spot_img
Home Blog Page 44

୧୯ରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଏସଏସବି ଲେକ୍ଚର ପରୀକ୍ଷାର୍ଥୀ

ନନ୍ଦିଘୋଷ ବ୍ୟୁରୋ : ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ହେଲେ ପୁରୁଷଙ୍କୁ ବେକାର କରିଦେଉଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଏସଏସବି ଲେକ୍ଚର ଆଶାୟୀ ପରୀକ୍ଷାର୍ଥୀ । ସମାଧାନ ଉପାୟ ନପାଇ ଆଗାମୀ ସେପ୍ଟେମ୍ବର ୧୯ରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଏସଏସବି ଲେକ୍ଚର ପରୀକ୍ଷାର୍ଥୀ।‌

୨୦୨୪ରେ ଫାଙ୍କା ପଡିଥିବା ଏସଏସବି ଲେକ୍ଚର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିଫିକେସନ୍‌ ଜାରି କରାଯାଇଥିଲା। ପରୀକ୍ଷା ପାଇଁ ୪୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ ମଧ୍ୟ ପରୀକ୍ଷା ଆରମ୍ଭର କିଛିଦିନ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ ଆବେଦନକାରୀଙ୍କ ସହ ସରକାର ଏନେଇ ହାଇକୋର୍ଟରେ ମାମଲା କରିଥିଲେ। କିନ୍ତୁ ଅଢେଇ ବର୍ଷ ଭିତରେ ବାରମ୍ବାର ଶୁଣାଣି ପରେ ମଧ୍ୟ ଏନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।‌ ଶେଷରେ ନିରାଶ ହୋଇ ଆଗାମୀ ସେପ୍ଟେମ୍ବର ୧୯ ତାରିଖରେ ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଆବେଦନକାରୀ।

ସ୍କର୍ପିଓ-ଥାର୍‌ରେ ମଦ ଚାଲାଣ, ଏସ୍କର୍ଟ ଦେଉଥିଲେ ବନ୍ଧୁକଧାରୀ

ନନ୍ଦିଘୋଷ ବ୍ୟୁରୋ : ପାର୍ବଣ ପୂର୍ବରୁ ରାଜଧାନୀରେ ଚୋରା ମଦ ରାକେଟ ଉପରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ରାଜଧାନୀର ଏକାଧିକ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ସ୍କର୍ପିଓ, ଥାର୍, ସାଣ୍ଟ୍ରୋ ଓ ୱାଗନର୍ ଭଳି ଗାଡ଼ିରେ ଦେଶୀ ମଦ ଚାଲାଣ ହେଉଥିବା ଜଣାପଡ଼ିଛି।

ଚାଲାଣ ହେଉଥିବା ଗାଡ଼ିଗୁଡ଼ିକୁ ବନ୍ଧୁକଧାରୀମାନେ ବାଇକ୍‌ରେ ଏସ୍କର୍ଟ ଦେଉଥିଲେ। ନକଲି ନମ୍ବର ପ୍ଲେଟ୍ ଲଗାଇ ମାଫିଆମାନେ ଏହି ମଦ ଚାଲାଣ କରୁଥିବା ସୂଚନା ମିଳିଛି। କାରଗୁଡ଼ିକୁ ପିଛା କରି ଅବକାରୀ ବିଭାଗ ଧରିଥିବା ବେଳେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ବନ୍ଧୁକ ସହ ୩ଟି ବାଇକ୍, ମଦ ତିଆରି ମେସିନ୍, ବିପୁଳ ପରିମାଣର ଦେଶୀ ମଦ, ବୋତଲ ଏବଂ ବିଭିନ୍ନ ନକଲି ସାମଗ୍ରୀ ଜବତ କରାଯାଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜଧାନୀରେ ମଦ ବେପାର ପାଇଁ ଏହି ଚୋରା ମଦ ଆଣାଯାଉଥିବା ଜଣାପଡ଼ିଛି। ଆଗାମୀ ଦିନରେ ଏଭଳି ଚଢ଼ାଉକୁ ଆହୁରି ବ୍ୟାପକ କରାଯିବ ବୋଲି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

ରିଲିଫ ନେଇ ଫେରୁଥିବା ବେଳେ ନଡ଼ିଆ ପଡ଼ି ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ :  ବାରିପଦା ସହର ମଧୁବନ ଅଞ୍ଚଳରେ ଅଭାବନୀୟ ଘଟଣା। ଗଛରୁ ନଡ଼ିଆ ପଡ଼ି ୧୧ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ସ୍ଥାନୀୟ ଅଞ୍ଚଳର ବାଦଲ ପାତ୍ର। ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ।

ବନ୍ୟା ଯୋଗୁଁ ବାଦଲଙ୍କ ଘର ବୁଡ଼ି ଯାଇଥିଲା। ଗତକାଲି ସେ ରିଲିଫ ନେବା ପାଇଁ ରିଲିଫ ବଣ୍ଟନ କେନ୍ଦ୍ରକୁ ଯାଇଥିଲେ। ରିଲିଫ ନେଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ଉପରେ ଗଛରୁ ନଡ଼ିଆ ପଡ଼ିଥିଲା। ଗୁରୁତର ଆହତ ବାଦଲଙ୍କୁ ତୁରନ୍ତ PRM ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବାଦଲ ଆଖି ବୁଜିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ ଛାତ୍ରଙ୍କ ମରଶରୀର ପରିବାରକୁ ହସ୍ତାନ୍ତର କରାଯାଇଛି।

ବୈତରଣୀ ବନ୍ୟାରେ ୨୪ ଗାଁ ଜଳବନ୍ଦୀ, ଠପ୍ ଜନଜୀବନ

ନନ୍ଦିଘୋଷ ବ୍ୟୁରୋ : ବୈତରଣୀ ନଦୀର ଜଳସ୍ତର କମୁଛି, ହେଲେ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ୨୪ଟି ଗାଁରେ ବନ୍ୟାସ୍ଥିତି ଅପରିବର୍ତ୍ତିତ ରହିଛି। ଦେଢ଼ମାସ ମଧ୍ୟରେ ବୈତରଣୀ ନଦୀରେ ପାଞ୍ଚ ପାଞ୍ଚ ଥର ବନ୍ୟା ଆସିବାରୁ ଅନେକ ବିପନ୍ନ ବେସାହାରା ହୋଇପଡ଼ିଥିବା ବେଳେ ଚାଷୀଙ୍କ ବର୍ଷକର ଆହାର ମଧ୍ୟ ଛଡ଼ାଇ ନେଇଛି ବନ୍ୟା।

ଅନ୍ୟପଟେ, ବୈତରଣୀ ନଦୀରେ ବାରମ୍ବାର ଆସୁଥିବା ବନ୍ୟା ଯୋଗୁଁ ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥର ବୋଡ଼କ ଓ ଷାଠିବାଙ୍କୁଡ଼ା ନିକଟରେ କଂକ୍ରିଟ ରାସ୍ତାର ଅନେକ ସ୍ଥାନ ପୁଣି ଧୋଇଯାଇଛି। ଫଳରେ ଘାଇ ସୃଷ୍ଟି ହୋଇ ବନ୍ୟାପାଣି ଜନବସତି ଆଡ଼କୁ ମାଡ଼ି ଚାଲିଛି। ବନ୍ୟାପାଣିର ପ୍ରଖର ସ୍ରୋତ ଯୋଗୁଁ ଗତ ୩ ଦିନ ତଳେ ମରାମତି ହୋଇଥିବା ରାସ୍ତାରୁ ବାଲି ଓ ଗୋଡ଼ି ଧୋଇଯିବା ସହ ନଦୀବନ୍ଧରେ ପକାଯାଇଥିବା ଅନେକ ବାଲିବସ୍ତା ମଧ୍ୟ ଭାସିଯାଇଛି। ଦୀର୍ଘ ଦେଢ଼ମାସ ହେବ ଆଖଣ୍ଡଳମଣି-କୁଆଖିଆ-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଅନେକ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିସରରେ ବନ୍ୟାପାଣି ଲହଡ଼ି ମାରୁଛି। ଏହାଫଳରେ ଶହ ଶହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଠପ୍ ହୋଇଯାଇଛି। ସେହିପରି ନଦୀକୂଳିଆ ଓ ତଳିଆ ଅଞ୍ଚଳର ସାହି ଓ ଘରେ ବାରମ୍ବାର ବନ୍ୟାପାଣି ପଶୁଥିବାରୁ ବହୁ ପରିବାର ଦେଢ଼ମାସ ହେବ ରାଜରାସ୍ତା କଡ଼ ଓ ନଦୀବନ୍ଧକୁ ଆଶ୍ରୟସ୍ଥଳୀ କରିଛନ୍ତି।

ନଦୀବନ୍ଧରେ ହିଂସ୍ର କୁମ୍ଭୀର ଭୟ ଥିବା ବେଳେ ଗାଁ ଓ ସାହି ରାସ୍ତାରେ ବିଷଧର ସାପଙ୍କ ଭୟ ମଧ୍ୟ ବନ୍ୟା ବିପନ୍ନଙ୍କୁ ଘାରିଛି। ଚଳିତବର୍ଷର ବନ୍ୟା ପରିସ୍ଥିତି ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଖଟିଖିଆ ଓ ଦିନମଜୁରିଆଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଆରଡି ନିକଟସ୍ଥ ମୁଁଆ ଓ ଡିହସାହି ଘୋଷରାରେ ୩ରୁ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ୨୦ରୁ ଊର୍ଦ୍ଧ୍ୱ ଗାଁ ସହ ତିହିଡ଼ି ବ୍ଲକର ଅନେକ ଗାଁ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସେହିପରି ଆରଡି ବସଷ୍ଟାଣ୍ଡ, ବ୍ୟାଙ୍କ ଓ ମେଡିକାଲ ପରିସର ସହ ମୁଖ୍ୟ ପ୍ରବେଶପଥ ଓ ବାଇପାସ ରାସ୍ତାରେ ବନ୍ୟାପାଣି ଲହଡ଼ି ମାରୁଥିବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ମାଲକାନଗିରିରେ ୧୫୫ କଇଁଛ ଜବତ, ଚୋରା ଚାଲାଣକାରୀ ଫେରାର

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିରେ ବନ ବିଭାଗକୁ ବଡ଼ ସଫଳତା। ଚୋରା ଚାଲାଣ ବେଳେ ଏକ ଅଟୋରିକ୍ସାରୁ ୧୫୫ଟି ଫ୍ଲାପ୍‌-ସେଲ୍ଡ କଇଁଛ ଜବତ କରିଛି ବନ ବିଭାଗ। ମାଲକାନଗିରି ରେଞ୍ଜ ଅଧୀନ ମାଲକାନଗିରି-୧ ବିଟ୍‌ର ତାମସା ଗାଁ ନିକଟରେ ଚାଲିଥିଲା ଏହି କଇଁଛ ଚୋରା ଚାଲାଣ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଏହି ସମୟରେ ଏକ ତିନିଚକିଆ ଅଟୋରିକ୍ସାରେ ଚାଲାଣ ହେଉଥିବା ୧୫୫ଟି ଫ୍ଲାପ୍‌-ସେଲ୍ଡ କଇଁଛ ଜବତ କରାଯାଇଥିଲା। ତେବେ ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି। ଫେରାର ଅଭିଯୁକ୍ତକୁ ଧରିବା ସହ କଇଁଛଗୁଡ଼ିକ କେଉଁଠାରୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଜାରି ରହିଛି।

କୋଲକାତାରେ TMC କାର୍ଯ୍ୟାଳୟ ଭଙ୍ଗାରୁଜା, ୬ ଜଣ ଗିରଫ

ନନ୍ଦିଘୋଷ ବ୍ୟୁରୋ : କୋଲକାତାର କାମାକ୍‌ ଷ୍ଟ୍ରିଟ୍‌ରେ ତୃଣମୂଳ କଂଗ୍ରେସ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ନେଇ ରାଜନୀତି ତେଜ ହୋଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତ ବିଜେପି କର୍ମୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ।

ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ବିଜେପି କର୍ମୀମାନେ କାମାକ୍‌ ଷ୍ଟ୍ରିଟ୍‌ରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ପ୍ରବେଶ କରି ଫର୍ଣ୍ଣିଚର ଭଙ୍ଗାରୁଜା କରିବା ସହ ଦଳୀୟ କର୍ମୀଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଏପରିକି ଏୟାର ପ୍ୟୁରିଫାୟର, ପ୍ରିଣ୍ଟର, ଟିଭି ସମେତ ବିଭିନ୍ନ ଇଲେକ୍ଟ୍ରୋନିକ୍‌ ଉପକରଣ ମଧ୍ୟ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି। ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ମଧ୍ୟ ପୋଲିସ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।  ଅନ୍ୟପଟେ, ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ସେକ୍ସପିଅର ସରଣୀ ଥାନା ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।

ସାବତ ଶ୍ବଶୁର ହେଲା ରକ୍ତମୁଖା

ନନ୍ଦିଘୋଷ ବ୍ୟୁରୋ : ସାବତ ଶ୍ୱଶୁର ହେଲା ରକ୍ତମୁଖା। ଲୁହା ରଡ଼ରେ ବାଡେଇ ଜ୍ୱାଇଁକୁ କଲା ହତ୍ୟା। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ମଝିଗଡିଆ ମଥୁରାସାହି ଗ୍ରାମରେ। ରମେଶ ବିନ୍ଧାଣୀ ତାଙ୍କ ଶ୍ୱଶୁର ଘର ମଥୁରାସାହିରେ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହିତ ରୁହନ୍ତି। ଯାହାକୁ ନେଇ ପୂର୍ବରୁ ରମେଶଙ୍କ ସାବତ ଶ୍ୱଶୁର ଦାମଦୋର ହୋ ଅନେକ ଥର ବିରୋଧ କରି ଆସିଛନ୍ତି। ହେଲେ ଗତକାଲି ରାତିରେ ଉଭୟ ସାବତ ଶ୍ୱଶୁର ଏବଂ ଜ୍ୱାଇଁ ମଧ୍ୟରେ ବଚସା ହୋଇଥିଲା। ଉଭୟ ନିଶାସକ୍ତ ଅବସ୍ଥାରେ ରହିଥିବା ବେଳେ ବଚସା ଉଗ୍ରରୂପ ନେଇଥିଲା। ସାବତ ଶ୍ୱଶୁର ଏକ ଲୁହା ରଡ଼ରେ ଜ୍ୱାଇଁ ରମେଶଙ୍କୁ ଆକ୍ରମଣ କରିଥିଲା। ଯାହାକୁ ରମେଶ ଙ୍କ ସ୍ତ୍ରୀ ଭାରତୀ ଏବଂ ତାଙ୍କ ଶାଶୁ ସୁକୁରି ହୋ ବିରୋଧ କରିଥିଲେ।

ଏହି ସମୟରେ ଉଭୟ ଭାରତୀ ଓ ସୁକୁରି ଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଯେଉଁଥିରେ ଉଭୟ ଗୁରୁତର ହୋଇଥିଲେ। ଏହା ପରେ ସାବତ ଶ୍ୱଶୁର ଲୁହା ରଡ଼ରେ ରମେଶଙ୍କ ମୁଣ୍ଡରେ ମାଡ଼ ମାରିବା ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ମେଡିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ଗର୍ଭଉଦକ ବନ୍ଦାପନା ନୀତି

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ନୀତି ସମେତ ଗୁରୁବାର ମାଜଣା ଓ ଜେଉଟ ଭୋଗ ଭଳି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଜନ୍ମାଷ୍ଟମୀ ଥିବାରୁ ଆଜି ଅର୍ଥାତ୍‌ ଜନ୍ମାଷ୍ଟମୀର ପୂର୍ବଦିନ ଶ୍ରୀଜିଉଙ୍କର ଏହି ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେବ।ଆଜି ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି ହେବେ। ଏହାପରେ ପାଣି ପଡ଼ି ଟେରା ବନ୍ଧାଯିବ ଏବଂ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସିବ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣି ପଡ଼ି ଧୋପଖାଳ ନୀତି ସମ୍ପନ୍ନ ହେବ। ଏହାପରେ ଜୟବିଜୟ ଦ୍ୱାର ବନ୍ଦ ହେବ।

ଟେରା ବନ୍ଧାଯାଇ ଅଣସର ପିଣ୍ଡିଠାରେ ଜେଉଟ ଭୋଗ ପାଇଁ ରୋଷଘରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଅଣାଯାଇ ରଖାଯିବ। ଏଥିରେ ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଆଦି ବ୍ୟଞ୍ଜନ ରହିବ। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବା ପରେ ତିନି ଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବେ।ପରେ ପାଣି ପଡ଼ି ଧୋପଖାଳ ନୀତି ସମ୍ପନ୍ନ ହେବା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିବେ। ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅତିରିକ୍ତ ବନ୍ଦାପନା କରାଯାଏ। ଏହି ବିଶେଷ ବନ୍ଦାପନାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ।

ନିଶାସକ୍ତ ଡ୍ରାଇଭରଙ୍କ ଆତଙ୍କ, ୨ କାର୍‌କୁ ଧକ୍କା ପରେ ୨ ବାଇକ୍‌ ଘୋଷାଡ଼ିଲା SUV

ନନ୍ଦିଘୋଷ ବ୍ୟୁରୋ : ପୁଣି ରାଜଧାନୀରେ ନିଶାସକ୍ତ ଡ୍ରାଇଭରଙ୍କ ଆତଙ୍କ। ଭୋର୍‌ ସମୟରେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣୀ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏକ ନିଶାସକ୍ତ ଡ୍ରାଇଭରଙ୍କ SUV ପ୍ରଥମେ ଦୁଇଟି କାର୍‌କୁ ଧକ୍କା ଦେବା ପରେ ଦୁଇଟି ବାଇକ୍‌କୁ ଘୋଷାଡ଼ି ନେଇଥିଲା।

ଦୁର୍ଘଟଣା ପରେ ଡ୍ରାଇଭର ଜଣକ ବସ୍‌ରେ ଚଢ଼ି ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ଜଣକ ଭଦ୍ରକ ଜିଲ୍ଲା ଆରଡ଼ି ଅଞ୍ଚଳର କମଳାକାନ୍ତ ପାଢ଼ୀ ବୋଲି ଜଣାପଡ଼ିଛି। କମଳାକାନ୍ତଙ୍କ ଭାଇଙ୍କ କହିବା ଅନୁସାରେ, ଜଗା ଦର୍ଶନ ପାଇଁ ସେମାନେ ଆରଡ଼ିରୁ ପୁରୀ ଯାଉଥିଲେ। ପଳାଶୁଣୀ ଛକ ନିକଟରେ କାର୍‌ ରଖି ପାଣି ପିଉଥିବା ସମୟରେ ନିଶାସକ୍ତ SUV ଡ୍ରାଇଭର ତାଙ୍କ କାର୍‌କୁ ଧକ୍କା ଦେଇଥିଲେ। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ଅସ୍ତରଙ୍ଗରେ ଶୋକ: ଦୁଇ ଦିନ ପରେ ମିଳିଲା ୭ ବର୍ଷର ଶୁଭ୍ରଜିତଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ : ଲୁହରେ ଭିଜିଲା ଅସ୍ତରଙ୍ଗର ଏଡବାଂଶ। ଗତକାଲିଠାରୁ ନିଖୋଜ ଥିବା ୭ ବର୍ଷର କୁନି ପୁଅ ଶୁଭ୍ରଜିତ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଦେବୀ ନଦୀରେ ଦୁଇ ଦିନ ଧରି ସର୍ଚ୍ଚ ଅପରେସନ ପରେ ଆଜି ସକାଳୁ ନଦୀ ପଠା ଅସନ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ତାଳଦା ପଞ୍ଚାୟତ ଏଡବାଂଶ ଗାଁର ପ୍ରଶାନ୍ତ ବେହେରାଙ୍କ ଏକମାତ୍ର ପୁଅ ଥିଲେ ଶୁଭ୍ରଜିତ। ମଙ୍ଗଳବାର ଅପରାହ୍ନରେ ଖେଳୁଥିବା ବେଳେ ହଠାତ୍‌ ସେ ନିଖୋଜ ହୋଇଯାଇଥିଲେ। ଶେଷ ଥର ପାଇଁ ତାଙ୍କୁ ଦେବୀ ନଦୀ କୂଳରେ ଦେଖାଯାଇଥିଲା। ଏହାପରେ ପୁରା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ସେହି ସମୟରେ ଗାଁ ଦାଣ୍ଡରେ ଏକ ଅଚିହ୍ନା ଥାର୍‌ ଗାଡ଼ି ବୁଲୁଥିବା ଖବର ଆସିବାରୁ ଶୁଭ୍ରଜିତଙ୍କୁ ଅପହରଣ କରାଯାଇଥିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା। ଅସ୍ତରଙ୍ଗ ପୋଲିସ ତୁରନ୍ତ ପୁରୀରୁ ଡଗ୍‌ ସ୍କ୍ୱାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଆଣି ତଦନ୍ତ ଆରମ୍ଭ କରିଥିଲା। ଡଗ୍‌ ସ୍କ୍ୱାଡ୍‌ ଶୁଭ୍ରଜିତଙ୍କ ଡ୍ରେସ୍‌ ଶୁଙ୍ଘି ଘରଠାରୁ ସିଧା ଦେବୀ ନଦୀ କୂଳ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଡଗ୍‌ଟି ଅଟକି ଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଦୁଇ ଦିନ ଧରି ଦେବୀ ନଦୀରେ ସର୍ଚ୍ଚ ଅପରେସନ ଚାଲିଥିଲା। ଶେଷରେ ଆଜି ସକାଳେ ଦେବୀ ନଦୀ ପଠା ଅସନ ନିକଟରେ ଶୁଭ୍ରଜିତଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତଦେହ ଉଦ୍ଧାର ପରେ ମା’ଙ୍କ କାନ୍ଦରେ ଫାଟି ପଡୁଛି ପୁରା ଏଡବାଂଶ ଗାଁ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।