧରି ଖୋଜାଖୋଜି କରୁଛନ୍ତି। ପରିବାର ସଦସ୍ୟମାନେ ବ୍ରହ୍ମପୁର ଏସପିଙ୍କୁ ମଧ୍ୟ ଭେଟି ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟରେ ପ୍ରଥମ ବର୍ଷରେ ପଢୁଛନ୍ତି। ସେ ନିଖୋଜ ଥିବା ନେଇ ମେଡିକାଲ ଡିନ୍ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ।
କାମ ଦେଉନି ସଚେତନତା। ସୁବର୍ଣ୍ଣପୁର ଜିଲ୍ଲାରେ କମୁଛି ଝିଅ ସଂଖ୍ୟା
ନନ୍ଦିଘୋଷ ବ୍ୟୁରୋ : କାମ ଦେଉନି ସଚେତନତା। ସୁବର୍ଣ୍ଣପୁର ଜିଲ୍ଲାରେ କମୁଛି ଝିଅ ସଂଖ୍ୟା। ବଢୁଛି ଉଦବେଗ। କନ୍ୟା ଭୃଣ ହତ୍ୟା ନେଇ ବଢୁଛି ସନ୍ଦେହ। ଫୋକସରେ ଉଲୁଣ୍ଡା ଓ ତରଭା। ଜିଲ୍ଲା ଚିକିତ୍ସାଳୟରେ ବସିଥିବା PCPNDT ବୈଠକରୁ ଆସିଲା ସାଂଘାତିକ ତଥ୍ୟ । ରାଜ୍ୟ ତୁଳନାରେ ଜିଲ୍ଲା ରହିଛି ପଛରେ। ତଥ୍ୟ ଅନୁସାରେ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟରେ ପ୍ରତି ହଜାରେ ଶିଶୁ ପୁତ୍ର ରେ ୯୨୩ ଶିଶୁ କନ୍ୟା ଜନ୍ମ ହେଉଥିବାବେଳେ ଜିଲ୍ଲାରେ ୮ ଶହ ୯୬ ରହିଛି । କେବଳ ସେତିକି ନୁହେଁ ବ୍ଲକ ସ୍ତରରେ ଉଲୁଣ୍ଡା ୮ ଶହ ୬୮ ଥିବାବେଳେ ତରଭା ବ୍ଲକ ରେ ରହିଛି ସର୍ବନିମ୍ନ ୭ ଶହ ୪୪ । ଯାହାକି ଚିନ୍ତାଜନକ ବୋଲି କହିଛନ୍ତି ସାମାଜିକ କର୍ମୀ।
ଚାଲିଛି କି ବେଆଇନ କନ୍ୟା ଭୃଣ ହତ୍ୟା ? ଜିଲ୍ଲାରେ ପୁଅ ଝିଅ ଅନୁପାତ କୁ ନେଇ ବଢୁଛି ସନ୍ଦେହ । ଜିଲ୍ଲାରେ ବର୍ତ୍ତମାନ ମୋଟ୍ ୧୫ ଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ଥିବାବେଳେ ସେଥିରୁ ୭ ଟି ସରକାରୀ ଓ ୮ ଟି ବେସରକାରୀ ଭାବେ ଚାଲିଛି । ତେବେ ଏହି କ୍ଲିନିକ୍ ମାନଙ୍କରେ ଅବାଧରେ ବେଆଇନ ଲିଙ୍ଗ ନିରୂପଣ ଚାଲିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଏହାକୁ ଚିନ୍ତାଜନକ କହିବା ସହ ତର୍ଜମା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି…।
ଆକାଶଛୁଆଁ ପରିବା ଦର
ନନ୍ଦିଘୋଷ ବ୍ୟୁରୋ : ଆକାଶଛୁଆଁ ପରିବା ଦର। ମହଙ୍ଗା ମାଡ଼ରେ କଲବଲ ଖାଉଟି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ବିଭିନ୍ନ ବଜାରରେ ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଦର। ୫ଶହ ଟଙ୍କାରେ ପୁରୁନି ବ୍ୟାଗ। କାଙ୍କଡ଼ -୨୦୦ , ପୋଟଳ -୮୦, କଲରା ଓ ବାଇଗଣ – ୬୦, ଫୁଲକୋବି -୧୦୦, ବନ୍ଧାକୋବି -୪୦, ବିନ୍ସ -୮୦ ରହିଥିବା ବେଳେ ଭେଣ୍ଡି କିଲୋ ପିଛା -୫୦,ଝୁଡଙ୍ଗ -୬୦ ରହିଛି l ସେହିପରି କନ୍ଦାଉଛି ପିଆଜ । ୭୦ ଦେଇ ପିଆଜ କିଣିଲେ ଆଖିରୁ ଲୁହ ଆସୁଥିବା କହିଛନ୍ତି ଗ୍ରାହକ। ଗ୍ରାହକଙ୍କ ହାଣ୍ଡିଶାଳ ରେ ମହଙ୍ଗା ମାଡ଼ ହେଉଥିବା କହିଛନ୍ତି ।
ବ୍ଲକର ଫଳସାଗୋରା, କଣ୍ଟାମାଳ, ମଲିକୁଦ, ଲମ୍ବଶେରୀ, ବରଗାଁ ପରି ବିଭନ୍ନ ସ୍ଥାନରେ ସାପ୍ତାହିକ ବଜାରରେ ଏବେ ଲୋକଙ୍କୁ ପରିବା ଦର ଅତିଷ୍ଟ କରୁଛି l ଦର ଅଧିକ ଥିବାରୁ ଲୋକେ ନିଜର ଆବଶ୍ୟକତା ଠାରୁ କମ୍ କିଣୁଛନ୍ତି । ଗୋଟେ ପଟେ ବର୍ଷା ଯୋଗୁ ଫସଲ ନଷ୍ଟ ଏବଂ ଅନ୍ୟପଟେ ତେଲ ଦର ବୃଦ୍ଧି ଯୋଗୁଁ ବାହାର ଜିଲ୍ଳାରୁ ଆସୁଥିବା ପନିବାରିବା ର ଦର ଅଧିକ ହେଉଥିବା କହିଛନ୍ତି ବ୍ୟବସାୟୀ l
ଦର ନିୟନ୍ତ୍ରଣ ଦିଗରେ ସରକାର ଦୃଷ୍ଟି ଦେବା ଆବଶ୍ୟକ ହୋଇଛି। ତେବେ ପରିବା ଦର କେବେ କମିବ ? କେବେ ଖାଉଟିଙ୍କୁ ଆଶ୍ୱସ୍ତି ମିଳିବ? ତାହା ଉପରେ ନଜର।
ଜଣେ ହିନ୍ଦୀ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ
ଚକାଚକ ସ୍କୁଲ, ସ୍ମାର୍ଟ କ୍ଲାସରୁମ୍। କମ୍ପ୍ୟୁଟର ଓ ଖେଳ ପଡ଼ିଆ ରହିଛି। ଭିତ୍ତିଭୂମି ଅଛି, ଶୈକ୍ଷିକ ପରିବେଶ ବି ଅଛି । ହେଲେ ନାହାନ୍ତି ଆବଶ୍ୟକ ଶିକ୍ଷକ। ଫଳରେ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏ ହେଉଛି କେନ୍ଦୁଝର ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତ ହାଇସ୍କୁଲର ଦୃଶ୍ୟ..। ମାତ୍ର ଜଣେ ହିନ୍ଦୀ ଶିକ୍ଷକଙ୍କ ଭରସାରେ ଚାଲିଛି ସ୍କୁଲ। ତିନୋଟି ଶ୍ରେଣୀରେ ୫୭ରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବାବେଳେ ଏଯାଏଁ ବିଜ୍ଞାନ, ଗଣିତ, ଇଂରାଜୀ, ସଂସ୍କୃତ ଭଳି ଅନେକ ବିଷୟରେ ପାଠପଢ଼ା ଆରମ୍ଭ ହୋଇନାହିଁ। କିଭଳି ପରୀକ୍ଷା ଦେବେ ଚିନ୍ତାରେ ଛାତ୍ରଛାତ୍ରୀ।
କେବଳ ପନ୍ଦାଡୋ ହାଇସ୍କୁଲ ନୁହେଁ ଶିକ୍ଷକ ଅଭାବ ଯୋଗୁଁ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ ଏକପ୍ରକାର ଠପ୍। ନିଶାକର ହାଇସ୍କୁଲ ମଉଦାରେ ସମାନ ଅବସ୍ଥା। ଜଣେ କଳା ଓ ଜଣେ ବିଜ୍ଞାନ ଶିକ୍ଷକରେ ଚାଲିଛି ସ୍କୁଲ। ତିନୋଟି ଶ୍ରେଣୀରେ ୯୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। କିନ୍ତୁ ସଂସ୍କୃତ, ହିନ୍ଦୀ, ଇତିହାସ ଓ ଭୂଗୋଳ ଭଳି ବିଷୟରେ ପାଠପଢ଼ା ଆରମ୍ଭ ହୋଇନାହିଁ। ସେହିଭଳି ଶାଳନିଆ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ଫଳରେ କିପରି ଶିକ୍ଷାଦାନ ହେବ ଓ ପିଲାମାନେ କିପରି ପରୀକ୍ଷା ଦେବେ ତାକୁ ନେଇ ଉଠିଛି ପ୍ରଶ୍ନ। ହାଟଡିହି ବ୍ଲକର ପ୍ରାୟ ୨୦ଟି ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଯୋଗ ହୋଇଛି।
କେବେ ଶୁଣିବେ ସରକାର? କେବେ ହେବ ଶିକ୍ଷକ ନିଯୁକ୍ତି? ନା ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ।
୯ ଲକ୍ଷ ସରକାରୀ ଅର୍ଥ ହେରଫେର ମାମଲାରେ ବଡ଼ ରାୟ
ନନ୍ଦିଘୋଷ ବ୍ୟୁରୋ : ୯ ଲକ୍ଷ ସରକାରୀ ଅର୍ଥ ହେରଫେର ମାମଲାରେ ବଡ଼ ରାୟ। ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ୧ ବର୍ଷ ଜେଲ୍। ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ପୂର୍ବତନ PD, DRDA ସୂର୍ଯ୍ୟନାରାୟଣ ଦାସ ଓ ତତ୍କାଳୀନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ଭିଜିଲାନ୍ସ କୋର୍ଟ। ୩ ଜଣଙ୍କୁ ୧ ବର୍ଷର କଠୋର କାରାଦଣ୍ଡ ସହ ଜରିମାନା କରିଛନ୍ତି କୋର୍ଟ। ଢେଙ୍କାନାଳ FCI ଗୋଦାମରୁ ଚାଉଳ, ଗହମ ପରିବହନରେ ଅନିୟମିତତା ଅଭିଯୋଗରେ ଏହି ରାୟ ଦେଇଛନ୍ତି କୋର୍ଟ। ସରକାରୀ ଧାର୍ଯ୍ୟ ଦର ବଦଳରେ ଅଧିକ ଦରରେ ଟଙ୍କା ପ୍ରଦାନ ସାଙ୍ଗକୁ Hand Quotation ମାଧ୍ୟମରେ ନିୟମ ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏହି ଆର୍ଥିକ କ୍ଷତିର ପରିମାଣ ପ୍ରାୟ ୯ ଲକ୍ଷ ଟଙ୍କା ହେବ। ରାୟ ପରେ ପୂର୍ବତନ ଜିଲ୍ଲାପାଳଙ୍କ ପେନସନ୍ ବନ୍ଦ ପାଇଁ ସରକାରଙ୍କୁ ଭିଜିଲାନ୍ସ କୋର୍ଟ ସୁପାରିଶ କରିଛନ୍ତି।
ଦିଲ୍ଲୀର ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ଜଳ ବୋର୍ଡ ଦୁର୍ନୀତି ମାମଲାରେ ତାଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଜାମିନ ଦେଇଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବାର ଅଭିଯୋଗରେ ଜୈନଙ୍କୁ ଗିରଫ କରିଥିଲା ଆଣ୍ଟି କରପସନ ବ୍ୟୁରୋ। ଗତ ଅଗଷ୍ଟ ୧୮ ତାରିଖରେ ତାଙ୍କ ସହିତ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ଭିତରେ ଥିଲେ ଜଳ ବୋର୍ଡ ର ପୂର୍ବତନ ସିଇଓ।
ବିଚାର ବିଭାଗୀୟ ହାଜତ ସରିବା ପରେ ଆଜି ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଆଜି ଜାମିନ ଦେଇଛନ୍ତି। ଆପ୍ କହିଛି, ଜାମିନ ତ ମିଳିବାର ଥିଲା, ଦୁର୍ନୀତି ଅଭିଯୋଗ ପୂରା ମିଛ। କେବଳ ରାଜନୈତିକ ପ୍ରତିଶୋଧ ପାଇଁ ବିଜେପି ଏପରି କରିଥିଲା। ଜୈନ ପଂଜାବ ଦାୟିତ୍ଵରେ ଥିବାରୁ ଓ ଆଗକୁ ପଂଜାବ ନିର୍ବାଚନ ଆସୁଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। …
କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି
ନନ୍ଦିଘୋଷ ବ୍ୟୁରୋ : ସୁନା ଚେନ ପକାଇ ମର୍ଣ୍ଣିଂ ୱାକ କରୁଥିଲେ ସାବଧାନ । ହାର ପକାଇ ଫୁଲ ତୋଳୁଥିଲେ ହୁଅନ୍ତୁ ସତର୍କ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଏଭଳି ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି । ଯେଉଁମାନେ ମର୍ଣ୍ଣିଂ ୱାକ୍, ଫୁଲ ତୋଳୁଥିବା ପ୍ରାପ୍ତ ବୟସ୍କ ଓ ମହିଳାଙ୍କୁ ଟାର୍ଗେଟ କରିଥାନ୍ତି । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଲୁଟେରା ଲୁଟ କରିବା ବେଳର Exclusive ସିସିଟିଭି। ଗ୍ୟାଙ୍ଗର ୩ ଲୁଟେରାଙ୍କ ସହ ୨ ଜଣ ରିସିଭରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ହେଲେ ଅରୁଣ ସାହୁ, ଦୀପକ ଭଞ୍ଜ, କିଷାନ ଭୋଇ, ସ୍ୱୟଂସୁ ସାମଲ । ଏହି ଗ୍ୟାଙ୍ଗରେ ଜଣେ ନାବାଳକ ମଧ୍ୟ ରହିଛି ।
ସେମାନଙ୍କ ଠାରୁ ୭୦ ଗ୍ରାମର ୮ଟି ସୁନା ଚେନ ଓ ଗୋଟିଏ ମୁଦି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହାସହ ଲୁଟେରା ବ୍ୟବହାର କରୁଥିବା ୫ଟି ବାଇକ ମଧ୍ୟ ଜବତ କରିଛି ପୋଲିସ । ପାହାଳ, ବାଲିଅନ୍ତା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଆଦି ଥାନା ଅଧୀନରେ ଏମାନେ ଲୁଟପାଟ କରି ଛାତି ଥରାଇ ଦେଉଥିଲେ। କେବଳ ଭୁବନେଶ୍ୱର ନୁହେଁ, କଟକ ସଦର ଥାନା ଅଧୀନରେ ମଧ୍ୟରେ ଲୋକଙ୍କ ଠାରୁ ଝାମ୍ପି ନେଉଥିଲେ ସୁନା ଚେନ।
ଏ ନେଇ ଅଭିଯୋଗ ପରେ ଅଭିଯୁକ୍ତଙ୍କ ଉପରେ ନଜର ରଖିଥିଲା ସ୍ପେଶାଲ ସ୍କ୍ବାଡ। ଆଜି ପୁରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ଲୁଟେରାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ସେପଟେ ଲୁଟର ଶିକାର ବ୍ୟକ୍ତିଙ୍କୁ ତାଙ୍କ ସୁନା ଅଳଙ୍କାର ଫେରାଇଛି ପୋଲିସ । ଏ ଦିଗରେ ସତର୍କ ରହିବାକୁ ମଧ୍ୟ ନିବେଦନ କରିଛନ୍ତି ପୋଲିସ କମିଶନର।
ଆଗାମୀ ସେପ୍ଟେମ୍ବର ୮ ତାରିଖ ଯାଏଁ ବର୍ଷା ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାଉତ
ନନ୍ଦିଘୋଷ ବ୍ୟୁରୋ : ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ହେଲେ ପୁରୁଷଙ୍କୁ ବେକାର କରିଦେଉଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଏସଏସବି ଲେକ୍ଚର ଆଶାୟୀ ପରୀକ୍ଷାର୍ଥୀ । ସମାଧାନ ଉପାୟ ନପାଇ ଆଗାମୀ ସେପ୍ଟେମ୍ବର ୧୯ରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଏସଏସବି ଲେକ୍ଚର ପରୀକ୍ଷାର୍ଥୀ।
୨୦୨୪ରେ ଫାଙ୍କା ପଡିଥିବା ଏସଏସବି ଲେକ୍ଚର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି କରାଯାଇଥିଲା। ପରୀକ୍ଷା ପାଇଁ ୪୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ ମଧ୍ୟ ପରୀକ୍ଷା ଆରମ୍ଭର କିଛିଦିନ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ ଆବେଦନକାରୀଙ୍କ ସହ ସରକାର ଏନେଇ ହାଇକୋର୍ଟରେ ମାମଲା କରିଥିଲେ। କିନ୍ତୁ ଅଢେଇ ବର୍ଷ ଭିତରେ ବାରମ୍ବାର ଶୁଣାଣି ପରେ ମଧ୍ୟ ଏନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଶେଷରେ ନିରାଶ ହୋଇ ଆଗାମୀ ସେପ୍ଟେମ୍ବର ୧୯ ତାରିଖରେ ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଆବେଦନକାରୀ।

